Unknown

 

 

 

 

 

 

 

 

 

 

ଯାମିନୀର ଶେଷ ଜହ୍ନ

ଶ୍ରୀଚରଣ ଦାସ

 

ନିଜ କଥା

 

ଉପନ୍ୟାସ କହିବାକୁ ଗଲେ ଏଇ ମୋର ପ୍ରଥମ । ଅବଶ୍ୟ ପୂର୍ବରୁ ଅନେକଗୁଡ଼ିଏ ଉପନ୍ୟାସ ଲେଖିଛି, କିନ୍ତୁ ସେଗୁଡ଼ିକ ଠିକ୍‍ ଉପନ୍ୟାସ ନୁହେଁ, ରହସ୍ୟ ଉପନ୍ୟାସ । ଯା’କୁ କହନ୍ତି Crime Novel.

 

ଏ ଉପନ୍ୟାସଟି ମୋର ଏକ ପରୀକ୍ଷାମୂଳକ ସାମାଜିକ ଉପନ୍ୟାସ । ଏଥିରେ ମୁଁ ଭୂମିକାକୁ ବାଦ୍‍ ଦେଇ କେବଳ ବିଷୟବସ୍ତୁ ଉପରେ ଅଧିକ ଯୋର୍‍ ଦେଇଛି । ଚାହିଁଥିଲେ ହୁଏତ ଉପନ୍ୟାସଟି ଏକ ଦୀର୍ଘ ଉପନ୍ୟାସ ହୋଇ ପାରିଥା’ନ୍ତା; କିନ୍ତୁ ଏ କାଗଜ ଦୁର୍ମୂଲ୍ୟ ଯୁଗରେ ଉପନ୍ୟାସର ଅଯଥା କଳେବର ବଢ଼ାଇବାକୁ ଚାହିଁନି । ପାଠକମାନଙ୍କୁ ହୁଏତ କିପରି ଲାଗିବ କହିପାରିବି ନାହିଁ, ତେବେ ତାଙ୍କ ମନୋପଯୋଗୀ କରିବାକୁ ଚେଷ୍ଟା କରିଛି । ଯଦି କିଛି ଦୋଷତ୍ରୁଟି ରହିଯାଇଥାଏ ସେମାନେ ମତେ କ୍ଷମା କରିବେ ।

 

ଶେଷରେ ଅଗ୍ରଦୂତ ପ୍ରକାଶନ ସଂସ୍ଥାର ସ୍ୱତ୍ୱାଧିକାରୀ ମୋର ପିତୃବନ୍ଧୁ ଶ୍ରୀଯୁକ୍ତ ବୀରବର ମହାନ୍ତି ପୁସ୍ତକଟିର ପ୍ରକାଶନ ଦାୟିତ୍ୱ ନେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି ।

 

ଲେଖକ

Image

 

 

 

 

 

 

 

 

 

ପିଲାଟି ଦିନୁ ଆମକୁ ସୁଖ ଦୁଃଖ ଭଲ ମନ୍ଦରେ

ମଣିଷ କରି ଆଣିଚି, ସେଇ ପରମ ପୂଜନୀୟା ।

ଅପା ହାତରେ .........।

Image

 

ଶୀତର ଏକ ସୁନ୍ଦର ଅପରାହ୍‍ଣ । ପରିଷ୍କାର ନିର୍ମଳ ଆକାଶରେ ବାଦଲର ଚିହ୍ନବର୍ଣ୍ଣ ସୁଦ୍ଧା ନଥାଏ । ବିଦାୟୀ ସୂର୍ଯ୍ୟର ରକ୍ତିମ ଆଭା ପଶ୍ଚିମ ଆକାଶରେ ଫଗୁ ବୋଳିଲା ପରି ଦେଖା ଯାଉଥାଏ ।

 

ଖୋଲା ବାତାୟନ ପଥ ଦେଇ, ସେଇଆଡ଼େ ଏକ ଲୟରେ ଚାହିଁ ରହିଥାଏ ସୁମିତ୍ରା । କିନ୍ତୁ ପ୍ରକୃତିର ଏଇ ସୁନ୍ଦର ଅପରାହ୍‍ଣ ତା’ ମନ ପ୍ରାଣରେ କୌଣସି ପ୍ରଭାବ ପକାଇ ପାରୁ ନଥାଏ-। ସେ ଯେପରି କୌଣସି ଏକ ଗୁରୁତର ଭାବନାରେ ମଗ୍ନ ।

 

ଏତିକିବେଳେ ସେ ଘର ଭିତରକୁ ପଶି ଆସିଲେ ଅନ୍ନଦାଶଙ୍କର । ତାଙ୍କ ଉପସ୍ଥିତି କିନ୍ତୁ ଜାଣିପାରି ନଥାଏ ସୁମିତ୍ରା । ସତେ ଯେପରି ଏକ ମାର୍ବଲ ଷ୍ଟାଚ୍ୟୁ ପାଲଟି ଯାଇଛି ସେ ।

 

‘‘ସୁମିତ୍ରା, ।’’ ଟିକେ ଉଦ୍‍ବିଗ୍ନ ହୋଇ ଡାକିଲେ ଅନ୍ନଦାଶଙ୍କର ।

 

‘‘ହୁଁ ।’’ ଯେପରି ସଂବିତ ଫେରି ପାଇଲା ସୁମିତ୍ରା । ବାତାୟନ ନିକଟରୁ ଉଠିଆସି ନିଜ କ୍ଳାନ୍ତ ଶରୀରଟିକୁ ଆରାମଚେୟାର ଉପରେ ଲୋଟାଇ ଦେଲା ସେ । ତାକୁ ଆଜି କିପରି ଉଦାସ ଉଦାସ ମନେ ହେଉଥାଏ ।

 

‘‘କ’ଣ ହୋଇଚି ସୁମିତ୍ରା ? ତୁମ ଆଖିଯୋଡ଼ାକ ଏପରି ରକ୍ତିମ ଦେଖାଯାଉଛି କାହିଁକି-?’’ ଟିକେ ଶଙ୍କିତ ଗଳାରେ ପଚାରିଲେ ଅନ୍ନଦାଶଙ୍କର ।

 

‘‘କାଇଁ, କିଛି ନାହିଁ ତ । ତୁମେ କ’ଣ ଏଇ ପ୍ରଥମେ ମୋ ଆଖି ଦୁଇଟିକୁ ଦେଖୁଛ ?’’ ତା’ ସ୍ୱରରେ କିପରି ଏକ ବ୍ୟଥା ଆଉ ବ୍ୟଙ୍ଗ ମିଶି ରହିଥିଲା ।

‘‘ନା, ସେକଥା ନୁହେଁ । ତେବେ ତମକୁ ଦେଖି ମନେ ହେଉଛି ତୁମର ଯେମିତି କିଛି ଗୋଟାଏ ହୋଇଛି ।’’

‘‘କ’ଣ ଭଲ ନା ମନ୍ଦ ?’’

‘‘କିପରି ଏକ ବିସ୍ମୟ ଆଉ ଭୟ ତୁମ ଆଖି ଦୁଇଟିରେ ଭରି ରହିଛି ।’’

‘‘ଓ, ସେଇଥିପାଇଁ ତୁମେ ଖୁବ୍‍ ଭୟ ପାଇଯାଇଛ ନୁହେଁ ?’’

‘‘ହଁ; କିନ୍ତୁ ତୁମର ହୋଇଛି କ’ଣ ?’’

‘‘ଗୋଟାଏ ଛାଇ !’’

‘‘ଛାଇ ! କାହାର ଛାଇ ?’’

‘‘ମୋ ଜୀବନର ।’’

‘‘ସୁମିତ୍ରା, ତୁମେ ଜାଣ ମୁଁ ପ୍ରହେଳିକାକୁ ଭଲପାଏ ନାହିଁ , କାରଣ ମୁଁ ନିଜେ ସରଳ । ଛନ୍ଦ କପଟ ବୋଲି କୌଣସି ଜିନିଷ ମତେ କେବେ ହେଲେ ସ୍ପର୍ଶ କରିନାହିଁ କି କରିବ ନାହିଁ ମଧ୍ୟ, ତେଣୁ ଦୟାକରି ତୁମେ ମତେ ଟିକେ ସହଜ ସରଳ ଭାଷାରେ କୁହ କ’ଣ ହୋଇଛି ?’’

‘‘କିନ୍ତୁ ଜୀବନଟା ଏତେ ସହଜ ଆଉ ସରଳ ନୁହେଁ ଶଙ୍କର । ଏହା ଏକ ଦୁର୍ଭେଦ୍ୟ ପ୍ରହେଳିକା । ଯା’ର ରହସ୍ୟ ଭେଦ କରିବା ବଡ଼ ଦୁର୍ବହ । ସୁମିତ୍ରାର ମୁଖଭାଗ ହଠାତ୍‍ କଠୋର ହୋଇ ଉଠିଲା ।’’

‘‘ସୁମିତ୍ରା, କ’ଣ ଏମିତି ବାଚାଳଙ୍କ ପରି କହୁଛି ?’’

‘‘ମୁଁ ଜାଣେ ଶଙ୍କର, ମୋ କଥା ଶୁଣି ତୁମେ ମତେ ବାଚାଳ କିମ୍ବା ମୋର ମୁଣ୍ଡ ଠିକ୍‍ ନାହିଁ ବୋଲି ଭାବୁଥିବ । କାରଣ ତୁମେ ମୋ ଅତୀତ ଜାଣନା, କିନ୍ତୁ ମୁଁ ଆଉ ବେଶୀଦିନ ତା’ ସହ୍ୟ କରି ପାରୁନାହିଁ । ମୁଁ ନିଶ୍ଚେ ସମସ୍ତ ସତ୍ୟ ତୁମ ନିକଟରେ ପ୍ରକାଶ କରିଦେବି ।’’

‘‘ସତ୍ୟ ! କି ସତ୍ୟ ? ତୁମେ କ’ଣ ସବୁ କହୁଚ ମୁଁ କିଛି ବୁଝିପାରୁ ନାହିଁ ।’’

‘‘ତେବେ ଶୁଣ ଶଙ୍କର, ମୁଁ ଆଜି ମୋ ଜୀବନର ନିରାଟ ସତ୍ୟ ତୁମ ନିକଟରେ ପ୍ରକାଶ କରୁଛି –

‘‘ତୁମ ସହିତ ମୋର ଯେତେବେଳେ ବିବାହ ହେଲା, ସେତେବେଳେ ମୁଁ ଆଉ କୁମାରୀ ହୋଇନଥିଲି । ସହଜ କଥାରେ କହିବାକୁ ଗଲେ ସେତେବେଳେ ମୁଁ ଗୋଟିଏ ସନ୍ତାନର ଜନନୀ ହୋଇ ସାରିଥିଲି । କାହାରି ଏକ ସନ୍ତାନର ଜନନୀ ।’’

ଅନ୍ନଦାଶଙ୍କର ଶରୀରରେ ହଠାତ୍‍ ଯେମିତି କିଏ କରେଣ୍ଟ ଲଗାଇ ଦେଲା । ସେଇ ଆଘାତରେ ସମସ୍ତ ଶରୀରଟା ଦୋହଲି ଉଠିଲା ତାଙ୍କର । ସେ’ଟା କ୍ଷଣକପାଇଁ । ନିଜକୁ ସମ୍ଭାଳି ନେଇ ରୁନ୍ଧିଲା କଣ୍ଠରେ କହିଲେ ସେ, ‘‘କ’ଣ କ’ଣ ତୁମ ପ୍ରଥମ ସ୍ୱାମୀ ବଞ୍ଚିଛନ୍ତି ?’’

‘‘ହଁ, ତାଙ୍କ ନାଁ, ପ୍ରଶାନ୍ତ । ଯେତେବେଳେ ଆମ ଦୁହିଁଙ୍କର ବିଚ୍ଛେଦ ଘଟିଲା, ସେତେବେଳେ ସେ ଇଞ୍ଜିନିୟରିଂ ପଢ଼ୁଥିଲେ । ମୁଁ ତାଙ୍କୁ ମୋ ପିତାମାତାଙ୍କ ଅରାଜି, ଅପସନ୍ଦ ସତ୍ତ୍ୱେ ସ୍ୱାମୀ ରୂପେ ବରଣ କରିଥିଲି ।’’

 

କିଛି ସମୟ ନୀରବତା ।

 

ତା’ପରେ ସେ ପୁଣି ଆରମ୍ଭ କଲା, ‘‘ମୁଁ ସେତେବେଳେ ଅନ୍ତଃସତ୍ତ୍ୱା । ମୋ ବାପା ମା’ ଜାଣିକରି ମଧ୍ୟ ମତେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ କରି ରଖିଲେ । ମୋ ସ୍ୱାମୀଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ଦେଲେ ନାହିଁ ପର୍ଯ୍ୟନ୍ତ । କିଛିଦିନ ପରେ ମୋର ଗୋଟିଏ ପୁଅ ହେଲା । ଜନ୍ମ ହେବା ପରେ ପରେ ସେମାନେ ତାକୁ ମୋଠାରୁ ଛଡ଼ାଇ ନେଲେ ।’’

 

ଉପରକୁ ଏକ ଦୀର୍ଘନିଶ୍ୱାସ ନିକ୍ଷେପ କରି, ଅନ୍ନଦାଶଙ୍କରଙ୍କ କାନ୍ଧରେ ନିଜର ଦୁର୍ବଳ ହାତଟିକୁ ରଖି ସୁମିତ୍ର କହିଲା, ‘‘ଜାଣ ଶଙ୍କର, ଆମ୍ଭେମାନେ ସମସ୍ତେ ଭଗବାନଙ୍କ ହାତରେ ଏକ କାଷ୍ଠପୁତ୍ତଳିକା ସମ ବନ୍ଧା । ସେ ଯେମିତି ନଚାନ୍ତି ଆମେ ସେମିତି ନାଚୁ ।’’

 

‘‘କିନ୍ତୁ ତୁମେ ଏ ସବୁ ମତେ ପୂର୍ବରୁ କହିନାହଁ କାହିଁକି ?’’ ବିସ୍ମୟ ବିବ୍ରତରେ ଟିକେ ଚଢ଼ାଗଳାରେ କହିଲେ ଅନ୍ନଦାଶଙ୍କର ।

 

‘‘ମୁଁ ଏହା ଦରକାର ମନେ କରିନଥିଲି ।’’

 

‘‘ସତ୍ୟ ପ୍ରକାଶ କରବାକୁ ତୁମେ ଦରକାର ମନେ କରିନଥିଲ ?’’

 

‘‘ହଁ, କାରଣ ମୋ ହୃଦୟ ମଧ୍ୟରେ ଏଇ ଜିନିଷଗୁଡ଼ିକ କିପରି ଏକ ଅଜଣା ଭାବରେ ରହି ଯାଇଥିଲା । ବର୍ତ୍ତମାନ ମୁଁ ତା’ ଆବିଷ୍କାର କରୁଛି । ଆଉ ଦେଖୁଛି ସତ୍ୟ ଆଉ ମିଥ୍ୟା ଏଇ ଦୁଇଟି ଜିନଷ ଏଇକ୍ଷଣି ମୋ ପାଖରେ କୌଣସି ମୂଲ୍ୟ ରଖୁନାହିଁ ।’’

 

ତେବେ କ’ଣ ଭାବି ଆଜି ତୁମେ ତୁମର ମତ ପରିବର୍ତ୍ତନ କଲ ?’’

 

‘‘ଯେତେବେଳେ ଦେଖିଲି ସତ୍ୟ ଆଉ ମିଥ୍ୟା ମଧ୍ୟରେ ବିଶେଷ କିଛି ତାରତମ୍ୟ ନାହିଁ, ସେତେବେଳେ ପ୍ରକାଶ କରିଦେଲି । ତା’ଛଡ଼ା ମୁଁ ତୁମକୁ ଆଜି ଗୋଟାଏ କଥା କହି ରଖୁଚି । କେବେହେଲେ ମିଛ କହିବି ନାହିଁ । ଆଜି ପର୍ଯ୍ୟନ୍ତ ମୁଁ ତୁମକୁ ଭଲ ପାଇପାରିନାହିଁ ।’’

 

‘‘ସୁମିତ୍ରା ! ତୁମେ ଭାବିପାରୁନାହଁ ତୁମେ କ’ଣ କହିଯାଉଚ, ତୁମେ ତୁମ ଘରକୁ ଧ୍ୱଂସ କରିବାକୁ ପାଦ ବଢ଼ାଇଛ ।’’

 

‘‘ମୁଁ ।’’ ଉପରରୁ ମୁଣ୍ଡ ଉଠାଇ କିପରି ଏକ ଅଟ୍ଟହାସ୍ୟ କରି ଉଠିଲା ସୁମିତ୍ରା ।

 

‘‘ହଁ, ତୁମେ । ତୁମେ ଜାଣ, ତୁମର ଏ ସତ୍ୟ ତୁମକୁ ତୁମ କନ୍ୟାଠାରୁ ଦୂରକୁ ନେଇଯାଇ ପାରେ ।’’

 

‘‘ମୁଁ ରାଜି । ଯେତେବେଳେ ପୁଅକୁ ହରେଇଛି, ସେତେବେଳେ ଝିଅକୁ ଏଭଳି ଭାବରେ ହରେଇ ମୁଁ ଆଦୌ ଦୁଃଖ ପାଇବି ନାହିଁ ।

 

‘‘ତୁମେ ତାକୁ ଭଲ ପାଅ ନାହିଁ ସୁମିତ୍ରା ?’’

 

‘‘ମୁଁ ଅନୁଭବ କରୁଛି ନୁହେଁ । ମୋ ପୁଅ ବଞ୍ଚିଛି । ମୋ ପବିତ୍ର ପ୍ରେମର ଜ୍ୱଳନ୍ତ ପ୍ରତୀକ-। ମୋର ସେ ନିର୍ଜୀବ ଶରୀରଟା ପଡ଼ି ରହିଥିଲା । ଯା’କୁ ବାପା ମା ତୁମ ସହିତ ଛନ୍ଦି ଦେଇଥିଲେ । ମୁଁ ମୋ ଇଚ୍ଛା ବିରୁଦ୍ଧରେ ସୁବକିଛି କରି ଯାଉଥିଲି ।’’

 

‘‘କିନ୍ତୁ ମୁଁ ତୁମକୁ ତ କୌଣସିଥରେ କେବେ ବାଧ୍ୟ କରିନାହିଁ ।’’

 

‘‘ଶଙ୍କର, ତୁମେ ନିହାତି ସରଳ । ଠିକ୍‍ ଗୋଟିଏ କଳକୁଣ୍ଢେଇ ପରି । ଯୁଆଡ଼େ ଚାବି ମୋଡ଼ିଲେ ସେଆଡ଼େ ଚାଲିବ । ତୁମର ଏଥିରେ କୌଣସି ଦୋଷ ନାହଁ । ଦୋଷ ତୁମର ଏଇ ମିଥ୍ୟା ସମାଜର, ନିଷ୍ଠୁର ସମାଜର-ଯିଏ କି ମୋର ପବିତ୍ର ପ୍ରେମକୁ ତା’ ଗୋଡ଼ରେ ଦଳି ଚକଟି ନିଃଶେଷ କରି ଦେଇଛି ।’’

 

‘‘ତୁମେ କ’ଣ ସମାଜ ବିରୁଦ୍ଧରେ ପ୍ରତିଶୋଧ ନେବ ବୋଲି ଠିକ୍‍ କରିଛ ?’’

 

‘‘ମୁଁ କେବେ ଚାହିଁନଥିଲି ମୋର ଆଉ ଗୋଟିଏ ସ୍ୱାମୀ ହେଉ କିମ୍ବା ଆଉ ଗୋଟିଏ ସନ୍ତାନ ହେଉ । କାରଣ ଉଭୟଙ୍କୁ ମୁଁ ଅନେକ ଦିନରୁ ହରାଇ ସାରିଥିଲି ।’’ ଅନ୍ନଦାଶଙ୍କରଙ୍କ କଥାର ଉତ୍ତର ନଦେଇ କହିଲା ସୁମିତ୍ରା ।

 

‘‘ତେବେ ତୁମେ କାହିଁକି ସମାଜ କବଳରୁ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କଲ ନାହିଁ ?’’

 

‘‘ତୁମର ଯଦି ଏଇ ନିଷ୍ଠୁର ସମାଜ ବିଷୟରେ କିଛି ଧାରଣା ଥା’ନ୍ତା, ତା’ହେଲେ ତୁମେ ଏକଥା କହିନଥାନ୍ତ । ଆମର ଏ ସମାଜ ଏପରି କେତେଗୁଡ଼ିଏ ଲୋକଙ୍କୁ ନେଇ ତିଆରି, ଯା’ଙ୍କ କବଳରୁ ମୁକୁଳିବା ବ୍ୟାଘ୍ର କବଳରୁ ଛାଗ ମୁକୁଳିବା ପରି ।’’

 

‘‘ସୁମିତ୍ରା, ମୁଁ ଭାବୁଛି, ମୋର ତୁମ ଜୀବନରେ ଆସିବାଟା ଉଚିତ ନଥିଲା ।’’

 

‘‘ଯେତେବେଳେ ଝଡ଼ ବୁହେ, ସେତେବେଳେ ତା’ ସମ୍ମୁଖରେ ଯା’ ପଡ଼େ, ସେ ତାକୁ ତା’ ପଥରେ ଧ୍ୱଂସ ପଥକୁ ଠେଲିନିଏ । ସେ ଆଉ କୁଡ଼ିଆ, କୋଠାଘର, ଧନୀ ଦରିଦ୍ରର ବିଚାର ରଖେ ନାହିଁ ।’’

 

‘‘ତୁମେ କ’ଣ ଜାଣ, ତୁମ ପ୍ରଥମ ସ୍ୱାମୀ ବର୍ତ୍ତମାନ କୋଉଠି ?’’

 

‘‘ନା ।’’

 

‘‘ତୁମେ କ’ଣ ତାଙ୍କୁ ଏବେ ବି ସେଇ ପୂର୍ବପରି ଭଲପାଅ ?’’

 

‘‘ମୁଁ ଜୀବନରେ କେବଳ ଜଣକୁ ଭଲ ପାଇଛି, ସେ ହେଉଛନ୍ତି ପ୍ରଶାନ୍ତ ।

 

ତାଙ୍କ ବ୍ୟତୀତ ଅନ୍ୟ କାହରିକୁ ଆଜି ପର୍ଯ୍ୟନ୍ତ ମୁଁ ମୋ ମନ ମଧ୍ୟରେ ସ୍ଥାନ ଦେଇ ନାହିଁ କି ଦେଇ ପାରିବ ନାହିଁ ମଧ୍ୟ ।

 

‘‘ଧର, ସେ ଯଦି ବିବାହ କରି ସାରିଥା’ନ୍ତି ?’’

 

‘‘ଅସମ୍ଭବ ନୁହେଁ ।’’

 

‘‘ତାଙ୍କ ଆଦର୍ଶ ଆଉ ତୁମ ଆରାଧନାରେ ଯଦି କଳଙ୍କ ଲାଗିଯାଇଥାଏ ?’’

 

‘‘ସେଥିରେ ମୋର କିଛି ଦରକାର ନାହିଁ । ସେ ବର୍ତ୍ତମାନ ସୁଦ୍ଧା ମୋର ପ୍ରତି ଶିରା ପ୍ରତି ରକ୍ତ କଣିକା ଏପରିକି ମୋର ସମସ୍ତ ଶରୀରେ ବିରାଜାମାନ ଅଛନ୍ତି ।’’

 

‘‘ତା’ ମାନେ ତୁମେ ତାଙ୍କୁ କୌଣସିମତେ ଭୁଲି ପାରିବ ନାହିଁ ।’’

 

‘‘ପ୍ରକୃତ ଭଲପାଇବା କେବେହେଲେ ମରେ ନାହିଁ ।

 

‘‘ସୁମିତ୍ରା, ତୁମେ ଯଦି ଚାହଁ, ତାଙ୍କୁ ଖୋଜି ବାହାର କରିପାର, ମୁଁ ତୁମର ପ୍ରତିବନ୍ଧକ ହେବିନାହିଁ ।

 

‘‘ମୁଁ ତାଙ୍କୁ ଖୋଜି ବାହାର କରିବାକୁ ଚାହେଁ ନାହିଁ, ତା’ଛଡ଼ା ତାଙ୍କ ଜୀବନରେ ମୁଁ ଗୋଟାଏ ଦୁଷ୍ଟଗ୍ରହ ହୋଇ ରହିବାକୁ ଚାହେଁ ନାହିଁ । ଆମେ ଦୁଇଜଣ ଦୁଇଟି ପଥିକ ପରି ପାଖାପାଖି ଚାଲୁଥିଲୁ । ସେଥିରୁ ଜଣେ ଝୁଣ୍ଟିପଡ଼ିଗଲା, ଆଉ ଉଠି ପାରିଲା ନାହିଁ । ଫଳରେ ଅନ୍ୟଜଣେ ତାକୁ ଛାଡ଼ି ତା’ ଗନ୍ତବ୍ୟ ପଥରେ ଆଗେଇଗଲା ।

 

‘‘ସୁମିତ୍ରା, ମୋର ବିଶ୍ୱାସ, ତୁମେ ବୁଝିପାରୁଥିବ, ତୁମେ ୟା’ପରେ କ’ର କରିବ ?’’

 

‘‘ହଁ ।’’

 

‘‘ତୁମ ପୁଅ ବର୍ତ୍ତମାନ କୋଉଠି ?’’

 

‘‘ତା’ ବିଷୟରେ ମୋର କୌଣସି ଧାରଣା ନାହିଁ । ଜନ୍ମ ହେବାପରେ ତାକୁ ହସ୍‍ପିଟାଲରେ କାହାକୁ ଦିଆ ହୋଇଯାଇଥିଲା । ମତେ ଯୋଉ ଲେଡ଼ି ଡାକ୍ତର ଦେଖୁଥିଲେ, ସେ କହୁଥିଲେ, ଦଶ ବାର ଦିନ ଗୋଟିଏ ନର୍ସ ପାଖରେ ଥିଲା, ସେ , ତା’ପରେ କ’ଣ ମୁଁ ଜାଣେ ନାହିଁ-।’’

 

‘‘ସୁମିତ୍ରା, ତୁମେ ଯଦି ମତେ ତ୍ୟାଗ କରି ଯିବାପାଇଁ ସ୍ଥିର କରିଥାଅ, ତା’ହେଲେ ତୁମକୁ ତୁମ ଝିଅଠାରୁ ଦୂରେଇ ରହିବାକୁ ପଡ଼ିବ ।’’

 

ମୁଁ ତୁମ ଇଚ୍ଛା ବିରୁଦ୍ଧରେ କେବେ ହେଲେ ଯିବିନାହିଁ ।

 

ତୁମର ଯାହା ଦରକାର ମୁଁ ତୁମକୁ ତା’ ଦେବି, କିନ୍ତୁ ରୁନୁ ଯେମିତି କୌଣସି ଦିନ ଜାଣି ନପାରେ ତୁମେ ତା’ ମା’ ବୋଲି ।

 

‘‘ମୋର କିଛି ଦରକାର ନାହିଁ, ଶଙ୍କର ।’’

 

‘‘ମୁଁ ଭାବୁଛି ତୁମର ରହିବାର ବନ୍ଦୋବସ୍ତ ଏଣିକି ମୋ ଗୋପାଳପୁରସ୍ଥ ବଂଲୋଟାରେ କରିବି । ଆଉ ତୁମେ ସେଟା ନିଶ୍ଚୟ ପସନ୍ଦ କରିବ ।’’

 

ଅନ୍ନଦାଶଙ୍କରଙ୍କର ମନେ ହେଉଥିଲା ପହଁରୁ ପହଁରୁ ହଠାତ୍‍ ସେ ଯେମିତି ଏକ ଭଉଁରି ମଧ୍ୟରେ ପଡ଼ିଯାଇଛନ୍ତି, ଆଉ ତାଙ୍କ ପଛରେ ତାଙ୍କର ସବୁକିଛି ପଡ଼ି ରହିଛି । ହଠାତ୍‍ ଯେ କେମିତି ଭାବେ କ’ଣ ସବୁ ଘଟିଗଲା, ସେ କିଛି ବୁଝିପାରୁ ନଥିଲେ ।

‘‘ମୁଁ ତୁମଠାରୁ କିଛି ଗ୍ରହଣ କରି ପାରିବ ନାହିଁ, ଶଙ୍କର । ସ୍ତ୍ରୀ ହୋଇ ଯେତେବେଳେ ତୁମକୁ କିଛି ଦେଇପାରି ନାହିଁ, ସେତେବେଳେ ତୁମଠାରୁ କିଛି ଗ୍ରହଣ କରିବି, ଏଇଟା ମୋ ବିବେକ ଆଦୌ ଅନୁମୋଦନ କରିବି ନାହିଁ । ବିବାହା ନାଁରେ କୌଣସି ଦାନ ମୁଁ ତୁମଠାରୁ ଗ୍ରହଣ କରି ପାରିବି ନାହିଁ ।’’ ଧୀରସ୍ଥିର ଭାବରେ କଥାଗୁଡ଼ିକ କହି ସୁମିତ୍ରା ଚେୟାର ଛାଡ଼ି ଉଠିଲା ।

ଅନ୍ନଦାଶଙ୍କର ହଠାତ୍‍ ତା’ ହାତଟା ଧରି ପକାଇଲେ । ‘‘ତୁମେ ଯାଅନା ସୁମିତ୍ରା, ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ । କାରଣ ତୁମର ମୋର ପଥ ଏକ, ଆମ ଗନ୍ତବ୍ୟସ୍ଥଳ ମଧ୍ୟ ଏକ ।’’

ତା’ପରେ ସେ କିଛି କହି ପାରିଲେ ନାହିଁ । ତାଙ୍କ ତଣ୍ଟିଭିତରେ ଯେମିତି କିଏ ଖଣ୍ଡେ ବାଲିଗରଡ଼ା ପୂରେଇ ଦେଇଛି ।

ସୁମିତ୍ରାର ହାତକୁ ଛାଡ଼ିଦେଇ ଅନ୍ୟଆଡ଼େ ମୁହଁ ଫେରେଇ ନେଲେ ସେ ।

ସୁମିତ୍ରା ଚାଲି ଯାଇଥିଲା । ତାଙ୍କ ପାଖରୁ ଚାଲି ଯାଇଥିଲା । ତାଙ୍କ ଜୀବନ ପଥରୁ ବିଦାୟ ନେଇ ଯାଇଥିଲା ।

ଅନ୍ନଦାଶଙ୍କର ସେମିତି ସ୍ଥାଣୁ ପରି ସେଇ ଗୋଟିଏ ଜାଗାରେ ବସି ରହିଥିଲେ । ତାଙ୍କୁ ଦେଖି ମନେ ହେଉଥିଲା ସେ ଯେମିତି ବାକ୍‍ଶକ୍ତି ରହିତ ଏକ ପ୍ରସ୍ତର ମୂର୍ତ୍ତି । ସେ ଚିନ୍ତା କରୁଥିଲେ । ଚକ୍ଷୁ ସମ୍ମୁଖରେ ତାଙ୍କର ଚଳଚିତ୍ର ପରି କେତେଗୁଡ଼ିଏ ଦୃଶ୍ୟ ଭାସି ଉଠୁଥିଲା । ଏହି ସମସ୍ତ ଦୁଃଖଦାୟକ ଘଟଣା ଆରମ୍ଭ ହୋଇଥିଲା ରୁନୁର ଜନ୍ମ ପରଠାରୁ । ସେଦିନ ନର୍ସଟି ଖୁସିରେ ଆସି କହିଲା, ‘‘ମିସେସ୍‍ ରାୟ, ଆପଣଙ୍କର ଖୁବ୍‍ ସୁନ୍ଦର ଝିଅଟିଏ ହୋଇଛି, ଠିକ୍‍ ଲହୁଣୀ ପିତ୍ତୁଳା ପରି-।’’

 

ନର୍ସ କଥା ଶୁଣି ସୁମିତ୍ରା କିପରି ଏକ ବୋକା ଚାହାଣୀରେ ପିଲାଟିକୁ କିଛି ସମୟ ଧରି ଚାହିଁ ରହିଲା । ତା’ପରେ କ୍ଷୀଣ କଣ୍ଠରେ କହିଲା, ‘‘ଖୁବ୍‍ ସୁନ୍ଦର ପୁଅଟିଏ, ନା ।’’

 

ତା’ କଥା ଶୁଣି ଟିକେ ଆଶ୍ଚର୍ଯ୍ୟ ହେଲା ନର୍ସଟି । ଭାବିଲା ବୋଧେ ସୁମିତ୍ରାର ଧାରଣା ସେ ଗୋଟିଏ ଝିଅ ନୁହେଁ ପୁଅ ଜନ୍ମ କରିଛି । ସେତେବେଳେ ସେ ଆଉ ତା’ ମନରେ କଷ୍ଟ ଦେବାକୁ ଚାହିଁଲା ନାହିଁ । ସେ ମଧ୍ୟ ତା’ କଥାରେ କଥା ମିଶାଇ କହିଲା, ‘‘ବେଶ୍‍ ସୁନ୍ଦର ଛୁଆଟିଏ ।’’

 

କିନ୍ତୁ ଯେତେବେଳେ ସେ ନିଦ୍ରିତ ଶିଶୁଟିକୁ ସୁମିତ୍ରା ପାଖରୁ ଆଣିବାକୁ ବସିଲା, ଠିକ୍‍ ସେତିକିବେଳେ ସୁମିତ୍ରା ଏକ ଆର୍ତ୍ତ ଚତ୍କାର କରି ବେହୋସ ହୋଇଗଲା ।

 

ଅନ୍ନଦାଶଙ୍କର ହସପିଟାଲ ବାରଣ୍ଡାରେ କାହା ସାଙ୍ଗରେ କଥା କହୁଥିଲେ, ହଠାତ୍‍ ସୁମିତ୍ରାର ସେ ଆର୍ତ୍ତ ଚିତ୍କାର ଶୁଣି ରୁମ୍‍ ଭିତରକୁ ପଶି ଆସିଲେ ।

 

ସାଙ୍ଗେ ସାଙ୍ଗେ ଡାକ୍ତର ମଧ୍ୟ ଆସିଲେ । ସୁମିତ୍ରାକୁ ଗୋଟାଏ ଇଞ୍ଜେକ୍‍ସନ ଦେଇ ଡାକ୍ତର କହିଲେ, ‘‘ଟିକେ ଅଧିକ କ୍ଳାନ୍ତ ହୋଇ ପଡ଼ିଛନ୍ତି, ବ୍ୟସ୍ତ ହବାର କିଛି ନାହିଁ ।

 

ଯେତେବେଳେ ସୁମିତ୍ରାର ହୋସ୍‍ ହେଲା, ସେତେବେଳେ ସେ କିପରି ବସ୍ମୟ ବିମୂଢ଼ ଦୃଷ୍ଟିରେ ଚତୁର୍ଦ୍ଦିଗକୁ ଚାହିଁବାକୁ ଲାଗିଲା । ଅନ୍ନଦାଶଙ୍କର ତା’ ମୁଣ୍ଡ ପାଖରେ ବସି ତା’ ଆଲୁଳାୟିତ କେଶ ମଧ୍ୟରେ ଅଙ୍ଗୁଳି ସଞ୍ଚାଳନ କରୁଥାନ୍ତି । ହଠାତ୍‍ ସୁମିତ୍ରାର ଏ ବୋକା ବୋକା ଭାବ ଦେଖି ତାଙ୍କ ମନରେ ଶଙ୍କାଜାତ ହେଲା । ସୁମିତ୍ରା କ’ଣ କୌଣସି କାରଣରୁ ଭୟ ପାଇଛି ।

 

କିଛି ସମୟ ନୀରବତା ପରେ କମ୍ପିତ କଣ୍ଠରେ ସୁମିତ୍ରା କହିଲା, ‘‘ସେ ନର୍ସ ମୋ ପୁଅକୁ ମୋ’ଠାରୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲା ।’’

 

ତା’ କଥା ଶୁଣି ଅନ୍ନଦାଶଙ୍କର ହସି ଉଠିଲେ । ଡାକ୍ତର ମଧ୍ୟ ହସିଲେ ।

 

‘‘ମିସେସ୍‍ ରାୟ, ଏଇ ତ ଆପଣଙ୍କ ପୁଅ ।’’ ଛୁଆଟିକୁ ସୁମିତ୍ରା ପାଖରେ ଦେଇ କହିଲେ ଡାକ୍ତର । କିନ୍ତୁ ଅନ୍ନଦାଶଙ୍କର ବୁଝିପାରୁ ନଥିଲେ ସୁମିତ୍ରାପରି ସ୍ତ୍ରୀ କିପରି ଏତେ ଅପସେଟ ହୋଇପାରିଲା । ତା’ପରି ଏତେ ବୁଦ୍ଧିମତୀ ଆଉ ଶିକ୍ଷିତା ଝିଅ ମନରେ ଏ ଝିଅ ପୁଅ ବିଭେଦର ଧାରଣା କିଏ ପୂରାଇଲା ?

 

ଅନ୍ନଦାଶଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲେ; କିନ୍ତୁ ଡାକ୍ତର କହିଲେ ‘‘ଏଥିରେ ଆଶ୍ଚର୍ଯ୍ୟ ହବାର କିଛି ନାହିଁ । ଆମ ଦେଶ ଯେତେ ଅଗ୍ରଗତି କରିଥିଲେ ସୁଦ୍ଧା ନାରୀ ନିଜକୁ ଯେତେ ପ୍ରଗତିବାଦିନୀ ବୋଲାଉଥିଲେ ମଧ୍ୟ, ତଥାପି ପୂର୍ବକାଳର କେତେଗୁଡ଼ିଏ କୁସଂସ୍କାରକୁ ସେ ତା’ ମନ ମଧ୍ୟରୁ ଦୂର କରିପାରିନାହିଁ । ତା’ଛଡ଼ା ପ୍ରତ୍ୟେକ ମା’ ସନ୍ତାନ ଜନ୍ମ ପୂର୍ବରୁ ମନ ମଧ୍ୟରେ ଆଶା ପୋଷଣ କରିଥାଏ ତା’ର ଗୋଟିଏ ପୁଅ ହୁଅନ୍ତା କି ? ତା’ ବୋଲି ଯେ ପ୍ରତ୍ୟେକେ ସୁମିତ୍ରାଦେବୀଙ୍କ ପରି ପୁଅ ନହୋଇ ଝିଅ ହୋଇଥିବାରୁ ଏମିତି ଭାଙ୍ଗିପଡ଼ନ୍ତି ତା’ ନୁହେଁ । ଏ’ଟା ତାଙ୍କ ମନର ଗୋଟାଏ ଧକ୍‍କା । ସେଟା ଆପେ ଆପେ ଠିକ୍‍ ହୋଇଯିବ । ଏହିପରି କେସ୍‍ ପୂର୍ବରୁ ଅନେକ ଦେଖାଯାଇଛି । ଅବଶ୍ୟ ଆପଣ କହିପାରନ୍ତି ସୁମିତ୍ରାଦେବୀଙ୍କ ପରି ଶିକ୍ଷିତାଙ୍କ ପକ୍ଷରେ ଏତେଟା ଅପସେଟ ହବାଟା ଠିକ୍‍ ନୁହେଁ; କିନ୍ତୁ ମୁଁ କହିବି ନାରୀ ଚିରଦିନ ନାରୀ । ସେ ପୁରୁଷର ସମକକ୍ଷ ହୋଇ ସାଇକଲ, ମୋଟର, ଜାହାଜ ଚଳେଇଲେ ମଧ୍ୟ କିମ୍ବା ଓକିଲ ମାଜିଷ୍ଟ୍ରେଟ୍‍ ହୋଇ କୋର୍ଟ କଚେରୀରେ କେସ୍‍ ଲଢ଼ିଲେ ମଧ୍ୟ ତା’ ମନ ମଧ୍ୟରୁ ସେ କେତେଗୁଡ଼ିଏ ଦୁର୍ବଳତାକୁ ଆଜିପର୍ଯ୍ୟନ୍ତ ଦୂର କରିପାରିନାହିଁ କି ମୋର ବିଶ୍ୱାସ ପାରିବ ନାହିଁ ମଧ୍ୟ ।’’

 

‘‘କିନ୍ତୁ ଡାକ୍ତର, ସୁମିତ୍ରାକୁ କିପରି ଟିକେ ବେଶୀ ଅପସେଟ ଜଣା ଯାଉଛି ।’’

 

‘‘ଆପଣ ଗୋଟାଏ କାମ କରନ୍ତୁ, ତାଙ୍କ ମନରେ ସବୁବେଳେ ଏଇ ଧାରଣା ଜନ୍ମାନ୍ତୁ, ସେ ଗୋଟିଏ ପୁଅ ଜନ୍ମ କରିଛନ୍ତି, ଝିଅ ନୁହେଁ ।’’ କହି ଡାକ୍ତର ଚାଲିଗଲେ ।

 

ଦିନେ ସୁମିତ୍ରା ଠେଲା ଗାଡ଼ିରେ ପିଲାଟିକୁ ବସାଇ ବଗିଚାରେ ବୁଲାଉଥିଲା । ସାଙ୍ଗରେ ଅନ୍ନଦାଶଙ୍କର ମଧ୍ୟ ଥିଲେ । ଏତିକିବେଳେ ପଛରୁ ଆୟା ଆସି ସୁମିତ୍ରା ହାତରୁ ଠେଲା ଗାଡ଼ିଟି ଛଡ଼ାଇ ନେଇ କହିଲା, ‘‘ପିଲାର ଦୁଧ ଖାଇବାର ସମୟ ହୋଇଗଲାଣି ।’’

 

ଆୟା ଯିବା ପରେ ଅନ୍ନଦାଶଙ୍କର ଲକ୍ଷ୍ୟକଲେ, ସୁମିତ୍ରା କିପରି ଟଳିବାକୁ ଲାଗିଛି । ସେ ଯେପରି ଭୀଷଣ ଦୁର୍ବଳ ଅନୁଭବ କରୁଛି । ତା’ର ସମସ୍ତ ଶକ୍ତି କିଏ ଯେମିତି ତା’ଠାରୁ କାଢ଼ି ନେଇଛି । ସେ ବଗିଚାରେ ସେଇ ସିମେଣ୍ଟ ବେଞ୍ଚ ଉପରେ ଟଳି ଟଳି ପଡ଼ିଗଲା ।

 

ଅନ୍ନ ଦାଶଙ୍କର ତାକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଯେତେବେଳେ ଚେଷ୍ଟାକଲେ, ସୁମିତ୍ରା ଧୀରେ ଧୀରେ ଆଖି ଖୋଲି ତାଙ୍କୁ କହିଲା, ‘‘ତାକୁ ଅଟକାଅ, ସେ ମୋ ପୁଅକୁ ନେଇ ପଳାଉଛି ।’’

 

ଡାକ୍ତର, ଅନ୍ନଦାଶଙ୍କରଙ୍କୁ କହିଥିଲେ ସୁମିତ୍ରା ମୂଳରୁ କେମିତି ଭୟ ପାଇ ଯାଇଛି ଯେ ତା’ ପୁଅକୁ ତା’ ପାଖରୁ କେହି ଛଡ଼ାଇ ନେଇଛି । ସେ ଧାରଣାଟା ତା’ର ଶୀଘ୍ର ଦୂର ହୋଇଯିବ । ସେଥିପାଇଁ ସମୟ ଲାଗିବ । ତାଥାପି ପୂର୍ବାବସ୍ଥା ନିଶ୍ଚେ ଫେରି ଆସିବ ।

 

କିନ୍ତୁ ଅନ୍ନଦାଶଙ୍କର ଚିନ୍ତିତ ହୋଇ ଉଠିଲେ । ସୁମିତ୍ରାକୁ ଖୁସି କରିବାପାଇଁ ସେ ପୁରୁଣା ଆୟାଟିକୁ ବିଦା କରି ଆଉ ଗୋଟିଏ ନୂଆ ଆୟା ରଖିଲେ ।

 

ସୁମିତ୍ରା ପିଲାଟି ପାଖରେ ସବୁବେଳେ ବସି ରହିଥାଏ । ସେତେବେଳେ ସେ ତା’ ନାଁ ରଖିଥାଏ ରୁନୁ ।

 

ସମୟର ଗତି ବୋହିଚାଲେ ।

 

ଅନ୍ନଦାଶଙ୍କର ଆଜି ସୁଦ୍ଧା ସୁମିତ୍ରାକୁ ତାଙ୍କ ମନ ମଧ୍ୟରୁ ଭୁଲାଇ ପାରିନାହାନ୍ତି । ତଥାପି ଏଣିକି ସେ ସୁମିତ୍ରା ବ୍ୟତୀତ ନିଜକୁ ବଞ୍ଚାଇବାପାଇଁ ଚେଷ୍ଟା କରୁଥାନ୍ତି ।

 

ଦିନେ ସେ ଝରକା ପାଖରେ ବସି ବାହାରକୁ ଲକ୍ଷ୍ୟ କରୁଥିଲେ । ରୁନୁ ଆୟା ସାଙ୍ଗରେ ବଗିଚାରେ ଖେଳୁଥିଲା । ସେ ଚାଲିବାକୁ ଚେଷ୍ଟା କରୁଥାଏ ।

 

କିଛି ଦୂର ଥଙ୍ଗ ଥଙ୍ଗ ହେଇ ଚାଲି ପୁଣି ପଡ଼ି ଯାଉଥାଏ । ତା’ର ସେ ଚାଲିବାର ଚେଷ୍ଟା ଦେଖି ସେ ମନେ ମନେ ଖୁସି ହେଉଥିଲେ ।

 

ଆୟା ଗୋଟିଏ ଲାଲି ଗୋଲାପ ଆଣି ରୁନୁ ବାଳରେ ଲଗାଇ ଦେଲା । ତା’ପରେ ଦୁହେଁ ପରସ୍ପରକୁ ଚାହିଁ ହସି ଉଠିଲେ ।

 

କିଛି ସମୟ ପରେ ଆୟା ରୁନୁର ଦୁଧ ଖାଇବା ସମୟ ହୋଇଗଲାଣି ଜାଣି ତାକୁ ଡାକିଲା, କିନ୍ତୁ ରୁନୁର ତଥାପି ଖେଳରୁ ମନ ଛାଡ଼ିନଥାଏ । ସେ ଯିବାକୁ ରାଜି ହଉନଥାଏ । ଆୟା ମଧ୍ୟ ଛାଡ଼ିବାର ପାତ୍ରୀ ନୁହେଁ । ଶିକ୍ଷିତା ଆୟା ଜାଣେ ଶିଶୁର ତତ୍ତ୍ୱ କେମିତି ନବାକୁ ହୁଏ । ସେ ତାକୁ କୌଣସି ମତେ ଭୁଲେଇ ଘର ଭିତରକୁ ନେଇଗଲା ।

 

ଅନ୍ନଦାଶଙ୍କର ଉପରକୁ ଏକ ଦୀର୍ଘଶ୍ୱାସ ତ୍ୟାଗକଲେ । ରୁନୁପାଇଁ ସେ ମନ ମଧ୍ୟରେ ଭୀଷଣ କଷ୍ଟ ଅନୁଭବ କରୁଥିଲେ । ବିଚରା ଏଇ ବୟସରୁ ତାକୁ ମାତୃସ୍ନେହରୁ ବଞ୍ଚିତା ହେବାକୁ ପଡ଼ିଲା । କିନ୍ତୁ ସେ କିଛି କରିପାରିଲେ ନାହିଁ । କିଛି ନାହିଁ । ହଠାତ୍‍ ତାଙ୍କର ଦୃଷ୍ଟି ଯୋଡ଼ିକ ସୁମିତ୍ରାର ଫଟ ଉପରେ ଯାଇ ସ୍ଥିର ହୋଇଗଲା । ଅନେକ ସମୟରେ ସେ ଭାବନ୍ତି ଫଟଟିକୁ କାନ୍ଥରୁ କାଢ଼ି ଅନ୍ୟ କୋଉଠି ରଖିଦେବେ, କିନ୍ତୁ ତାଙ୍କ ହୃଦୟ ତାଙ୍କୁ ତା’ କରିବାକୁ ଦେଉନଥାଏ । ପରିଚାରକ ସୁବଦିନେ ସେ ଫଟୋଟିରୁ ଧୂଳି ଝାଡ଼ିବା ବେଳେ ତାଙ୍କ ଆଖିରେ ଲୁହ ଜକେଇ ଆସେ-। ଯେତେବେଳେ ସେ ଘର ମଧ୍ୟରେ ପାଦ ଦିଅନ୍ତି, ପ୍ରଥମେ ତାଙ୍କର ଦୃଷ୍ଟିପଡ଼େ ସୁମିତ୍ରାର ସେଇ ବଡ଼ ଫଟଟି ଉପରେ । ବେଳେ ବେଳେ ଫଟଟିକୁ ଦେଖି ତାଙ୍କର ମନେହୁଏ, ସତେ ଯେମିତି ସୁମିତ୍ରା ଏବେ ସୁଦ୍ଧା ତାଙ୍କ ଘରେ ରହିଛି । ପୁଣି ବେଳେ ବେଳେ ସେ ସୁମିତ୍ରା ଉପରେ ରାଗି ଉଠନ୍ତି-। ଆଉ ବେଳେ ବେଳେ ନିଜ ଉପରେ । ଆଉ ସେଇସବୁ ମୁହୂର୍ତ୍ତରେ ତାଙ୍କର ମନେହୁଏ ସେ ଫଟଟା ସେଠି ରହିବା ଆଦୌ ଉଚିତ ହୋଇନାହିଁ । ସୁମିତ୍ରା ସ୍ୱଚ୍ଛନ୍ଦରେ ତାଙ୍କ ଜୀବନରୁ ଚାଲିଗଲା-। ସେ କାହିଁକି ତା’ ସ୍ମୃତିକୁ ଚିରଦିନ ବଞ୍ଚାଇ ରଖିବେ ।

 

ଆଜି ଅନ୍ନଦାଶଙ୍କର ସେଇ ଫଟଟି ପାଖରେ ବେଶିକ୍ଷଣ ଛିଡ଼ା ହୋଇପାରୁ ନଥିଲେ । ସେ ଆଜି ଲୌହ ପାଲଟି ଯାଇଛନ୍ତି । କାନ୍ଥରୁ ଫଟଟିକୁ ଟାଣି ବାହାର କରି ଆଣିଲେ ସେ । ତା’ପରେ ଗୋଟି ଗୋଟି କରି ସୁମିତ୍ରାର ଯେତେ ଫଟ ଥିଲା ସବୁ ଫଟଗୁଡ଼ିକ ସବୁଆଡ଼ୁ କାଢ଼ି ଆଣିଲେ । ସେ ବୋଧେ ଭୀଷଣ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଫଟଗୁଡ଼ିକ ଏମିତି ଭାବେ ରହିଥିଲେ ସେ ହୁଏତ ତାଙ୍କ ଦୁଃଖର ଅତୀତକୁ ଆଦୌ ଭୁଲି ପାରିବେ ନାହିଁ ।

 

ପ୍ରତ୍ୟେକ ଫଟଗୁଡ଼ିକ ତଳମୁହାଁ କରି ସେ ଏକ ପୁରୁଣା ବାକ୍‍ସରେ ସଜାଡ଼ି ରଖିଦେଲେ-

 

ଅନ୍ନଦାଶଙ୍କରଙ୍କଠାରୁ ବିଦାୟ ନେଇ ସୁମିତ୍ରା ଗୋଟିଏ ପ୍ରାଇଭେଟ୍‍ ଗାର୍ଲସ୍କୁଲରେ ଶିକ୍ଷୟତ୍ରୀ କାର୍ଯ୍ୟ ପାଇଗଲା ଏବଂ ରହିବାପାଇଁ ଏକ ଟିଚର୍ସ କ୍ୱାଟର ମଧ୍ୟ ।

 

ସ୍କୁଲରେ ପିଲାମାନଙ୍କୁ ପଢ଼ାଇବା ଏବଂ ନିଜେ ଲାଇବ୍ରେରୀରେ ଯାଇ ପଢ଼ିବା ବ୍ୟତୀତ ତା’ର ଅନ୍ୟ କୌଣସିଥିରେ ଆଗ୍ରହ ନଥିଲା ।

 

ଦିନେ ସେ ତା’ ବିଛଣାରେ ବସିଛି । ଝରକା ବାଟ ଦେଇ ଜହ୍ନ ଆଲୁଆ ଆସି ତା’ ଘର ମଧ୍ୟରେ ଥିବା ଈଷତ୍‍ ନୀଳ ରଙ୍ଗର କାନ୍ଥଟା ଉପରେ ପଡ଼ିଥାଏ । ଲାଇଟ୍‍ ଅଫ୍‍ ଥାଏ ।

 

ଘର ଭିତରଟା ବେଶ୍‍ ସୁନ୍ଦର ଦେଖାଯାଉଥାଏ ।

 

ହଠାତ୍‍ ସୁମିତ୍ରାରେ ମନେହେଲା ଯେମିତି ସେ ନୀଳ କାନ୍ଥଟା ସେଠୁ ଉଭେଇ ଯାଇଛି । ଆଉ ତା’ ବଦଳରେ ସେଠି ସୃଷ୍ଟି ହୋଇଛି ଏକ ଚଉଡ଼ା ନଈ । ଆଉ ସେ ପିନ୍ଧିଥିବା କୋଟ୍‍ଟା ଗୋଟିଏ ବୋଟରେ ପରିଣତ ହୋଇଛି । ଆଉ ସେ ସେହି ବୋଟରେ ବସି ରହିଛି । ଶୀଘ୍ର ସେ ଦେଖିଲା କେତେଗୁଡ଼ିଏ ଅସ୍ପଷ୍ଟ ଛାୟାମୂର୍ତ୍ତି କୂଳର କିଛି ଦୂରରେ ବୁଲୁଛନ୍ତି । ଆସ୍ତେ ଆସ୍ତେ ସେମାନଙ୍କର ଚେହେରା ସୁସ୍ପଷ୍ଟ ହୋଇ ଉଠିଲା । ଜଣଙ୍କର ଚେହେରା ସେ ସ୍ପଷ୍ଟ ଭାବେ ଦେଖିବାକୁ ପାଇଲା । ସେ ହେଉଛନ୍ତି ପ୍ରଶାନ୍ତ ।

 

ତାଙ୍କର ସେଇ ଲମ୍ବା ଚେହେରା, ତୀକ୍ଷ୍‍ଣ ଚାହାଣି, ବଳିଷ୍ଠ ଅଙ୍ଗସୌଷ୍ଠବ ବେଶ୍‍ ସୁନ୍ଦର ଦେଖାଯାଉଥାଏ । ସୁମିତ୍ରାର ଚକ୍ଷୁଯୋଡ଼ିକ ଯେମିତି ପ୍ରଶାନ୍ତଙ୍କର ସେଇ ଚେହେରା ଉପରେ ଲାଖି ରହିଗଲା । କାରଣ ସେ ଦେଖି ପାରୁଥିଲା ଏବେ ବି ପ୍ରଶାନ୍ତଙ୍କ ଚକ୍ଷୁରୁ ତା’ପାଇଁ ସେଇ ପୂର୍ବର ପ୍ରେମ ଝୁରୁଛି । ଝରଝର ହୋଇ ତା’ ଆଖିରୁ ଝରି ପଡ଼ିଲା କେଇ ବିନ୍ଦୁ ଲୋତକ । କୋମଳ ସ୍ୱରରେ କହିବାକୁ ଲାଗିଲା ସେ, ‘‘ବିଦାୟ ପ୍ରିୟ, ବିଦାୟ । ମୋର ଇଚ୍ଛା ହଉଛି ତୁମ ପାଖକୁ ଦଉଡ଼ି ଯିବାକୁ, କିନ୍ତୁ ଶକ୍ତି ପାଉନାହିଁ । ଏ ଢେଉଗୁଡ଼ିକ ବଡ଼ ନିଷ୍ଠୁର ଆଉ କଠିଣ, କୂଳ ବି ଅନେକ ଦୂରରେ । ବିଦାୟ ।’’

 

ସୁମିତ୍ରା ସେଆଡୁ ମୁହଁ ଫେରାଇ ନେଲା । ତା’ର କିଛି ସମୟ ପରେ ସେ ଦେଖିଲା ଆଉ ଏକ ଚେହେରା । ସେ ହେଉଛନ୍ତି ଅନ୍ନଦାଶଙ୍କର । ଚଉଡ଼ା କପାଳରେ ଚିନ୍ତାର ରେଖା ତାଙ୍କର ସୁସ୍ପଷ୍ଟ । ଚକ୍ଷୁ ଦୁଇଟିରେ ସେ ପୂର୍ବର ଜ୍ୟୋତି ଆଉ ନାହିଁ । ନିଷ୍ପନ୍ଦ ମୁଖଭାଗ । ଓଠ ଦୁଇଟି କିପରି ସିଠା ସିଠା ଦେଖା ଯାଉଥାଏ । ଆଖି ଦୁଇଟିରେ ଏବେ ବି ତାଙ୍କର ତା’ପାଇଁ ପ୍ରେମ ଆଉ ସହାନୁଭୂତି ଭରି ରହିଥାଏ ।

 

ସୁମିତ୍ରା ବେଶିକ୍ଷଣ ତାଙ୍କଆଡ଼େ ଚାହିଁ ପାରିଲା ନାହିଁ । ମୁଣ୍ଡ ନୁଆଁଇ ଧୀର ସ୍ୱରରେ କହିଲା, ‘‘ତୁମକୁ ଦବାପାଇଁ ମୋ ପାଖରେ ଆଉ କିଛି ନାହିଁ । ହାତ ମୋର ଶୂନ୍ୟ । ଯାହା ଥିଲା ସବୁ ମୁଁ ହରେଇଛି । ଦୟାକରି ତୁମେ ମତେ କ୍ଷମା ଦିଅ ।’’ କହି ଲାଜରେ ଦୁଇ ହାତରେ ମୁହଁ ଘୋଡ଼ାଇଲା । ଅନ୍ନଦାଶଙ୍କରଙ୍କ ଆଡ଼େ ଚାହିଁପାରୁ ନଥିଲା ସେ ।

 

ପୁନର୍ବାର ସୁମିତ୍ରା ଯେତେବେଳେ ଆଖିଖୋଲି ଚାହିଁଲା, ଦେଖିଲା ଗୋଟିଏ ଛୋଟ ବାଳକ ଓଦା ବାଲିରେ ଛିଡ଼ା ହୋଇଛି । ସେ ସୁମିତ୍ରା ଆଡ଼େ ଚାହୁଁଥିଲା, ତାକୁ ଚିହ୍ନିବାପାଇଁ ଚେଷ୍ଟା କରୁଥିଲା; କିନ୍ତୁ ସୁମିତ୍ରା ତାକୁ ଦେଖି ନର୍ଭସ ହେଇ ଯାଇଥିଲା । ସେଠାରୁ ଅଳ୍ପ ଦୂରରେ ଥିବା କୂଳ ପାଖରୁ ଆଉ ଗୋଟିଏ ପିଲାର କ୍ରନ୍ଦନ ରୋଳ ଶୁଭୁଥିଲା । ଗୋଟିଏ ଛୋଟ ଝିଅଟିଏ । ସେ ବାଲିରେ ଚାଲିବାକୁ ଚେଷ୍ଟା କରୁଥାଏ ଏବଂ ପଡ଼ିଯାଉଥିବାରୁ କାନ୍ଦି ଉଠୁଥାଏ ।

 

ସୁମିତ୍ରା ଭାବୁଥାଏ ପିଲାଟିପାଇଁ ଜାଗାଟା ନିତାନ୍ତ ଥଣ୍ଡା ଆଉ କଠିଣ ହୋଇଥିବ । ସେ ଦୁଃଖରେ ଭାଙ୍ଗି ପଡ଼ିଲା । ତା’ର ଭୟହେଲା, ଯଦି ପିଲାଟି ପାଣିରେ ପଡ଼ିଯାଏ ? ସେ ହାତ ଦୁଇଟିକୁ ବଢ଼ାଇଦେଲା, ଯଦି ସେ ପରିତ୍ୟକ୍ତ ଶିଶୁଟିକୁ ନେଇ ଆସି ପାରନ୍ତା । ତା’ହେଲେ ତାକୁ ଆଲିଙ୍ଗନ କରି ଚୁମ୍ବନ କରନ୍ତା; କିନ୍ତୁ କୂଳ ଦୂରରେ ଥିଲା ଆଉ ପିଲାଟି ତା’ଠାରୁ ଦୂରରେ । ନଦୀଟା ଓସାରିଆ ଆଉ ତା’ ବୋଟ୍‍ଟି ବି ଦ୍ରୁତ ଗତିରେ ଚାଲୁଥିଲା । ସୁମିତ୍ରା ପିଲାଟି ଆଡ଼ୁ ଦୃଷ୍ଟି ଫେରାଇଲା । ସେ ନିଜକୁ କିପରି ନିଃସହାୟ ନିରୂପାୟ ମନେ କରୁଥାଏ ।

 

ପୁନର୍ବାର ସେ ଯେତେବେଳେ ମୁଣ୍ଡ ଉଠାଇଲା ଦେଖିଲା ନଦୀ କୂଳରେ କେତେଗୁଡ଼ିଏ ଲୋକ । ତା’ ବାପା, ମା, ଭାଇ, ଭଉଣୀ । ସମସ୍ତେ ଆଣ୍ଠୁମାଡ଼ି ବସିଥିଲେ । ତାଙ୍କ ପଛରେ ତା’ର ଅନ୍ୟାନ୍ୟ ସମ୍ପର୍କୀୟ ସମ୍ପର୍କୀୟମାନେ । ବୟସର ଛାପ ଆଉ ଚିନ୍ତା ସେମାନଙ୍କ ମୁଖଭାଗରେ ସୁସ୍ପଷ୍ଟ । ଲଜ୍ଜାରେ ସେମାନେ ମୁହଁ ତଳକୁ କରି ବସିଥିଲେ ଆଉ ଆଖିରୁ ତାଙ୍କର ଲୁହ ଝରୁଥିଲା । ସୁମିତ୍ରା ସେଆଡ଼ୁ ମୁହଁ ଫେରାଇଲା । ହଠାତ୍‍ ସେ କୂଳ ସେପାଖରୁ କ୍ରନ୍ଦନର ରୋଳ ଶୁଣିବାକୁ ପାଇଲା । ସେମାନେ କାନ୍ଦୁଥିଲେ । ଅନୁଶୋଚନାର କ୍ରନ୍ଦନ –‘‘ଆମକୁ କ୍ଷମାକର ସୁମିତ୍ରା, ଆମ୍ଭେମାନେ ଲଜ୍ଜିତ । ଆମ୍ଭେମାନେ ହତ୍ୟାକାରୀ । ଦୟାକରି ତୁ ଆମ୍ଭମାନଙ୍କୁ କ୍ଷମାକର ।

 

ସୁମିତ୍ରା ଦୁଇ ହାତର ନିଜ ମୁଣ୍ଡକୁ ସଯୋରେ ଚାପି ଧରିଲା ଏବଂ ଏକ ଦୀର୍ଘନିଶ୍ୱାସ ତ୍ୟାଗକରି ଧୀର ସ୍ୱରରେ କହିଲା, ‘‘କେବଳ ଭଗବାନ ହିଁ ତୁମକୁ କ୍ଷମାକରି ପାରନ୍ତି ।’’

 

ବୋଟ୍‍ଟା ଦ୍ରୁତ ଗତିରେ ବୁଲିବାକୁ ଲାଗିଥିଲା । ସୁମିତ୍ରା ଆଉ ସାହସ କରି କୂଳଆଡ଼େ ଚାହିଁ ପାରିଲା ନାହିଁ ।

 

କିଛି ସମୟ ପରେ ମୁଣ୍ଡ ଉଠାଇ ଦେଖିଲା ସେଠି ଆଉ କେହି ନାହାନ୍ତି । କେବଳ ମାଇଲ ମାଇଲ ଧରି ନିଘଞ୍ଚ ବନ୍ୟଭୂମି ଆଉ ପ୍ରସ୍ତରର ମାଳ ଭରିରହିଛି । ଯୋଉଠି କି ମନୁଷ୍ୟ କିମ୍ବା କୌଣସି ଜୀବ ଜନ୍ତୁଙ୍କର ଚିହ୍ନବର୍ଣ୍ଣ ବି ସୁଦ୍ଧା ନାହିଁ ।

 

ହଠାତ୍‍ କୂଳ ପାଖରୁ ପାଟି ଶୁଣାଗଲା । ସୁମିତ୍ରା ଆଖି ବନ୍ଦକରି ଦୁଇ କାନରେ ଆଙ୍ଗୁଠି ଦେଇ ବିଛଣାରେ ଶୋଇଗଲା ।

 

ହରପ୍ରାସଦ ମିଶ୍ର ଜଣେ ଧନୀ ବ୍ୟବସାୟୀ । ସେ ଆଉ ତାଙ୍କ ସ୍ତ୍ରୀ ସୁଷମା ବେଶ୍‍ ସୁଖରେ ଥାନ୍ତି । ବିବାହର ଦ୍ୱାଦଶ ବର୍ଷରେ ଏକ ସନ୍ତାନ ପାଇଥିବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଖୁବ୍‍ ଖୁସି ଥାନ୍ତି ।

 

ଦିନେ ସନ୍ଧ୍ୟାବେଳେ ହରପ୍ରାସାଦ ଯେତେବେଳେ ଘରକୁ ଫେରନ୍ତି ଦେଖିଲେ ତାଙ୍କ ସ୍ତ୍ରୀ ଗୋଟିଏ ସିଲଭର ଫିଡ଼ିଂ ବୋତଳରେ ଦୁଧ ପୂରାଉଛନ୍ତି । ସେ ଟିକେ ଆଶ୍ଚର୍ଯ୍ୟ ହେଲେ ।

 

‘‘ସୁଷମା, ତୁମେ ଏ କ’ଣ କରୁଛ ? ଏ ସିଲଭର ଫିଡ଼ିଂ ବୋତଲରେ କାହିଁକି ଦୁଧ ଭର୍ତ୍ତି କରୁଛ, ଏଥିରେ ତୁମେ କ’ଣ ଦୁଧର ପରିମାଣ ଠିକ୍‍ ଜାଣି ପାରିବ, କାଚ ବୋତଲରେ ଦୁଧ ଭର୍ତ୍ତିକଲେ ତୁମେ ସହଜରେ ତା’ ଜାଣି ପାରନ୍ତ ।’’

 

‘‘ତୁମେ ଏସବୁ ବୁଝି ପାରିବ ନାହିଁ । କାଚ ବୋତଲରେ ଦୁଧ ସହଜରେ ଦେଖାଯିବ, ମୁଁ ଜାଣେ; କିନ୍ତୁ ଆମର ଏତେ ବଡ଼ ଘରେ କେତେ ପ୍ରକାର ଲୋକଙ୍କର ଯାତାୟତ ସବୁବେଳେ ଲାଗି ରହିଛି, ସେମାନଙ୍କର ଦୃଷ୍ଟି ପଡ଼ିବ ନାହିଁ ?’’

 

ସୁଷମାଙ୍କ କଥା ଶୁଣି ହସିଉଠିଲେ ହରପ୍ରସାଦ । ତା’ପରେ କହିଲେ, ‘‘ଜାଣ, ପ୍ରଶାନ୍ତ ଚାରିଦିନ ହେବ ଦିଲ୍ଲୀରୁ ଫେରି ଆସିଲାଣି, କିନ୍ତୁ ଆମ ଘରକୁ ଆସିନାହିଁ । ଭଗବାନ ନ କରନ୍ତୁ ତା’ ଶରୀର ଯେମିତି ଭଲଥାଏ ।’’

 

ପ୍ରଶାନ୍ତ ହରପ୍ରସାଦଙ୍କଠାରୁ ବୟସରେ ଅଳ୍ପ ସାନ । ଦୁଇଜଣଙ୍କ ମଧ୍ୟରେ ଅଭିନ୍ନ ବନ୍ଧୁତା-। ଅନ୍ତରଙ୍ଗ ବନ୍ଧୁ ଦୁହେଁ ।

 

ଟିକେ ହସି ସୁଷମା କହିଲେ, ‘‘କେଉଁଠାରେ ବୋଧେ ତାଙ୍କର ନୂତନ ପଦ୍ୟ ରଚନାରେ ବ୍ୟସ୍ତ ଥିବେ ।’’

 

‘‘ୟା ମଧ୍ୟ ହୋଇପାରେ ଇଞ୍ଜିନିୟର ସାହାବ କୋଉଠି ପ୍ରୋଜେକ୍ଟର ନକ୍‍ସା ଦେଖିବାରେ ବ୍ୟସ୍ତ ଥିବେ ।

 

‘‘ପ୍ରଶାନ୍ତଙ୍କ ପରି ମଣିଷ ମିଳିବେ ନାହିଁ । ପ୍ରକୃତରେ ଖୁବ୍‍ ଭଲ ସେ ।’’

 

‘‘ମୋ’ଠାରୁ ?’’ ଟିକେ ରହସ୍ୟ କରି କହିଲେ ହରପ୍ରସାଦ ।

 

‘‘ଆମେ କେବଳ ମଣିଷ, ସେ କିନ୍ତୁ ଦେବଦୂତ ।’’

 

ସୁଷମା ପାଟିରୁ କଥା ସରିଛି କି ନାଇଁ ବାହାରୁ ‘ଭାଉଜ’ ‘ଭାଉଜ’ ଡାକି ପ୍ରଶାନ୍ତ ଘର ଭିତରେ ପାଦଦେଲେ ।

 

‘‘ପ୍ରଶାନ୍ତ ତୁମେ ଆସି ଖୁବ୍‍ ଭଲକଲ, ଆମେ ଦିନସାରା ତୁମକୁ ଅପେକ୍ଷା କରି ରହିଛୁ-।’’ ହସ ହସ ମୁହଁରେ କହିଲେ, ସୁଷମା ।

 

‘‘ପ୍ରଶାନ୍ତ, ତୁମେ ଯେତେବେଳେ ଆମଘରେ ପାଦ ଦିଅ, ଆଗ ଭାଉଜଙ୍କୁ ଡାକଛାଡ଼ କାହିଁକି, କାଇଁ କେବେ ତ ମୋ ନାଁ ଧରି ଡାକ ନାହିଁ । ମୁଁ ଭଲଅଛି କି ନାହିଁ ।’’ ସ୍ୱଳ୍ପ ଗମ୍ଭୀର ହୋଇ କହିଲେ ହରପ୍ରସାଦ ।

 

‘‘ହର, ଘର ଭିତରେ ହେଉଛି ଭାଉଜଙ୍କର ରାଜ୍ୟ ଆଉ ଫ୍ୟାକ୍‍ଟ୍ରିରେ ତୁମର । ତୁମ ଫ୍ୟାକ୍‍ଟ୍ରିକୁ ଗଲେ ମୁଁ କେବେ ଭାଉଜଙ୍କ ନାଁ ଧରେ ।’’

 

ତାଙ୍କ କଥା ଶୁଣି ସ୍ୱାମୀ ସ୍ତ୍ରୀ ଦୁହେଁ ହସିଉଠିଲେ ।

 

‘‘ଦିଅର ସାହାବ, ତୁମେ ଜାଣ, ତୁମେ ଆସିବା ପୂର୍ବରୁ ଆମେ ଦୁହେଁ ତୁମ ବିଷୟରେ କ’ଣ କଥାବର୍ତ୍ତା ହେଉଥିଲୁ ?’’

 

ପ୍ରଶାନ୍ତ କିଛି କହିବା ପୂର୍ବରୁ, ହରପ୍ରସାଦ କହିଲେ,‘‘ତୁମ ଭାଭଜ କହୁଥିଲେ ତୁମେ ଖୁବ୍‍ ଭଲ ମଣିଷ । ଏପରିକି ମୋ’ଠାରୁ ମଧ୍ୟ ।’’

 

‘‘ମୁଁ କେବେହେଲେ କହିନାହିଁ ସେ ତୁମଠାରୁ ଭଲବୋଲି, ମୁଁ ପରିଷ୍କାର କହିଛି ଆମେ କେବଳ ମଣିଷ, ସେ କିନ୍ତୁ ଆମଠାରୁ ଅନେକ ଉଚ୍ଚରେ-ସାଧୁପୁରୁଷ ।’’ ହରପ୍ରସାଦଙ୍କ କଥାରେ ପ୍ରତିବାଦ ଜଣାଇଲେ ସୁଷମା ।

 

‘‘ଭାଉଜ, ତୁମେ ମତେ ଏତେ ମହାନ୍‍ କରି ତୋଳ ନାହିଁ । ମୁଁ ତୁମରି ପରି ଜଣେ । ତୁମେ ଯେମିତି ହସ କାନ୍ଦ ମୁଁ ସେମିତି ହସେ କାନ୍ଦେ । ଏଥିରେ ମୋର କୌଣସି ବିଶେଷତ୍ୱ ନାହିଁ-।’’

 

ହଠାତ୍‍ ପ୍ରଶାନ୍ତଙ୍କର ଦୃଷ୍ଟି ପଡ଼ିଲା ଅପରପାର୍ଶ୍ୱ କାନ୍ଥରେ ଲାଗିଥିବା ହରପ୍ରସାଦଙ୍କ ପୁଅ ଟୁଟୁର ଫଟ ଉପରେ ।

 

ସୁଷମା ମଧ୍ୟ ସେଇଆଡ଼େ ଚାହିଁ ରହିଥିଲେ ।

 

‘‘ପ୍ରକୃତରେ ପ୍ରଶାନ୍ତ, କେତେଗୁଡ଼ିଏ ଜିନିଷପାଇଁ ଆମେ ତୁମ ନିକଟରେ କୃତଜ୍ଞ ।’’

 

‘‘ନା ଭାଉଜ, ସେକଥା କୁହ ନାହିଁ, ଅନ୍ୟକିଛି କଥା ପକାଅ ।’’

 

କଥା ବଦଳାଇ ହରପ୍ରସାଦ କହିଲେ, ‘‘ସୁଷମା କହୁଥିଲା ତୁମେ ଏଇ କେଇଦିନ ଆମର ଏଠାକୁ ଆସିନାହଁ କାରଣ ତୁମକୁ କୌଣସି ନୂତନ ପଦ୍ୟର ଗଭୀର ଚିନ୍ତା ଆକାଶ ପର୍ଯ୍ୟନ୍ତ ଟାଣି ରଖିଥିଲା ?’’

 

‘‘ଯେତେବେଳେ ଏ ପୃଥିବୀର କୌଣସି ପଦାର୍ଥ ମତେ ଟାଣି ରଖିପାରିଲା ନାହିଁ, ସେତେବେଳେ ଏ ଆକାଶ ମତେ କ’ଣ ଟାଣି ରଖିବ । ’’ ତାଙ୍କ କଣ୍ଠରେ ଶ୍ଳେଷ ମିଶି ରହିଥିଲା ।

 

ସେତିକିବେଳେ ଆୟା ହରପ୍ରସାଦଙ୍କ ପୁଅ ଟୁଟୁକୁ ଆଣି ସେଠି ପହଞ୍ଚିଲା ।

 

ପିଲାଟି ସାଙ୍ଗେ ସାଙ୍ଗେ ପ୍ରଶାନ୍ତକୁ ଚିହ୍ନିପାରି ତାଙ୍କ କୋଳକୁ ଡେଇଁ ପଡ଼ିଲା । ସେ ତାକୁ କୋଳକୁ ଉଠାଇ ନେଲେ । ପିଲାଟିର ଦୃଷ୍ଟି ହଠାତ୍‍ ପ୍ରଶାନ୍ତଙ୍କ କୋଟ୍‍ ପକେଟରେ ଲାଗିଥିବା ଗୋଲ୍‍ଡ କ୍ୟାପ ପେନ୍‍ଟି ଉପରେ ପଡ଼ିଗଲା । ସେ କହିଲା, ‘‘ଏଇତା ମୁଁ ନେବି ।’’

 

ଓଃ, ଏଇ ପେନ୍‍ଟା ତମେ ନବ, ତୁମେ ଲେଖିବ, ମୋ ପରି କବିତା ଲେଖିବ ।’’ କହି ପିଲାଟ ହାତକୁ ପେନ୍‍ଟି ବଢ଼ାଇଦେଲେ ସେ ।

 

‘‘ପିଲାମାନେ ଜୀବନକୁ ଉପଭୋଗ କରନ୍ତି ପ୍ରଶାନ୍ତ, କବିତା ଲେଖନ୍ତି ନାହିଁ । ବେଶ୍‍ ତ, ତୁମର ବର୍ତ୍ତମାନ କାବ୍ୟିକ ମନୋବୃତ୍ତି ଅଛି ଦେଖୁଛି, ତା’ହେଲେ ଆମକୁ ଦୁଇଟି ଗୋଟିଏ ଶୁଣାଉନା କାହିଁକି ?’’

 

ସୁଷମା ଯିଏ କି ପ୍ରଶାନ୍ତଙ୍କ କବିତାକୁ ଖୁବ୍‍ ଭଲପାଆନ୍ତି ସେ ମଧ୍ୟ ସ୍ୱାମୀଙ୍କ କଥାରେ ସମ୍ମତି ଜଣାଇଲେ ।

 

ପ୍ରଶାନ୍ତ ଗୋଟିଏ କବିତା ଆବୃତ୍ତି କଲେ । ଯା’ର ଅର୍ଥ ହେଲା–

 

ସକାଳ କିମ୍ବା ସନ୍ଧ୍ୟା-ସବୁବେଳେ ମୁଁ ଅନୁଭବ କରେ ଦୁଇଟି ଆଖି ମତେ ଲକ୍ଷ୍ୟ କରୁଛି-। ମୁଁ ଯେତେବେଳେ ଚାଲୁଛି, ସେତେବେଳେ ସେ ମୋ ପଛେ ପଛେ ରହିଛି । ମୁଁ ଯେତେବେଳେ ଗୋଟିଏ ଫୁଲକୁ ଚାହୁଁଛି ସେଥିରେ ମଧ୍ୟ ସେ ଆଖି ଦୁଇଟିକୁ ଦେଖୁଛି । ମୁଁ ସେ ଫୁଲକୁ ଚାହିଁପାରୁ ନାହିଁ କି କଣ୍ଟାକୁ । କେବଳ ଦେଖୁଛି ସେଇ ସୁନ୍ଦର ଆଖି ଦୁଇଟିକୁ । ଏପରିକି ରାତ୍ରିର ଅନ୍ଧକାର ମଧ୍ୟ ସେ ଆଖି ଦୁଇଟିକୁ ମୋ’ଠାରୁ ଦୂରେଇ ରଖି ପାରୁନାହିଁ । ସେ ସବୁଆଡ଼େ ବିରାଜମାନ । ମାଟିରେ, ପାଣିରେ, ପବନରେ, ଆକାଶରେ ଏପରିକି ମୋର ସମସ୍ତ ଶରୀରରେ ।

 

ରୋଷଇ ଘରେ କ’ଣ କରୁଥିଲେ ସୁଷମା ।

 

ହଠାତ୍‍ ବାହାରେ ପାଦଶବ୍ଦ ଶୁଣି ପଚାରିଲେ, ‘‘କିଏ ? ହର ?’’

 

‘‘ନା ଭାଉଜ, ମୁଁ ପ୍ରଶାନ୍ତ, ହର ନୁହେଁ ।’’ କହି ଘର ଭିତରେ ପାଦଦେଲେ ସେ ।

 

ରୋଷେଇ ଘରୁ ବାହାରି ଆସିଲେ ସୁଷମା ।

 

‘‘ଟୁଟୁ କୋଉଠି ?’’ ପଚାରିଲେ ପ୍ରଶାନ୍ତ ।

 

‘‘ଏଇକ୍ଷଣି ଶୋଇବାକୁ ଗଲା । ଆଜି ତା’ ଆୟା ଛୁଟିନେଇ ଗାଁକୁ ଯାଇଛି ।’’

 

ହୁଁ ।’’

 

‘‘ତୁମେ ଗୋଟିଏ ନୂଆ ଆୟା ଯୋଗାଡ଼ କରି ପାରିବ ପ୍ରଶାନ୍ତ, ଆୟା ନାହିଁ ବୋଲି ଟୁଟୁ ଦୁଇଦିନ ହେବ ଘରୁ ବାହାରକୁ ବାହାରି ନାହିଁ ।

 

‘‘ମତେ ସେ କାମରେ ନିଯୁକ୍ତ କରୁନାହଁ । ଯେ କୌଣସି ଆୟାଠାରୁ ମୁଁ ତା’ର ଅଧିକ ଯତ୍ନନେବି ।’’

 

‘‘ତୁମେ’’ ସୁଷମା ବହୁତ କଷ୍ଟରେ ଶବ୍ଦଟି ଉଚ୍ଚାରଣ କଲେ ।

 

ଏତିକିବେଳେ ତାଙ୍କ ପରିଚାରକ ନୃସିଂହ ଆସି ଜଣାଇଲା ଯେ ସେ ଗୋଟିଏ ନୂଆ ଆୟା ଯୋଗାଡ଼ କରିଛି ।

 

ସୁଷମା ସାଙ୍ଗେ ସାଙ୍ଗେ ତାକୁ ଡାକିଲେ ।

 

‘‘ଆମର ଗୋଟିଏ ପିଲା ଅଛି, ତୁମେ ତା’ର ଉପଯୁକ୍ତ ତତ୍ତ୍ୱ ନେଇ ପାରିବ ?’’ ପଚାରିଲେ ସେ ।’’

 

‘‘ମା, ମୋର ଅଧା ଜୀବନ ମୁଁ ଏଇଥରେ କଟେଇଲିଣି । ଆପଣ ସେଥିପାଇଁ ବ୍ୟସ୍ତ ହେବେନାହିଁ । ମୋର ବିଶ୍ୱାସ ଆପଣ ମୋ କାମରେ ନିଶ୍ଚେ ଖୁସି ହେବେ ।’’ ଦୃଢ଼ ଆତ୍ମବିଶ୍ୱାସର ସହିତ କହିଲା ସ୍ତ୍ରୀଲୋକଟି ।

 

ସୁଷମା ଦେଖିଲେ, ମଧ୍ୟବୟସ୍କା ସ୍ତ୍ରୀ ଲୋକଟିଏ । ତା’ କଥାବର୍ତ୍ତା ଆଉ ଚେହେରା ଦେଖି ତାଙ୍କର ମନେହେଲା ସେ ଖୁବ୍‍ ବୁଦ୍ଧିମତୀ ଆଉ କର୍ତ୍ତବ୍ୟପରାୟଣା ।

 

ୟା ପୂର୍ବରୁ ତୁମେ କୋଉଠି କାମ କରୁଥିଲ ? ପଚାରିଲେ ସୁଷମା ।’’

 

କଲିକତାରେ । କ’ଣ ତ ନାଁଟା ମୁଁ ସବୁବେଳେ ଭୁଲିଯାଉଛି । ରାୟ ସାହେବଙ୍କ ଝିଅ । ହଁ, ମନେପଡ଼ିଲା ଅନ୍ନଦାଶଙ୍କର ରାୟ । ତାଙ୍କ ପାଖରେ ମୁଁ ଚାରିମାସ ଥିଲି । ସେଠୁଫେରି ଛ’ ମସ ହେବ ଗାଁରେ ଯାଇ ଥିଲି ।’’

 

ଅନ୍ନଦାଶଙ୍କରଙ୍କ ନାଁ ଶୁଣି ପ୍ରଶାନ୍ତଙ୍କର ମୁଖଭାଗ ବିସ୍ମୟରେ ଭରିଗଲା ।

 

ପ୍ରଶାନ୍ତ ଆଡ଼େ ଦୃଷ୍ଟି ନଦେଇ ସୁଷମା ପଚାରିଲେ, ‘‘ସେଠୁ ଏତେ ଶୀଘ୍ର କାହିଁ ଛାଡ଼ି ଚାଲି ଆସିଲ ?’’

 

‘‘ମୁଁ ତାଙ୍କୁ ଛାଡ଼ିନାହିଁ କି କେବେ ଛାଡ଼ିବାକୁ ଚାହିଁ ନଥିଲି ମଧ୍ୟ । ଖୁବ୍‍ ଭଲ ଲୋକ ସେମାନେ । ମୋ ସଙ୍ଗରେ ଖୁବ୍‍ ଭଲ ବ୍ୟବହାର କରୁଥିଲେ ।’’ ଏକାନିଶ୍ୱାସରେ କହିଗଲା ସ୍ତ୍ରୀଲୋକଟି ।

 

‘‘ତା’ହେଲେ କ’ଣ ହେଲା ?’’ ପ୍ରଶାନ୍ତ ଟିକେ ଆଗ୍ରହୀ ହୋଇ ଜାଣିବାକୁ ଚାହିଁଲେ ।

 

‘‘ମୋ ଦୁର୍ଭାଗ୍ୟ । ଭାବିଥିଲି ଜୀବନର ବାକୀ କେଇଟା ଦିନ ମୁଁ ସେଇ ପରିବାରରେ କଟେଇ ଦେବି, କିନ୍ତୁ ହେଲା ନାହିଁ । ଗୋଟିଏ ଝିଅକୁ ଜନ୍ମଦେବା ପରେ ମା’କୁ ତା’ର ଆଶ୍ଚର୍ଯ୍ୟ ଧରଣର ରୋଗ ଧରିଲା । ପ୍ରାୟ ସେ କୌଣସି ଭୟ ହେତୁ ବେହୋସ ହୋଇ ଯାଉଥିଲେ । ବେଳେବେଳେ କାନ୍ଦିକରି କହନ୍ତି ‘‘ମୋ’ଠାରୁ ମୋ ଛୁଆକୁ ଛଡ଼ାଇ ନିଅ ନାହିଁ ।

 

କିଛି ସମୟ ନୀରବ ରହି ସ୍ତ୍ରୀଲୋକଟି ପୁଣି କହିଚାଲିଲା-‘‘ସେମାନେ ବେଶ୍‍ ଧନୀଲୋକ । ଡାକ୍ତରଙ୍କ ପରାମର୍ଶଦ୍ୱାରା ସେ ମତେ ଚାକିରୀରୁ ବାହାର କରିଦେଲେ ଏବଂ ମୋ ବଦଳରେ ଗୋଟିଏ ନୂଆ ଆୟା ଆଣି ରଖିଲେ । ବାବୁ ! ଏ’ ରୋଗ ଭଲ ହେବାପାଇଁ କ’ଣ କୌଣସି ଔଷଧ ନାହିଁ ?’’ ପ୍ରଶାନ୍ତଙ୍କୁ ତା’ ଆଡ଼େ ଆଗ୍ରହୀ ଦୃଷ୍ଟିରେ ଚାହିଁ ରହିଥିବାର ଦେଖି କହିଲା ସ୍ତ୍ରୀ ଲୋକଟି ।

 

କିନ୍ତୁ ପ୍ରଶାନ୍ତ କିଛି କହିଲେ ନାହିଁ । ଏପରିକି ସେ ସ୍ତ୍ରୀ ଲୋକଟି ଆଡ଼େ ଆଉ ଚାହିଁଲେ ନାହିଁ ମଧ୍ୟ । ମୁହଁଟାକୁ ଗବାକ୍ଷ ଆଡ଼େ ବୁଲାଇ ନେଲେ ସେ ।

 

ଦରମା ଦବାନବା କଥା ଛିଡ଼ିଗଲା । ଆୟାକୁ ରଖି ନିଆହେଲା । ହରପ୍ରସାଦ ମଧ୍ୟ ସେତିକିବେଳେ ଆସି ପହଞ୍ଚିଗଲେ । ସେ ଆଉ ସୁଷମା ଦେଖିଲେ ପ୍ରଶାନ୍ତଙ୍କୁ କିପରି ଉଦାସ ଉଦାସ ମନେ ହେଉଛି । ତାଙ୍କୁ ଖୁସି କରିବାପାଇଁ ହରପ୍ରସାଦ ଅନେକ ମଜା ମଜା କଥା କହିଲେ, କିନ୍ତୁ ପ୍ରଶାନ୍ତ କୌଣସି ଉତ୍ତର ଦେଲେ ନାହିଁ ।

 

ଯେତେବେଳେ ସେ ସେଠାରୁ ଯିବାକୁ ବସିଲେ, ଆୟାକୁ ପଚାରିଲେ, ‘‘ସେ ପିଲାଟିର ନାଁ କ’ଣ, ଯୋଉଠି ତୁମେ ୟା ପୂର୍ବରୁ କାମ କରୁଥିଲା ?’’

 

‘‘ସେମାନେ ତାକୁ ରୁନୁ ବୋଲି ଡାକନ୍ତି ।’’

 

‘‘ରୁନୁ!’’ ନାଁଟା ଶୁଣି ଚମକି ଉଠିଲେ ପ୍ରଶାନ୍ତ ।

 

‘‘ହଁ ବାବୁ, ଖୁବ୍‍ ସୁନ୍ଦର ଛୁଆଟିଏ, ଠିକ୍‍ ତା’ ମା’ ପରି । ଏଇକ୍ଷଣି କେଡ଼େଟିଏ ହବଣି ସେ ।’’

 

ପ୍ରଶାନ୍ତ ଟୁଟୁକୁ କୋଳକୁ ଉଠାଇ ନେଲେ । ତାଙ୍କର ସମସ୍ତ ଶରୀର ଥରୁଥିଲା । ଆଉ ମନେ ହେଉଥିଲା ସେ ଯେମିତି ନିଜର ଭାରସାମ୍ୟ ରଖିପାରୁ ନାହାନ୍ତି ।

 

ଟୁଟୁର ଜନ୍ମଦିନ ।

 

ସେ ପିନ୍ଧିଥାଏ, ଧଳା ଟେରିକଟର ଏମ୍ୱ୍ରଡ଼ରି କରା ଶାର୍ଟ ଏବଂ ତା’ ସହିତ ମ୍ୟାଚ୍‍ କରି ଏକ ପ୍ୟାଣ୍ଟ । ସର୍ବଦା ସୁନ୍ଦର ଟୁଟୁକୁ ଆଜି ଆହୁରି ସୁନ୍ଦର ଦେଖାଯାଉଥାଏ । ନିମନ୍ତ୍ରିତ ଅଭ୍ୟାଗତମାନ ତା’ ପାଇଁ ଶୁଭେଚ୍ଛା ଆଉ ବିଭିନ୍ନ ଉପହାରମାନ ନେଇ ଆସିଥାନ୍ତି । ସୁଷମା ସେମାନଙ୍କୁ ଚର୍ଚ୍ଚା କରିବାରେ ବ୍ୟସ୍ତ ଥାନ୍ତି । ଆଉ ହରପ୍ରସାଦ ଉପହାରରଗୁଡ଼ିକ ଦେଖିବାରେ ଲାଗିଥାନ୍ତି ।

 

ଟୁଟୁ ପ୍ରଶାନ୍ତ ହାତ ଧରି ଛିଡ଼ା ହୋଇଥାଏ ।

 

ହଠାତ୍‍ ହରପ୍ରାସାଦଙ୍କର ଜଣେ ବନ୍ଧୁ ପ୍ରଶାନ୍ତଙ୍କୁ ସମ୍ୱୋଧନ କରି କହିଲେ ‘‘ଇଞ୍ଜିନିୟର ସାହେବ, ଜଣେ ହୋଇପାରେ କିମ୍ବା ନ ହୋଇପାରେ ବିବାଦକୁ ଭଲପାଏ ନାହିଁ; କିନ୍ତୁ ମନରେ ଆଶା ପୋଷଣ କରିଥାଏ ଗୋଟିଏ ସୁନ୍ଦର ପିଲାପାଇଁ । ସେତେବେଳେ ବୋଦେ ତା’ର ବିବାହ ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥାଏ ।

 

ହସିଲେ ପ୍ରଶାନ୍ତ କିଛି କହିଲେ ନାହିଁ ।

 

ଅନ୍ୟ ଜଣେ ପ୍ରଶ୍ନକଲା, ‘‘ଆପଣ କ’ଣ କେବେ ଭାବିଥିଲେ ଟୁଟୁ ପରି ଏକ ସୁନ୍ଦର ପୁଅର ସାନିଧ୍ୟ ଦିନେ ଆପଣ ଲାଭକରିବେ ବୋଲି?’’

 

ପୁନର୍ବାର ଟିକେ ହସିଲେ ପ୍ରଶାନ୍ତ, ହେଲେ କିଛି କହିଲେ ନାହିଁ ।

 

ପ୍ରଶାନ୍ତ ଦେଖିବାକୁ ସୁନ୍ଦର ସୁପୁରୁଷ ଏବଂ ବ୍ୟାଚଲର । ତା’ଛଡ଼ା ଜଣେ ବଡ଼ ଇଞ୍ଜିନିୟର । ଅନେକ ଆସନ୍ତି ତାଙ୍କ ଝିଅ, ଝିଆରୀ, ଭଉଣୀ ଭାଣିଜୀଙ୍କ ବିବାହ ସମ୍ବନ୍ଧ ନେଇ ତାଙ୍କ ପାଖକୁ, ତାଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାନ୍ତି, କିନ୍ତୁ କେବେହେଲେ କୃତକାର୍ଯ୍ୟ ହୋଇପାରନ୍ତି ନାହିଁ ।

 

ପାର୍ଟିପରେ ସୁଷମା, ହରପ୍ରସାଦ ଆଉ ପ୍ରଶାନ୍ତ କିଛି ସମୟ ବସି ଗଳ୍ପ କରିବାକୁ ଲାଗିଲେ । ଟୁଟୁ ବିଷୟରେ ମଧ୍ୟ କେତେ କଥା ସବୁ ଆଲୋଚନା ହେଲା ।

 

ତା’ପରେ ପ୍ରଶାନ୍ତ ଯେତେବେଳେ ଯିବାକୁ ଉଠିଲେ, ସୁଷମା ପଚାରିଲେ, ‘‘ପୁଣି କେବେ ଆସିବ ?’’

 

‘‘ତୁମେ ଚିନ୍ତା କରୁଛ କାହିଁକି ? ମୁଁ ଦୁଇ ଚାରିଦିନ ଛାଡ଼ି ବରାବର ଆସିବି ।’’

 

‘‘ନା, ଏଥର ତୁମେ ଅନେକ ଦିନ ପରେ ଆସିଲ । ଏଇ ତ ଗତକାଲି ତୁମ ବିଷୟରେ ଆମ ଦୁହିଁଙ୍କ ମଧ୍ୟରେ କଥା ପଡ଼ିଥିଲା । ସେ କହିଲେ ଏଇ କେତେଗୁଡ଼ିଏ ଦିନ ତୁମେ କୁଆଡ଼େ ବାରିଷ୍ଟର ସାହେବଙ୍କ ଘରେ ବ୍ୟତୀତ କରିଥିଲ ।’’

 

‘‘ଭାଉଜ, ତୁମେ ଜାଣ ବାରିଷ୍ଟର ଅମରେନ୍ଦ୍ର ପ୍ରସାଦ ବହିଦାର ଯିଏ କି ମତେ ମଣିଷ କରିଛନ୍ତି, ମୁଁ ତାଙ୍କ ନିକଟରେ ଚିର କୃତଜ୍ଞ । ସେ ଦିନ ସନ୍ଧ୍ୟାବେଳେ ସେ ମତେ କାରରେ ତାଙ୍କ ଘରକୁ ନେଇଗଲେ ମୁଁ ମନାକରି ପାରିଲେ ନାହିଁ ।’’

 

‘‘ମୁଁ ତ ସେକଥା କହୁନାହିଁ, ମୁଁ କହୁଛି’’

 

‘‘ନା, ମୋ ନିଜ ଇଚ୍ଛା ଅନୁସାରେ ମୁଁ ସେଠିକି ଯାଇନାହିଁ । କିନ୍ତୁ...’’ ପ୍ରଶାନ୍ତ କ’ଣ ଯେପରି ଭାବି ରହିଗଲେ ।

 

‘‘କାହିଁକି, ସେଠି କ’ଣ କୌଣସି ବିପଦର ସମ୍ଭାବନା ଅଛି ?’’

 

‘‘ବିପଦ ! ନା ଭାଉଜ, ସେଥିରୁ ମୁଁ ମୁକ୍ତ; କିନ୍ତୁ ମୁଁ ଜଣଙ୍କପାଇଁ ଚିନ୍ତିତ ।’’

 

ସୁଷମା ଟିକେ ବିସ୍ମିତ ଦୃଷ୍ଟିରେ ପ୍ରଶାନ୍ତଆଡ଼େ ଚାହିଁ ରହିଲେ ।

 

ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ହରପ୍ରସାଦ କହିଲେ, ‘‘ବାରିଷ୍ଟର ସାହେବ ଆଜିକାଲି ପ୍ରଶାନ୍ତ ଉପରେ କରୁଣାର ପାତ୍ର ଢାଳି ଦେଇଛନ୍ତି, ତା’ର କାରଣ କ’ଣ ତୁମେ ବୁଝି ପାରୁନାହଁ ?

 

ସୁଷମା ହରପ୍ରସାଦଙ୍କଠାରୁ ଇଶାରା ପାଇ କହିଲେ, ‘‘ଯୋଉଠି ଅଯାଚିତ ଦୟା ମିଳେ, ସେଠି ବିପଦର ସମ୍ଭାବନା ଥାଏ । ଭଗବାନ ରକ୍ଷା କରନ୍ତୁ, ବାରିଷ୍ଟର ସାହେବଙ୍କର ଗୋଟିଏ କୁମାରୀ କନ୍ୟା ଅଛି ତା’ ମଧୁର ହସରେ ଯେମିତି ପ୍ରଶାନ୍ତଙ୍କର କୌଣସି କ୍ଷତି ନହୁଏ ।’’

 

‘‘ଏଇଟା କ’ଣ ତୁମେ ବର୍ତ୍ତମାନ ଜାଣିଲ ? ହରପ୍ରସାଦ ସୁଷମାକୁ ଟିକେ ଆଙ୍ଗୁଠିରେ ଖେଞ୍ଚିଦେଲେ ।

 

‘‘ଯା’ହଉ ମୁଁ ଭାରୀ ଖୁସି ମୋର ଗୋଟିଏ ଯା’ ଆସିବ ।’’ ହସ ଚାପି ରଖି କହିଲେ ସୁଷମା ।

 

‘‘ସେ’ଟା ଏ ଜୀବନରେ କେବେ ସମ୍ଭବ ହେବ ନାହିଁ ଭାଉଜ ! ଯେତେବେଳେ ବିଧାତା ମୋ ହାତରେ ଚିତ୍ରାଙ୍କନ କରି ବସିଲେ, ସେତେବେଳେ ତାଙ୍କ ପେନ୍‍ରୁ କାଳି ସରି ଯାଇଥିଲା କିମ୍ବା ସେ ଭୁଲରେ ବିବାହ ରେଖାଟା ଛାଡ଼ି ଯାଇଥିଲେ ।’’ ଶୁଷ୍କ ହସ ହସି କହିଲେ ପ୍ରଶାନ୍ତ ।

 

ବାରିଷ୍ଟର ଅମରେନ୍ଦ୍ର ପ୍ରସାଦ ବହିଦାରଙ୍କ କନ୍ୟା ଶର୍ମିଷ୍ଠା । ଦେଖିବାକୁ ରୂପସୀ ଏବଂ ଗୁଣବତୀ । ଶାନ୍ତିନିକେତନରୁ ସୂକ୍ଷ୍ମ ଚାରୁକଳାରେ ଡିଗ୍ରୀ ନେଇ ଆସିଥାଏ ସେ । କଳା ସହିତ ସଙ୍ଗୀତ ଶିଖିବାରେ ମଧ୍ୟ ତା’ର ଖୁବ୍‍ ଆଗ୍ରହ ।

 

ବାରିଷ୍ଟର ଅମରେନ୍ଦ୍ର ପ୍ରସାଦ ବହିଦାରଙ୍କର ଅଜସ୍ର ପଇସା । ସେ ନିଜ କନ୍ୟାକୁ ଦୁନିଆ ଆଗରେ ଗୋଟିଏ ବଡ଼ କଳାକାର ରୂପରେ ଦେଖିବାକୁ ଚାହାନ୍ତି । ସେ ତାଙ୍କ ଝିଅକୁ ଭଲଭାବେ ଜାଣିଥିଲେ । ତା’ର ଯୋଉଥିରେ ଝୁଙ୍କ ଥିବ, ସେ ତାକୁ ପୂରଣ କରି ଛାଡ଼ିବ । ପ୍ରଶାନ୍ତ ପରି ମହତ୍‍ ଚରିତ୍ରର ବ୍ୟକ୍ତିକୁ ପାଖରେ ପାଇ ସେ ନିଜକୁ ଗର୍ବ ଅନୁଭବ କରୁଥିଲେ ।

 

ଶର୍ମିଷ୍ଠାର ଅନ୍ୟ ଦୁଇ ଭଉଣୀ ବାହା ହୋଇଯାଇଥିଲେ । ବର୍ତ୍ତମାନ ଘରେ ସେ ସମ୍ପୂର୍ଣ୍ଣ ଏକଲା । ପ୍ରଶାନ୍ତ ତାଙ୍କର ବଳକା ସମୟତକ ତାଙ୍କ ଘରେ ବ୍ୟତୀତ କରୁଥିବାରୁ ଅମରେନ୍ଦ୍ର ପ୍ରସାଦ ଖୁବ୍‍ ଖୁସି ଥାନ୍ତି । କାରଣ ତାଙ୍କ ଝିଅକୁ ପ୍ରଶାନ୍ତି ପରି ଗୋଟିଏ ସାଥୀ ମିଳିଛି । ଯାହା ସଙ୍ଗରେ ସେ ହସିଖେଳି ସମୟ କଟାଇବ । ନିଜକୁ ସେ ଆଉ ଏକଲା ଅନୁଭବ କରିବ ନାହିଁ ।

 

ଅମରେନ୍ଦ୍ର ପ୍ରସାଦ ଅନେକଦିନୁ ଆଣ୍ଠୁଗଣ୍ଠି ବାତରେ ଭୋଗୁଥିଲେ । ଅନେକ ଚିକିତ୍ସା କରି ମଧ୍ୟ ସେ ରୋଗରୁ ସେ ମୁକ୍ତ ହୋଇପାରି ନାହାନ୍ତି । ତାଙ୍କର ଆଣ୍ଠୁର ଜୟେଣ୍ଟ ଖୁବ୍‍ ଦୁର୍ବଳ ଥିଲା । ସେଥିପାଇଁ ସେ ବେଶୀ କୁଆଡ଼େ ବାହାରକୁ ବାହାରିପାରୁ ନଥିଲେ । ଅଧିକାଂଶ ସମୟ ଘରେ ରହୁଥିଲେ ନହେଲେ ବାରଣ୍ଡା କିମ୍ବା ବଗିଚାରେ ଆରାମ ଚେୟାର ପକାଇ ସେଥିରେ ବସି ରହୁଥିଲେ ।

 

ଦିନେ ଦୁହେଁ ବାପା ଝିଅ ଡାଇନିଂ ଟେବୁଲ ପାଖରେ ବସି ରହିଥିଲେ । ସମ୍ମୁଖରେ ଅଣ୍ଡା, ଟୋଷ୍ଟ ଏବଂ ଚା’ ରହିଥାଏ । ଦୁହେଁ ନୀରବରେ ପ୍ରଶାନ୍ତଙ୍କୁ ପ୍ରତୀକ୍ଷା କରିଥାନ୍ତି ।

 

କିଛି ସମୟ ପରେ ପ୍ରଶାନ୍ତ ଆସି ସେଠି ପାଦ ଦେଲେ । ବାପ ଝିଅଙ୍କ ମୁହଁରେ ହଠାତ୍‍ ଆନନ୍ଦର ଲହରୀ ଖେଳିଗଲା ।

 

ଚା’ ପିଉ ପିଉ ପ୍ରଶାନ୍ତ କହିଲେ, ବାଟରେ ହଠାତ୍‍ ଜଣେ ପୁରୁଣା ବନ୍ଧୁ ସହିତ ଦେଖା ହୋଇଗଲା । ହସ୍‍ପିଟାଲ ଆସିଥାଏ ଆପେଣ୍ଡିସାଇଡ ଅପରେସନ କରିବାକୁ । ବନ୍ଧୁଟି ମୋର ବଡ଼ ଗରିବ । ସାଙ୍ଗରେ ତା’ର ନବ ପରିଣୀତା ସ୍ତ୍ରୀ । ସ୍ତ୍ରୀଟି ବିଚରା ଭାରୀ ବ୍ୟସ୍ତ ହଉଥାଏ । ମୁଁ ତାକୁ କୌଣସିମତେ ସାନ୍ତ୍ୱନା ଦେଇ, ହସପିଟାଲର ଜଣେ ପରିଚିତ ଡାକ୍ତରଙ୍କୁ କହି ଭଲ ଭାବରେ ଅପରେସନ କରାଇଦେଲି । ସେଇଠି ଟିକେ ଡେରି ହୋଇଗଲା ।

 

ତା’ପରେ ସେ କହିବାକୁ ଲାଗିଲେ କେମିତିଭାବେ ଗୋଟିଏ ନବବିବାହିତର ଅପରେସନ ହେଲା ଆଉ ତା’ ନବପରିଣୀତା ପତ୍ନୀ କିପରି ଭାବେ ବ୍ୟାକୁଳ ହେଉଥିଲା ।

 

‘‘ଆମ ଭାରତରେ ଆଜି ବି ଏମିତି ଗରିବ ଘରର ବୋହୂମାନେ ଅଛନ୍ତି ଯୋଉମାନେ କି ସ୍ୱାମୀପାଇଁ ନିଜ ପ୍ରାଣପାତ କରିବାକୁ ପର୍ଯ୍ୟନ୍ତ ପ୍ରସ୍ତୁତ ଥାଆନ୍ତି । ସ୍ୱାମୀ ପଛକେ ଯେତେ ନିଷ୍ଠୁର ହେଉ ସେ ତାକୁ ଆଦୌ ଛାଡ଼ନ୍ତି ନାହିଁ । ବରଂ ସ୍ୱାମୀର ସାମନ୍ୟ କିଛି ହେଲେ ତା’ପାଇଁ କାନ୍ଦିକାଟି ଠାକୁରଙ୍କୁ ଡାକି ଅସ୍ଥିର ହୋଇଯାନ୍ତି । ସ୍ୱାମୀ ସୁଖରେ ସୁଖୀ ଆଉ ସ୍ୱାମୀ ଦୁଃଖରେ ଦୁଃଖୀ ହୋଇଥାନ୍ତି ।’’

 

ପ୍ରଶାନ୍ତ କଥାରେ ପ୍ରତିବାଦ ଜଣାଇଲା ଶର୍ମିଷ୍ଠା । ସେ କହିଲା, ‘‘ତୁମେ କ’ଣ ଭାବୁଚ, ଧନୀଲୋକମାନଙ୍କ ସ୍ତ୍ରୀଙ୍କ ମନରେ ତାଙ୍କ ସ୍ୱାମୀଙ୍କ ପ୍ରତି ଭଲପାଇବା, ଦୟା କିଛି ନଥାଏ ? ନାରୀ ଚିରଦିନ ନାରୀ । ସେ ଧନୀ ହେଉ ଦରିଦ୍ର ହେଉ ସେ ସର୍ବଦା ତା’ ପ୍ରେମିକପାଇଁ ବଞ୍ଚେ ଆଉ ମରେ-।’’

 

ପ୍ରଶାନ୍ତ କହିଲେ,‘‘ତୁମେ ଠିକ୍‍ କହୁଚ, କିନ୍ତୁ ମୋ କହିବାର ଉଦ୍ଦେଶ୍ୟ ହେଲା ଏ’ କେସରେ ଗୋଟିଏ ଧନୀ ସ୍ତ୍ରୀଲୋକର ଜୀବନ ସେ ତାକୁ ନାନାଦି ସାମାଜିକ କାର୍ଯ୍ୟରେ ନିୟୋଗ କରିପାରେ । କିନ୍ତୁ ଗୋଟିଏ ଦରିଦ୍ର ସରଳା ବିଧବା ଏ ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହୁଏ ।’’

 

ପ୍ରଶାନ୍ତଙ୍କ କଥାରେ ପୁନର୍ବାର ପ୍ରତିବାଦ ଜଣାଇ ଶର୍ମିଷ୍ଠା କହିଲା, ‘‘ଧର ଯଦି ଜଣେ ଧନୀ କନ୍ୟା ଅନ୍ତର ଭିତରେ ଦୁଃଖର ପାହାଡ଼ ରଖି ସମାଜରେ ବାସକରେ ଏବଂ ଆକସ୍ମାତ୍‍ କେତେବେଳେ ମନକୁ ଟିକେ ସାନ୍ତ୍ୱନା ଦେବାପାଇଁ ଖୁସିହୁଏ, ତା’ ମାନେ କ’ଣ ସେଇ ମୁହୂର୍ତ୍ତକ ଖୁସି ତା’ ଅନ୍ତରର ସମସ୍ତ ଦୁଃଖ ଯନ୍ତ୍ରଣାକୁ ଲାଘବ କରିଦିଏ ।’’

 

‘‘ବାବା ବାବା, ତୁମ ଦୁହିଁଙ୍କର ଯୁକ୍ତି ସେତିକି ଥାଉ ତ ।’’ କହିଲେ ଅମରେନ୍ଦ୍ର ପ୍ରସାଦ । ‘‘ତୁ ଗଲୁ ମା, ତୋର ପଢ଼ିବାର ସମୟ ହୋଇଗଲାଣି । ପ୍ରଶାନ୍ତକୁ ମଧ୍ୟ ସାଙ୍ଗରେ ନେଇ ଯା ।’’

 

ଅମରେନ୍ଦ୍ର ପ୍ରସାଦଙ୍କ କଥା ଶୁଣି ଦୁହେଁ ଚେୟାର ଛାଡ଼ି ଉଠିଲେ ।

 

ଶର୍ମିଷ୍ଠା ପଛେ ପଛେ ପ୍ରଶାନ୍ତ ଯାଇ ପହଞ୍ଚିଲା ତା’ ରୁମରେ ।

 

ପ୍ରଶାନ୍ତ ଗୋଟିଏ କବିତା ଆବୃତ୍ତି କଲେ, ଆଉ ଶର୍ମିଷ୍ଠାକୁ କହିଲେ ତା’ର ପୁନରାବୃତ୍ତି କରିବାପାଇଁ ।

 

ତାନପୁରା ଉଠାଇ ଶର୍ମିଷ୍ଠା ସଙ୍ଗେ ସଙ୍ଗେ ତା’ର ପୁନରାବୃତ୍ତି କରିବାକୁ ଆରମ୍ଭକଲା । ତାନପୁରା ତା’ ଅଙ୍ଗୁଳିର ସ୍ପର୍ଶରେ ଝଂକୃତ ହୋଇ ଉଠୁଥାଏ । ତା’ର ସେ ବୀଣାନିନ୍ଦିତ କଣ୍ଠ ପ୍ରଶାନ୍ତଙ୍କୁ ଗଭୀର ଭାବରେ ବୁଡ଼ାଇ ରଖିଥିଲା । ହଠାତ୍‍ ସେ ସଚେତନ ହୋଇଉଠିଲେ । ଶର୍ମିଷ୍ଠା ସଙ୍ଗୀତର ସୁରେ ସୁରେ ତାଙ୍କପାଇଁ ପ୍ରେମ ନିବେଦନ କରୁଥିଲା ଯା’ ସେ ଅନ୍ୟ କାହାପାଇଁ ଲେଖିଥିଲେ ।

 

ପ୍ରଶାନ୍ତ ଶର୍ମିଷ୍ଠାର ସୌନ୍ଦର୍ଯ୍ୟ ଏବଂ ତା’ ମାଦକଭରା ଦୃଷ୍ଟିକୁ ଆଦୌ ଏଡ଼ାଇ ପାରୁନଥିଲେ । ସେ ଜାଣିଥିଲେ ଶର୍ମିଷ୍ଠାର ତାଙ୍କ ପ୍ରତି ଗଭୀର ସ୍ନେହ ରହିଛି । ସେ ତାକୁ ଭଲା ପାଉଥିଲେ, କିନ୍ତୁ ପ୍ରେମ କରୁନଥିଲେ । ସେ ଭାବୁଥିଲେ ତାଙ୍କର କୌଣସି ଅଧିକାର ନାହିଁ ଶର୍ମିଷ୍ଠାକୁ ସେ ପଥରେ ଆଗେଇବାର ସୁଯୋଗ ଦେବାକୁ, ଯୋଉ ପଥକୁ ସେ କେବେହେଲେ ଗ୍ରହଣ କରିପାରିବେ ନାହିଁ । କିନ୍ତୁ ସେକଥା ସେ ଶର୍ମିଷ୍ଠାକୁ କହିବେ କିପରି ?

 

ଭାବିଲେ ସେ ସହର ଛାଡ଼ି ଅନ୍ୟ କେଉଁଆଡ଼େ ଚାଲିଯିବେ, କିନ୍ତୁ ଶର୍ମିଷ୍ଠାର ବାପା କ’ଣ ଭାବିବେ ? ଅମରେନ୍ଦ୍ର ପ୍ରସାଦ ବହିଦାର ସେଇ ଲୋକ ଯିଏ କି ତାଙ୍କପାଇଁ ଅନେକ କିଛି କରିଛନ୍ତି-। ଯାହାପାଇଁ ସେ ଆଜି ସମାଜରେ ପ୍ରତିଷ୍ଠିତ । ସେ ତାଙ୍କ ପାଖରେ ଏତେଟା କୃତଘ୍ନ ହେଇ ପାରିବେ ନାହିଁ । ତା’ପରେ ହର ଆଉ ତାଙ୍କ ସ୍ତ୍ରୀ ସୁଷମା, ଯୋଉମାନେ କି ତାଙ୍କୁ ଭାଇଭଳି ସ୍ନେହ କରିନ୍ତି –ତା’ ଛଡ଼ା ଟୁଟୁ ? ଟୁଟୁକୁ ସେ କିପରି ଭୁଲିପାରିବେ ।

 

ପ୍ରଶାନ୍ତଙ୍କର ଭାବନାସବୁ ଗୋଳମାଳ ହୋଇଯାଉଥିଲା । ସେ ନିଜକୁ ବଡ଼ ଅସହାୟ ମନେ କରୁଥିଲେ ।

 

ପରଦିନ ପ୍ରଶାନ୍ତ ଶର୍ମିଷ୍ଠାଠାରୁ ଏକଟି ପାର୍ଟିର ନିମନ୍ତ୍ରଣ ପାଇ ତାଙ୍କ ଘରକୁ ଆସିଥିଲେ-। ଅତିଥି ମଧ୍ୟରେ ଶର୍ମିଷ୍ଠାର କେତେକ ବାନ୍ଧବୀ ଏବଂ ଶଙ୍କରଙ୍କର କେତେକ ବନ୍ଧୁ । ପ୍ରଶାନ୍ତ ପୂର୍ବରୁ ସେମାନଙ୍କୁ ଅନେକ ଥର ଦେଖିଛନ୍ତି ।

 

ସେମାନେ ସମସ୍ତେ ପ୍ରଶାନ୍ତଙ୍କ ଆଡ଼େ କିପରି ସୁନ୍ଦର ଦୃଷ୍ଟି ତୋଳି ଚାହୁଁଥିଲେ । ପ୍ରଶାନ୍ତ କିଛି ବୁଝିପାରୁ ନଥାନ୍ତି । ପରେ ସେ ଆବିଷ୍କାର କଲେ ଯେ ଏ ପାର୍ଟି ତାଙ୍କ ଜନ୍ମଦିନ ଉପଲକ୍ଷେ ଦିଆଯାଉଛି ।

 

ବାରିଷ୍ଟର ଅମରେନ୍ଦ୍ର ପ୍ରସାଦ, ଯିଏ କି ପ୍ରଶାନ୍ତକୁ ନିଜ ପୁଅ ପରି ସ୍ନେହ କରନ୍ତି ସେ ଗୋଟିଏ ଉଲେନ୍‍ ସୁଟ୍‍ ଆଉ ଏକ ହାପି ବାର୍ଥ ଡେ କାର୍ଡ଼ ତାଙ୍କୁ ପ୍ରେଜେଣ୍ଟ କଲେ ।

 

ଯେତେବେଳେ ପାର୍ଟି ସରିଲା ପ୍ରଶାନ୍ତ ଶର୍ମିଷ୍ଠା ସାଙ୍ଗରେ ଆସି ତା’ ରୁମରେ ପାଦ ଦେଲେ । ଆଉ କହିଲେ, ‘‘ମୁଁ ଆଜି ଟିକେ ଶୀଘ୍ର ଯିବ ।’’

 

‘‘ତୁମେ ଯଦି ମୋ ଅନୁମତି ଚାହୁଁଥାଅ ତା’ହେଲେ ତୁମେ ଯାଇ ପାରିବ ନାହିଁ ।

 

‘‘ତା’ ମାନେ ଜଣଙ୍କର ଅନୁରୋଧ ତୁମେ ରକ୍ଷାକରି ପାରିବନାହିଁ ।’’

 

‘‘ନା ।’’

 

‘‘ତୁମକୁ କହିବାଟା କ’ଣ ମୋର ଭୁଲ ହୋଇଛି ?’’

 

‘‘ନା ।’’ ଶର୍ମିଷ୍ଠା ତା’ ଗଡ଼ରେଜ ଆଲମିରାରୁ ପ୍ରଶାନ୍ତଙ୍କର ଗୋଟିଏ ବଡ଼ ତୈଳଚିତ୍ର ଆଣି କହିଲା, ‘‘ତୁମେ କ’ଣ ତୁମ ଜନ୍ମଦିନରେ ମୋର ଏ’ ଉପହାରଟିକୁ ଗ୍ରହଣ କରିବ ନାହିଁ ?’’

 

ଗୋଟିଏ ସୁନ୍ଦର ପେଣ୍ଟିଂ । ପ୍ରଶାନ୍ତଙ୍କର ଚିନ୍ତିତ ମନକୁ ତା’ ମଧ୍ୟରେ ସୁନ୍ଦର ଭାବରେ ରୂପାୟିତ କରାଯାଇଛି ।

 

ପ୍ରଶାନ୍ତ ଜାଣିଥିଲେ ଶର୍ମିଷ୍ଠା ଗୋଟିଏ ଭଳ କଳାକାର । କିନ୍ତୁ ତାଙ୍କର ଧାରଣା ନଥିଲା ସେ ଏତେ ସୁନ୍ଦର ପେଣ୍ଟ୍‍ କରିପାରେ ବୋଲି । ସେ ଟିକେ ଆଶ୍ଚର୍ଯ୍ୟ ହେଲେ । ଶର୍ମିଷ୍ଠା କେବେଠାରୁ ତାଙ୍କୁ ଲକ୍ଷ୍ୟ କରି ଏ ଚିତ୍ରଟି ଆଙ୍କିଚି । କିନ୍ତୁ ତାଙ୍କୁ ଗୋଟାଏ ଜିନିଷ ବଡ଼ ବାଧିଲା । ସେ’ଟା ହେଉଛି ଫଟଟିରେ ଝୁଲୁଥିବା ଗୋଲାପ ଫୁଲର ମାଳଟି ।

 

‘‘ମୁଁ ତୁମ କଳାର ପ୍ରଶଂସା ଯେ କିପରି ଭାବରେ କରିବି, ଖୋଜି ଭାଷା ପାଉନାହିଁ ।

 

‘‘ସେ’ଟା କ’ଣ ନିହାତି ଦରକାର ।’’

 

‘‘ମୁଁ କେମିତି ଭାବେ ତୁମର ଏ ଦୟା ସୁଝେଇବି, ବୁଝିପାରୁ ନାହିଁ । ତୁମକୁ ଦବାପାଇଁ ମୋ ପାଖରେ କିଛି ନାହିଁ ।

 

‘‘ଏଟା ଦୟା ନୁହେଁ, ଗୋଟିଏ ଉପହାର ।’’

 

କିନ୍ତୁ ଏ ଫୁଲମାଳ କାହିଁକି ?

 

‘‘ଆଜି ତୁମର ଜନ୍ମଦିନ, ସେଇଥିପାଇଁ । ଭାବିଥିଲି ମାଳାଟି ତୁମ ଗଳାରେ ପିନ୍ଧାଇ ଦେବି, କିନ୍ତୁ ସାହସ କରି ପାରିଲି ନାହିଁ ।’’ କହି ଶର୍ମିଷ୍ଠା ମସ୍ତକ ନତ କଲା ।

 

ପ୍ରଶାନ୍ତଙ୍କର ସବୁ ଯେମିତି ଗୋଳମାଳ ହୋଇ ଯାଉଥିଲା । ତାଙ୍କର ମନେ ହେଉଥିଲା ସେ କହିଦେବେ ଆଉ କେବେ ୟା କରିବ ନାହିଁ କିନ୍ତୁ କ’ଣ ଭାବି ରହିଗଲେ ।

 

‘‘ଶର୍ମିଷ୍ଠା, ତୁମେ ଦେଖୁଚ ଆଜିକାଲି ମୋ ଦେହଟା ଭଲ ରହୁନାହିଁ । ଭାବୁଛି କିଛିଦିନ ଜଳବାୟୁ ପରିବର୍ତ୍ତନପାଇଁ ବାହାରକୁ କୁଆଡ଼େ ଯିବି । ଯଦି ବାପା ଆପତ୍ତି ନ କରନ୍ତି ।’’

 

ପ୍ରଶାନ୍ତ ମଧ୍ୟ ଶର୍ମିଷ୍ଠା ପରି ଅମରେନ୍ଦ୍ର ପ୍ରସାଦଙ୍କୁ ବାପା ବୋଲି ଡାକନ୍ତି ।

 

ପ୍ରଶାନ୍ତଙ୍କ କଥା ଶୁଣି ଶର୍ମିଷ୍ଠା ତାଙ୍କ ମୁହଁକୁ କିପରି ଏକ ଉଦାସ ଚାହାଣିରେ ଚାହିଁ ରହିଲା ।

ପ୍ରଶାନ୍ତ କିନ୍ତୁ ସେ ଦୃଷ୍ଟି ସହ୍ୟ କରି ପାରିଲେ ନାହିଁ । ତଳକୁ ମୁହଁ କରିଦେଲେ ।

ଶର୍ମିଷ୍ଠା ଜାଣିଥିଲା ସେ ପ୍ରଶାନ୍ତଙ୍କୁ କେବେହେଲେ ପାଇ ପାରିବ ନାହିଁ, ତଥାପି ତା’ ମନର କୋଉ କୋଣରେ ଯେମିତି ଏକ କ୍ଷୀଣ ଆଶା ଲୁଚି ରହିଥିଲା । ଟିକିଏ କରୁଣ ସ୍ୱରରେ ସେ କହିଲା, ‘‘ଏଠି ତୁମେ ଅସୁସ୍ଥତା ଅନୁଭବ କରୁଛ ?’’

‘‘କେତେବେଳେ କେତେବେଳେ ।’’

‘‘କୋଉଠିକି ଯିବାପାଇଁ ଠିକ୍‍ କରିଛ ?’’

‘‘କହିପାରିବି ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ଥିର କରିନାହିଁ ।’’

‘‘କେବେ ଫେରିବ ?’’

‘‘ଯେତେବେଳେ ତୁମ ବିବାହର ଆମନ୍ତ୍ରଣ ପାଇବି ?’’

ୟା’ ପରେ ଶର୍ମିଷ୍ଠା ଆଉ କୌଣସି ପ୍ରଶ୍ନ କରି ନଥିଲା ।

କିଛିଦିନ ପରେ ହଠାତ୍‍ ଶର୍ମିଷ୍ଠା ଅସୁସ୍ଥ ହୋଇ ପଡ଼ିଲା । ଦିନୁଦିନ ତା’ର ସ୍ୱାସ୍ଥ୍ୟ ଖରାପ ଆଡ଼କୁ ଗତିକଲା । ଅମରେନ୍ଦ୍ର ପ୍ରସାଦ ଚିନ୍ତିତ ହୋଇ ଉଠିଲେ । ମନେ ମନେ ଠିକ୍‍ କଲେ ଜଳବାୟୁ ପରିବର୍ତ୍ତନପାଇଁ ସେ ଶର୍ମିଷ୍ଠାକୁ କୌଣସି ହିଲ୍‍ ଷ୍ଟେସନକୁ ନେଇଯିବେ । ତେଣୁ ଦିନେ ସେ ପ୍ରଶାନ୍ତଙ୍କୁ ଡାକି କହିଲେ, ‘‘ପ୍ରଶାନ୍ତ ତୁମେ ଦେଖୁଥିବ, ଆଜିକାଲି ଶର୍ମିଷ୍ଠାର ସ୍ୱାସ୍ଥ୍ୟଟା ଭଲ ରହୁନାହିଁ ।’’

‘‘ହଁ’’ । ନୀରବରେ ସମ୍ମତ୍ତି ଜଣାଇଲା ପ୍ରଶାନ୍ତ ।

‘‘ମୋର ଇଚ୍ଛା କିଛିଦିନପାଇଁ ତାକୁ କୌଣସି ହିଲ୍‍ ଷ୍ଟେସନକୁ ନେଇଯିବାପାଇଁ ’’।

‘‘ଖୁବ୍‍ ଭଲ ହେବ ।’’

‘‘କିନ୍ତୁ ପ୍ରଶାନ୍ତ, ତୁମେ ମୋ ଆଣ୍ଠୁ କଥା ତ ଜାଣ..... ସେଥିପାଇଁ ତୁମର ଆମ ସାଙ୍ଗରେ ଯିବାଟା ନିହାତି ଦରକାର । ତୁମ ବ୍ୟତୀତ ମୁଁ ତା’ ଉପରେ ଦୃଷ୍ଟି ରଖିପାରିବି ନାହିଁ ।’’

 

‘‘କିନ୍ତୁ ମୋର ଏଠି ଅନେକଗୁଡ଼ିଏ କାମ ବାକି ରହିଯାଇଛି ।’’ ଟିକେ ନମ୍ର ଭାବରେ କହିଲେ ପ୍ରଶାନ୍ତ ।

 

ଶର୍ମିଷ୍ଠାର ଜୀବନଠାରୁ ନିଶ୍ଚେ ତୁମର ସେ କାମଗୁଡ଼ିକ ବଡ଼ ନୁହେଁ ।’’ ଏକ ଦୃଢ଼ ସିଦ୍ଧାନ୍ତ ଭାବେ କଥାଟା କହିଲେ ଅମରେନ୍ଦ୍ର ପ୍ରସାଦ ବହିଦାର ।

 

ପ୍ରଶାନ୍ତ ଆଉ କିଛି କହିଲେ ନାହିଁ, ନୀରବ ରହିଲେ ।

 

ସିମଳାର ବଂଲୋଟା ବେଶ୍‍ ବଡ଼ । ପ୍ରଶାନ୍ତ, ଅମରେନ୍ଦ୍ର ପ୍ରସାଦ ଏବଂ ଶର୍ମିଷ୍ଠା ତିନୋଟି ବଡ଼ ବଡ଼ ରୁମ୍‍ ପାଇଥାନ୍ତି ।

 

ଅମରେନ୍ଦ୍ର ପ୍ରସାଦ ଅଧିକାଂଶ ସମୟ ବଂଲୋର ବାରଣ୍ଡାରେ ଆରାମଚେୟାର ପକାଇ ବସି ରୁହନ୍ତି । ଶର୍ମିଷ୍ଠା ଆଉ ପ୍ରଶାନ୍ତ ପ୍ରାୟ ଦିନସାରା ବାହାରେ ବାହାରେ ରୁହନ୍ତି । ପିକ୍‍ନିକ୍‍, ସିନେମା, ବୁଲିବା ଇତ୍ୟାଦି ହେଲା ତାଙ୍କର ପ୍ରଧାନ କାର୍ଯ୍ୟ । ଯେତେବେଳେ ଘରେ ରୁହନ୍ତି ଅମରେନ୍ଦ୍ର ପ୍ରସାଦଙ୍କ ପାଖେ ପାଖେ ଥା’ନ୍ତି ।

 

ଦିନେ କେତେଜଣ ବନ୍ଧୁ ଆସି ପାହାଡ଼ର ପାଦଦେଶ ଆଡ଼େ ବୁଲିଯିବାପାଇଁ ପ୍ରୋଗ୍ରାମ କଲେ । ଶର୍ମିଷ୍ଠା ଆଗ୍ରହୀ ହୋଇ ବାହାରି ପଡ଼ିଲା । ପ୍ରଶାନ୍ତ ମଧ୍ୟ ସାଙ୍ଗରେ ଗଲେ । ବାହାରେ ଝିପି ଝିପି ବରଷା ପଡ଼ୁଥିବାରୁ ପ୍ରଶାନ୍ତ ଶର୍ମିଷ୍ଠାକୁ ସାଙ୍ଗରେ ଛତା ନେଇ ଯିବାକୁ କହିଲେ ।

 

ସେମାନେ କିଛିଦୂର ପଦବ୍ରଜରେ ଯାତ୍ରା କଲା ପରେ ବର୍ଷା ହଠାତ୍‍ ବନ୍ଦ ହୋଇଗଲା ।

 

ଶର୍ମିଷ୍ଠା ଥରେ ତା’ ହାତରେ ଧରିଥିବା ଛତା ଉପରେ ଏକ କୌତୂହଳୀ ଦୃଷ୍ଟି ପକାଇ, ପ୍ରଶାନ୍ତଙ୍କୁ ଲକ୍ଷ୍ୟ କରି କହିଲା, ‘‘ଅଯଥା ତୁମେ ମୋ ଉପରେ ଏ ବୋଝଟିକୁ ଚାପିଦେଲ ।’’

 

‘‘ଠିକ୍‍ ଅଛି ।’’ ଶର୍ମିଷ୍ଠା ହାତରୁ ଛତାଟି ନେଇ ପ୍ରଶାନ୍ତ କହିଲେ ‘‘ଗୋଟାଏ କାମ କରିବା, ଆମେ ଭାଗ କରିନେବା । ଯେତେବେଳେ ବର୍ଷା ହବ, ସେତେବେଳେ ତୁମେ ଧରିବ, ଆଉ ଯେତେବେଳେ ବର୍ଷା ବନ୍ଦ ହୋଇଯିବ, ସେତେବେଳେ ମୁଁ ଧରିବି ।’’

 

ତାଙ୍କ କଥାରେ ସମସ୍ତେ ହସି ଉଠିଲେ ।

 

ଠିକ୍‍ ସେଇ ସମୟରେ ହଠାତ୍‍ ପୁଣି ବର୍ଷା ପଡ଼ିବାକୁ ଆରମ୍ଭ କଲା । ପ୍ରଶାନ୍ତ ଛତା ଖୋଲି ଶର୍ମିଷ୍ଠା ହାତକୁ ବଢ଼ାଇ ଦେଲେ ।

 

କିନ୍ତୁ ଶର୍ମିଷ୍ଠା ଆପତ୍ତି କଲା, ‘‘ମୁଁ ଏ ବୋଝ ବୋହିପାରିବି ନାହିଁ, ତୁମେ ଧର । ଯଦି କିଛି ମନେ ନକର ତା’ହେଲେ ମୁଁ ତୁମ ସହିତ ଛତା ଭିତରେ ଯିବ ।’’

 

ପ୍ରଶାନ୍ତଙ୍କଠାରୁ କୌଣସି ଉତ୍ତର ଶୁଣିବା ପୂର୍ବରୁ ତାଙ୍କ ନିକଟକୁ ଚାଲି ଆସିଥିଲା ସେ ।

 

ପୁନର୍ବାର ବର୍ଷା ବନ୍ଦ ହୋଇଗଲା ।

 

ପ୍ରଶାନ୍ତ ଛତାଟିକୁ ବନ୍ଦ କରିଦେଲେ ।

 

ଖୁବ୍‍ ଆସ୍ତେ ଶର୍ମିଷ୍ଠା କହିଲା, ‘‘ମୋର ଭୟ ହେଉଛି, ଚିରଦିନ ଯେମିତି ତୁମକୁ ଏ’ ବୋଝ ବୋହିବାକୁ ନପଡ଼େ ।

 

ପ୍ରଶାନ୍ତ ଶର୍ମିଷ୍ଠାର କହିବାର ଉଦ୍ଦେଶ୍ୟଟା ବୁଝିପାରିଥିଲେ । ଶର୍ମିଷ୍ଠା କିପରି ଏକ ଉତ୍ସୁକ ଚାହାଣିରେ ତାଙ୍କୁ ଲକ୍ଷ୍ୟ କରୁଥିଲା ।

 

ପ୍ରଶାନ୍ତ କିଛି କହିଲେ ନାହିଁ, କି ତାଙ୍କ ମୁହଁରେ କୌଣସି ଭାବ ପରିସ୍ଫୁଟନ ହେଲାନି ।

 

ଚାଲୁଚାଲୁ ଏକ ମୋଡ଼ ବାଙ୍କିଲା ପରେ ସେମାନେ ଦେଖିଲେ ଗୋଟିଏ ଘର ପାଖରେ କେତେଗୁଡ଼ିଏ ଲୋକ ଜମା ହୋଇଛନ୍ତି । କାହାର ଜଣଙ୍କର ବାହାଘର ହେଉଛି ସେଠି । ଅନେକ ଗ୍ରାମୀଣ ସ୍ତ୍ରୀ ଲୋକ ନୂଆ ଶାଢ଼ୀ ଆଉ ରୂପା ଗହଣା ପିନ୍ଧି ହାତ ଛନ୍ଦାଛନ୍ଦି ହେଇ ବିଭିନ୍ନ ଭଙ୍ଗୀରେ ନୃତ୍ୟ କରୁଥାନ୍ତି । ତାଙ୍କର ସେ ଭାରୀ ରୂପାର ଗହଣାଗୁଡ଼ିକ ନୃତ୍ୟର ତାଳ ତାଳେ ଝଣତ୍‍ ଝଣତ୍‍ ଶବ୍ଦ ସୃଷ୍ଟି କରୁଥାଏ ।

 

ଶର୍ମିଷ୍ଠା ଏବଂ ତା’ର ଅନ୍ୟ ସାଙ୍ଗମାନେ ଠିକ୍‍ କଲେ କ’ଣ ହେଉଛି ଦେଖିବାପାଇଁ । ତାଙ୍କ ମଧ୍ୟରୁ ଜଣେ ରାସ୍ତାରୁ ତଳକୁ ଓହ୍ଲାଇ ଗଲା । ତା’ ପଛେ ପଛେ ସମସ୍ତେ ଜଣ ଜଣ ହୋଇ କୌତୂହଳୀ ହୋଇ ସେଆଡ଼େ ପାଦ ବଢ଼ାଇଲେ ।

 

ତା’ପରେ ଯେତେବେଳେ ସେମାନେ ସେଠୁ ଫେରିଲେ ଶର୍ମିଷ୍ଠାର ମୁଖଭାଗ ହଠାତ୍‍ ବିଷାଦରେ ଭରିଗଲା ।

 

ଲକ୍ଷ୍ୟ କରିଥିଲେ ପ୍ରଶାନ୍ତ । ସେ କହିଲେ, ‘‘ଶର୍ମିଷ୍ଠା, ସେଠି ଗୋଟିଏ ବାହାଘର ହେଉଥିଲା ନା ?’’

 

‘‘ବାହାଘର ! କୋଉଠି ?’’ ଟିକେ ଗମ୍ଭୀର ସ୍ୱରରେ ପଚାରିଲା ଶର୍ମିଷ୍ଠା ।

 

‘‘ସେଇଠି ତଳେ, ମୁଁ ଭାବୁଛି ସେ’ଟା ଗୋଟାଏ ବାହାଘର ।’’

 

‘‘ଓ, ସେଠି–ସେ’ଟା ବାହାଘର ନୁହେଁ, ସେଠି ଆତ୍ମବଳୀ ଦିଆ ହେଉଛି । ଲୋକମାନେ ଜମା ହୋଇଛନ୍ତି ଜଣଙ୍କୁ ବଳୀ ଦବାପାଇଁ ।’’

 

‘‘ଏହି ମୂର୍ଖ ରକ୍ଷଣଶୀଳ ପାହାଡ଼ିଆ ଲୋକଗୁଡ଼ାକ ସବୁବେଳେ କିଛି ନା କିଛି କାରଣପାଇଁ ବଳୀ ଦିଅନ୍ତି । କେତେବେଳେ ବର୍ଷା ହବାପାଇଁ କେତେବେଳେ ନ ହେବାପାଇଁ ।’’ ତାଙ୍କ ମଧ୍ୟରୁ ଜଣେ କହିଲା ।

 

ଶର୍ମିଷ୍ଠା ବ୍ୟତୀତ ସମସ୍ତେ ସଶବ୍ଦେ ହସି ଉଠିଲେ ।

 

‘‘ନା, ଆଜିର ବଳୀ ସମ୍ପୂର୍ଣ୍ଣ ଅଲଗା । ସେମାନେ ଆଜି ଗୋଟିଏ କୁମାରୀ କନ୍ୟାର ଆତ୍ମାକୁ ବଳୀ ଦବାକୁ ଯାଉଛନ୍ତି । ସେ ପୁଣି ଏକ ଅଳ୍ପବୟସ୍କା ସୁନ୍ଦରୀ କନ୍ୟାର । ଗୋଟିଏ ବୟସ୍କ ଲୋକ, ପ୍ରାୟ ବୃଦ୍ଧ କହିଲେ ଚଳେ, ସେ ଗୁଡ଼ାଏ ଗହଣା ନେଇ ଆସିଛି ତରୁଣୀଟିକୁ ବିଭା ହେବାପାଇଁ । ଯା’କୁ ପୂର୍ବରୁ ବିଭା ହୋଇଥିଲା ତା’ର ପିଲାପିଲି ନ ହେବାରୁ ଡାକ୍ତର କୁଆଡ଼େ ତାକୁ ପରାମର୍ଶ ଦେଇଥିଲେ ଆଉ ଗୋଟିଏ ବିଭା ହେବାକୁ ।’’ ବାଷ୍ପରୁଦ୍ଧ କଣ୍ଠରେ କହିଲା ଶର୍ମିଷ୍ଠା । ନିଜ ଆଖିର ଲୁହକୁ ଅଟକାଇ ରଖିବାକୁ ଚେଷ୍ଟା କରୁଥାଏ ସେ ।

 

ବର୍ତ୍ତମାନ ତା’ ସାଙ୍ଗମାନେ ବୁଝିପାରିଲେ ଯେ ଶର୍ମିଷ୍ଠାର ଏ’ ଦୁଃଖିତ ମନୋଭାବ କୋଉଥିପାଇଁ । ସେ ସେହି ବୃଦ୍ଧ ସହିତ ତରୁଣୀଟିର ବିବାହକୁ ସହ୍ୟ କରିପାରିନାହିଁ ।

 

ଶର୍ମିଷ୍ଠାର ଜଣେ ବନ୍ଧୁ କହିଲା, ‘‘ସେ ଉକ୍ତ ତରୁଣୀଟିକୁ ଦେଖିଛି, ଗୋଟିଏ ଅଳ୍ପବୟସ୍କା ସୁନ୍ଦରୀ କନ୍ୟା ।

 

ଏକଥା ଶୁଣି ସମସ୍ତଙ୍କ ହୃଦୟ ଦୁଃଖରେ ଭରିଗଲା ।

 

ଶର୍ମିଷ୍ଠା ନିଜକୁ ସମ୍ଭାଳି ନେଇ କହିଲା, ‘‘ସେଇ ବୃଦ୍ଧର ବର୍ତ୍ତମାନ ସୁଦ୍ଧା ତିନୋଟି ସ୍ତ୍ରୀ ଜୀବିତ ଅଛନ୍ତି ।’’

 

‘‘ବୋଧହୁଏ ତରୁଣୀଟି ଜାଣେ ନାହିଁ, ନହେଲେ ତା’ ହୃଦୟରେ ଗୁରୁତର ଆଘାତ ଲାଗନ୍ତା । ଶର୍ମିଷ୍ଠା କଥାରେ ବାଧା ଦେଇ ବନ୍ଧୁମାନେ କହିଲେ ।

 

‘‘ଯଦି ସେ ଜାଣିଥାନ୍ତା, ତା’ହେଲେ କ’ଣ କରି ପାରିଥାନ୍ତା ? ପ୍ରଶ୍ନ କଲେ ପ୍ରଶାନ୍ତ ।

 

ମୁଁ ଆଶ୍ଚର୍ଯ୍ୟ ହେଉଛି ସେ ସେଠି ଯାଇ ଚଳିବ କେମିତି । କେମିତି ଭାବରେ ହସି ଖେଳି ସେ ସେଇ ବୃଦ୍ଧ ଲୋକଟି ସହିତ ତା’ ଜୀବନ ବ୍ୟତୀତ କରିବ ?’’ ଟିକେ ବ୍ୟଥିତ କଣ୍ଠରେ କହିଲା ଶର୍ମିଷ୍ଠା ।

 

‘‘ଏଥିରେ ଆଶ୍ଚର୍ଯ୍ୟ ହବାର କ’ଣ ଅଛି, ସବୁବେଳେ ଯେ ସମ ସ୍ତର କିମ୍ବା ସମବୟସ୍କ ଲୋକଙ୍କର ବିଭାଘର ହୁଏ, ଏଥିରେ କିଛି ମାନେ ନାହିଁ । ତା’ ଛଡ଼ା ଅନେକ କ୍ଷେତ୍ରରେ ତ ଏପରି ଘଟୁଛି ଅଳ୍ପ ବୟସର ଝିଅ ସହିତ ଟିକ ବେଶୀ ବୟସର ପୁଅର ବିଭାଘର ହେଉଛି ।’’

 

‘‘ମୁଁ ବୁଝିପାରୁ ନାହିଁ ସେ ଝିଅମାନେ କେମିତି ସେ ପୁଅମାନଙ୍କ ସାଙ୍ଗରେ ଏକାଠି ଦିନ କଟାନ୍ତି ଯା’କୁ କି ସେମାନେ କେବେ ଭଲପାଇ ନଥାନ୍ତି । ଟିକେ ରୁନ୍ଧିଲା କଣ୍ଠରେ କହିଲା ଶର୍ମିଷ୍ଠା ।

 

‘‘ଶର୍ମିଷ୍ଠା, ପ୍ରତିଦିନ ହଜାର ହଜାର ପୁଅ ଝିଅ ବାହା ହେଉଛନ୍ତି । ତୁମେ କ’ଣ ଭାବୁଚ ସେମାନେ ସମସ୍ତେ ପରସ୍ପରକୁ ଭଲ ପାଇ ବାହା ହେଉଛନ୍ତି । ପଚାରିଲେ ପ୍ରଶାନ୍ତ ।’’

 

‘‘ଯଦି ସେମାନେ ଭଲ ନ ପାଉଥାନ୍ତି, ତା’ହେଲେ ସେମାନେ ବାହା ହୁଅନ୍ତି କାହିଁକି ? କେମିତି ଭାବେ ସେମାନେ ତାଙ୍କ ଜୀବନ ବ୍ୟତୀତ କରନ୍ତି ?’’

 

ପ୍ରାୟ ଅଧିକାଂଶ କୌଣସି ବିରକ୍ତି ପ୍ରକାଶ ନକରି କିମ୍ବା କୌଣସି ପ୍ରତିବାଦ ନକରି ସେଟାକୁ ନିଜ ଭାଗ୍ୟ କିମ୍ବା ବାପା ମା’ଙ୍କ ଖୁସି ଉପରେ ଛାଡ଼ି ଦିଅନ୍ତି ଏବଂ ସର୍ବଦା ନିଜକୁ ଖୁସି ରଖିବାପାଇଁ ଚେଷ୍ଟା କରନ୍ତି । ତାଙ୍କ ମଧ୍ୟରୁ ଜଣେ କହିଲା ।

 

ହଁ, ପ୍ରକୃତରେ ସେ’ଟା ଠିକ୍‍ । ଏହି ଜିନିଷଗୁଡ଼ିକ ଆମ୍ଭମାନଙ୍କ ଆଖିରେ, ଖରାପ ଠିକ୍‍ ନୁହେଁ, କିନ୍ତୁ ସେମାନେ ତାକୁ ଅଦୃଷ୍ଟ ଉପରେ ଛାଡ଼ି ଦିଅନ୍ତି ଏବଂ ଆସ୍ତେ ଆସ୍ତେ ସେ’ଟା ତାଙ୍କ ଜୀବନରେ ଅଭ୍ୟାସରେ ପରିଣତ ହୋଇଯାଏ ।

 

ସ୍ୱାମୀ ସ୍ତ୍ରୀ ଏକାଠି ବାସ କରନ୍ତି, ସନ୍ତାନ ଉତ୍ପନ୍ନ କରନ୍ତି, ଏପରିକି କେହି କାହାକୁ ଅବିଶ୍ୱାସ କରନ୍ତି ନାହିଁ ମଧ୍ୟ ତଥାପି ସେମାନେ ପରସ୍ପରକୁ ଭଲପାଇ ପାରନ୍ତି ନପାଇ ପାରନ୍ତି ।’’ ଉଦାସ କଣ୍ଠରେ ଏତେକ କହି ଟିକିଏ ରହି ପ୍ରଶାନ୍ତ ପୁଣି କହିଲେ, ‘‘ୟାକୁ ତୁମେ କ’ଣ କହିବ ସ୍ୱାମୀ ଭକ୍ତି ? ଦାମ୍ପତ୍ୟ ବିଶ୍ୱାସ ? କିନ୍ତୁ ନିଶ୍ଚେ ପ୍ରେମ ନୁହେଁ । ଏହା ଏକ ଅଭ୍ୟାସ । ଯେପରି ହସିବା, କାନ୍ଦିବା, ଖାଇବା, ପିଇବା, ବଞ୍ଚିବା ସେହିପରି ।’’ କହୁ କହୁ ଟିକେ ଉତ୍ତେଜିତ ହୋଇ ପଡ଼ିଥିଲେ ପ୍ରଶାନ୍ତ । ତାଙ୍କ ମୁଖଭାଗ ଆରକ୍ତ ହୋଇ ଉଠିଥିଲା ଏବଂ ଚକ୍ଷୁ ଦୁଇଟିରେ ଦୁଇବିନ୍ଦୁ ଲୋତକ ଚିକ୍‍ ଚିକ୍‍ କରୁଥିଲା ।

 

ଶର୍ମିଷ୍ଠା ପ୍ରଶାନ୍ତଙ୍କ ଆଡ଼େ ଏକାଗ୍ର ଦୃଷ୍ଟିରେ ଚାହିଁ ରହିଥିଲା । ତାଙ୍କ କଥା ଶୁଣି ସେ ଗଭୀର ଭାବରେ ଅନୁପ୍ରାଣିତ ହୋଇ ପଡ଼ିଥିଲା ।

 

ଅନ୍ୟ ସମସ୍ତେ ମଧ୍ୟ ଏଥିରେ ବିଶେଷ ଅନୁପ୍ରାଣିତ ହୋଇଯାଇଥିଲେ । ଯଦିଚ ସେମାନେ ମଣିଷ ଜୀବନର ଏଇ କୁତ୍ସିତ ଭାଗ ସହିତ ପୂର୍ବରୁ ପରିଚିତ ଥିଲେ; ତଥାପି ପ୍ରଶାନ୍ତ ତାକୁ ଯେପରି ଭାବରେ ବ୍ୟାଖ୍ୟା କଲେ, ସେଥିରେ ସେମାନେ ଆଉରି ଅଧିକ ଅନୁପ୍ରାଣିତ ହୋଇ ପଡ଼ିଲେ ।

 

ଶର୍ମିଷ୍ଠା ସ୍ୱାସ୍ଥ୍ୟର ବେଶ୍‍ ଉନ୍ନତି ଘଟିଥାଏ ।

 

ଦିନେ ଭୋରରୁ ଉଠି ଶର୍ମିଷ୍ଠା ବାହାରକୁ ଆସି ଦେଖେ ପାଇନ ଗଛର ଗୋଟିଏ ଡାଳ ତା’ ରୁମ୍‍ ଆଡ଼କୁ ବଙ୍କେଇ ଆସିଛି । ଆଉ ସେଥିରେ ରାତ୍ରିର ଶିଶିର ପଡ଼ି ବେଶ୍‍ ସୁନ୍ଦର ଦେଖାଯାଉଛି ।

 

ତା’ର କାହିଁକି ଏ ସୁନ୍ଦର ସକାଳରେ ଗୋଟିଏ କବିତା ଆବୃତ୍ତି କରିବାକୁ ଇଚ୍ଛା ହେଲା । ପାଇନ ଗଛର ଡାଳଟକୁ ଧରି ସେ ଗାଇବାକୁ ଆରମ୍ଭ କଲା ।

 

ପାଖ ଗରେ ପ୍ରଶାନ୍ତ ଶର୍ମିଷ୍ଠାର ଗୀତ ଶୁଣୁଥିଲେ । ସେ ଗୀତ ଶର୍ମିଷ୍ଠାର ହୃଦୟର ସଙ୍ଗୀତ । କେତେଦିନ ସେ ଆଉ ତାକୁ ଏ ଅନ୍ଧକାରରେ ରଖିବେ ତା’ର ସେ ସୁନ୍ଦର ସ୍ୱପ୍ନ ଶୀଘ୍ର ହେଉ ବିଳମ୍ବରେ ହେଉ ଦିନେ ନା ଦିନେ ନିଶ୍ଚେ ଭୁଷୁଡ଼ି ପଡ଼ିବ । ସେତେବେଳେ ଜୀବନଟା ତା’ର ଶୂନ୍ୟବୋଧ ହେବ । ତା’ ପୂର୍ବରୁ ସତ୍ୟ ତା’ ନିକଟରେ ପ୍ରକାଶ କରିଦେବା ଦରକାର ।

 

ଘର ଭିତରୁ ବାହାରି ଆସିଲେ ସେ । ଦେଖିଲେ ପାଇନ ଡାଳକୁ ଧରି ଶର୍ମିଷ୍ଠା ଗୀତ ଗାଉଛି । ସେ କେମିତି ଭାବେ ତା’ର ସେ ସୁନ୍ଦର ସ୍ୱପ୍ନକୁ ହତ୍ୟା କରିବେ ? ତା’ର ସ୍ୱାସ୍ଥ୍ୟର ଉନ୍ନତି ହୋଇଛି । ଯଦି ସେ ସତ୍ୟ ପ୍ରକାଶ କରନ୍ତି ତା’ହେଲେ ତା’ ସ୍ୱାସ୍ଥ୍ୟ ପୁନର୍ବାର ଭାଙ୍ଗିପଡ଼ିବ । ସେ କିପରି ତା’ ହୃଦୟରେ ଏତେବଡ଼ ଆଘାତ ଦେବେ ! ଶର୍ମିଷ୍ଠା ବର୍ତ୍ତମାନ ବାରିଷ୍ଟର ଅମରେନ୍ଦ୍ର ପ୍ରସାଦ ବହିଦାରଙ୍କ ନିରାଶ୍ରୟ ଜୀବନର ଏକମାତ୍ର ଆଶ୍ରୟ । ସେ ତାଙ୍କର ସେ ଆଶ୍ରୟକୁ କୌଣସିମତେ ଛଡ଼ାଇ ନେଇ ପାରିବେ ନାହିଁ ।

 

ଶର୍ମିଷ୍ଠା ସେ ପର୍ଯ୍ୟନ୍ତ ଗୀତ ଗାଇବା ବନ୍ଦକରି ନଥାଏ । ଯେତେବେଳେ ସେ ମୁହଁ ଫେରାଇଲା, ଦେଖିଲା ପ୍ରଶାନ୍ତ ବାହାରେ ଆସି ଛିଡ଼ା ହୋଇଛନ୍ତି ।

 

ପ୍ରଶାନ୍ତ ଆଉ ସେ ଆଡ଼ୁ ଦୃଷ୍ଟି ଫେରାଇ ଆଣି ପାରିଲେ ନାହିଁ । ଆସ୍ତେ ଆସ୍ତେ ଶର୍ମିଷ୍ଠା ନିକଟକୁ ଆଗେଇ ଗଲେ ସେ ।

 

ତା’ପରେ ଦୁହେଁ ଦୁହିଁଙ୍କୁ ଚାହିଁ ହସି ଉଠିଲେ ।

 

‘‘ପ୍ରଶାନ୍ତ ।’’

 

‘‘କୁହ’’।

 

‘‘ତୁମେ ସବୁବେଳେ ଉଦାସ କାହିଁକି, ମୋ’ ପରି ଖୁସି ନୁହଁ କାହିଁକି ?’’

 

‘‘ତୁମ ପରି ମୁଁ କେମିତି ଖୁସି ରହିବି କୁହ ? ତୁମେ ହେଲ ରାଜକୁମାରୀ ।’’

 

‘‘ସତେ ?’’

 

‘‘ହଁ, ଜଣେ ପ୍ରକୃତ ରାଜକୁମାରୀ । ଆଉ ମୁଁ ଗୋଟିଏ ଭିକାରୀ ।’’

 

‘‘ସୁନ୍ଦର !’’

 

‘‘ମୁଁ ଥଟ୍ଟା କରୁନାହିଁ, ଶର୍ମିଷ୍ଠା ।’’

 

‘‘ତା’ହେଲେ ତୁମେ ଗୋଟିଏ ରାଜକୁମାରୀ ପାଖକୁ ଆସିଲଣି ଭିକାରୀ ସାଜି । କ’ଣ ଦବ ସେ ତୁମକୁ ?’’

 

‘‘ମୁଁ କିଛି ନବାପାଇଁ ଆସିନାହିଁ ।

 

‘‘ତା’ହେଲେ ବୋଧେ ତୁମେ ଏଠିକି ଆସିଛ ତାକୁ କିଛି ଦବାପାଇଁ । ଦେଇଦିଅ ତାକୁ ।’’

 

‘‘ନା, ମୋ ପାଖରେ ଦବାପାଇଁ ମଧ୍ୟ କିଛି ନାହିଁ ।’’

 

‘‘ତା’ହେଲେ ?

 

‘‘ମୁଁ ଆସିଛି ତାକୁ କହିବାକୁ ଯେ ଗୋଟିଏ ରାଜକୁମାରୀ ଆଉ ଗୋଟିଏ ଭିକାରୀର ପଥ ସମ୍ପୂର୍ଣ୍ଣ ଭିନ୍ନ ।’’

 

‘‘ଭିକାରୀ କ’ଣ ତା’ ପଥରେ ରାଜକୁମାରୀକୁ ନେଇଯାଇ ପାରେନା ?’’

 

‘‘ଶର୍ମିଷ୍ଠା, ଏଟା ଗୋଟିଏ ରାଜକୁମାରୀକୁ ଶୋଭା ପାଏନା ।’’

 

‘‘ପ୍ରଶାନ୍ତ, ତୁମେ ମୋ ହାତ ଦେଖିଛ, ହାତରେ ମୋର କ’ଣ ଲେଖାଅଛି ଜାଣ ?’’

 

ମୋ ହୃଦୟ ମଧ୍ୟରୁ କହୁଛି, ତୁମେ ନିଶ୍ଚେ ସୁଖରେ କାଳ କାଟିବ ।’’

 

ନା, ତୁମେ ତା’ ଚାହଁନା ।’’

 

‘‘ସେକଥା କେବେ କହିବ ନାହିଁ ଶର୍ମିଷ୍ଠା ।’’

 

‘‘ଯଦି ଭିକାରୀ ଅନ୍ୟପଥ ଧରେ, ତା’ହେଲେ ରାଜକୁମାରୀ ତା’ ବ୍ୟତୀତ କେବେ ସୁଖୀ ହୋଇ ପାରେନା ।’’

 

ପ୍ରଶାନ୍ତ ବୁଝିପାରୁ ନଥିଲେ ସେ ଶର୍ମିଷ୍ଠାକୁ କିପରି ବୁଝାଇବେ ଯେ ସେ ତାଙ୍କୁ ଯୋଉ ଦୃଷ୍ଟିରେ ଦେଖୁଛି, ସେ ଦୃଷ୍ଟିରେ ସେ ତାକୁ କେବେହେଲେ ଦେଖି ପାରିବେ ନାହିଁ, କେବେ ନୁହେଁ ।

 

ଅମରେନ୍ଦ୍ର ପ୍ରସାଦ ଶର୍ମିଷ୍ଠାର ସ୍ୱାସ୍ଥ୍ୟର ଉନ୍ନତି ଏବଂ ତା’ ମନୋଭାବରୁ ଭଲଭାବେ ଜାଣି ପାରିଥିଲେ ଯେ ସେ କ’ଣ ଚାହେଁ ?

ଦିନେ ଶର୍ମିଷ୍ଠା ତା’ ବାନ୍ଧବୀଙ୍କ ଗହଣରେ ବସି ଚା’ ପିଉଥିଲା । ପ୍ରଶାନ୍ତ କିଛି ଦୂରରେ ବସି ସେଲିଙ୍କର ଏକ କବିତା ବହିରେ ମନୋନିବେଶ କରିଥିଲେ, ଅମରେନ୍ଦ୍ର ପ୍ରସାଦ ଆସି ତାଙ୍କୁ ଡାକିନେଲେ ।

‘‘ପ୍ରଶାନ୍ତ !‘‘

‘‘ଆଜ୍ଞା’’

‘‘ମୋ ପାଖାରେ ବସ ।’’

ପ୍ରଶାନ୍ତ ଅମରେନ୍ଦ୍ର ପ୍ରସାଦଙ୍କ ପାଖ ଚେୟାରଟିରେ ଯାଇ ବସିଲେ ।

କିଛି ସମୟ ନୀରବ ରହି ଅମରେନ୍ଦ୍ର କହିଲେ ‘‘ବୁଝିଲ ପ୍ରଶାନ୍ତ, ବହୁଦିନରୁ ଗୋଟିଏ କଥା ତୁମକୁ କହିବି କହିବି ବୋଲି ହେଉଛି ଅଥଚ କହିପାରୁନାହିଁ । ଆଜି ସେକଥା କହୁଚି, ଆଉ ମୋର ବିଶ୍ୱାସ ତୁମେ ମୋ କଥା ନିଶ୍ଚୟ ରଖିବ ।

‘‘କୁହନ୍ତୁ ।’’ ଟିକେ ଧୀର ସ୍ୱରରେ କହିଲା ପ୍ରଶାନ୍ତ ।

‘‘ଶମି ତୁମକୁ ଛାଡ଼ି ରହିପାରିବ ନାହିଁ ପ୍ରଶାନ୍ତ ।’’

‘‘ବାପା !’’ ପ୍ରଶାନ୍ତଙ୍କ ସ୍ୱର ବିଚଳିତ ଥିଲା ।

‘‘ହଁ ପ୍ରଶାନ୍ତ । କେବଳ ସିଏ ନୁହଁ, ମୁଁ ମଧ୍ୟ ତୁମକୁ ଛାଡ଼ି ରହିପାରିବି ନାହିଁ ।

ପ୍ରଶାନ୍ତ ମୁଣ୍ଡ ତଳକୁ କରି ବସି ରହିଲେ । ଟିକେ ଚିନ୍ତିତ ହୋଇଉଠିଲେ ସେ ।

‘‘ଯେତେଶୀଘ୍ର ସମ୍ଭବ ମୁଁ ତୁମ ଦୁହିଁଙ୍କ ବିବାହ ସାରିଦେବାକୁ ଚାହେଁ । ତୁମେ ମତେ କୁହ ତୁମର କେବେ ସୁବିଧା ହେବ ?’’

 

ପ୍ରଶାନ୍ତ ଯୋଉ କଥାକୁ ଡରୁଥିଲେ ସେଇଆ ହେଲା ।

 

‘‘ବାପା ....ବିବାହ ! ମୁଁ..... ’’

 

‘‘ଶମି ମୋର ସବୁଆଡ଼ୁ ତୁମର ଯୋଗ୍ୟ ହେବ ପ୍ରଶାନ୍ତ ।’’ ଅମରେନ୍ଦ୍ର ପ୍ରସାଦ ଟିକେ ଗର୍ବର ସହିତ କହିଲେ ।

 

ପ୍ରଶାନ୍ତ କିଛି କହିଲେ ନାହିଁ, ପରେ ଧୀର ସ୍ୱରରେ କହିଲେ, ‘‘ମୁଁ କିନ୍ତୁ ଶର୍ମିଷ୍ଠାର ଯୋଗ୍ୟ ନୁହେଁ ।’’

 

‘‘ସେ’ଟା ଆମେ ସ୍ୱୟଂ ଭାବି ଠିକ୍‍ କରିବୁ ।’’ ଟିକେ ରସିକତା କରି କହିଲେ ଅମରେନ୍ଦ୍ର ପ୍ରସାଦ । ତା’ପରେ ହଠାତ୍‍ ଗମ୍ଭୀର ହୋଇଯାଇ କହିଲେ, ‘‘ତୁମେ ନିଶ୍ଚେ ଜାଣ, ଶମିର ଜୀବନ ମୋ ପାଖରେ କେଡ଼େ ମୂଲ୍ୟବାନ ।’’

 

‘‘ଶର୍ମିଷ୍ଠାର ଜୀବନ ସମସ୍ତଙ୍କ ପାଖରେ ମୂଲ୍ୟବାନ ।’’

 

ତା’ହେଲେ ପ୍ରଶାନ୍ତ, ହେଇ, ମୁଁ ତୁମ ସମ୍ମୁଖରେ ଭିକ୍ଷାଥାଳ ଧରି ଛିଡ଼ା ହେଉଛି, ମତେ ନିରାଶ କରିବ ନାହିଁ ।’’ ଟିକେ ଦୀନ ଭାବରେ କହିଲେ ଅମରେନ୍ଦ୍ର ପ୍ରସାଦ ବହିଦାର ।

 

ପ୍ରଶାନ୍ତଙ୍କ ସମସ୍ତ ଶରୀର ଯେମିତି ଏକ ଅଜଣା ଆଶଙ୍କାରେ ଥରି ଉଠିଲା । ନିଜକୁ ପ୍ରକୃତିସ୍ଥ କରି ସେ କହିଲେ, ‘‘ଯେମିତି ଆପଣଙ୍କ ଇଚ୍ଛା ବାପା, ମୁଁ ଆପଣଙ୍କ ଆଜ୍ଞା କଦାପି ଅବଜ୍ଞା କରି ପାରିବି ନାହିଁ ।’’

 

ପ୍ରଶାନ୍ତଙ୍କ ପାଖରେ ଯା’ ଥିଲା, ସମସ୍ତ ସେ ଭିକ୍ଷାଥାଳରେ ଢାଳିଦେଲେ ।

 

ପ୍ରଶାନ୍ତଙ୍କଠାରୁ ସମ୍ମତି ପାଇ ଅମରେନ୍ଦ୍ର ପ୍ରସାଦ ସ୍ୱସ୍ତିର ଏକ ନିଶ୍ୱାସ ଛାଡ଼ିଲେ ।

 

ପ୍ରଶାନ୍ତ ମସ୍ତକ ନତ କରି ସେଠୁ ଉଠି ଆସିଲେ ।

 

ଏତିକିବେଳେ ଶର୍ମିଷ୍ଠା ତା’ ବାନ୍ଧବୀମାନଙ୍କୁ ବିଦାୟ ଦେଇ ସେଠି ଆସି ପହଞ୍ଚିଲା ।

 

ଅମରେନ୍ଦ୍ର ପ୍ରସାଦ ହର୍ଷୋତ୍‍ଫୁଲ୍ଲ ମୁଖରେ ତାକୁ ପାଖରେ ବସାଇଲେ ।

 

‘‘ଶମି !ଜାଣୁ ଆଜି ତୋ ମାଆ ଜୀବିତ ଥିଲେ କେଡ଼େ ଖୁସି ହୋଇଥାନ୍ତା । ଛାଡ଼ ସେ ଯେତେବେଳେ ନାହିଁ, ତା’ର ସମସ୍ତ କାର୍ଯ୍ୟ ମତେ ହିଁ କରିବାକୁ ପଡ଼ିବ । ଭଗବାନ ଆଜି ମୋ ପ୍ରତି ଯଥେଷ୍ଟ କୃପା କରିଛନ୍ତି ଯା’କି ତୋପାଇଁ ପାତ୍ର ଖୋଜିବାକୁ ମତେ କାହାରି ଦ୍ୱାରସ୍ଥ ହେବାକୁ ପଡ଼ିନାହିଁ । ଘରେ ବସି ବସି ହୀରା ପରି ପାତ୍ର ମିଳିଗଲା । ବାସ୍ତବିକ୍‍ ତୁ ବଡ଼ ଭାଗ୍ୟବତୀ ।’’

 

‘‘ବାପା !’’ ଶର୍ମିଷ୍ଠା ଅମରେନ୍ଦ୍ର ପ୍ରସାଦଙ୍କ ଆଡ଼େ ଆଶ୍ଚର୍ଯ୍ୟ ଦୃଷ୍ଟି ତୋଳି ଚାହିଁ ରହିଲା ।

 

ହଁ ଶମି, ଯେତେ ଶୀଘ୍ର ସମ୍ଭବ ମୁଁ ଏ ବିବାହ କରିଦେବାକୁ ଚାହେଁ, ଏକଥା ମୁଁ ପ୍ରଶାନ୍ତକୁ କହି ଦେଇଛି ।’’ କହି ଶର୍ମିଷ୍ଠାର ମୁହଁ ଆଡ଼େ ଉତ୍ସୁକ ଦୃଷ୍ଟିରେ ଚାହିଁ ରହିଲେ ସେ । ସେ ଭାବିଥିଲେ ଏକଥା ଶୁଣି ଶର୍ମିଷ୍ଠା ମୁହଁରେ ହସର ଲହରୀ ଖେଳିଯିବ; କିନ୍ତୁ ତା’ ହେଲା ନାହିଁ ବରଂ ତାକୁ କିପରି ଗମ୍ଭୀର ଜଣାଗଲା ।

 

ପ୍ରଶାନ୍ତ କ’ଣ କହିଲେ ?’’ ଟିକେ ଶଙ୍କିତ ଗଳାରେ ପ୍ରଶ୍ନ କଲା ଶର୍ମିଷ୍ଠା ।

 

‘‘କିଛି ନାହିଁ । ସେ କହିଲା, ଯେମିତି ଆପଣଙ୍କ ଇଚ୍ଛା ।’’ ଟିକେ ସହଜ ଭାବରେ କହିଲେ ଅମରେନ୍ଦ୍ର ପ୍ରସାଦ ।

 

କିନ୍ତୁ ଏକଥା ଶର୍ମିଷ୍ଠା ମୁହଁରୁ ଶଙ୍କାଭାବ ଦୂର ହେଲା ନାହିଁ ।

 

‘‘ବାପା, ଏ’ଟା ଆପଣ ଠିକ୍‍ କଲେ ନାହିଁ ।’’ କହି ମୁହଁ ତଳକୁ କରିଦେଲା ସେ ।

 

ଅମରେନ୍ଦ୍ର ପ୍ରସାଦଙ୍କ ମୁହଁରେ ବିସ୍ମୟର ଭାବ ଫୁଟି ଉଠିଲା ।

 

‘‘ବାପା, ଆପଣ ତାଙ୍କୁ ବୁଝିପାରି ନାହାଁନ୍ତି ।’’ କହି ସେଠୁ ଉଠି ଚାଲିଗଲା ଶର୍ମିଷ୍ଠା ।

 

ଅମରେନ୍ଦ୍ର ପ୍ରସାଦଙ୍କଠାରୁ ବିଦାୟ ନେଇ ପ୍ରଶାନ୍ତ ନିଜ ରୁମ୍‍ର ବିଛଣାରେ ମୁହଁମାଡ଼ି ପଡ଼ି ରହିଥିଲେ । ସେତେବେଳେ ଯଦି କେହି ତାଙ୍କ ତକିଆକୁ ଛୁଅଁନ୍ତା, ଜାଣିପାରନ୍ତା ତକିଆଟା କିପରି ଭାବେ ଓଦା ହୋଇଛି ! କିଏ ଯଦି ସେତେବେଳେ ତାଙ୍କ ପାଖରେ ଥାନ୍ତା, ତା’ହେଲେ ଶୁଣିପାରନ୍ତା ପ୍ରଶାନ୍ତ ଅତ୍ୟୁଚ୍ଚ କଣ୍ଠରେ କହୁଥାନ୍ତି-‘‘ଏ ସଂସାର ତୁମକୁ ମୋ’ଠାରୁ ଛଡ଼ାଇ ନେଲା ମୁଁ ତୁମ ସ୍ମୃତିକୁ ଧରି ବଞ୍ଚିଥିଲି । ତା’ ମଧ୍ୟ ଏ ସଂସାରର ସହ୍ୟ ହେଲା ନାହିଁ । ଏଇକ୍ଷଣି ସେ ତୁମ ସ୍ମୃତିକୁ ମଧ୍ୟ ମୋ’ଠାରୁ ଛଡ଼ାଇ ନେବାକୁ ଚାହିଁଲାଣି–।

 

‘‘ନା ପ୍ରଶାନ୍ତ ! ତୁମଠାରୁ କେହି କିଛି ହେଲେ ଛଡ଼ାଇ ପାରିବ ନାହିଁ ।’’ ପ୍ରଶାନ୍ତଙ୍କର ଏକେବାରେ ପାଖକୁ ଲାଗିଆସି କହିଲା ଶର୍ମିଷ୍ଠା ।

 

ଶର୍ମିଷ୍ଠାର କଣ୍ଠ ଶୁଣି ଟିକେ ଚମକି ଉଠି ବସିଲେ ପ୍ରଶାନ୍ତ । ‘‘ତୁମେ ଶର୍ମିଷ୍ଠା ।’’ କେବଳ ଏତିକି କହିଲେ ସେ, ହେଲେ ତାଙ୍କ ଲୋତକାପ୍ଳୁତ ଚକ୍ଷୁ ଦୁଇଟିକୁ ଶର୍ମିଷ୍ଠା ସମ୍ମୁଖରେ ଉଠାଇ ପାରିଲେ ନାହିଁ ।

 

‘‘ମତେ କ୍ଷମା କରିଦିଅ ପ୍ରଶାନ୍ତ ।’’ ପଲଙ୍କ ଉପରେ ବସିପଡ଼ି କହିଲା ଶର୍ମିଷ୍ଠା ।

 

‘‘ସେମିତି କୁହ ନାହିଁ । ମୁଁ କେବେ ହେଲେ ତୁମକୁ ଖୁସି ଦେଇ ପାରିନାହିଁ, ଏଣିକି ଦବାକୁ ଚେଷ୍ଟା କରିବି ।’’

 

‘‘ନାହିଁ ପ୍ରଶାନ୍ତ, ମୁଁ ୟାର ଯୋଗ୍ୟ ନୁହେଁ ।’’

 

‘‘ଶର୍ମିଷ୍ଠା ।...’’

 

‘‘ହଁ ପ୍ରଶାନ୍ତ । ମୁଁ ଆଜିପର୍ଯ୍ୟନ୍ତ ନିଜକୁ ଏତେଟା ଯୋଗ୍ୟ ମନେ କରିନାହିଁ ଯା’ କି ଅନ୍ୟ କାହାରି ସ୍ଥାନକୁ ଅଧିକାର କରିପାରିବି ।’’ କହି ଶର୍ମିଷ୍ଠା ମୁଣ୍ଡ ତଳକୁ କରିଦେଲା ।

 

‘‘ଅନ୍ୟ କାହାରି ସ୍ଥାନର ପ୍ରଶ୍ନ ତ ଉଠୁନାହିଁ ଶର୍ମିଷ୍ଠା । ସିଏ ତ ଆଉ ତା’ ସ୍ଥାନକୁ ଅଧିକାର କରିବାକୁ କେବେ ଆସିବ ନାହିଁ । ଇଏ ତ କେବଳ ମନର ଗୋଟାଏ ଭ୍ରମ ମାତ୍ର ।’’

 

‘‘ନାହିଁ ପ୍ରଶାନ୍ତ ।’’ ଶର୍ମିଷ୍ଠା ଆଉ କିଛି କହିପାରିଲା ନାହିଁ ।

 

ପ୍ରଶାନ୍ତ ଗୋଟିଏ ଦୀର୍ଘନିଃଶ୍ୱାସ ତ୍ୟାଗ କରି ଚୁପ୍‍ ହୋଇଗଲେ ।

 

‘‘ପ୍ରଶାନ୍ତ, ତୁମେ କ’ଣ କାହାକୁ ଭଲ ପାଉଛ ?’’

 

‘‘ହଁ ।’’ ମୁଣ୍ଡ ନୁଆଁଇଲେ ପ୍ରଶାନ୍ତ ।

 

‘‘ମୁଁ ମଧ୍ୟ ସେଇକଥା ଭାବୁଥିଲି । ବହୁତ ଦିନ ହେଲା ସେ କଥାଟା ମୋ ମନରେ ଉଙ୍କି ମାରୁଥିଲା ।’’

 

‘‘ତୁମେ ଜାଣିଥିଲ ଶର୍ମିଷ୍ଠା ?’’

 

‘‘ହଁ, ସେଇଥିପାଇଁ ତ ସେ ସ୍ଥାନକୁ ଅଧିକାର କରିବାକୁ ମୁଁ କେବେ ସାହସ କରିନଥିଲି-।’’

 

‘‘କିନ୍ତୁ ତୁମେ......ତୁମେ ଶର୍ମିଷ୍ଠା.....’’ କ’ଣ କହିବାକୁ ଚେଷ୍ଟା କରି କହି ପାରିଲେ ନାହିଁ ପ୍ରଶାନ୍ତ ।

 

‘‘ବାପା ତୁମକୁ ମୋ କଥା ଭୁଲ କହିଛନ୍ତି । ତୁମ ସହିତ ମୋର ବିବାହ କଥା ମୁଁ କେବେ ଚିନ୍ତା ମଧ୍ୟ କରିନାହିଁ ।’’

 

‘‘କିନ୍ତୁ ଦିନେ ତୁମେ ନିଜେ କହିଥିଲ ଯେ, ଭିକାରୀ ଆଉ ରାଜକୁମାରୀର ପଥ ଗୋଟିଏ ବୋଲି ।’’

 

‘‘ଗୋଟିଏ ପଥର ଅଭିପ୍ରାୟ ତ ମୋର ବିବାହ ନଥିଲା ।’’ ହସିଲା ଶର୍ମିଷ୍ଠା ।

 

‘‘ବିବାହ ଏକ ପ୍ରକାର ସାହଚର୍ଯ୍ୟ; ଆଉ ସହଚରଙ୍କ ପଥ ହିଁ ଏକ ହୋଇଥାଏ ।’’

 

‘‘କିନ୍ତୁ କେବଳ ବିବାହ ତ ସାହଚର୍ଯ୍ୟର ଏକମାତ୍ର ରୂପ ନୁହେଁ ?’’

 

‘‘ତା’ହେଲେ ପୁଣି ?

 

‘‘ଗୁରୁଦେବ ! ଆପଣ କ’ଣ ଆପଣଙ୍କର ଶିଷ୍ୟାର ପରୀକ୍ଷା ନେଉଛନ୍ତି ।’’

 

‘‘ଶର୍ମିଷ୍ଠା !’’

 

‘‘ଏତେଦିନ ତୁମେ କେବଳ ପ୍ରଶାନ୍ତ ଥିଲ । ଆଜିଠାରୁ କିନ୍ତୁ ତୁମେ ମୋର ଗୁରୁ ହେଲ-।’’ ଟିକେ ହସି ସେ ପୁଣି କହିଲା, ‘‘ପ୍ରେମ ପ୍ରିୟତମର ଖୁସିରେ ହୁଏ । ଛଡ଼ାଇ ନେବାରେ, ବଳାତ୍କାରରେ, ଅନୁଚିତ ଅଧିକାର ସ୍ଥାପନ କରିବାରେ ନୁହେଁ । ପକ୍ଷୀ ପିଞ୍ଜରାରେ ଆବଦ୍ଧ ରହି କେବେହେଲେ ମୁକ୍ତ କଣ୍ଠରେ ଗାଇ ପାରେ ନା । ସଙ୍ଗୀତ ହିଁ ଜୀବନ, ଉଡ଼ିବା ହିଁ ଜୀବନ ।

 

‘‘ଶର୍ମିଷ୍ଠା !’’

 

‘‘ତୁମେ ସୁନ୍ଦର, ତୁମେ ସୁଗନ୍ଧ, ତୁମେ ଧରିରଖିଲା ପରି ବସ୍ତୁ ନୁହଁ ।’’

 

‘‘ଶର୍ମିଷ୍ଠା !’’

 

‘‘କୁହନ୍ତୁ ।’’

 

‘‘ଆଜିର ଶର୍ମିଷ୍ଠା, ଅନ୍ୟ ଦିନର ଶର୍ମିଷ୍ଠାଠାରୁ ସଂପୂର୍ଣ୍ଣ ଭିନ୍ନ ।’’

 

‘‘ପୂର୍ବର ଶର୍ମିଷ୍ଠା ପ୍ରଶାନ୍ତଙ୍କର ସହଚରୀ ଥିଲା, ଆଜିର ଶର୍ମିଷ୍ଠା ତା’ ଗୁରୁଦେବଙ୍କର ଶିଷ୍ୟା ।’’ ଶର୍ମିଷ୍ଠାର ମୁଖମଣ୍ଡଳ ଏକ ଅପୂର୍ବ ଆଲୋକରେ ଉଦ୍‍ଭାସିତ ହୋଇଉଠିଲା ।

 

ପ୍ରଶାନ୍ତ ମସ୍ତକ ନତ କରି କ’ଣ ଯେପରି ଚିନ୍ତା କରୁଥିଲେ !

 

‘‘ଗୁରୁଦେବ ! ସେ ନିଶ୍ଚେ ଆପଣଙ୍କୁ ଖୁବ୍‍ ଭଲ ପାଉଥିଲେ ଯା’କୁ କି ଆପଣ ଆପଣଙ୍କ ପ୍ରେମ ଦାନ କରିଛନ୍ତି ?’’ ଶର୍ମିଷ୍ଠାର ମୁଖମଣ୍ଡଳରେ ପ୍ରସନ୍ନତାର ଚିହ୍ନ ସ୍ପଷ୍ଟ ଫୁଟି ଉଠିଥାଏ ।

‘‘ତୁମେ ତାଙ୍କୁ ଭଲପାଇ ପାରିବ ଶର୍ମିଷ୍ଠା ?

‘‘କାହିଁକି ନୁହେଁ । ନିଜ ପ୍ରିୟଜନର ଯେ ପ୍ରିୟ ତାକୁ ତ ଭଲ ଲାଗିବ ହିଁ । ଏ’ଟା ତ ମୁଁ ଆପଣଙ୍କଠାରୁ ଶିଖିଛି ।’’

‘‘ଆଉ କ’ଣ ଶିଖିଛ ?’’ ପ୍ରଶାନ୍ତ ସାମାନ୍ୟ ହସିଲେ ।

‘‘ଆଉ ୟା ମଧ୍ୟ ଶିଖିଛି ପ୍ରକୃତ ଭଲପାଇବା କେବେହେଲେ କଷ୍ଟଦାୟକ ହୁଏନାହିଁ । ଆଶଙ୍କା, ଲୋତକ, ଲୁଚିବା, ଛପିବା–ଏ ସବୁର ଆବଶ୍ୟକତା ପ୍ରକୃତ ଭଲପାଇବାରେ ଆଦୌ ଦେଖାଯାଏ ନାହିଁ । ଇଏ ସବୁ କାମନା, ବାସନା, ଲାଳସା । ଆପଣଙ୍କ ଶର୍ମିଷ୍ଠା ଏଇକ୍ଷଣି ଏ ସବୁର ଅନେକ ଉପରେ ।’’

ଶର୍ମିଷ୍ଠାର ଶରୀର ସଂପୂର୍ଣ୍ଣ ସୁସ୍ଥ ଥିଲା । ତା’ର ଦୁର୍ବଳତା ଦୂର ହୋଇଯାଇଥିଲା । ଆଜି ତା’ ମୁହଁରେ ସ୍ୱାସ୍ଥ୍ୟର ଆଲୋକ ଲାଗି ରହିଥିଲା ।

ଶର୍ମିଷ୍ଠା, ଆଜି ତୁମକୁ ଅନ୍ୟ ଦିନ ଅପେକ୍ଷା ଆହୁରି ସୁନ୍ଦର ଦେଖାଯାଉଛି ।’’

ସେ ଶର୍ମିଷ୍ଠା ନିର୍ବୋଧ ଥିଲା, ଅସୁସ୍ଥ ଥିଲା, ଯିଏ କି ବିରହର ଛାୟାକୁ ପର୍ଯ୍ୟନ୍ତ ଡରୁଥିଲା, ଯିଏ କି ତା’ ପ୍ରିୟତମକୁ ଦୃଢ଼ ଭାବରେ ବାନ୍ଧି ରଖିବାକୁ ଚାହୁଁଥିଲା, ଯେମିତି କି ସେ କୁଆଡ଼େ ଖସି ନଯାଏ କିନ୍ତୁ ଏଇକ୍ଷଣି ଯିଏ ତା’ ହୃଦୟରେ ଆସନ ପାତି ବସିଲାଣି, ତାକୁ ତା’ଠାରୁ କେହି ଛଡ଼ାଇ ନେଇ ପାରିବ ନାହିଁ । ଏଇଟା ହେଉଛି ତା’ର ବାସ୍ତବ ପ୍ରାପ୍ତି । ଆଜି ଶର୍ମିଷ୍ଠା ଏ ପୃଥିବୀଠାରୁ କାହିଁ କେତେ ଉଚ୍ଚରେ ବିଚରଣ କରୁଛି, ଯୋଉଠି ରୋଗ, ଶୋକ, ଲାଳସାର ସତ୍ତା ମଧ୍ୟ ନାହିଁ ।

 

ଶର୍ମିଷ୍ଠାକୁ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା ।

 

ପ୍ରଶାନ୍ତ ଭକ୍ତି ଭାବନାର ସହିତ ତାକୁ ଦେଖିବାକୁ ଲାଗିଲେ ।

 

‘‘ଗୁରୁଦେବ, ଦିନେ ଆପଣ ନିଜ ରଚିତ ଏକ କବିତା ମତେ ଶୁଣେଇଥିଲେ ଯାର ଅର୍ଥ ପ୍ରେମର ଘଣ୍ଟି ବଜାଇବାପାଇଁ ଅଶ୍ରୁର ଆବଶ୍ୟକତା ହୁଏ ନାହିଁ । ଗୁରୁଦେବ, ଆପଣ କ’ଣ ଭାବୁଛନ୍ତି ଆପଣ କେବଳ କାହାକୁ ନିବୀଡ଼ ଭାବରେ ଭଲ ପାଇପାରନ୍ତି, ଅନ୍ୟ କେହି କ’ଣ ।’’

 

‘‘ନା ଶର୍ମିଷ୍ଠା ଦେବୀ, ଆପଣ ମହାନ୍‍ । ପ୍ରଶାନ୍ତଙ୍କ ଆଖିରେ ଶର୍ମିଷ୍ଠା ପ୍ରତି ଶ୍ରଦ୍ଧା ଫୁଟି ଉଠିଥାଏ ।

 

‘‘ଆଜି ଆପଣ ମତେ ‘ତୁମେ’ ଯାଗାରେ ଆପଣ କାହିଁକି କହୁଛନ୍ତି, ଗୁରୁ ମୁହଁରେ ଶିଷ୍ୟାକୁ ‘ଆପଣ’ କହିବାଟା କ’ଣ ଅସୁନ୍ଦର ଶୁଭୁନାହିଁ ।’’ ଟିକେ ହସି କହିଲା ଶର୍ମିଷ୍ଠା ।

 

‘‘କାହିଁକି କେଜାଣି ଆଜି ତୁମେ ମୋ ଆଖିରେ ଏକ ମହାନ୍‍ ନାରୀ ହୋଇ ଉଠିଚ । ଯା’ର କି ତୁଳନା ହୁଏନା ।’’

 

‘‘ଆଜି ମୁଁ ଆପଣଙ୍କୁ କେମିତି ଦେଖାଯାଉଛି ?’’

 

‘‘ଖୁବ୍‍ ଭଲ,ଖୁବ୍‍ ସୁନ୍ଦର, ଖୁବ୍‍ ବଡ଼ ।’’

 

‘‘ବାସ୍‍ ୟା ଠାରୁ ଅଧିକ ମୁଁ ଆଉ କିଛି ଚାହେଁ ନାହିଁ । ଆପଣଙ୍କୁ ଯେ ମୁଁ କିଛିଟା ଭଲ ଲାଗେ, ମୋ ପାଖରେ ଏଇ ବହୁତ ।’’

 

‘‘ନାହିଁ ଶର୍ମିଷ୍ଠା, ଭଲ ଲାଗିବା ପ୍ରଶ୍ନ ଯେତେବେଳେ ଉଠୁଛି, ସେତେବେଳେ ତୁମକୁ ମତେ ଖୁବ୍‍ ଭଲ ଲାଗେ । କିନ୍ତୁ ମୁଁ ଜାଣୁଚି ମୁଁ ଅନ୍ୟ ଜଣଙ୍କର ଅମାନତା । ଆଉ ଏଇଟା ମଧ୍ୟ ଜାଣୁଚି ଯେ ତା’ର ଅଧିକାର ମୁଁ ତାକୁ ଫେରାଇ ପାରିବି ନାହିଁ । ତଥାପି ତା’ର ସେଇ ଅମାନତତକ ତ ମତେ ସମ୍ଭାଳିକରି ରଖିବାକୁ ପଡ଼ିବ । ନା ସେ ତାକୁ ଉପଭୋଗ କରିବ, ନା ମୁଁ, ନା ଅନ୍ୟ କେହି-।’’

 

‘‘ମୁଁ ଆଶ୍ଚର୍ଯ୍ୟ ହେଉଛି ଆପଣ ବାପାଙ୍କୁ ହଁ କଲେ କେମିତି ? ଆପଣଙ୍କର ଏ’ଟା କରିବା ଆଦୌ ଉଚିତ ନଥିଲା ।’’

 

‘‘ଶର୍ମିଷ୍ଠା, ସେ’ଟା ମୋ ପ୍ରେମର ଦୁର୍ବଳତା ନୁହେଁ, ବରଂ ମୋ ସ୍ୱଭାବର ଦୁର୍ବଳତା କହିପାର । ମୁଁ ଏତେ ବୟୋବୃଦ୍ଧ ଆଉ ସ୍ନେହୀ ପୁରୁଷଙ୍କ ମନରେ ଆଘାତ ଦେବାକୁ ସାହସ କରିପାରି ନଥିଲି ।’’

 

‘‘ଗୁରୁଦେବ, ମୁଁ ଜାଣେ ଏଇ ‘ହଁ’ ଟିପାଇଁ ଆପଣଙ୍କୁ କେତେବଡ଼ ତ୍ୟାଗ କରିବାକୁ ପଡ଼ିଥିବ ।’’

 

‘‘ନା, ତ୍ୟାଗ ନୁହେଁ, ମତେ ଯେମିତି ଜଣାଯାଉଛି ମୋର ନିଜର ହୋଇ ଆଉ କିଛି ନାହିଁ-। ମୋର ସମସ୍ତ ସତ୍ତାର ଅଧିକାରୀ ଯେମିତି ଅନ୍ୟ କିଏ ଜଣେ । ଯା’ର ନିର୍ଦ୍ଦେଶରେ ମୁଁ ସବୁକିଛି କରି ଚାଲିଛି ।’’

 

‘‘କୁହନ୍ତୁ, କୁହନ୍ତୁ, ଆଜି ମତେ ସବୁ କିଛି କହିଯାନ୍ତୁ ।’’ ମୁଗ୍‍ଧ ଦୃଷ୍ଟିରେ ପ୍ରଶାନ୍ତଙ୍କ ଆଡ଼େ ଚାହିଁ କହିଲା ଶର୍ମିଷ୍ଠା ।

 

‘‘ଆଲୋକ, ଅନ୍ଧକାର, କୋଳାହଳ, ନିସ୍ତବ୍‍ଧତା ସବୁ ସମୟରେ ସବୁ ସ୍ଥାନାରେ ଦୁଇଟି ଆଖି ମୋ ଆଡ଼େ ଚାହିଁ ରହିଥାଏ । ମୁଁ ଯାହା କିଛି କରେ ମୋର ପ୍ରତ୍ୟେକ କର୍ମ ସେଇ ଆଖି ସାମନାରେ ହିଁ ହୁଏ ।’’

 

‘‘କେଡ଼େ ସୁନ୍ଦର କଳ୍ପନା !’’ କହୁ କହୁ ଶର୍ମିଷ୍ଠା ଚକ୍ଷୁରେ ଜକେଇ ଆସିଲା ଦୁଇବିନ୍ଦୁ ଲୋତକ । ବାର୍ତ୍ତାଳାପ ଦୁହିଁଙ୍କୁ ସେତିକି ନିକଟକୁ ଆଣିପାରୁ ନଥିଲା ଯେତିକି ଆଣୁଥିଲା ନିସ୍ତବ୍‍ଧତା-

 

‘‘ମୁଁ ସେ ସୁନ୍ଦର ଆଖି ଦୁଇଟିକୁ ଆପଣଙ୍କ ଆଖିରେ ଦେଖି ପାରୁଛି ।’’ ଶର୍ମିଷ୍ଠା ପ୍ରଶାନ୍ତଙ୍କ ଆଡ଼େ ଏମିତିଭାବେ ଚାହିଁ ରହିଥିଲା, ଯେମିତି ମନେ ହେଉଥିଲା ବର୍ଷ ବର୍ଷର ତପସ୍ୟା ପରେ ସେ ତା’ ପ୍ରଭୁର ସାମନ୍ୟ ଦର୍ଶନ ପାଇଛି ମାତ୍ର ।

 

‘‘ଶର୍ମିଷ୍ଠା, ତୁମେ ମତେ ଚିହ୍ନିଚ, ବୁଝିଚ, ଜାଣିଚ, ଯଦି ତୁମେ ମତେ ସ୍ୱୀକାର କର ଏବଂ ବାପାଙ୍କ ମନ ରଖିବାକୁ ଚାହଁ, ତେବେ ମୁଁ ତୁମ ସହିତ ବିବାହପାଇଁ ରାଜି ଅଛି ।’’

 

 

‘‘ନାହିଁ ଗୁରୁଦେବ, ମୁଁ ଆପଣଙ୍କୁ ସେମିତି କିଛି ମାଗିବି ନାହିଁ, ଯା’ ଆପଣ ପୂର୍ବରୁ ଅନ୍ୟ କାହକୁ ଦେଇ ସାରିଛନ୍ତି ।’’

 

‘‘ହଁ, ତା’ ବ୍ୟତୀତ ତମେ ଯାହା କିଛି ଚାହଁ ନେଇପାର ।’’ ନିଜକୁ ସମ୍ଭାଳି କହିଲେ ପ୍ରଶାନ୍ତ ।

 

ମୁଁ ଯାହା ନେଇଚି, ଯାହା ନେଇପାରିବି, ସେଥିରେ ମତେ କେହି ବାଧା ଦେଇ ପାରିବେ ନାହିଁ; ଆପଣ ମଧ୍ୟ । ବିବାହ ବନ୍ଧନ ସେଥିପାଇଁ ଆବଶ୍ୟକ ନାହିଁ ।’’ ପ୍ରସନ୍ନ ମୁଖରେ କହିଲା ଶର୍ମିଷ୍ଠା ।

 

‘‘ନାହିଁ ଶର୍ମିଷ୍ଠା, ମୁଁ ବାପାଙ୍କୁ ହଁ କରି ସାରିଛି ।’’

 

‘‘କିନ୍ତୁ ମୁଁ ତ ତା’ଠାରୁ ମହତ୍‍ ବସ୍ତୁ ପ୍ରାପ୍ତ କରି ସାରିଛି । ଯା’କି ମୋ ମନକୁ ଦେଇଛି ପରମ ଶାନ୍ତି ।’’

 

‘‘ଆଚ୍ଛା, ତା’ହେଲେ ତୁମେ ଆଉ ରୋଗରେ ପଡ଼ିବ ନାହିଁ ତ ? ମୋତେ ଦେଖ, ମୁଁ ହସୁଚି, ଖେଳୁଚି, ବୁଲୁଚି, ଗାଉଚି, ଖାଉଚି, ପିଉଚି –ଜୀବନ ଯେମିତିଭାବେ ଚାଲିବା କଥା ଠିକ୍‍ ସେମିତି ଭାବେ ଚାଲିଛି । ହଁ, ଜଣକୁ ଭଳ ମଧ୍ୟ ପାଉଛି । ବେଳେ ବେଳେ ବିରହର ଜ୍ୱାଳା ଅଧିକ କଷ୍ଟ ଦେଇଥାଏ, ତାକୁ ମଧ୍ୟ ଶାନ୍ତିପୂର୍ବକ ସହ୍ୟ କରି ନିଏ । ହୃଦୟର ଗଭୀରତମ ପ୍ରଦେଶରେ ଜୁଆର ଉଠେ; କିନ୍ତୁ ଜୀବନଧାରାର ଗମ୍ଭୀରତା ତାକୁ ପ୍ରତ୍ୟକ୍ଷ ହବାକୁ ଦିଏ ନାହିଁ.... ।’’

 

‘‘ଆପଣ ରହିଗଲେ କାହିଁକି କୁହନ୍ତୁ, କହିଯାନ୍ତୁ, ଆପଣଙ୍କ ଶିଷ୍ୟା ଆପଣଙ୍କ ପରି ଜୀବନ ବିତାଇବାକୁ ଚେଷ୍ଟା କରିବ ।’’

 

‘‘ଦୁଃଖ ପ୍ରେମ କେବେହେଲେ ମଧୁର ହୁଏନା, ଶମି !’’ ପ୍ରଶାନ୍ତ ଆଜି ପ୍ରଥମ କରି ଶର୍ମିଷ୍ଠାକୁ ଶମି ବୋଲି ସମ୍ବୋଧନ କଲେ ।

 

ଶର୍ମିଷ୍ଠା ପୁଲକିତ ହୋଇ ଉଠିଲା ।

 

‘‘ଶମି ! କାଲି ରାତିରେ ମୁଁ ଲେଖୁଥିଲି ହେ ପରମେଶ୍ୱର, ମୋର ଲକ୍ଷ୍ୟ କେବେହେଲେ ପୂର୍ଣ୍ଣ ନହେଉ । ଏ ଅସମ୍ପୂର୍ଣ୍ଣତାରେ ଅଛି ଜୀବନ । ପବନର ଗତିପରି ମୁଁ ଚାଲୁଥାଏ । ତାକୁ ଖୋଜି ବୁଲୁଥାଏ ।’’

 

‘‘ଗୁରୁଦେବ ! ତାଙ୍କ ନାଁ କ’ଣ ଥିଲା ?’’ ଶର୍ମିଷ୍ଠା ଏପରି ସରଳଭାବେ ପ୍ରଶ୍ନଟା ପଚାରିଲା ଯାହା ଶୁଣି ପ୍ରଶାନ୍ତ ହସି ପକାଇଲେ ।

 

‘‘ତା ନାଁ ଥିଲା ସୁମିତ୍ରା ।’’ କହିଲେ ପ୍ରଶାନ୍ତ ।

 

‘‘ଗୁରୁଦେବେ ! ଭଗବାନ କାହିଁକି ତାଙ୍କୁ ଆପଣଙ୍କ ପାଖରୁ ଛଡ଼ାଇ ନେଲେ ?’’

 

‘‘ନାହିଁ ଶର୍ମିଷ୍ଠା, ଭଗବାନ ନୁହେଁ, ଏ’ ସଂସାର ତାକୁ ମୋ’ଠାରୁ ଛଡ଼ାଇ ନେଲା ।’’

Unknown

 

‘‘ସଂସାରଟା ଏଡ଼େ ଜଟିଳ ?’’ ଶର୍ମିଷ୍ଠାର ମୁଖଭାଗ ବିଷାଦରେ ଭରିଗଲା ।

 

‘‘ସେ ଏଇକ୍ଷଣି କୋଉଠି ?’’ ପୁନର୍ବାର ପ୍ରଶ୍ନକଲା ସେ ।

 

‘‘ମୁଁ କେବେ ଜାଣିବାକୁ ଚେଷ୍ଟା କରିନାହିଁ ।’’

 

ଶର୍ମିଷ୍ଠା ଆଉ କିଛି ପଚାରିପାରିଲା ନାହିଁ । ସେ ଦେଖିଲା ପ୍ରଶାନ୍ତଙ୍କ ଚକ୍ଷୁ ଦୁଇଟିରେ ଯନ୍ତ୍ରଣାର ଚିହ୍ନ ସ୍ପଷ୍ଟ ଫୁଟି ଉଠିଚି ।

 

‘‘ଶର୍ମିଷ୍ଠା, ପୂର୍ବରୁ ତୁମର କୋଉଠି ବିବାହ ସମ୍ବନ୍ଧ ଲାଗିଥିଲା ନା ?’’

 

‘‘ହଁ, ଅନେକ ଦିନ ପୂର୍ବେ ।’’

 

‘‘ମତେ ଥରେ ବାନା କହୁଥିଲେ । ତା’ହେଲେ ସେଠି ହେଲାନାହିଁ କାହିଁକି ?’’

 

‘‘କାରଣ ଜୀବନଟା ଆପଣଙ୍କ ସହିତ ପୂର୍ଣ୍ଣତା ପ୍ରାପ୍ତି କରିବାକୁ ଚାହୁଁଥିଲା ।’’ ନିଃସଙ୍କୋଚର ସହିତ କହିଲା ଶର୍ମିଷ୍ଠା ।

 

ଆଜି ପ୍ରଶାନ୍ତ ଆଉ ଶର୍ମିଷ୍ଠା ମାନସିକତାର ସେଇ ଉଚ୍ଚ ଶିଖର ଉପରେ ଥିଲେ, ଯୋଉଠି ସାଧାରଣ ଲଜ୍ଜାର କୌଣସି ସ୍ଥାନ ନଥିଲା ।

 

‘‘ହେଲେ ସେଇ ପୂର୍ଣ୍ଣତା ତ ଏଇକ୍ଷଣି ଅପୂର୍ଣ୍ଣ ରହିଗଲା ।’’ କହି ସାମାନ୍ୟ ହସିଲେ ପ୍ରଶାନ୍ତ ।

 

‘‘କିନ୍ତୁ ମତେ ତା’ ଲାଗୁନାହିଁ । ମତେ ଲାଗୁଚି ମୁଁ ସମ୍ପୂର୍ଣ୍ଣ ତଥା ଶାନ୍ତି ଲାଭ କରିଛି ।’’ ଶର୍ମିଷ୍ଠା ମଧ୍ୟ ହସିଲା ।

 

‘‘ଏ’ଟା ତ ସବୁଠାରୁ ଭଲ । ନିଜ ଶାନ୍ତିରୁ ମୁଠାଏ ତୁମ ବାପାଙ୍କୁ ଦେଇଦିଅ ।’’

 

‘‘କିପରି ?’’

 

‘‘ବାପାଙ୍କୁ ତୁମ ବିବାହପାଇଁ ଅନୁମତି ଦେଇଦିଅ ।’’

 

‘‘ପ୍ରକୃତରେ ବିବାହର କୌଣସି ଆବଶ୍ୟକତା ମୁଁ ଅନୁଭବ କରୁନାହିଁ ।’’ ଟିକେ ଗମ୍ଭୀରଭାବରେ କହିଲା ଶର୍ମିଷ୍ଠା ।

 

‘‘ନା ଶର୍ମିଷ୍ଠା, ଏଇ ପୂର୍ଣ୍ଣତାର ବିବାହର ଆବଶ୍ୟକତା ସହିତ କୌଣସି ସମ୍ପର୍କ ନାହିଁ । ସେ ଆବଶ୍ୟକତା ତ ତା’ ନିଜ ସ୍ଥାନରେ ରହିଥିବ । ମୋର ବିଶ୍ୱାସ ତୁମେ ବିବାହ କରି ତୁମ ସ୍ୱାମୀଙ୍କୁ ପୂର୍ଣ୍ଣତୋୟା ବିଶ୍ୱାସ ଦେଇ ପାରିବ । ତାଙ୍କୁ ତୁମେ ପ୍ରେମ ମଧ୍ୟ ଦେଇ ପାରିବ । କାରଣ ଏ ଦୁଇଟି ବସ୍ତୁ ତୁମ ମୋ ମଧ୍ୟରେ କୌଣସି ସମ୍ୱନ୍ଧ ରଖୁନାହିଁ ।’’

 

‘‘ଗୁରୁଦେବ ! କ’ଣ ଆପଣଙ୍କ ମୋ ଭିତରେ ଭଲପାଇବାର କୌଣସି ସମ୍ବନ୍ଧ ନାହିଁ ?’’

 

‘‘ନା, ୟା ଭିତରେ ସ୍ୱାମୀର ଭଲପାଇବା ନାହିଁ । ଭଲଭାବେ ଚିନ୍ତାକରି କହିଲ, ତୁମେ କ’ଣ ସ୍ୱାମୀ ରୂପରେ ମତେ କେବେ କଳ୍ପନା କରିପାରିବ ?’’

 

‘ନା, କିନ୍ତୁ ତା’ଠାରୁ ମଧ୍ୟ କୌଣସି ମହାନ୍‍ ରୂପରେ ।’’

 

ତା’ହେଲେ ବିବାହପାଇଁ ଅରାଜି କାହିଁକି ?’’

 

‘‘ଆପଣ ବି ତ ଆପଣଙ୍କ ଅସମ୍ପୂର୍ଣ୍ଣ ପ୍ରେମପାଇଁ ବିବାହ କଲେ ନାହିଁ ?

 

‘‘ମୋ କଥା ଅଲଗା ଶର୍ମିଷ୍ଠା ।’’

 

‘‘କେମିତି ?’’ କିଛି ନ ଜାଣିଲା ପରି ପଚାରିଲା ଶର୍ମିଷ୍ଠା ।’’

 

‘‘ଯେମିତି ଧର ହଠାତ୍‍ ଆମ ଦୁହିଁଙ୍କର ଦେଖାହେଲା । ଦୁହେଁ ଜୀବନସାରା ଏକାଠି ରହିବୁ ବୋଲି ପଣ କଲୁ । ସେ ମତେ ତା’ ସ୍ୱାମୀ ବୋଲି ମାନୁଥିଲା ଆଉ ମୁଁ ତାକୁ ମୋ ସ୍ତ୍ରୀ ବୋଲି ଭାବୁଥିଲି । ଆମର ସମ୍ବନ୍ଧ ଏମିତି ଥିଲା, ଯେମିତି କି ଦୁଇଟି ସହଜ ସରଳ ଆତ୍ମାର ମିଳନରୁ ଉତ୍ପନ୍ନ ହୁଏ । ଦୁର୍ଭାଗ୍ୟବଶତଃ ଆମେ ପରସ୍ପରଠାରୁ ବିଚ୍ଛିନ୍ନ ହେଲୁ । ତା’ର ଚିହ୍ନ ଏବେ ମଧ୍ୟ ମୋ ପାଖରେ ଜୀବନ୍ତ ହୋଇ ରହିଛି ।’’

 

‘‘ଚିହ୍ନ ?’’

 

‘‘ହଁ, ତା’ର ସ୍ମୃତି !’’ ପ୍ରଶାନ୍ତ ଆଖି ଦୁଇଟିକୁ ତଳକୁ କରିଦେଲେ ।

 

‘‘ମୋ ଜୀବନକୁ ମୁଁ ଆପଣଙ୍କ ଇଚ୍ଛା ଆଗରେ ତୁଚ୍ଛ ମନେ କରେ ।’’ ଶର୍ମିଷ୍ଠା ଟିକେ ଦୃଢ଼ ସ୍ୱରରେ କହିଲା ।

 

‘‘ସେ ଭଦ୍ରଲୋକ କେମିତି ଥିଲେ, ଯା’କୁ ବାପା ତୁମପାଇଁ ପସନ୍ଦ କରିଥିଲେ ?’’ ପଚାରିଲେ ପ୍ରଶାନ୍ତ ।

 

‘‘ଭଲ । ଭଦ୍ରଲୋକଙ୍କୁ ମୁଁ ଜାଣେ । ସେ ଆମର ଦୂରର ସମ୍ପର୍କୀୟ ମଧ୍ୟ ହୁଅନ୍ତି । ବେଶ୍‍ ଭଲ । ପାର୍ଥକ୍ୟ କେବଳ ଏତିକି ଆପଣଙ୍କ ପରି ଭଲ କେହିହେଲେ ହୋଇ ପାରିବେ ନାହିଁ ।’’

 

ଶର୍ମିଷ୍ଠା ଏକଥା କହିଲାବେଳେ ବୋଧେ ତା’ ହୃଦୟରେ ଟିକେ କଷ୍ଟ ଅନୁଭବ କଲା; କିନ୍ତୁ ବାହାରକୁ ତା’ର କୌଣସି ଆଭାସ ନଥିଲା, ସେ ପୂର୍ଣ୍ଣ ରୂପରେ ଶାନ୍ତ ଥିଲା ।

 

‘‘ତୁମେ ସେଇଠି ବିବାହ କରିନିଅ ।’’ ପ୍ରଶାନ୍ତ ନିର୍ଣ୍ଣୟାତ୍ମକ ଭାବରେ କହିଲେ ।’’

 

‘‘ଯଦି ଆପଣଙ୍କର ଏଇ ଇଚ୍ଛା, ତା’ ମୁଁ ନିଶ୍ଚୟ କରିବି; କିନ୍ତୁ...’’ ମୁଣ୍ଡ ତଳକୁ କରି ଶର୍ମିଷ୍ଠା କହିଲା ‘‘ମଣିଷ ମନ କଥା କିଏ କହିବ, ଯଦି ସେ ଆପଣଙ୍କ ସହିତ ମତେ ମିଳାମିଶା କରିବାକୁ ନ ଦିଅନ୍ତି ? ମୁଁ ଆଉ କିଛି ଚାହେଁ ନାହିଁ, କିନ୍ତୁ ଆପଣଙ୍କ ସହିତ ମିଳାମିଶାରେ ମୋର ଯେମିତି ପ୍ରତିବନ୍ଧକ ହେଇ କେହି ଛିଡ଼ା ନ ହୁଅନ୍ତି, ମୁଁ ତା’ କୌଣସିମତେ ସହ୍ୟ କରି ପାରିବି ନାହିଁ-

 

‘‘ଶର୍ମିଷ୍ଠା ! ନିଜ ଉପରେ ବିଶ୍ୱାସ ରଖ, ତୁମ ମନ ଯଦି ପବିତ୍ର ଥିବ, ତୁମକୁ କେହି କେବେ ଅଟକାଇ ରଖି ପାରିବ ନାହିଁ ।’’ ଦୃଢ଼ତାର ସହିତ କହିଲେ ପ୍ରଶାନ୍ତ ।

 

‘‘କିନ୍ତୁ କେତେଥର ଏମିତି ହୋଇଛି ଜବରଦସ୍ତ ଅଟକାଇବା, ସନ୍ଦେହ, ଶଙ୍କା ମଣିଷ ମନରେ ଅପରାଧର ଭାବନା ଉଦ୍ରେକ କରାଯାଇଥାଏ ।’’

 

‘‘ଦୃଢ଼ ଚରିତ୍ର ବ୍ୟକ୍ତି ଉପରେ କିନ୍ତୁ ତା’ର କୌଣସି ପ୍ରଭାବ ପଡ଼େ ନାହିଁ ।’’

 

ଶର୍ମିଷ୍ଠା ସବୁ ଶୁଣିଲା, ହେଲେ ଆଉ କିଛି କହିଲା ନାହିଁ ।

 

ପୁଣି କିଛି ସମୟପାଇଁ ରାଜତ୍ୱ କଲା ନୀରବତା ।

 

ଶର୍ମଷ୍ଠା ତା’ ଶରୀର ମଧ୍ୟରେ ଏକପ୍ରକାର ଶିଥିଳତା ଅନୁଭବ କରୁଥିଲା । ଯେମିତି କୌଣସି ସୁନ୍ଦର ମୂର୍ତ୍ତି ନିଶ୍ଚଳଭାବରେ ପଡ଼ି ରହିଛି ।

 

ପ୍ରଶାନ୍ତ, ଶର୍ମିଷ୍ଠାର ଗୋଟିଏ ହାତ ନିଜ ହାତ ମଧ୍ୟରେ ରଖି ଓଠ ପାଖକୁ ନେଇ ଚୁମ୍ବନକରି କହିଲେ, ‘‘ଦୁର୍ବଳତା ଛାଡ଼ ଶର୍ମିଷ୍ଠା ।’’

 

ଶର୍ମିଷ୍ଠା ଯେପରି ସଚେତନ ହୋଇ ଉଠିଲା ।

 

‘‘ମତେ କ୍ଷମା କରନ୍ତୁ, ଗୁରୁଦେବ ! ବିବାହ ମୁଁ କୌଣସି ମତେ କରିପାରିବି ନାହିଁ । ବାପାଙ୍କୁ ମୁଁ ବୁଝାଇ ଦେବି । ସେ କେବେହେଲେ ଦୁଃଖ ପାଇବେ ନାହିଁ । ମତେ କେବଳ ଆପଣଙ୍କର ପୂଜା କରିବାପାଇଁ ଅନୁମତି ଦିଅନ୍ତୁ; ୟା ବ୍ୟତୀତ ମୁଁ ଆଉ ଆପଣଙ୍କଠାରୁ କିଛି ଚାହେଁ ନାହିଁ ।’’

 

‘‘ଶର୍ମିଷ୍ଠା..!’’

 

ଆଉ କିଛି ନକହି ଅନ୍ୟ ଆଡ଼େ ମୁହଁ ବୁଲାଇ ସେଠୁ ଉଠି ଚାଲିଗଲା ଶର୍ମିଷ୍ଠା ।

 

ସମୟ କାହାକୁ ଅପେକ୍ଷା କରେ ନାହିଁ । ସେ ତା’ ନିଜ ଗତିରେ ସମସ୍ତଙ୍କୁ ବାହିନେଇ ଚାଲେ ।

 

ଶର୍ମିଷ୍ଠା ! ଆଉ ବିବାହ କରି ନାହିଁ । ଅମରେନ୍ଦ୍ର ପ୍ରସାଦ ନିଜ କନ୍ୟାକୁ ଭଲଭାବରେ ଜାଣିଥିଲେ । ଯୋଉଥିପାଇଁ ସେ ତାକୁ ଆଉ ବିବାହପାଇଁ ଜୋର କରି ନାହାଁନ୍ତି । କିନ୍ତୁ ଶର୍ମିଷ୍ଠାପାଇଁ ତାଙ୍କ ଅନ୍ତରର କେଉଁ ଏକ କୋଣରେ ଦୁଃଖ ଦେଖା ଦେଇଥିଲା । ଯା’ ଫଳରେ ରକ୍ତଚାପ ରୋଗରେ କିଛିଦିନ ଭୋଗୀ ସେ ପ୍ରାଣ ହରାଇଛନ୍ତି । ଏତେବଡ଼ ଘରେ ଶର୍ମିଷ୍ଠାକୁ ଏକଲା ରହିବାକୁ ଭଲ ଲାଗିନାହିଁ । ସେଥିପାଇଁ ସେ ତା’ ବଡ଼ ଭଉଣୀର ଗୋଟିଏ ବର୍ଷକର ଝିଅକୁ ଝିଅ କରି ଆଣି ପାଖରେ ରଖିଛି ।

 

ପ୍ରଶାନ୍ତ କେତେଥର ଶର୍ମିଷ୍ଠା ପାଖକୁ ଆସିଛନ୍ତି, ଆଉ ତାକୁ ବୁଝାଇଛନ୍ତି ଯେ ଏମିତିଭାବେ ଜୀବନ ବ୍ୟତୀତ କରିବାଠାରୁ ତା’ର ବିବାହ କରିନେବା ନିହାତି ଉଚିତ । କିନ୍ତୁ ଶର୍ମିଷ୍ଠାର ସେଇ ଗୋଟିଏ କଥା । ସେ କୌଣସି ମତେ ଆଉ ବିବାହ ବନ୍ଧନରେ ନିଜକୁ ବାନ୍ଧି ରଖିପାରିବ ନାହିଁ ।

 

ଶର୍ମିଷ୍ଠାଠାରୁ ଏପରି କଥା ଶୁଣି ଆଉ କିଛି କହିନାହାନ୍ତି ପ୍ରଶାନ୍ତ । ତା’ ଅନୁରୋଧରେ ସେ ତା’ର କନ୍ୟାର ନା ରଖିଥାନ୍ତି ଭାସ୍ୱତୀ ।

 

ପ୍ରଶାନ୍ତ ପ୍ରଥମେ ଶର୍ମିଷ୍ଠା ପାଖକୁ ଏକଲା ଆସୁଥିଲେ । ଏଇକ୍ଷଣି ସେ ତାଙ୍କ ବନ୍ଧୁପୁଅ ଟୁଟୁକୁ ସାଙ୍ଗରେ ନେଇ ଆସନ୍ତି । ଟୁଟୁ ଭାସ୍ୱତୀଠାରୁ ବୟସରେ ବଡ଼ । ଖେଳରେ ମଧ୍ୟ ଦୁହେଁ ସମାସ୍କନ୍ଧ ନୁହନ୍ତି । ତଥାପି ଟୁଟୁ ଝୁମୁକା, ରବର ବଲ୍‍, ପ୍ଲାଷ୍ଟିକ କଣ୍ଢେଇ ପ୍ରଭୃତି ଖେଳଣାରେ ଭାସ୍ୱତୀକୁ ଖେଳାଉଥିଲା । ଟୁଟୁର କେହି ଛୋଟ ଭାଇ କିମ୍ବା ଭଉଣୀ ନଥିଲେ । ସେଥିପାଇଁ ପ୍ରଶାନ୍ତ ଯେତେବେଳେ ଶର୍ମିଷ୍ଠା ଘରକୁ ଯିବାକୁ କହନ୍ତି ଟୁଟୁ ତାଙ୍କ ସାଙ୍ଗରେ ବାହାରି ପଡ଼େ ।

 

ଏହିପରି ଭାବରେ ଶର୍ମିଷ୍ଠା, ସୁଷମା, ତଥା ପ୍ରଶାନ୍ତ- ପରସ୍ପରଙ୍କର ପରସ୍ପର ସହିତ ସମ୍ପର୍କ ଦିନୁ ଦିନ ବଢ଼ି ଚାଲିଲା ।

 

ଟୁଟୁ ଏଇକ୍ଷଣି ସ୍କୁଲ ଯିବାକୁ ଲାଗିଥାଏ । ସ୍କୁଲର ଛୋଟ ଛୋଟ ପାଠସବୁ ସେ ତା’ର ପ୍ରଶାନ୍ତ କକାଙ୍କୁ ଶୁଣେଇ ଶୁଣେଇ କରୁଥାଏ । ପ୍ରଶାନ୍ତ ଏକାଧାରରେ ତା’ର କକା, ଶିକ୍ଷକ ଏବଂ ବନ୍ଧୁ ଥିଲେ । ପ୍ରଶାନ୍ତଙ୍କ ସାଙ୍ଗରେ ଖେଳିବାକୁ ବୁଲିବାକୁ ଟୁଟୁକୁ ଖୁବ୍‍ ଭଲ ଲାଗୁଥିଲା ।

 

ଟୁଟୁ ପ୍ରଶାନ୍ତଙ୍କ ସାଙ୍ଗରେ ଶର୍ମିଷ୍ଠା ଘରକୁ ବରାବର ଆସୁଥିଲା । ଶର୍ମିଷ୍ଠା ତାକୁ ଦେଖେ-। ସେ ପ୍ରଶାନ୍ତଙ୍କର ଅତ୍ୟଧିକ ପ୍ରିୟ ଥିଲା । ସେଥିପାଇଁ ଶର୍ମିଷ୍ଠାକୁ ମଧ୍ୟ ତାକୁ ଖୁବ୍‍ ଭଲ ଲାଗୁଥିଲା-। ସେ ମନେ ମନେ ଭାବୁଥିଲା ଯଦି ଟୁଟୁ ଆଉ ଭାସ୍ୱତୀ ବଡ଼ ହୋଇ ପରସ୍ପର ନିକଟରେ ରୁହନ୍ତି, ତା’ହେଲେ କେତେବେଳେ ହେଲେ ଜୀବନର ଅଚ୍ଛେଦ୍ୟ ସମ୍ପର୍କଟା ଏଇଥିରେ ସ୍ଥାପିତ ହୋଇଯା’ନ୍ତା-

 

ରୁନୁ ବର୍ଷକର ହେଲା, ଦୁଇ ବର୍ଷର ହେଲା । ଶେଷରେ ଆସ୍ତେ ଆସ୍ତେ ଚାଲିଶିଖିଲା ତା’ପରେ ଦୌଡ଼ିଲା ।

 

ରୁନୁ ସ୍କୁଲକୁ ଗଲା । ରୁନୁ କଲେଜରେ ଆସି ପାଦ ଦେଲା ।

 

କିଛି ବର୍ଷ ପୂର୍ବେ ଅନ୍ନଦାଶଙ୍କର ଦ୍ୱିତୀୟ ଦାର ଗ୍ରହଣ କରି ସାରିଥାନ୍ତି । ଅନ୍ନଦାଶଙ୍କରଙ୍କ ମା ନିଜ ପୁଅର ଏଭିଳି ଉଦାସ ଚେହେରା ଲକ୍ଷ୍ୟକରି କାନ୍ଦିକାଟି ତାଙ୍କ ପସନ୍ଦ କରିଥିବା ଏକ ଝିଅ ସହିତ ତାଙ୍କର ବିବାହ କରି ଦେଇଥାନ୍ତି । ଅନ୍ନଦାଶଙ୍କର ମଧ୍ୟ ମା’ଙ୍କର କନ୍ଦାକଟା ଦେଖି ବିବାହରେ ସମ୍ମତି ଦେଇ ଦେଇଥିଲେ ।

 

ଆଉରି କିଛି ବର୍ଷ ବିତିଗଲା

 

ଅନ୍ନଦାଶଙ୍କରଙ୍କ ଦ୍ୱିତୀୟ ପକ୍ଷ ସ୍ତ୍ରୀର କୌଣସି ପିଲାପିଲି ହେଲା ନାହିଁ । ତାଙ୍କ ସ୍ତ୍ରୀ ତାଙ୍କ ଭାଇର ପୁଅକୁ ପୁଅ କରି ରଖିବାକୁ ଚାହୁଁଥିଲେ; କିନ୍ତୁ ଅନ୍ନଦାଶଙ୍କର ରାଜି ହୋଇନଥିଲେ । ଏଇଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳିଗୋଳ ଏବଂ ମନାନ୍ତର ଦେଖା ଦେଉଥିଲା । ତାଙ୍କ ସ୍ତ୍ରୀ ଅଧିକାଂଶ ଦିନ ଯାଇ ତାଙ୍କ ବାପଘରେ ରହୁଥିଲେ ।

 

ଦିନେ ଅନ୍ନଦାଶଙ୍କର ତାଙ୍କ ସ୍ତ୍ରୀ ଏବଂ ରୁନୁ ସହିତ ଦାର୍ଜିଲିଂ ଯାଇଥିଲେ । ସେଦିନ ତାଙ୍କୁ ଟିକେ ଥଣ୍ଡା ଧରିଥିଲା । ଘରେ ଖାଲି ଖାଲି ବସି ରହିବାକୁ ତାଙ୍କୁ ଭଲ ଲାଗୁନଥିଲା । ସେଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ନଇ ଗାଡ଼ିରେ ବୁଲି ବାହାରିଲେ । ରୁନୁ ସେତେବେଳେ ତା’ର କେତେକ ବନ୍ଧୁଙ୍କ ସାଙ୍ଗରେ କୁଆଡ଼େ ବୁଲିଯାଇଥିଲା ।

 

ନିଜେ ଡ୍ରାଇଭିଂ କରୁଥିଲେ ଅନ୍ନଦାଶଙ୍କର । ପାଖରେ ବସିଥିଲେ ତାଙ୍କ ସ୍ତ୍ରୀ । ଗାଡ଼ିଟି ପାହାଡ଼ିଆ ଅଙ୍କାବଙ୍କା ରାସ୍ତାଦେଇ ଛୁଟି ଚାଲିଥାଏ । ହଠାତ୍‍ ବୋଧେ କୌଣସି କାରଣରୁ ସେ ଟିକେ ଅନ୍ୟମନସ୍କ ହୋଇପଡ଼ିଥିଲେ । ଗାଡ଼ିଟା ସ୍ପିଡରେ ଥିଲା । ଗୋଟାଏ ଜାଗାରେ ଟର୍ନିଂ ନେଉ ନେଉ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‍ ସହିତ ତାଙ୍କ ଗାଡ଼ିର ମୁହାଁମୁହିଁ ସଂଘର୍ଷ ହେଲା । କିଛି ବୁଝିବା ପୂର୍ବରୁ ଆଖି ସମାନାରେ ସେ କେବଳ ଅନ୍ଧକାର ଦେଖିଥିଲେ ।

 

ଏ’ ଦୁର୍ଘଟଣାରେ ଅନ୍ନଦାଶଙ୍କରଙ୍କ ସ୍ତ୍ରୀ ସେଇଠି ପ୍ରାଣ ହରାଇଲେ । ଅନ୍ନଦାଶଙ୍କର ବଞ୍ଚିଗଲେ ହେଲେ ଦୁଇଟିଯାକ ଗୋଡ଼ ତାଙ୍କର ଅକର୍ମଣ୍ୟ ହୋଇଗଲା । ତାଙ୍କପାଇଁ ଏକ ବିଶେଷ ଧରଣର ହାତଗୋଡ଼ ତିଆରି ହେଲା ।

 

ତା’ପରେ ବାପଝିଅ ଦାର୍ଜିଲିଂରୁ ନିଜ ଘରକୁ ଫେରି ଆସିଲେ ।

 

ଅନ୍ନଦାଶଙ୍କରଙ୍କ ଜୀବନ ବିଚିତ୍ର ଧରଣର ହୋଇ ଉଠିଲା । ସେ ନିଜ ବେପାର ବଣିଜ ତାଙ୍କ ଲୋକଦ୍ୱାରା କୌଣସିମତେ ଚଳାଇ ନେଉଥିଲେ; କିନ୍ତୁ ଜୀବନର ବଡ଼ କାର୍ଯ୍ୟରୁ ସେ ସବୁଦିନପାଇଁ ବଞ୍ଚିତ ହୋଇଯାଇଥିଲେ । ଗୋଡ଼ ଦୁଇଟି ଅକର୍ମଣ୍ୟ ହୋଇଯାଇଥିବାରୁ ସେ ନିଜକୁ ବଡ ଅସହାୟ ମନେ କରୁଥିଲେ । ତାଙ୍କର ମନେହେଉଥିଲା ଯେପରି ସେ ଏଣିକି ପରାଧୀନ ହୋଇଗଲେ ! କିନ୍ତୁ କନ୍ୟା ରୁନୁ ତାଙ୍କୁ ସେ’ଟା ଅନୁଭବ କରିବାକୁ ଦଉନଥିଲା ।

 

କେବଳ କଲେଜ ସମୟତକ ବ୍ୟତୀତ ରୁନୁ ତା’ ବାପାଙ୍କ ପାଖେ ପାଖେ ସବୁବେଳେ ରହୁଥିଲା । ଏପରି କି ସେ କଲେଜ ମଧ୍ୟ ବନ୍ଦ କରିଦେବାକୁ ଚାହୁଁ ଥିଲା କିନ୍ତୁ ଅନ୍ନଦାଶଙ୍କର ତାକୁ ତା’ କରିବାକୁ ଦେଲେ ନାହିଁ । ରୁନୁ ସବୁବେଳେ ତାଙ୍କ ପାଖେ ପାଖେ ରହୁଥିବାରୁ ତାଙ୍କୁ ବେଶ୍‍ ଭଲ ଲାଗୁଥିଲା । ରୁନୁ ଖବରକାଗଜ ପଢ଼େ, ଅନ୍ନଦାଶଙ୍କର ଶୁଣନ୍ତି । ରୁନୁ ଗୀତ ଗାଏ, ଅନ୍ନଦାଶଙ୍କର ଶୁଣନ୍ତି । ଅନ୍ନଦାଶଙ୍କର ଗାଡ଼ିରେ ବସିଲେ ରୁନୁ ନିଜ ହାତରେ ଗାଡ଼ିକୁ ଠେଲି ଠେଲି ବଗିଚାରେ ବୁଲାଇବାକୁ ଲାଗେ । କୌଣସି ଚାକରକୁ ହାତପର୍ଯ୍ୟନ୍ତ ଲଗାଇବାକୁ ଦିଏନାହିଁ । ବଗିଚାରୁ ଫୁଲ ଛିଣ୍ଡାଇ ପିତାଙ୍କ କାମିଜରେ ଲଗାଇଦିଏ । ନୂଆ କିଆରୀ ତିଆରି କରେ । ନୂଆ ଫୁଲଗଛ ଲଗାଏ । ପ୍ରତିଦିନ ବାପଝିଅ ଫୁଲଗଛ ପାଖରେ ଯାଇ ବସନ୍ତି । ନୂଆ ଫୁଟିଥିବା ଫୁଲର ଗଣତି କରନ୍ତି, ନୂଆ କଢ଼କୁ ପରୀକ୍ଷା କରନ୍ତି, ନୂଆ ଫୁଲର ବ୍ୟାଖ୍ୟା ହୁଏ ଜଣେ କୁହେ, ଅନ୍ୟଜଣେ ଶୁଣେ ।

 

ରୁନୁ ଜାଣିଥିଲା ତା’ ଜନ୍ମଦାତ୍ରୀ ଏବେ ବି ଜୀବିତ ଅଛନ୍ତି । ସେ ୟା ମଧ୍ୟ ଜାଣିଥିଲା, ତା’ ବାପା ତା’ ମା’ଙ୍କ ବିଷୟରେ କୌଣସି କଥା ଶୁଣିବାକୁ ଭଲପା’ନ୍ତି ନାହିଁ । ରୁନୁ ସେଇ ମୁଦଦିଆ କାହାଣୀର କଥା କେବେହେଲେ ପକାଏ ନାହଁ । ତା’ ବାପାଙ୍କୁ ତାକୁ ଖୁବ୍‍ ଭଲ ଲାଗୁଥିଲା । ତାଙ୍କର ଉତ୍ତମ ବିଚାର, କୋମଳ ହୃଦୟ ଆଉ ପ୍ରଖର ବୁଦ୍ଧିରୁ ସେ ଏମିତି କିଛି ଦୋଷ ବାରିପାରୁ ନଥିଲା ଯା’ କି ସେ ତା’ ମା’ଙ୍କ ପ୍ରତି କୌଣସି ଅନୁଚିତ ବ୍ୟବହାର କରିଛନ୍ତି ବୋଲି ଭାବିବ । ତା’ ଛଡ଼ା ତା’ ବାପା ତ ଏଇକ୍ଷଣି ତାଙ୍କ ମୁଖ୍ୟ ଅଙ୍ଗରୁ ବଞ୍ଚିତ । ସେଥିପାଇଁ ସେ ସର୍ବଦା ଉଦାସ ରହୁଥିଲେ । ରୁନୁ ତା’ର ସମସ୍ତ ଶ୍ରଦ୍ଧା ଆଉ ସମୟ ତା’ ପିତାଙ୍କପାଇଁ ଉତ୍ସର୍ଗ କରିଦେଇଥିଲା । ସେ ପଣ କରିଥିଲା ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ତା’ ପିତାଙ୍କୁ କୌଣସି ଅଭାବ ଅନୁଭବ କରିବାକୁ ଦେବନାହିଁ-। ଏପରିକି ସେ ବିବାହ ମଧ୍ୟ ସେତିକିବେଳେ କରିବ ଯେତେବେଳେ ସେ ଜାଣିବ ଯେ ତା’ ଭାବୀ ସ୍ୱାମୀ ତା’ ପିତାଙ୍କର ପୁତ୍ର ପରି ପ୍ରିୟ ହୋଇ ପାରିବ । ଅନ୍ୟଥା ସେ ସାରା ଜୀବନ ଅବିବାହିତା ରହିବ ।

 

ଆଜି ଯେତେବେଳେ ଫୁଲ ବଗିଚାରେ ପିତା ପୁତ୍ରୀ ଦୁହେଁ ଆସି ବସିଲେ, ରୁନୁ କତୋଟି ନବ ବିକଶିତ ଫୁଲ ବିଷୟରେ ଜାଣିବାପାଇଁ ଅନ୍ନଦାଶଙ୍କରଙ୍କୁ ନୂଆ କିଣିଥିବା ଗୋଟିଏ ବହି ଦେଖାଇଲା ।ଅନ୍ନଦାଶଙ୍କର ବହିଟିକୁ ଦେଖିଲେ । ହେଲେ ସେ ପ୍ରସଙ୍ଗକୁ ଆଉ ସେ ବଢ଼ିବାକୁ ଦେଲେ ନାହିଁ ।

 

‘‘ରୁନୁ ! ତୋର କ’ଣ ତୋ ମା’ ବିଷୟରେ କିଛି ଜାଣିବାକୁ ଇଚ୍ଛା ହୁଏ ନାହିଁ ?’’ ଖୁବ୍‍ ଧୀର ସ୍ୱରରେ ପ୍ରଶ୍ନକଲେ ଅନ୍ନଦାଶଙ୍କର ।

 

ଦୀର୍ଘଦିନ ପରେ ପିତାଙ୍କ ମୁହଁରୁ ହଠାତ୍‍ ଏ ପ୍ରଶ୍ନ ଶୁଣି ଟିକେ ବିସ୍ମିତ ହେଲା ରୁନୁ । ଏ ଅପ୍ରତ୍ୟାଶିତ ପ୍ରଶ୍ନର ଉତ୍ତରପାଇଁ ସେ ନିଜକୁ ପୂର୍ବରୁ ପ୍ରସ୍ତୁତ କରିନଥିଲା । ତା’ ଛଡ଼ା ସେ ନିଜେ ତ ଠିକ୍‍ କରିଥିଲା କେବେ ଯଦି ଆବଶ୍ୟକ ହୁଏ ପ୍ରଶ୍ନକର୍ତ୍ତା ସେ ସ୍ୱୟଂ ହେବ । ଆଉ ଉତ୍ତର ଦେବେ ତା’ ବାପା; କିନ୍ତୁ ଆଜି ତ ତା’ ଓଲଟା ହୋଇଗଲା ।

 

‘‘କଣ ହେଲା ରୁନୁ, କିଛି ଭାବୁଚୁ ?’’ ରୁନୁକ ନୀରବ ଦେଖି ପୁନର୍ବାର ପ୍ରଶ୍ନକଲେ ଅନ୍ନଦାଶଙ୍କର ।

 

ରୁନୁ ଆଉ ଚୁପହେଇ ରହିବାଟା ଠିକ୍‍ ମନେକଲା ନାହିଁ ।

 

‘‘ହଠାତ୍‍ ଆପଣ ଆଜି ମତେ ଏ ପ୍ରଶ୍ନ କାହିଁକି କରୁଛନ୍ତି ବାପା ?’’

 

‘‘ନାହିଁ ରୁନୁ, କହ ।’’ ସ୍ନେହପୂର୍ବକ କହିଲେ ଅନ୍ନଦାଶଙ୍କର ।

 

‘‘ପିଲାଟି ଦିନୁ ତୁମ ଛଡ଼ା ମୁଁ ଆଉ କାହାକୁ ଜାଣେନା ବାପା ! ତୁମେ ଏତେ ଭଲ ଯେ ମୋର ଆଉ କିଛି ଜାଣିବାକୁ ଇଚ୍ଛା ହୁଏ ନାହିଁ ।’’ ରୁନୁ ସ୍ନେହରେ ଅନ୍ନଦାଶଙ୍କରଙ୍କ ବେକରେ ତା’ ହାତ ଦୁଇଟିକୁ ଛନ୍ଦିଦେଇ କହିଲା ।

 

‘‘ରୁନୁ, ମୁଁ ଭଲ, ତୁ ଭଲ; କିନ୍ତୁ ତୋର ଜନ୍ମଦାତ୍ରୀ ତ ନିଶ୍ଚେ କେହି ଭଲ ନାରୀ ହୋଇଥିବ, ତୁ ଏକଥା କେବେ ଭାବିଚୁ ?’’

 

ରୁନୁ କିପରି ଭାବେ ତା’ ପିତାଙ୍କୁ ବୁଝାଇବ ଯେ ସେ ତା’ ମା’ ବିଷୟରେ କିଛି ଭାବେ ନାହିଁ । ସେ ତ ନିଜର ଭାବନା ପର୍ଯ୍ୟନ୍ତ ତାଙ୍କ ଖୁସିପାଇଁ ଉତ୍ସର୍ଗ କରିଦେଇଛି । ପିତାଙ୍କ ମନକୁ ସେଆଡ଼ୁ ଫେରାଇ ଆଣିବାପାଇଁ ସେ କହିଲା, ‘‘ତୁମେ ମୋ ବହିଟା ଆଗ ଦେଖିଲ । ଜାଣ, କୋଉଠୁ କିଣିକରି ଆଣିଛି ?’’ କହି ଗଛରୁ ଗୋଟିଏ ଫୁଲ ଛିଣ୍ଡାଇ ଅନ୍ନଦାଶଙ୍କରଙ୍କ ହାତକୁ ବଢ଼ାଇ ଦେଲା ସେ ।

 

ଫୁଲଟିକୁ ଧରି ଅନ୍ନଦାଶଙ୍କର ଭାବି ବସିଲେ ତାଙ୍କ ବୁଦ୍ଧିମତୀ ଝିଅ ରୁନୁ କଥା । ରୁନୁ ନିଶ୍ଚେ ମନେ ମନେ ତା’ ମା’ କଥା ଭାବେ । ଯୋଉଥିପାଇଁ ଉତ୍ତର ଦବାକୁ ସେ ତାଙ୍କୁ ଏପରି ଅନ୍ୟମନସ୍କ କରୁଛି ।

 

‘‘ରୁନୁ, ଜାଣୁ, ତୋ ମା’ ଖୁବ୍‍ ଭଲ ଥିଲା । ମୋର ଦୁଃଖ କେବଳ ଏତିକି ସେ ତୋ ଜୀବନରେ ପ୍ରବେଶ କରି ପାରିଲା ନାହିଁ । ଏପରି ମା’ର ଅଭାବ ଯା ତୋ’ ହୃଦୟରେ ରହିଗଲା ।’’ ଧୈର୍ଯ୍ୟର ସହିତ କହିଲେ ଅନ୍ନଦାଶଙ୍କର ।

 

‘‘ମୋ ଜୀବନରେ କୌଣସି ଅଭାବ ମୁଁ ଆଜି ପର୍ଯ୍ୟନ୍ତ ଅନୁଭବ କରିନାହିଁ । ତୁମେ ତ ତାକୁ ସବୁଆଡ଼ୁ ପୂର୍ଣ୍ଣ କରି ରଖିଛ ।’’ ସ୍ନେହଜଡ଼ିତ କଣ୍ଠରେ କହିଲା ସେ । ‘‘କିନ୍ତୁ ...’’ ଟିକେ ରହିଯାଇ ପୁନର୍ବାର ସାହସ କରି ପଚାରିଲା, ‘‘ସେ କାହିଁକି ମୋ ଜୀବନରେ ପ୍ରବେଶ କରି ପାରିଲେ ନାହିଁ ?’’

 

ଅନ୍ନଦାଶଙ୍କର ଏ ପ୍ରଶ୍ନର କୌଣସି ଉତ୍ତର ଦେଇପାରିଲେ ନାହିଁ । ଏକ ଦୀର୍ଘଶ୍ୱାସ ନିକ୍ଷେପ କରି ଚୁପ୍‍ ରହିଗଲେ ।

 

ରୁନୁପାଇଁ ସମସ୍ୟା ଆହୁରି ଜଟିଲ ହୋଇ ଉଠିଲା । ବାପା ଭଲ, ମା ବି ଭଲ, ତା’ହେଲେ ଖରାପ କିଏ ....? ତା’ଭାଗ୍ୟ ଆଉ ବିଧାତାଙ୍କର କ୍ରୂର ପରିହାସ, ଯା’ କି ଦୁହିଁଙ୍କୁ ନିକଟକୁ ଆଣି ପାରିଲା ନାହିଁ ।

 

‘‘ରୁନୁ, ଆଜି କାହିଁକି ମୋର ମନେ ହେଉଛି ଗୋଟିଏ ଅସମ୍ଭବ ଜିନିଷକୁ ସମ୍ଭବ କରିବାପାଇଁ ।’’ ନିଜକୁ ଟିକେ ସମ୍ଭାଳି କହିଲେ ଅନ୍ନଦାଶଙ୍କର ।

 

‘‘କ’ଣ ବାପା ?’’ ଟିକେ ଆଶ୍ଚର୍ଯ୍ୟ ଦୃଷ୍ଟିରେ ପିତାଙ୍କ ଆଡ଼େ ଚାହିଁରହିଲା ରୁନୁ ।

 

ଅନ୍ନଦାଶଙ୍କର ଚୁପ୍‍ ହୋଇଗଲେ ।

 

ରୁନୁ ତାଙ୍କ ଉତ୍ତରର ପ୍ରତୀକ୍ଷା କରିବାକୁ ଲାଗିଲା ।

 

ଅନ୍ନଦାଶଙ୍କର ଭାବୁଥିଲେ-

 

ସେ କହିଥିଲା, ତାଙ୍କ ସୁମିତ୍ରା କହିଥିଲା, ‘‘ଆମ ପଥ ଅଲଗା ଅଲଗା ହୋଇଗଲା–ଏକର, ଅନ୍ୟର ଆଉ ଆବଶ୍ୟକତା ରହିଲା ନାହିଁ । ସେ ଆଉ ଏ ପଥରେ ଆସିବ ନାହିଁ । ଆଦେଶ ଅଥବା ମିନତୀ କେହି ଆଉ ତାକୁ ଫେରାଇ ଆଣି ପାରିବେ ନାହିଁ । ତା’ ଛଡ଼ା ସେ ଭାବୁଥିଲେ ସେ ଆଦେଶ କିମ୍ବା ମିନତୀ କରିବାକୁ କିଏ । ଅଠର ବର୍ଷ ହେଇଗଲା । ଜୀବନର ପାହାଡ଼ ପରି ଲମ୍ବା ସମୟ ବିତିଗଲା । ଯୌବନ ବିଦାୟ ନେଲା । ଶରୀରଟା ମଧ୍ୟ ଦଗା ଦେଇଦେଲା । ଏଇକ୍ଷଣି ସେ ପଙ୍ଗୁ । ଅଧା ଶରୀରଟିକୁ ନେଇ ଅସହାୟଭାବରେ ବସି ରହିଛନ୍ତି । ଅଠର ବର୍ଷ ଧରି ସେ ସୁମିତ୍ରାର କୌଣସି ଖବର ରଖି ନାହାନ୍ତି । କିଏ ଜାଣେ ଜୀବନର ଏଇ ଦୀର୍ଘ ସମୟତକ ସେ ହସିକରି କଟାଇଛି କିମ୍ବା କାନ୍ଦିକରି ? ନା, ସେ ଭଲରୂପେ ଜାଣନ୍ତି ସେ କେବେ ହସି ପାରେନା, କାନ୍ଦିବା ତ ତା’ ସ୍ୱଭାବରେ ନଥିଲା । କିନ୍ତୁ ସେ ତ ତା’ ହସ କାନ୍ଦର କୌଣସି ଖବର ରଖିନାହାନ୍ତି । ସେ ଜାଣିଥିଲେ ସୁମିତ୍ରା ଏକ ପ୍ରାଇଭେଟ ସ୍କୁଲରେ ଟିଚର ଅଛି । ସେ ତା’ ମା ବାପାଙ୍କର ଆଶ୍ରୟ ଗ୍ରହଣ କରିନାହିଁ, ସ୍ୱାମୀର ସହାୟତା ସ୍ୱୀକାର କରିନାହିଁ । ତା’ ପ୍ରେମିକ ସହିତ ପୁନର୍ବାର ସାକ୍ଷାତ ପର୍ଯ୍ୟନ୍ତ କରିନାହିଁ । ଏପରି ସ୍ତ୍ରୀ ବୋଧେ ଆଜିର ଦୁନିଆରେ ଖୁବ୍‍ କମ୍‍ ଦେଖାଯା’ନ୍ତି ।

 

ଅନ୍ନଦାଶଙ୍କର ଭାବୁଥିଲେ ଏହିପରି ଭାବରେ ସୁମିତ୍ରା ତା’ ଜୀବନର ଅଠର ବର୍ଷ ବିତାଇ ଦେଲା, କିନ୍ତୁ ସେ କ’ଣ କଲେ ଆଉଥରେ ବିହାହ କରିନେଲେ; ହେଲେ ବିଧାତାଙ୍କର କି ନିଷ୍ଠୁର ପରିହାସ । ତାଙ୍କ ଦ୍ୱିତୀୟ ସ୍ତ୍ରୀ କୌଣସି ଦିନ ମା’ ହୋଇ ପାରିଲେ ନାହିଁ । ବୋଧେ ତାଙ୍କ ସ୍ତ୍ରୀ ତାଙ୍କ ହୃଦୟର ପ୍ରକୃତ ସାଥୀ ହୋଇପାରି ନଥିଲେ, ଯୋଉଥିପାଇଁ ଭାଗ୍ୟ ତାଙ୍କର ସହାୟତା କଲା । ତା’ ଛଡ଼ା ସେମିତି ତ....

 

‘‘ସେ ଦୋଷୀ ନୁହେଁ ।’’ ହଠାତ୍‍ ଅନ୍ନଦାଶଙ୍କରଙ୍କ ପାଟିରୁ ବାହାରି ପଡ଼ିଲା । ସେ ପୁଣି ଭାବି ବସିଲେ ସୁମିତ୍ରା ଜଣକୁ ଭଲପାଉଥିଲା, ସେ ଭଲପାଇବା ପଲ୍ଲବିତ ହେବା ପୂର୍ବରୁ ସେ ତାଙ୍କୁ ବିବାହ କଲା । ବିବାହ ମଧ୍ୟ ତା’ ଇଚ୍ଛାରେ ହେଲା ନାହିଁ, କରି ଦିଆଗଲା । ଆଉ ସେ ସୁମିତ୍ରାକୁ ଅନ୍ତର ସହ ଭଲ ପାଉଥିଲେ ।

 

ଜାରିକରି ହେଉ କିମ୍ବା ଅଜାଣତରେ ହେଉ; କିନ୍ତୁ ପ୍ରେମ ବଦଳରେ ପ୍ରେମ ମିଳିଲା ନାହିଁ-। ସେ ଆଉଥରେ ବିବାହ କଲେ । ସେ ଜାଣିଶୁଣି ଦ୍ୱିତୀୟ ବିବାହ କଲେ । ନବ ପରିଣୀତା ପତ୍ନୀପାଇଁ ତାଙ୍କ ପାଖରେ ପ୍ରେମ ନଥିଲା; ତଥାପି ବିବାହ କଲେ ସେ । ସୁମିତ୍ରାଠାରୁ ସେ ବେଶୀ ଦୋଷୀ । ସୁମିତ୍ରା ତାଙ୍କଠାରୁ ବେଶୀ ଦୋଷୀ ନୁହେଁ ।

 

‘‘ହଁ ରୁନୁ, ମୁଁ ଯା କହୁଥିଲି, ମନ ଚାହୁଁଛି ଆଜି ଗୋଟିଏ ଅସମ୍ଭବ କଥାକୁ ସମ୍ଭବ କରିଦବାକୁ ।’’ ପୁନର୍ବାର କହିଲେ ଅନ୍ନଦାଶଙ୍କର ।

 

‘‘କ’ଣ ବାପା ?’’

 

‘‘ରୁନୁ, ଯଦି ତୋ ମା’ ମିଳିଯାଏ ତତେ କେମିତି ଲାଗିବ କହିଲୁ ?’’ ରୁନୁକୁ ନିଜ ଆଡ଼କୁ ଆଉଜାଇ ଆଣି କହିଲେ ଅନ୍ନଦାଶଙ୍କର ।

 

‘‘କିନ୍ତୁ ମୁଁ ତୁମକୁ ଛାଡ଼ି ରହିପାରିବି ନାହିଁ ବାପା ।’’

 

‘‘ପାଗେଳି, ମୁଁ କେତେବେଳେ କହିଲି କି ତତେ ମୋ’ଠାରୁ ଅଲଗା ରହିବାକୁ ପଡ଼ିବ ।’’

 

‘‘କିନ୍ତୁ.......’’

 

‘‘ତୁ କ’ଣ ଭାବୁଚୁ ଏ’ଟା ସମ୍ଭବ ନୁହେଁ ?’’ ଟିକେ ଉଦାସ ଭାବେ ପଚାରିଲେ ଅନ୍ନଦାଶଙ୍କର ।

 

‘‘ମୁଁ କେମିତି କହିବି ।’’ ରୁନୁ ଯେମିତି କିଛି ବୁଝିପାରୁ ନଥିଲା

 

‘‘ମୁଁ କିଛି ବୁଝିପାରୁ ନାହିଁ ରୁନୁ, ମୋର ମନେ ହେଉଛି ଯେମିତି ତୋ ମା’କୁ ନ ଦେଖିଲେ ମୁଁ ଆଉ ବେଶୀଦିନ ବଞ୍ଚି ରହିପାରିବି ନାହିଁ ।’’ ଅନ୍ନଦାଶଙ୍କରଙ୍କ କଣ୍ଠ ରୁନ୍ଧି ହୋଇ ଆସିଲା ।

 

ରୁନୁ କିଛି କହିପାରିଲା ନାହିଁ ।

 

ଯେତେବେଳେ ମୋର ଆକ୍‍ସିଡେଣ୍ଟ ହେଲା, ସେତେବେଳେ ବୋଧେ ମୁଁ ଏଇଥିପାଇଁ ମରି ପାରିଲି ନାହିଁ । ତୋ ନୂଆ ମା’ର କିଛି ଦୋଷନଥିଲା । ମୁଁ ତାକୁ ନିକଟକୁ ଆଣି ପାରିଲି ନାହିଁ-। ସେ ମଧ୍ୟ ମତେ କେବେ ବୁଝିବାକୁ ଚେଷ୍ଟା କଲା ନାହିଁ । ତା’ ଛଡ଼ା ଯୋଉ ଆଖିରେ ତୋ ମା’ ପରି ସ୍ତ୍ରୀର ଛବି ଆସି ଥରେ ରହିଯାଏ, ସେଠି ସେ ପୁରୁଷ ଯେତେଟା ବିବାହ କରୁନା କାହିଁକି ତା’ ଆଖିକୁ ଆଉ କେହି ସୁନ୍ଦର ଦେଖାଯା’ନ୍ତି ନାହିଁ ।

 

ଅନ୍ନଦାଶଙ୍କର ଆଜି ରୁନୁ ସମ୍ମୁଖରେ ତାଙ୍କର କେତେଗୁଡ଼ିଏ ଗୋପନ କଥା ପ୍ରକାଶ କରିଦେଲେ ।

 

ରୁନୁ ଅନ୍ନଦାଶଙ୍କରଙ୍କ ମସ୍ତକରେ ଧୀରେ ଧୀରେ ତା’ ଅଙ୍ଗୁଳି ସଞ୍ଚାଳନ କରିବାକୁ ଲାଗିଲା । ଆଜି ଅନ୍ନଦାଶଙ୍କର ଭୋକିଲା ଥିଲେ । ସ୍ନେହର ଭୋକିଲା । ତାଙ୍କ ଝିଅର ସ୍ନେହବୋଳା ଅଙ୍ଗୁଳି ସ୍ପର୍ଶ ତାଙ୍କୁ ଖୁବ୍‍ ଭଲ ଲାଗୁଥିଲା; କିନ୍ତୁ ଏଇ ସ୍ନେହ ତାଙ୍କପାଇଁ ପର୍ଯ୍ୟାପ୍ତ ନଥିଲା । ଆଜି ସେ ଚାହୁଁଥିଲେ ସୁମିତ୍ରାକୁ । ତା’ ହସ୍ତ-ସ୍ପର୍ଶକୁ । ଥରେ ଯଦି ସୁମିତ୍ରା ଆସନ୍ତା ଆଉ ତାଙ୍କର ପରାଧୀନ ଶରୀରଟିକୁ ଆଶ୍ରା ଦିଅନ୍ତା ! ସୁମିତ୍ରା, ଯିଏ କି କାହାର ଆଶ୍ରା ଗ୍ରହଣ କରେନାହିଁ; ଦେଇପାରେ ।

 

ରୁନୁ ତା’ ବାପାଙ୍କ ଦେହରେ ହାତ ଦେଇ ହଲାଇ ଦେଲା । ବାପାଙ୍କୁ ଚିନ୍ତା ରାଜ୍ୟରୁ ଫେରାଇ ଆଣିବାକୁ ଚାହୁଁଥିଲା ସେ ।

 

‘‘ସେ ଏଇକ୍ଷଣି କୋଉଠି ?’’ ଅନ୍ନଦାଶଙ୍କରଙ୍କ ମସ୍ତକରେ ହସ୍ତ ସଂଚାଳନ କରୁ କରୁ ପ୍ରଶ୍ନକଲା ରୁନୁ ।

 

‘‘ଗୋଟିଏ ସ୍କୁଲରେ ସେ ଟିଚର ଅଛି । ମୁଁ ତା’ର ଠିକଣା ଜାଣେ, ତେବେ ମୁଁ ତା’ ପାଖକୁ ଯାଇ ନାହିଁ ।’’

 

‘‘ତୁମେ ଯା’ କହିବ ମୁଁ କରିବାକୁ ରାଜି ଅଛି ।’’ ବହୁତ ଭାବିବା ପରେ ରୁନୁ ଏତିକି କହିଲା ।

 

‘‘ଗୋଟିଏ ଚିଠି ଲେଖି ଦେଖେଁ, ଯଦି...?’’

 

‘‘ଯଦି ତୁମେ କହିବ; ମୁଁ କାହାକୁ ତାଙ୍କ ପାଖକୁ ପଠାଇବି ।’’

 

‘‘ନା, ତାକୁ ଆଣିବାକୁ କାହାକୁ ପଠାଇବା ତାକୁ ଅପମାନ କରିବା ହେବ ।’’

 

‘‘ତୁମେ ତ ଯାଇପାରିବ ନାହିଁ । ଯଦି କହିବ ମୁଁ ଯାଇପାରେ ।’’

 

ନାହିଁ ରୁନୁ, ତତେ ମଝିରେ ରଖି ମୁଁ ତାକୁ ପାଇବାକୁ ଚାହେଁ ନାହିଁ । ମୁଁ କେବଳ ତାକୁ ମୋର ନିଜର ଆବଶ୍ୟକତା ଜଣାଇ ଦବାକୁ ଚାହେଁ ।

 

ରୁନୁ କାଗଜ କଲମ ନେଇ ଆସିଲା ।

ଅନ୍ନଦାଶଙ୍କର କ’ଣ ଲେଖିଲେ । ରୁନ ଜାଣିବାକୁ ଚେଷ୍ଟା କଲା ନାହିଁ ।

ଚିଠିଟା ଡାକରେ ପକାଇବା ପରେ, ଉଦ୍ବେଗ ସହ ସେ ଯେପରି କାହାର ପ୍ରତୀକ୍ଷା କରିବାକୁ ଲାଗିଲେ ।

ତୃତୀୟ ଦିନ ସନ୍ଧ୍ୟାରେ ଅନ୍ନଦାଶଙ୍କର ତାଙ୍କ ନିଜ ଚେୟାରରେ ବସିଥିଲେ । ରୁନୁ ତାଙ୍କପାଇଁ ଚା’ ଆଣିବାପାଇଁ ଯାଇଥାଏ ।

ବଡ଼ ଫାଟକ ଦେଇ କେହି ଜଣେ ଭିତରେ ପ୍ରବେଶ କଲା । ଜଣେ ସ୍ତ୍ରୀ ଲୋକ ।

ଅନ୍ନଦାଶଙ୍କରଙ୍କ ହୃଦୟର ସ୍ପନ୍ଦନ ହଠାତ୍‍ ଯେମିତି ଦ୍ରୁତଗତିରେ ବଢ଼ି ଚାଲିଲା । ତାଙ୍କର ମନେହେଲା ତାଙ୍କ କାନ୍ଧରେ ଯେମିତି କିଏ ଡେଣା ଲଗାଇ ଦେଇଛି । ପୃଥିବୀ ତାଙ୍କ ଗୋଡ଼ତଳୁ ତଳକୁ ତଳକୁ ଖସିଯାଉଥିଲା ଆଉ ସେ ନିଜକୁ ଶୂନ୍ୟରେ ଉଡ଼ିବା ପରି ଅନୁଭବ କରୁଥିଲେ । ଆକାଶର ଶୂନ୍ୟତା ଆକର୍ଷକ ଥିଲା, ଆଶ୍ଚର୍ଯ୍ୟଜନକ ଥିଲା । କିନ୍ତୁ ପାଦକୁ ମାଟିର ଆଶ୍ରା ମିଳିଳା ନାହିଁ । ଡେଣାରେ କୌଣସି ଭରସା ନଥିଲା । କିଏ ଜାଣେ ଉଡ଼ାଇ ପାରିବ କିମ୍ବା କଚାଡ଼ି ଦେବ ?

ଶାନ୍ତ, ସ୍ୱଚ୍ଛ, ନିର୍ମଳ ଚାଳିଶ ବୟାଳିଶ ବର୍ଷ ବୟସ୍କା ସୁନ୍ଦରୀ ସୁମିତ୍ରା ଧୀର ମନ୍ଥର ଗତିରେ ଆଗେଇ ଆସିୁଥିଲା । ଦୂରତ୍ୱ କ୍ରମେ କମ୍‍ ହେବାକୁ ଲାଗିଲା । ସେ ଅନ୍ନଦାଶଙ୍କରଙ୍କ ବଗିଚା ଆଡ଼କୁ ଆସୁଥିଲା ।

ଅନ୍ନଦାଶଙ୍କରଙ୍କ ଗୋଡ଼ ନଥିଲା । ସେ ଉଠିପାରୁ ନଥିଲେ । ସେ ଭାବୁଥିଲେ ସେ କେମିତିଭାବେ ତାକୁ ସ୍ୱାଗତ ଜଣାଇବେ ।

ସୁମିତ୍ରା ଆସି ତାଙ୍କର ସମସ୍ତ ଭାବନା ଦୂର କରିଦେଲା । ଅନ୍ନଦାଶଙ୍କରଙ୍କ ପଛରେ ଛିଡ଼ା ହୋଇ ସେ ତା’ ଦୁର୍ବଳ ହାତଟିକୁ ଆଣି ତାଙ୍କ କାନ୍ଧରେ ରଖିଲା ।

 

ଅନ୍ନଦାଶଙ୍କର ଚକ୍ଷୁର ଦୁଇଧାର ଲୋତକ ଗଣ୍ଡ ବାହି ବୋହି ପଡ଼ିଲା । ସେ ଭାବିଲେ ଭଲ ହୋଇଛି, ସୁମିତ୍ରା ତାଙ୍କ ସମ୍ମୁଖକୁ ଆସିନାହିଁ ।

 

‘‘ଆପଣ ଆସିଲେ ?’’ ଅନ୍ନଦାଶଙ୍କର ନିଜକୁ ପ୍ରକୃତିସ୍ଥ କରି କହିଲେ ।

 

‘‘ମତେ ‘ଆପଣ’ କାହିଁକି କହୁଚ, ପୂର୍ବେ ତ ତୁମେ ମତେ ‘ତୁମେ’ କହୁଥିଲ ।’’ ଗମ୍ଭୀରତାର ସହିତ କହିଲା ସୁମିତ୍ରା ।

 

‘‘ମୋର ବିଶ୍ୱାସ ହେଉ ନାହିଁ ସୁମିତ୍ରା ।’’ କହିଲେ ଅନ୍ନଦାଶଙ୍କର ।

 

‘‘କାହିଁକି, ଏଥିରେ ଅବିଶ୍ୱାସର କ’ଣ ଅଛି । ତୁମେ ଡାକିବ ଆଉ ମୁଁ ଆସିବି ନାହିଁ ?’’

 

‘‘ଏତେଗୁଡ଼ିଏ ଦିନ ବିତିଗଲା.....’’ ଅନ୍ନଦାଶଙ୍କରଙ୍କ କଥା ଅସଂପୂର୍ଣ୍ଣ ରହିଗଲା ।

 

‘‘ତୁମେ କେବେ ପରୋକ୍ଷରେ ସୁଦ୍ଧା ମତେ ଜଣାଇ ନାହଁ ଯେ ତୁମକୁ ମୋର ଦରକାର ବୋଲି । ଆଜି ତୁମେ ଡାକିଲ, ମୁଁ ଚାଲିଆସିଲି ।’’ ସହଜ ସ୍ୱରରେ କହିଲା ସୁମିତ୍ରା ।

 

‘‘ସୁମିତ୍ରା ତୁମେ ନିଶ୍ଚେ ଭାବୁଥିବ, ଯେତେବେଳେ ଶରୀରର ସମସ୍ତ ଅଙ୍ଗ ପୂର୍ଣ୍ଣ ଥିଲା, ଯୌବନ ଥିଲା, ମୁଁ ସେତେବେଳେ ଦ୍ୱିତୀୟ ବିବାହ କରିନେଲି ଆଉ ଆଜି ଯେତେବେଳେ ଶରୀରଟା ଅନ୍ୟର ଆଶ୍ରିତ ହୋଇଗଲା, ଯୌବନର ସୂର୍ଯ୍ୟ ଅସ୍ତଗାମୀ ହେଲେ ସେତେବେଳେ ମୋର ତୁମକୁ ଦରକାର ପଡ଼ିଲା ?’’

 

ଅନ୍ନଦାଶଙ୍କର ନିଜକୁ ଦୋଷୀ ସାବ୍ୟସ୍ତ କରୁଥିଲେ ।

 

‘‘ମୁଁ ତୁମଠାରୁ କୌଣସି କୈଫିୟତ ଚାହେଁ ନାହିଁ ।’’ ଶାନ୍ତଭାବରେ କହିଲା ସୁମିତ୍ରା ।

 

‘‘ନାହିଁ ସୁମିତ୍ରା, ତୁମେ ଯିବା ଦିନଠାରୁ ମୁଁ ଦିନେହେଲେ ଶାନ୍ତି ପାଇନାହିଁ ।’’

 

‘‘ମୁଁ ଜାଣେ ’’ ଧୀର ସ୍ୱରରେ କହିଲା ସୁମିତ୍ରା ।

 

କିଛି ସମୟ ଦୁହେଁ ନୀରବ ।

 

‘‘ମୁଁ ଡରୁଥିଲି, ଏଠିକି ଆସିଲେ କାଳେ ତୁମ ସମ୍ମାନରେ କୌଣସି ଆଞ୍ଚ ଆସିବ ।’’ ରହି ରହି କଥାଟା କହିଲେ ଅନ୍ନଦାଶଙ୍କର ।

 

ସାମନ୍ୟ ହସି ସୁମିତ୍ରା କହିଲା, ‘‘ମୋ ସମ୍ମାନ ଏତେ କଞ୍ଚା ନୁହେଁ ଯେ ତୁମ କଥାରେ ସେ ଭାଙ୍ଗିପଡ଼ିବ । ସେ ତା’ ଜାଗାରେ ଠିକ୍‍ ରହିଛି ।’’

 

ଏକ ଦୀର୍ଘଶ୍ୱାସ ତ୍ୟାଗ କରି ଅନ୍ନଦାଶଙ୍କର କହିଲେ, ‘‘ମୋ ଜୀବନରେ କୌଣସି ଭରସା ନାହିଁ ସୁମିତ୍ରା । ମୁଁ ଭାବୁଚି, ମୁଁ ଯା’ କରିଚି ଭୁଲ କରିଚି । ତୁମକୁ ମୋର ଦରକାର ଥାଉ ନଥାଉ ରୁନୁର ନିଶ୍ଚୟ ଥିଲା । ମୁଁ ମା’ଠାରୁ ସନ୍ତାନକୁ ଅଲଗା ଅଲଗା କରିଦେଲି । ବିଶେଷ କରି ତୁମପରି ମା’କୁ ।

 

ସୁମିତ୍ରାର ମନ ହଠାତ୍‍ ଚଞ୍ଚଳ ହୋଇ ଉଠିଲା । ଚକ୍ଷୁ ସମ୍ମୁଖରେ ତା’ର ଭାସି ଉଠିଲା ରୁନୁର ପିଲାବେଳର ଚିତ୍ର । ଆଖି ଦୁଇଟି ତା’ର ବ୍ୟାକୁଳ ହୋଇ ଉଠିଲା ତାକୁ ଥରେ ଦେଖିବାପାଇଁ-। କିନ୍ତୁ ସେ ମୁହଁ ଫିଟାଇ କିଛି କହିପାରିଲା ନାହିଁ ।

 

‘‘ମୋ ପରେ ରୁନୁର ଏ ସଂସାରରେ ଆପଣର ହେଇ ଆଉ କେହି ରହିବେ ନାହିଁ । ମୋ’ପାଇଁ ନହେଉ, ତା’ପାଇଁ ମତେ ତମେ ତା’ ମା’କୁ ଫେରାଇଦିଅ ।’’ ଟିକେ ବ୍ୟାକୁଳ ସ୍ୱରରେ କହିଲେ ଅନ୍ନଦାଶଙ୍କର ।

 

ଦୁଇଦିନ ପୂର୍ବରୁ ସେ ଭାବୁଥିଲେ ସୁମିତ୍ରାକୁ ଫେରାଇ ଆଣିବାପାଇଁ, ସେ ରୁନୁର ଆଶ୍ରା ନେବେ ନାହିଁ । କେବଳ ନିଜ ଦରକାର କଥା କହିବେ; କିନ୍ତୁ ଆଜି ସେ ଏପରି ଅସହାୟ ହୋଇପଡ଼ଥିଲେ ଯା କି ଯେକୌଣସି ମୂଲ୍ୟ ଦେଇ ସେ ସୁମିତ୍ରାକୁ ଫେରାଇ ଆଣିବାକୁ ଚାହୁଁଥିଲେ-

 

‘‘ମୋ ପାଖରେ ଯା’ କିଛି ତୁମପାଇଁ ଅଛି ମୁଁ ତମୁକୁ ତା’ ଦେବି । ଯା’ କିଛି ରୁନୁପାଇଁ ରଖିଛି ତାକୁ ମଧ୍ୟ ତା’ ଦେବି । ମୁଁ ମୋ ଜୀବନର ଯୋଉ କେଇଟି ଦିନ ତୁମକୁ ଦେଇଥିଲି ତା’ ମୁଁ କେବେ ତୁମଠାରୁ ଛଡ଼ାଇ ନେବି ନାହିଁ ।’’

 

କହି ସୁମିତ୍ରା ଆଉ ଗୋଟିଏ ହାତ ଆଣି ଅନ୍ନଦାଶଙ୍କରଙ୍କ କାନ୍ଧରେ ରଖିଲା ।

 

ଅନ୍ନଦାଶଙ୍କର ସୁମିତ୍ରାର ହାତଟିକୁ ଟାଣି ନେଇ ତାକୁ ଓଠ ପାଖରେ ଲୁଗାଇଲେ । ତାଙ୍କର ଇଚ୍ଛା ହେଉଥିଲା ସେ ସୁମିତ୍ରାକୁ ତାଙ୍କର ପ୍ରତି ଲୋମକୂପରେ ବସାଇ ରଖିବେ ।

 

ରୁନୁ ଚା’ ନେଇ ଆସୁଥିଲା । ତା’ ଆଡ଼କୁ ପିଠିଥିଲା ଦୁହିଁଙ୍କର । ରୁନୁ ସୁମିତ୍ରାର ପିଠିକୁ ଦେଖି ପାରିଥିଲା । ଚା’ ଟ୍ରେକୁ ହାତରେ ଧରି କିଛି ସମୟପାଇଁ ସେ ସ୍ତବ୍‍ଧ ହୋଇ ରହିଗଲା । ସାରା ଶରୀର ତା’ର ଯେପରି ଥରି ଉଠିଲା । ଆଖିରେ ଦେଖାଦେଲା ଅଶ୍ରୁ । ନିଜକୁ ପ୍ରକୃତିସ୍ଥ କରି ଆଗେଇଯାଇ ଟ୍ରେ’ଟିକୁ ଟି ପୟ ଉପରେ ରଖି, ନିଶ୍ଚଳ ପ୍ରତିମା ସୁମିତ୍ରାକୁ ଆନନ୍ଦରେ ଯାବୁଡ଼ି ଧରିଲା ସେ । ‘‘ମା.....’’ । ରୁନୁ ମୁହଁକୁ ତା’ର ମା ଛାତିରେ ଗୁଞ୍ଜିଦେଲା । ସୁମିତ୍ରା ମଧ୍ୟ ତାକୁ ଦୁଇ ବାହୁରେ ଯାବୁଡ଼ି ଧରି ହୃଦୟ ଭରି ଆଦର କରିବାକୁ ଲାଗିଲା । ଝିଅର ବର୍ଷ ବର୍ଷର କ୍ଷୁଧାକୁ ସେ ତା’ ଅନ୍ତର ମଧ୍ୟରେ ଭଲଭାବେ ଅନୁଭବ କରି ପାରୁଥିଲା । ସୁମିତ୍ରା ନିଜକୁ ଆଉ ସଂଯତ କରିପାରିଲା ନାହିଁ । ରୁନୁକୁ ଆହୁରି ଜୋରରେ ଯାବୁଡ଼ି ଧରି ସେ ତା’ର ମୁହଁ, ଆଖି, ନାକ, କାନରେ ଅଜସ୍ର ଚୁମ୍ବନର ଧାରା ବୁହାଇ ଦେଲା ।

 

ପରିପୂର୍ଣ୍ଣ ଦୃଷ୍ଟିରେ ସେଇଆଡ଼େ ଚାହିଁ ରହିଥିଲେ ଅନ୍ନଦାଶଙ୍କର ।

 

ଝିଅକୁ ମା ମିଳିଲା, ମା’କୁ ଝିଅ । ଅନ୍ନଦାଶଙ୍କର ଆଉ ସୁମିତ୍ରାଙ୍କ ହୃଦୟରେ ଏକର ଅନ୍ୟ ପ୍ରତି ଆଦର ଥିଲା ।

 

ଅନ୍ନଦଶଶଙ୍କର କହୁଥିଲେ । ତାଙ୍କ ଗୋଡ଼ ଅକର୍ମଣ୍ୟ ହୋଇଗଲା । କିନ୍ତୁ ତାଙ୍କ ଜୀବନର ପଟ୍ଟ ପରିବର୍ତ୍ତନ ହୋଇଗଲା । ସେ ସୁମିତ୍ରାକୁ ଫେରି ପାଇଲେ । ଏମିତି ବୋଧେ ସେ ଆଜୀବନ ସୁମିତ୍ରାକୁ ଫେରାଇ ଆଣିବାପାଇଁ କୌଣସି ବାହାନା ଖୋଜି ପାଇ ନଥାନ୍ତେ ।

 

ଅନ୍ନଦାଶଙ୍କରଙ୍କ ପାଖେ ପାଖେ ଏଇକ୍ଷଣି ସୁମିତ୍ରା ରହୁଥିଲା । ଅନ୍ନଦାଶଙ୍କର ନିଜକୁ ଏକ ବାଳକ ପରି ହାଲୁକା ଅନୁଭବ କରୁଥିଲେ । ସୁମିତ୍ରା ତାଙ୍କୁ ଗାଧୋଇ ଦେଉଥିଲା ଖୁଆଇ ଦେଉଥିଲା, ଶୁଆଉଥିଲା, ଉଠାଉଥିଲା, ବସାଉ ଥିଲା । ଏପରି ପରାଧୀନତା ତାଙ୍କୁ ଖୁବ୍‍ ଭଲ ଲାଗୁଥିଲା । ସୁମିତ୍ରା ତାଙ୍କ ରୋଗକୁ ନିଜର କରି ନେଇଥିଲା ।

 

ରୁନୁ ଜୀବନର ଗତି ମଧ୍ୟ ବିଚିତ୍ର ହୋଇଯାଇଥିଲା । ପ୍ରତିଦିନ କଲେଜରୁ ଫେରି, ଜଳଖିଆ ଖାଇ ସେ ସିଧା ଫୁଲ ବଗିଚାକୁ ଚାଲି ଯାଉଥିଲା, ସେଠି ମା ବାପାଙ୍କ ସହିତ ବସି ନାନା ଗଳ୍ପ କରୁଥିଲା । ବେଳେବେଳେ ସେମାନେ ତିନିହେଁ ବସି ତାସ ଖେଳୁଥିଲେ । ଆଉ ବେଳେବେଳେ ରୁନୁ ଆନନ୍ଦର ଆତିଶଯ୍ୟରେ ଗଦ୍‍ ଗଦ୍‍ ହୋଇ ତା’ ମା’ ବାପାଙ୍କୁ ଯାବୁଡ଼ି ଧରୁଥିଲା-। ସେତେବେଳେ ଅନ୍ନଦାଶଙ୍କର ଅନୁଭବ କରୁଥିଲେ ଯେମିତି ଗୋଟିଏ ପିଲାର ଜୀବନ ତା’ ପିତା ବ୍ୟତୀତ ଅସମ୍ପୂର୍ଣ୍ଣ, ସେମିତି ତା’ ମା’ ବ୍ୟତୀତର ମଧ୍ୟ ପୂର୍ଣ୍ଣ ହୁଏ ନାହିଁ ।

 

ଘଟଣା ଘଟିଚାଲେ, ଆଉ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୂରି ଚାଲିଥାଏ । କେତେ ବସନ୍ତ ଆସେ, ପୁଣି ଚାଲିଯାଏ ।

 

ଅନ୍ନଦାଶଙ୍କର ବାର୍ଦ୍ଧକ୍ୟରେ ଆସି ପାଦ ଦେଇଛନ୍ତି । ସୁମିତ୍ରା ପ୍ରୌଢ଼ତାର ଶେଷ ସୀମାରେ ପାଦ ଦେଇଛି । ତାଙ୍କ କନ୍ୟା ରୁନୁ ଏଇକ୍ଷଣି ପୂର୍ଣ୍ଣ ଯୌବନା ।

 

ଶର୍ମିଷ୍ଠାର ଯୌବନ-ସୂର୍ଯ୍ୟ ଏଇକ୍ଷଣି ସମ୍ପୂର୍ଣ୍ଣ ଅସ୍ତପ୍ରାୟ । ତା’ କନ୍ୟା ଭାସ୍ୱତୀ ଏଇକ୍ଷଣି ଏକ ପ୍ରାପ୍ତବୟସ୍କା ଯୁବତୀ ।

 

ହରପ୍ରସାଦ ଏବଂ ତାଙ୍କ ସ୍ତ୍ରୀ ସୁଷମା ମଧ୍ୟ ଏଇକ୍ଷଣି ବୃଦ୍ଧାବସ୍ଥାରେ ଆସି ପାଦ ଦେଇଛନ୍ତି । ତାଙ୍କ ପୁଅ ଟୁଟୁ ଏଇକ୍ଷଣି ସଂପୂର୍ଣ୍ଣ ଯୁବକ ।

 

ବିତିଯାଇଥିବା ଯୌବନ ତା’ ସ୍ଥାନ ଏଇକ୍ଷଣି ନବଯୌବନଙ୍କପାଇଁ ଖାଲିକରି ଦେଇଥାଏ-

 

ସୂର୍ଯ୍ୟଙ୍କ ଆକର୍ଷଣରେ ଟାଣିହୋଇ ରହିଥିବା ପୃଥିବୀଟା ତାଙ୍କ ଚତୁର୍ଦ୍ଦିଗରୁ ଆଉ କେତେଥର ଘୂରି ଆସିଥାଏ ।

 

ଭାସ୍ୱତୀ କଲେଜରେ ପଢ଼ୁଥାଏ । ଟୁଟୁ ଡାକ୍ତରୀ ପରୀକ୍ଷା ଦଉଥାଏ । ପ୍ରଶାନ୍ତଙ୍କ ପ୍ରତି ଶର୍ମିଷ୍ଠାର ଶ୍ରଦ୍ଧା ପୂର୍ବପରି ସେମିତି ଅଟଳ ଥାଏ । ଟୁଟୁ ପ୍ରଶାନ୍ତଙ୍କର ପ୍ରିୟପାତ୍ର ଥିଲା । ଯୋଉଥିପାଇଁ ଶର୍ମିଷ୍ଠାର ମଧ୍ୟ ସେ ଅତି ପ୍ରିୟ ଥିଲା । ତା’ ଛଡ଼ା ପ୍ରଶାନ୍ତଙ୍କର ଅନେକଗୁଡ଼ିଏ ଗୁଣ ଟୁଟୁ ସ୍ୱଭାବରେ ପ୍ରକଟିତ ହେଉଥିଲା । ଏମିତି ମନେ ହେଉଥିଲା ଯେମିତି ଟୁଟୁ ପ୍ରଶାନ୍ତଙ୍କ ଗୁଣକୁ ଏକାନ୍ତଭାବେ ଗ୍ରହଣ କରୁଛି । ଶର୍ମିଷ୍ଠାକୁ ତାକୁ ଖୁବ୍‍ ଭଲ ଲାଗୁଥିଲା ।

 

ଦିନକର ଘଟଣା ।

 

ଭାସ୍ୱତୀ କଲେକଜରୁ ଫେରିଥାଏ । ଘଣ୍ଟାକ ପରେ ତା’ର ଜଣେ ବାନ୍ଧବୀ ଘରେ ଚା’ର ନିମନ୍ତ୍ରଣ ଥାଏ । କଲେଜର ବହିପତ୍ରଗୁଡ଼ିକ ଟେବୁଲ ଉପରେ ରଖିଦେଇ ମୁହଁ ହାତ ଧୋଇ ସେ ଯିବାପାଇଁ ପ୍ରସ୍ତୁତ ହେବାକୁ ଲାଗିଲା । ନିଜ ରୁମରେ ଥିବା ଡ୍ରେସିଂ ଟେବୁଲର ବଡ ଆଇନାଟି ସମ୍ମୁଖରେ ଛିଡ଼ାହୋଇ ସେ ମୁଣ୍ଡ କୁଣ୍ଡାଉଥାଏ । ବାଳଗୁଡ଼ିକ ତା’ର ଘନ ଓ କୁଞ୍ଚିକୁଞ୍ଚିଆ ଥିଲା । ଘନ ବାଳ ମଧ୍ୟରେ ତା’ର ଗୋଲିଆ ମୁହଁଟି କଳାବାଦଲ ଫାଙ୍କରେ ଜହ୍ନ ଉଙ୍କି ମାରିଲାଭଳି ଦେଖା ଯାଉଥାଏ । ଦେଡରେ ରଙ୍ଗ ତା’ର ଫିକା ଗୋଲାପୀ ।

 

ଶର୍ମିଷ୍ଠା ତାକୁ ଦୂରରୁ ଦେଖୁଥିଲା । ଭାସ୍ୱତୀ ତା’ର ଅତ୍ୟନ୍ତ ସୁନ୍ଦରୀ ।

 

ଆଇନା ସାମନାରେ ମୁହଁ ଦେଖୁ ଦେଖୁ ଭାସ୍ୱତୀର ଅବାଧ୍ୟ ଦୃଷ୍ଟିଯୋଡ଼ିକ ଟେବୁଲ ଉପରେ ଥୁଆ ହୋଇଥିବା ଟୁଟୁର ଫଟ ଉପରୁ ବାରମ୍ବାର ଘୂରି ଆସୁଥିଲା । ଫଟଟିରେ ଟୁଟୁ ଯୌବନର ଏକ ସୁଢଲ ମୂର୍ତ୍ତି ଦେଖାଯାଉଥାଏ ।

 

ଭାସ୍ୱତୀ ସେଇ ଫଟଟି ଆଡ଼େ କିଛିସମୟ ଏକାଗ୍ର ଚିତ୍ତରେ ଚାହିଁ ରହିଲା । ସେ ମନ ମଧ୍ୟରେ ଟୁଟୁ ଆଉ ତା’ ସୌନ୍ଦର୍ଯ୍ୟର ତୁଳନା କରୁଥିଲା ।

 

ଶର୍ମିଷ୍ଠା ଦୂରରୁ ତାକୁ ଲକ୍ଷ୍ୟ କରୁଥିଲା ।

 

ମୁଣ୍ଡ କୁଣ୍ଡାଇ ସାରି ଭାସ୍ୱତୀ ଆଲମାରୀରୁ ଲୁଗା ବାହାର କରି ବାଛିବାକୁ ଲାଗିଲା । ବୋଧେ କୋଉଟା ଠିକ୍‍ ପସନ୍ଦ ହେଲାନାହିଁ ତା’ର । ମା’କୁ ଡାକିଲା ସେ ।

 

ଶର୍ମିଷ୍ଠା ଯାଇ ଭାସ୍ୱତୀପାଇଁ ଶାଢ଼ୀ ବାହାର କରିଦେଲା । ଶାଢ଼ୀଟିର ପଣତ ସୁନେଲି ଜରିଦିଆ । ଶାଢ଼ୀଟିକୁ ମ୍ୟାଚକରି ଭାସ୍ୱତୀ ସେଇ ରଙ୍ଗର ଏକ ବ୍ଲାଉଜ ଆଉ ଗୋଟିଏ ସୁନେଲି ଚପଲ ବାହାର କଲା ।

 

ଶାଢ଼ୀ ପିନ୍ଧୁ ପିନ୍ଧୁ ଭାସ୍ୱତୀର ଦୃଷ୍ଟି ଯୋଡ଼ିକ ପୁନର୍ବାର ଟୁଟୁର ଫଟୋ ଉପରୁ ଘୂରି ଆସୁଥିଲା ।

 

ପ୍ରସାଧନ ସାରି ସେ ତା’ ବାହୁ ଦ୍ୱୟକୁ ତା’ ମା’ ବେକରେ ଆନନ୍ଦରେ ଛନ୍ଦିଦେଲା । ନିଜ ସୌନ୍ଦର୍ଯ୍ୟର ଅନୁଭବକୁ ସେ ଆଦୌ ଏକଲା ଅନୁଭବ କରିପାରୁନଥିଲା ।

 

ତାକୁ କୋଳ ମଧ୍ୟକୁ ଟାଣିନେଇ ଶର୍ମିଷ୍ଠା କହିଲା, ‘‘ଭାସୁ ! ଏଇକ୍ଷଣି ତୋପାଇଁ ମତେ କୌଣସି ଚୋରକୁ ଖୋଜିବାକୁ ପଡ଼ିବ ।’’ ଶର୍ମିଷ୍ଠା ଭାସ୍ୱତୀର ସୌନ୍ଦର୍ଯ୍ୟର ଅନୁଭବକୁ କୌଣସି ପ୍ରକାରେ ବ୍ୟକ୍ତ କରିବାକୁ ଚାହୁଁଥିଲା ।

 

‘‘ଚୋରକୁ କ’ଣ ମା ?’’ ଭାସ୍ୱତୀ ତା’ ମା’ ମୁହଁକୁ କିପରି ବିସ୍ମିତ ଦୃଷ୍ଟିରେ ଚାହିଁ ରହିଥିଲା-

 

‘‘ହଁ, ଯିଏ କି ଆସି ମୋ ଦୀର୍ଘଦିନର ସଞ୍ଚିତ ପୁଞ୍ଜିକୁ ଚୋରି କରିନେବ ।’’ କହିଲା ହସି ଶର୍ମିଷ୍ଠା ।

 

ଭାସ୍ୱତୀର ଗଣ୍ଡଦେଶ ଆରକ୍ତ ହୋଇ ଉଠିଲା ।

 

ଶର୍ମିଷ୍ଠା ଦେଖିଲା ପୁନର୍ବାର ଭାସ୍ୱତୀର ଦୃଷ୍ଟି ଟେବୁଲ ଉପରେ ରହିଥିବା ଟୁଟୁର ସେଇ ଫଟଟି ଉପରେ ନିବଦ୍ଧ ରହିଛି।

 

ଶର୍ମିଷ୍ଠା ପରି ବୁଦ୍ଧିମତୀ ମା ପକ୍ଷରେ ଆଉ ଅଧିକ କିଛି ଜାଣିବାର ଆବଶ୍ୟକତା ରହିଲା ନାହିଁ । ସେ ତା’ ଝିଅ ହୃଦୟର ପ୍ରତ୍ୟେକ ସ୍ପନ୍ଦନକୁ ନିଜ ହୃଦୟ ମଧ୍ୟରେ ଅନୁଭବ କରୁଥିଲା ।

 

‘‘ଟୁଟୁ ଖୁବ୍‍ ଭଲ ପିଲା, ନା ?’’ ହସି କହିଲା ଶର୍ମିଷ୍ଠା ।

 

‘‘ମୁଁ କି ଜାଣେ ?’’ ଭାସ୍ୱତୀ ମୁହଁରେ ଶତାବ୍ଦୀ ଧରି ସେଇ ଲଜ୍ଜାଟା ଉକୁଟି ଉଠିଲା ଯା’କି ଯୌବନରେ ପ୍ରେମର ପ୍ରଥମ ଜାଗୃତିରେ ଉତ୍ପନ୍ନ ହୁଏ । ଭାସ୍ୱତୀ ତା’ ଚେହେରାକୁ ତା’ ମା’ ବକ୍ଷରେ ଲୁଚାଇ ଦେଲା ।

 

ସୁଷମା ତାଙ୍କ ନିଜ ରୁମରେ ବସି ଟୁଟୁପାଇଁ ସ୍ୱେଟର ବୁଣୁଥିଲେ । ବୁଣୁ ବୁଣୁ ହାତର କଣ୍ଟାଟା ତାଙ୍କର ଅଟକି ଯାଉଥିଲା । ବୋଧେ ସେ କ’ଣ ଚିନ୍ତା କରୁଥିଲେ ।

 

ସେତିକିବେଳେ ସେଠି ଆସି ପାଦଦେଲେ ହରପ୍ରସାଦ ଆଉ ପ୍ରଶାନ୍ତ । ତାଙ୍କୁ ଚିନ୍ତିତ ଦେଖି ଟିକେ ହସି ପ୍ରଶାନ୍ତ କହିଲେ, କ’ଣ ଏତେ ଭାବୁଚ ଭାଉଜ ?’’

 

ପ୍ରଶାନ୍ତ କଥାରେ ସୁଷମାଙ୍କର ଭାବନାର ଡୋର ଛିଡ଼ିଗଲା । ‘‘ନା କିଛି ନୁହେଁ ।’’ କହିଲେ ସେ ।

 

ମୁଁ କହିବି କ’ଣ ଭାବୁଥିଲ, ଭାବୁଥିଲ ଘରେ ତ ଏଇକ୍ଷଣି ମିଠା କିମ୍ବା ଫଳ କିଛି ନାହିଁ, ଦିଅରଙ୍କୁ ଖୁଆଇବ କ’ଣ ?

‘‘ଏଇକ୍ଷଣି ଘରେ ମିଠା ବି ଅଛି, ଫଳ ବି । ତୁମର ଏ ଜ୍ୟୋତିଷ ବିଦ୍ୟା ଆଉ କୋଉଠି ଦେଖାଇବ ।’’ କହି ସୁଷମା ହସିଲେ ।

‘‘ଆଉ ...ଆଉ ହଁ ଭାଉଜ ତୁମେ ଭାବୁଥିଲ ଏ’ ଶୀତରେ ମୁଁ ପ୍ରଶାନ୍ତକୁ କେମିତିକା ସ୍ୱେଟର ବୁଣିକରି ଦେବି ?’’

ହଁ ଭାଇ ଏଇଟା ଗୋଟାଏ ଭାବିବା ପରି କଥା । ଦିନ ରାତିର ପରିଶ୍ରମ ବାଦ ଦେଲେ ଅଧ ପାଉଣ୍ଡ ଉଲ୍‍ ଲାଗିଯିବ ।’’ କହି ସୁଷମା ହସିଲା ।

କିନ୍ତୁ ମୋତେ ବୁଣିକରି ଦେଲାବାଲା କେହି ନାହିଁ ।’’ ପ୍ରଶାନ୍ତ ହସୁ ହସୁ ସୁଷମାଙ୍କ ପାଖ ସୋଫାରେ ଯାଇ ବସିଲେ ।

ହରପ୍ରସାଦ ମଧ୍ୟ ଗୋଟିଏ ଚେୟାର ଅଧିକାର କଲେ ।

‘‘ଆଚ୍ଛା ଭାଉଜ, ସତ କହିଲ କ’ଣ ଭାବୁଥିଲ ?’’ ପଚାରିଲେ ପ୍ରଶାନ୍ତ ।

‘‘ଭାବୁଥିଲି ଯଦି ପ୍ରଶାନ୍ତବାବୁ ସାରା ଜୀବନ ବିବାହ ନ କରନ୍ତି ତା’ହେଲେ ପ୍ରତ୍ୟେକ ବର୍ଷ ବିଚାରୀ ତାଙ୍କ ଭାଉଜଙ୍କୁ ତାଙ୍କପାଇଁ ସ୍ୱେଟର ବୁଣିକରି ଦବାକୁ ପଡ଼ିବ । କାମିଜର ଛିଣ୍ଡା ବୋତାମ ଲଗାଇଦବାକୁ ପଡ଼ିବ । ଫୁଲପ୍ୟାଣ୍ଟର ମହୁରି ସିଲାଇ କରିଦବାକୁ ପଡ଼ିବ ।’’

‘‘ତା’ପରେ ?’’

 

‘‘ତା’ପରେ ତୁମେ କ’ଣ ଠିକ୍‍ ଭାବୁଚ ?’’

 

‘‘ଭାବୁଚି ବିବାହ କରି ଗୋଟିଏ ବୋତାମ ଲଗାଇଲାବାଲାବାଲୀ ଆଣିବା ଶସ୍ତା ହବ ନା କୌଣସି ଦର୍ଜ୍ଜୀଦ୍ୱାରା ଏ କାମ କରାଇନେବା ସୁବିଧା ହେବ ।’’ ସ୍ୱଳ୍ପ ଗାମ୍ଭୀର୍ଯ୍ୟ ପ୍ରକାଶ କରି କହିଲେ ପ୍ରଶାନ୍ତ ।

 

ସୁଷମା ପରିବର୍ତ୍ତେ ହରପ୍ରସାଦ ସଯୋରେ ହସିଉଠିଲେ ।

 

‘‘ପୁଣି ପୁଅ କାମିଜର ବୋତାମ ଛିଡ଼ିଯାଉଥିବ, ତା’ପାଇଁ ଆହୁରି ଗୋଟିଏ ବୋତାମ ଲଗାଇଲାବାଲୀ ଆଣିବାକୁ ପଡ଼ିବ । ଇଏ ତ ଏକ ଅଡ଼ୁଆରେ ପଡ଼ିବା କଥା । ନା ଭାଇ ଏ ବେପାରରେ କ୍ଷତି ସହିବାକୁ ପଡ଼ିବ । ବୋତାମ ଲଗାଇବା ପରି ଏକ ଛୋଟ କାମକୁ ଭାଉଜ ହିଁ ଠିକ୍‍ ହେବେ ।’’

 

‘‘ହୁଁ, ଆଉ ଭାଉଜଙ୍କ ବାକିସବୁ ଅଡ଼ୁଆପାଇଁ ଇଏ ବିଚରା ହରପ୍ରସାଦ ।’’ ହରପ୍ରସାଦ ନିଜ ହାତରେ ନିଜ ଆଡ଼େ ସଙ୍କେତ କରି କହିଲେ ।

 

ପ୍ରଶାନ୍ତ ହସୁଥାନ୍ତି । ସୁଷମା ମଧ୍ୟ ତାଙ୍କ ହସକୁ ଚାପି ରଖିପାରୁ ନଥାନ୍ତି ।

 

‘‘କ’ର ବାକୀ ଅଡ଼ୁଆତକ ଗଣିକରି କୁହାଯାଇ ପାରିବ ।’’ ସୁଷମା ଓଠକାମୁଡ଼ି ତାଙ୍କ ହସ ବନ୍ଦକଲେ ।

 

‘‘ବାକୀ ଅଡ଼ୁଆର କାହାଣୀ ଏଇକ୍ଷଣି ରଖିଦିଅ । ଶୁଣିକରି ପ୍ରଶାନ୍ତ ମନରେ ଯେମିତି ଲାଳସା ନଧରେ ।’’ କହି ହରପ୍ରସାଦ ହସିଲେ ।

 

ଏତିକିବେଳେ ଟୁଟୁ କଲେଜରୁ ଫେରିଲା ।

 

‘‘କକା !’’ଟୁଟୁ ପ୍ରଶାନ୍ତଙ୍କ ସମ୍ମୁଖରେ ଆସି ଛିଡ଼ାହେଲା ।

 

‘‘କିରେ, ପ୍ରଥମେ ତୋ ବାପା ଜନ୍ମ ହୋଇଥିଲା ନା ତୋ କକା । ଘରେ ପଶୁ ପଶୁ ଆଗ କକା, ମୁଁ ଯେମିତି କେହି ନୁହେଁ ।’’ ସ୍ୱଳ୍ପ ରୋଷ ପ୍ରକାଶ କରିବା ଭଙ୍ଗୀରେ କହିଲେ ହରପ୍ରସାଦ ।

 

‘‘ତୁମେ ଯେ ଘରଲୋକ ।’’ ଉତ୍ତର ଦେଲେ ପ୍ରଶାନ୍ତ । ଆଉ ଟୁଟୁକୁ ତାଙ୍କ ପାଖରେ ସୋଫାରେ ବସିବାକୁ କହିଲେ ।

 

‘‘ହଁ ମୁଁ ଗୋଟିଏ ଫାଲ୍‍ତୁ ଲୋକ ଯିଏ କି ସୋଫା ଉପରେ ନବସି ଅଛୁଆଁଙ୍କ ପରି ଅଲଗା ଚେୟାରରେ ବସିଛି ।’’

 

‘‘ଗାନ୍ଧିଜୀଙ୍କର କୌଣସି ଚେଲାକୁ ଡାକି ଆଣନ୍ତୁ । ସେ ଆସି ଅଛୁଆଁ ଉଦ୍ଧାର କରିଯିବେ-।’’ ହସି କହିଲା ସୁଷମା ।

 

ତାଙ୍କ କଥା ଶୁଣି ଟୁଟୁ, ପ୍ରଶାନ୍ତ, ହରପ୍ରସାଦ ସଶବ୍ଦେ ହସିଉଠିଲେ ।

 

ସେଦିନ ରାତି ।

 

ପ୍ରଶାନ୍ତ ତାଙ୍କ ବିଛଣାରେ ଶୋଇବାକୁ ଚେଷ୍ଟା କରୁଥିଲେ । ହାତରେ ଧରିଥିବା ବହିଟିରୁ ଆଉ ଦୁଇ ଚାରିଟି ପୃଷ୍ଠା ବାକି ଥାଏ ।

 

‘‘କକା, କକା, ଶୋଇ ପଡ଼ିଲେ ନା କ’ଣ ?’’ ଟୁଟୁ ଆସି କବାଟ ଖଡ ଖଡ଼ କଲା ।

 

ଟୁଟୁ ପାଟି ଶୁଣି ପ୍ରଶାନ୍ତ ଉଠିଗଲେ । କବାଟ ଖୋଲି, ସେ ଟୁଟୁକୁ ତାଙ୍କ ବିଛଣାରେ ବସିବାକୁ କହିଲେ ।

 

‘‘କକା, ଆପଣଙ୍କର ଆଉ ମୋ ବୟସ ଭିତରେ ପିତାପୁତ୍ରର ତଫାତ୍‍; କିନ୍ତୁ ମୁଁ ଆପଣଙ୍କଠାରୁ ବନ୍ଧୁପରି ସ୍ନେହ ପାଇଚି....’’ ବୋଧେ ସେ ଆଗକୁ ଆଉ କ’ଣ କହିବାକୁ ଚାହୁଁଥିଲା, ତା’ ସ୍ୱର ବିଚଳିତ ହେଲା ।

 

ପ୍ରଶାନ୍ତ ଗମ୍ଭୀରଭାବେ ହସିଦେଲେ ।

 

‘‘ଆଜି ମୁଁ ଗୋଟିଏ କଥା ଶୁଣିଲି, ଜାଣେନା କଥାଟା କେତେଦୂର ସତ୍ୟ କିମ୍ବା ମିଥ୍ୟା, ସେକଥା ମୁଁ ବାପାଙ୍କୁ ପଚାରିପାରିବିନାହିଁ । ଆପଣଙ୍କୁ ପଚାରିପାରେ ।’’ କହି ଟୁଟୁ ପିଲାଙ୍କ ପରି ତା’ ପ୍ରଶାନ୍ତ କକାଙ୍କ ବେକରେ ହାତ ଦୁଇଟିକୁ ଛନ୍ଦିଦେଲା ।

 

ପ୍ରଶାନ୍ତ ସ୍ନେହପୂର୍ବକ ତା’ ପିଠିରେ ହାତ ଫେରାଇବାକୁ ଲାଗିଲେ ।

 

‘‘କକା, ମୋ ଆଡ଼େ ଚାହାନ୍ତୁ, ସତକରି କୁହନ୍ତୁ ତ, ମୁଁ ଏ’ଟା ଭଲରୂପେ ଜାଣେ ଯଦି ଏଥିରେ କିଛି ସତ ଥାଏ, ତା’ହେଲେ ସେ’ଟା ଆପଣଙ୍କୁ ଜଣାଥିବ । ଆପଣ ବାପାଙ୍କର ଖୁବ୍‍ ନିକଟର । ଏତେ ନିକଟର ବୋଧେ ଆଉ କେହି ନୁହନ୍ତି । ମତେ ଆଜି କେହିଜଣେ କହିଲା କି ମୁଁ ବାପାଙ୍କର ନିଜ ସନ୍ତାନ ନୁହେଁ, ମତେ ସେ କୋଉଠୁ ଆଣି ପାଳିଛନ୍ତି । ଏହା କ’ଣ ସତ ? ଟିକେ ବ୍ୟାକୁଳଭାବରେ ପଚାରିଲା ଟୁଟୁ ।

 

ଶୈତ୍ୟର ସେ ହିମଶୀତଳ ରାତ୍ରିରେ ମଧ୍ୟ ଆନନ୍ଦଙ୍କ ମୁଖଭାଗରେ ବିନ୍ଦୁ ବିନ୍ଦୁ ଘର୍ମ ଫୁଟି ଉଠିଲା ।

 

ତା’ ଦେଖି ଟୁଟୁ ଆହୁରି ବିଚଳିତ ହୋଇ ପଡ଼ିଲା । ‘‘କକା, ଆପଣ କିଛି କହୁନାହାନ୍ତି କାହିଁକି ? ମୁଁ ଏଇକ୍ଷଣି ଆଉ ପିଲା ହୋଇନାହିଁ ଯା’କି ମୋ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ । ଆପଣ ମତେ ବିଶାଳ ହୃଦୟର ଅଧିକାରୀ କରିଦେଇଛନ୍ତି । ମୁଁ ସବୁକିଛି ବୁଝି ପାରିବି । ଆପଣ ମତେ କୁହନ୍ତୁ ।’’ ଟୁଟୁ ପ୍ରଶାନ୍ତଙ୍କ କୋଳରେ ଶୋଇଗଲା ।

 

‘‘ଟୁଟୁ, ଏକଥା ଯଦି ସତ ବି ହୁଏ, ତା’ହେଲେ କ’ଣ ତୁମେ ତୁମ ବାପାଙ୍କୁ ବାପା ବୋଲି ଭାବିବ ନାହିଁ, ମା’ ପରି ସ୍ନେହଦାତ୍ରୀକୁ ମା’ ବୋଲି ସ୍ୱୀକାର କରିବ ନାହିଁ ?’’

 

ପ୍ରଶାନ୍ତ ଟୁଟୁର ପିଠିରେ ହାତ ଫେରାଇବାରେ ଲାଗିଥିଲେ ।

 

‘‘ନାହିଁ କକା, ସେ ଯେମିତି ମୋ ମା’ ବାପା ହୋଇ ଥିଲେ ସେମିତି ରହିବେ, ଏଥିରେ କୌଣସି ସନ୍ଦେହ ନାହିଁ । କେବଳ .....’’

 

‘‘କେବଳ କ’ଣ ?’’

 

‘‘କଥାଟା ଏପରି, ଯା’କି ଦିନେ ଶର୍ମିଷ୍ଠା ମାଉସୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିପାରେ । ତାଙ୍କ ଉପରେ ହୁଏତ ୟା’ର ଖରାପ ପ୍ରଭାବ ପଡ଼ିବ । ସେତେବେଳେ ଭାସ୍ୱତୀ... ସବୁ ଗୋଳମାଳ ହୋଇଯିବ ।’’

 

ଟୁଟୁର ଏ କଥାରେ ପ୍ରଶାନ୍ତ ଟିକେ ଚିନ୍ତିତ ହୋଇଉଠିଲେ । ପ୍ରକୃତରରେ ସେ ଏତେଟା ଭାବି ନଥିଲେ ।

 

‘‘କକା, ଆପଣ ପ୍ରମୋଦକୁ ତ ଜାଣନ୍ତି, ଭାସ୍ୱତୀ କଲେଜରେ ପଢ଼େ । ବେଳେବେଳେ ଭାସ୍ୱତୀ ଘରକୁ ଯାଏ ।’’

 

‘‘ହଁ ଜାଣେ । ମତେ ତାକୁ କିପରି ଉଚ୍ଛୃଙ୍ଖଳ ମନେ ହୁଏ !’’

 

‘‘ସେ ଏକଥା କେବଳ ମୋ ବାପା ମା’ଙ୍କ ହୃଦୟରେ କଷ୍ଟଦବାକୁ କହି ନାହିଁ । କହିଚି ଏକଥା ଶର୍ମିଷ୍ଠା ମାଉସୀଙ୍କୁ କହି ମୋ ମୁଣ୍ଡ ତଳକୁ କରି ସେ ନିଜେ ଆଗେଇ ଯିବ । ଭାସ୍ୱତୀ ଆଖିରେ ସେ ମତେ ଛୋଟ କରିବାକୁ ଚାହେଁ । ଦିନକର କଥା, ଭାସ୍ୱତୀର ଗୋଟିଏ ସହପାଠିନୀ ଅଛି ରୁନୁ । ପ୍ରମୋଦ ତାକୁ ତା’ କଥାର ଭେଳିକିରେ ଭୁଲାଇବାକୁ ଲାଗିଲା । କିନ୍ତୁ ରୁନୁ ପ୍ରମୋଦର ବାସ୍ତବ ଚରିତ୍ର ସହିତ ପରିଚିତ ନଥିଲା । ସେଥିପାଇଁ ସେ ତା’ କଥାରେ ଭୁଲିଗଲା । ଭାସ୍ୱତୀ ମୋର ସହଯୋଗ ଚାହଁଲା । ସେଦିନ ଝିଅମାନଙ୍କୁ ନେଇ ଯିବା ବସ୍‍ଟା ଖରାପ ହୋଇଯାଇଥିଲା । ପ୍ରମୋଦ ନିଜ ଗାଡ଼ିରେ ରୁନୁକୁ ବସାଇ ତା’ ଘରେ ପହଞ୍ଚାଇ ଦେବ ବୋଲି ନେଇଗଲା । ମୁଁ ଭାସ୍ୱତୀ ସାଙ୍ଗରେ ଦେଖା କରିବାପାଇଁ କଲେଜ ଯାଇଥିଲି । ଯେତେବେଳେ ଭାସ୍ୱତୀ ଜାଣିପାରିଲା ଯେ ରୁନୁ ପ୍ରମୋଦ ସହିତ ଚାଲିଗଲା, ସେତେବେଳେ ସେ ରୁନୁକୁ ସଙ୍କଟରେ ପଡ଼ିବା ଆଶଙ୍କାରେ ବ୍ୟାକୁଳ ହୋଇ ଉଠିଲା । ଆମେ ପ୍ରମୋଦକୁ ଫଲୋ କଲୁ । ଭାସ୍ୱତୀର ଆଶଙ୍କା ଅମୂଳକ ଥିଲା । ପ୍ରମୋଦ ରୁନୁକୁ ତା’ ଘରେ ପହଞ୍ଚାଇବା ପରିବର୍ତ୍ତେ ନିଜର ଜଣେ ସାଙ୍ଗ ଘରକୁ ମନ୍ଦ ଉଦ୍ଦେଶ୍ୟରେ ନେଇ ଯାଇଥିଲା । ଶେଷରେ ଏଇୟା ହେଲା କି ରୁନୁର ଜୀବନ ମସ୍ତବଡ଼ ଏକ ସଙ୍କଟରୁ ଉଦ୍ଧାର ପାଇଲା । କିନ୍ତୁ ସେଇଦିନଠାରୁ ପ୍ରମୋଦ ମୋର ଶତ୍ରୁ ହୋଇ ଛିଡ଼ା ହେଲା । ଇଏ ବୋଧେ ସେଇ ଶତ୍ରୁତାର ପରିଣାମ ।’’

 

ଟୁଟୁ ନିଜ ଚିନ୍ତାର କାରଣ ବୁଝାଇଲା ।

 

‘‘ଆଚ୍ଛା ଟୁଟୁ, କହିଲ, ତୁମେ ତୁମ ନିଜକୁ କେମିତି ମନେ କରୁଛ ?’’ ସବୁ ଶୁଣି ପ୍ରଶାନ୍ତ ପଚାରିଲେ ।

 

‘‘ମୁଁ ସେମିତି ଅଛି କକା । ପୂର୍ବରୁ ଯେମିତି ଥିଲି, ଆପଣ କ’ଣ ଭାବୁଛନ୍ତି ଏକଥା ଶୁଣି ମୁଁ ବଦଳି ଯାଇଛି ?’’

 

‘‘ଆଉ ଆଜି ତୁମ ବାପା ମା’କୁ କେମିତି ଲାଗୁଛି ?’’

 

‘‘ହଁ, ସେ ଅବଶ୍ୟ ଆଜି ଆହୁରି ଭଲ ମନେ ହେଉଛନ୍ତି, ଦେବତାଙ୍କ ପରି ।’’

 

‘‘ତା’ହେଲେ ଭୟ କ’ଣ । ଯଦି ତୁମ ନିଜ ଦୃଷ୍ଟିରେ କୌଣସି ପାର୍ଥକ୍ୟ ନାହିଁ, ତା’ହେଲେ ବାସ୍ତବତାରେ ମଧ୍ୟ କୌଣସି ପାର୍ଥକ୍ୟ ନାହିଁ । ଆଚ୍ଛା, ସେ ଆଉ କ’ଣ କହିଲା ?’’

 

‘‘ସେ କହିଲା ମୁଁ ଗୋଟିଏ ଜାରଜ ସନ୍ତାନ ।’’

 

‘‘ଏଇ କଥାରେ ତୁମ ଉପରେ କ’ଣ ପ୍ରଭାବ ପଡ଼ିଲା ।’’

 

‘‘ଭଲ, ମନ୍ଦ କିଛି ନୁହେଁ । ହଁ ଖୁବ୍‍ ଆଶ୍ଚର୍ଯ୍ୟ ଲାଗିଲା ।’’

 

‘‘ତୁମ ଦୃଷ୍ଟିରେ ତୁମ ଜନ୍ମଦାତ୍ରୀର ସ୍ଥାନ କ’ଣ ?

 

‘‘ମୋ ହୃଦୟରେ ତାଙ୍କପାଇଁ ପ୍ରଗାଢ଼ ସହାନୁଭୂତି ରହିଛି ।’’

 

‘‘ଆଉ ଯଦି ସେ କେବେ ତୁମକୁ ମିଳିଯାନ୍ତି ?’’

 

‘‘ମୁଁ ମୋ ହୃଦୟରେ ସମସ୍ତ ଭକ୍ତି ସ୍ନେହ ତାଙ୍କ ଚରଣରେ ଅର୍ପଣ କରିଦେବି, ଯା’କି ଜୀବନରେ କେହି ତାଙ୍କୁ ଦେଇ ନାହିଁ । ଯା’କୁ କି ଏ ସମାଜ ଜୋରକରି ତାଙ୍କଠାରୁ ଛଡ଼ାଇ ନେଇଥିଲା ତାଙ୍କୁ ମୁଁ ତା’ ଫେରାଇ ଦେବି । ତାଙ୍କ ମମତାର କ୍ଷୁଧାରେ ମୁଁ ନିଜକୁ ବିଲୀନ କରିଦେବି-।’’

 

‘‘ସାବାସ୍‍, ମୁଁ ତୁମଠାରୁ ଏଇଆ ଆଶା କରିଥିଲି ।’’ ପ୍ରଶାନ୍ତ ଟୁଟୁକୁ ଯାବୁଡ଼ି ଧରିଲେ ।

 

‘‘ଆପଣଙ୍କର ଶିଷ୍ୟ ହୋଇ ମୁଁ ଆପଣଙ୍କ ଆଶାକୁ ନିରାଶ ହେବାକୁ ଦେବି ନାହିଁ, କକା-। ଆପଣ ମତେ ଜୀବନରେ ଅନେକ କିଛି ଶିଖାଇଛନ୍ତି ।’’

 

ଟୁଟୁ ପ୍ରଶାନ୍ତଙ୍କ ଛାତିରେ ମୁଣ୍ଡ ରଖି ପଡ଼ିଥାଏ ।

 

କିଛି ସମୟ ନୀରବତା ପରେ ପ୍ରଶାନ୍ତ କହିଲେ, ‘‘ଦିନେ ତୁମ ବାପା ସ୍ୱୟଂ ତୁମକୁ ସବୁକଥା କହିଦେବେ । ତୁମ ଜନ୍ମ ବିଷୟରେ କେତେଜଣ କିଛି ଜାଣନ୍ତି । ଏକଥା ଯେ ଦିନେ ତୁମ କାନ ପାଖରେ ନିଶ୍ଚେ ପହଞ୍ଚିବ ସେ’ଟା ତୁମ ବାପା ଜାଣିଥିଲେ । ତାଙ୍କର ନିଶ୍ଚୟ ଥିଲା ଯେତେବେଳେ ତୁମ କାନ ଏ କଥାକୁ ଠିକ୍‍ ଭାବରେ ଶୁଣିବ, ତୁମ ବୁଦ୍ଧିରେ ୟାକୁ ଠିକ୍‍ ଭାବରେ ବୁଝିବାର ଶକ୍ତି ଉତ୍ପନ୍ନ ହେବ, ସେତେବେଳେ ସେ ସ୍ୱୟଂ ସତ୍ୟ ସହିତ ତୁମର ପରିଚୟ କରାଇ ଦେବେ । ହଁ, ମନେ ପଡ଼ିଲା ଆସନ୍ତା ମାସରେ ତୁମ ଜନ୍ମଦିନ ନା । ତୁମକୁ ପଚିଶ ଚାଲିବ । ବୋଧେ ସେଇଦିନ ସେ ତୁମକୁ ସବୁ କିଛି କହିଦେବେ । ସେ କହୁଥିଲେ ସେତେବେଳେ ତାଙ୍କ ଭାଗ୍ୟର ନିର୍ଣ୍ଣୟ ତୁମ ହାତରେ ହେବ । ତୁମେ ତାଙ୍କୁ ନିଜର ଜନ୍ମିତ ପିତାମାତା ପରି ଭାବିପାରିବ କି ନାହିଁ ?’’

 

‘‘କକା, ଏକଥା କୁହନ୍ତୁ ନାହିଁ । ସେ ଯୁଗ ଯୁଗାନ୍ତରପାଇଁ ମୋ ବାପା ମା ହୋଇ ରହିବେ-। ମୋର ତାଙ୍କପାଇଁ ଗର୍ବ ହୁଏ । ମୁଁ ତାଙ୍କରି ଅଂଶ । ମୋ’ଠାରୁ ବଢ଼ିକରି ଆଉ କେହି ତାଙ୍କ ଅଂଶ ହୋଇପାରେନା ।’’

 

‘‘ସାବାସ !’’

 

‘‘କିନ୍ତୁ ମୋ ବାପା କିଏ ?’’

 

‘‘ଯୀଶୁଖ୍ରୀଷ୍ଟଙ୍କ ପିତାଙ୍କ ନାମ ଆଜିପର୍ଯ୍ୟନ୍ତ କେହି ଜାଣନ୍ତି ?’’

 

‘‘ମୁଁ କେବେଳ ଭାବୁଚି, ମୋ ମା’ଙ୍କୁ ତାଙ୍କ ଘର ଲୋକଙ୍କଠାରୁ ଏବଂ ଏ ନିଷ୍ଠୁର ସମାଜଠାରୁ କେତେ କଥା ଶୁଣିବାକୁ ନ ପଡ଼ିଥିବ । ଲୋକମାନ ତାଙ୍କୁ ଅପମାନ କରୁଥିବେ, ତିରସ୍କାର କରୁଥିବେ ...........’’

 

ଟୁଟୁ କହି ଚାଲିଥାଏ । ପ୍ରଶାନ୍ତ ଶୁଣୁଥାନ୍ତି । ମଣିଷ ଜୀବନରେ ଏପରି ମୁହୂର୍ତ୍ତ ଆସେ ଯେତେବେଳେ ସେ ତା’ ଉପରେ କାବୁ ପାଇପାରେନା, ସେତିକିବେଳେ ବନ୍ଧନଟା ଛିଣ୍ଡିଲା ପରି ଜଣାପଡ଼େ । ଚିରକାଳର ସଂଚିତ ସଂଯମ ମଧ୍ୟ ଭାଙ୍ଗିଲା ପରି ପ୍ରତୀତ ହୁଏ । ଏଇକ୍ଷଣି ପ୍ରଶାନ୍ତଙ୍କର ମଧ୍ୟ ସେଇପରି ଏକ ସମୟ ଆସି ଉପସ୍ଥିତ ହୋଇଛି ।

 

‘‘ସେ ଗୋଟିଏ ଦେବୀ ଥିଲା ।’’ ପ୍ରଶାନ୍ତଙ୍କ ମୁହଁରୁ ତାଙ୍କ ଅଜାଣତରେ ବାହାରି ଆସିଲା-

 

‘‘ଆପଣ ତାଙ୍କୁ ଜାଣନ୍ତି ? ସେ ଜୀବିତ ଅଛନ୍ତି ? କୋଉଠି ଅଛନ୍ତି ? କୁହନ୍ତୁ...କହୁନ୍ତୁ..........।’’

 

ଟୁଟୁ ପ୍ରଶାନ୍ତଙ୍କ ସମ୍ମୁଖରେ ଏମିତିଭାବେ ଆଣ୍ଠୁମାଡ଼ି ବସିଗଲା, ଯେମିତି ପ୍ରାର୍ଥନାର ଏକ ସାକ୍ଷାତ ମୂର୍ତ୍ତି ସେ ।

 

ପ୍ରଶାନ୍ତ ହଠାତ୍‍ ପ୍ରକୃତିସ୍ଥ ହୋଇ ଉଠିଲେ । ସେ ଭାବିପାରିଲେ ନାହିଁ ସେ କ’ଣ କହିଦେଲେ । ଏଇକ୍ଷଣି କ’ଣ କହିବେ ? କ’ଣ କରିବେ ?

 

‘‘ନା ଟୁଟୁ, ଏଇକ୍ଷଣି ଆଉ କିଛି ପଚାର ନାହିଁ । ତୁମର ତୁମ କକାଙ୍କ ଉପରେ ବିଶ୍ୱାସ ଅଛି ନା ? ଜୀବନ ଯୋଉ ରାସ୍ତା ଦେଇ ତୁମକୁ ଚଲାଇ ନେଉଛି, ତୁମେ ସେଇ ରାସ୍ତା ଦେଇ ଚାଲିଚାଲ । ପ୍ରକୃତି ଯା’ କିଛି ଗୋପନ ରଖିବାକୁ ଚାହେଁ ସେ ସର୍ବଦା ତାକୁ ଗୋପନ ରଖିଥାଏ । ପ୍ରକୃତି ଯା’ କିଛି ପ୍ରକାଶ କରିବାକୁ ଚାହେଁ ତା’ ପ୍ରତ୍ୟକ୍ଷ ହୋଇଯାଏ ।’’

 

‘‘ଆପଣ ଯା’ କହିବେ ସେଇଆ ହବ ।’’ ଟୁଟୁ ଧୈର୍ଯ୍ୟର ସହିତ କହିଲା ।

 

ପୁନର୍ବାର ଦୁହେଁ କିଛି ସମୟପାଇଁ ନୀରବ ରହିଲେ । ବାର୍ତ୍ତାଳାପ ଅପେକ୍ଷା ଏହି ନୀରବତା, ସେମାନଙ୍କୁ ପରସ୍ପରର ନିକଟତର କରି ପାରିଥିଲା ।

 

କିଛି ସମୟ ପରେ ଟୁଟୁ ପ୍ରକୃତିସ୍ଥ ହେଲା ।’ ତା’ପରେ ପ୍ରଶାନ୍ତଙ୍କଠାରୁ ବିଦାୟ ନେଇ ଘରକୁ ଚାଲିଗଲା ।

 

ଘର ଭିତରର ବିଜୁଳି ଆଲୋକର ଉଜ୍ଜ୍ୱଳ ପ୍ରକାଶଟା ପ୍ରଶାନ୍ତକୁ ଭାରୀ ଭାରୀ ମନେ ହେଉଥିଲା । ସେଇ ଭାରୀ ପ୍ରକାଶ ମଧ୍ୟରେ ବସିବାକୁ ତାଙ୍କୁ କଷ୍ଟ ମନେ ହେଉଥିଲା । ଯେମିତି କି ପ୍ରତି ମୁହୂର୍ତ୍ତ, ପ୍ରତି କ୍ଷଣ ସେ ସେଇ ପ୍ରକାଶରେ ଆବରଣହୀନ ହୋଇ ଯାଉଥିଲେ । ହଠାତ୍‍ ତାଙ୍କର ଖିଆଲ ହେଲା ଟୁଟୁ ଭାସ୍ୱତୀକୁ ଭଲ ପାଏ । ତାଙ୍କ ଦୁହିଁଙ୍କର ବିବାହ ଏକ ପ୍ରକାର ଠିକ୍‍ କହିଲେ ଚଳେ । କିନ୍ତୁ ଟୁଟୁର ଭୟ ଭାସ୍ୱତୀକୁ ଯେମିତି ତା’ଠାରୁ କେହି ଛଡ଼ାଇ ନନିଏ ।

ପ୍ରଶାନ୍ତ ଲାଇଟ୍‍ର ସୁଇଚ ଅଫ୍‍ କରିଦେଲେ । ଅନ୍ଧକାର ମଧ୍ୟରେ ସେ ବିଛଣା ଉପରକୁ ଗୋଡ଼ ଉଠାଇ ନେଲେ, ଏବଂ ମନକୁ ମନ କହିଲେ, ‘‘ମୋ କାହାଣୀ ଏ ଜୀବନରେ ଅସଂପୂର୍ଣ୍ଣ ରହିଗଲା ଟୁଟୁ ! ଭଗବାନ କରନ୍ତୁ ତୁମ କାହାଣୀ ଯେମିତି ପୂର୍ଣ୍ଣ ହୁଏ ।’’ କିଏ ଜାଣେ ତାଙ୍କର ଏ ପ୍ରାର୍ଥନା ବିଧାତାର କର୍ଣ୍ଣଗୋଚର ହେଲା କି ନାହିଁ ?
 

ଦ୍ୱିପହର ସମୟ ।

 

ଶର୍ମିଷ୍ଠା ଭାସ୍ୱତୀର ଯୌତୁକରେ ଦିଆଯାଉଥିବା ଜିନିଷଗୁଡ଼ିକ ନିଜ ସୂଚୀ ଅନୁସାରେ ଗୋଟି ଗୋଟି କରି ମିଳାଇ ଦେଖୁଥାଏ ଆଉ ଗୋଟିଏ ଟ୍ରଙ୍କରେ ତାକୁ ସଜାଡ଼ି ରଖୁଥାଏ । ଏତିକିବେଳେ ପରିଚାରିକା ଆସି ଜଣାଇଲା କିଏ ଜଣେ ତା’ ସାଙ୍ଗରେ ଦେଖା କରିବାକୁ ଆସିଛନ୍ତି-

 

ଶର୍ମିଷ୍ଠା ଭାବିଲା ବୋଧେ ଭାସ୍ୱତୀର କେହି ସହପାଠି ହୋଇଥିବ । ସେଥିପାଇଁ ସେ ପରିଚାରିକାଟିକୁ ବୁଝି ଆସିବାକୁ ପଠାଇଲା ଯେ ସେ କାହାକୁ ଖୋଜୁଛନ୍ତି । ପରିଚାରିକାଟି ଆସି ଜଣାଇଲା ‘‘ସେ ଭାସ୍ୱତୀ ଦିଦିଙ୍କର ସହପାଠି; କିନ୍ତୁ ଆପଣଙ୍କ ସାଙ୍ଗରେ ଦେଖା କରିବାକୁ ଚାହୁଁଛନ୍ତି-

 

ଶର୍ମିଷ୍ଠା ନିଜ କାମ ବନ୍ଦ କରି ଡ୍ରଇଂ ରୁମ୍‍କୁ ଯୁବକଟିକୁ ଡକାଇଲା ।

 

‘‘ମୁଁ ଆପଣଙ୍କୁ କଷ୍ଟ ଦେଲି ମାଉସୀ, କ୍ଷମା କରିବେ । କିନ୍ତ ମୋ ମତରେ ଏ କଷ୍ଟ ଆପଣଙ୍କପାଇଁ ମଙ୍ଗଳର ସୂଚନା ନେଇ ଆସିବ ।’’ ଆଗନ୍ତୁକ ଯୁବକଟି କହିଲା ।

 

‘‘ମୁଁ ଆପଣଙ୍କ ଶୁଭନାମ ପଚାରି ପାରେ ?’’

 

‘‘ମତେ ପ୍ରମୋଦ କୁହନ୍ତି । ଆପଣ ମତେ ଆପଣ କହିବେ ନାହିଁ । ମୁଁ ଆପଣଙ୍କ ପୁଅ ପରି । ମୁଁ ପୂର୍ବରୁ ମଧ୍ୟ ତିନି ଚାରିଥର ଆପଣଙ୍କ ଏଠାକୁ ଆସିଛି । ମୁଁ ଭାସ୍ୱତୀର କ୍ଲାସ ଫେଲୋ ।’’

 

‘‘କୁହ ।’’

 

‘‘ଆପଣ ବୋଧେ ଭାସ୍ୱତୀର ନିର୍ବନ୍ଧ କରି ସାରିଲେଣି ?’’

 

‘‘ନିର୍ବନ୍ଧ ତ ହୋଇନାହିଁ; ହିଁ ବିବାହ ଠିକ୍‍ ହୋଇ ସାରିଛି ।’’

 

‘‘ମୁଁ ଭାସ୍ୱତୀର ମଙ୍ଗଳକାମନା କରେ । ମୁଁ ତାକୁ ସୁଖୀ ଦେଖିବାକୁ ଚାହେଁ ।’’

 

‘‘କିନ୍ତୁ କଥା କ’ଣ ?’’ ଶର୍ମିଷ୍ଠା ଟିକେ ଆଶ୍ଚର୍ଯ୍ୟ ହୋଇଥିଲା

 

‘‘ମୋର ନିଜର କୌଣସି ସ୍ୱାର୍ଥ ନାହିଁ, କେବଳ ଭାସ୍ୱତୀର ଭଲ ’’

 

‘‘ତୁମେ କ’ଣ କହିବାକୁ ଚାହୁଁଛ ପରିଷ୍କାର କରି କୁହ । ତୁମ କଥାରେ ମୋର କୌଣସି ଶଙ୍କା ନାହିଁ ।’’

 

‘‘ଗୋଟିଏ ସମ୍ମାନ ଆଭିଯାତ୍ୟ ପରିବାରରେ ଗୋଟିଏ ଆବାରା ଜାରଜ ସନ୍ତାନର ସମ୍ବନ୍ଧ–ମୁଁ ସହ୍ୟକରି ପାରୁନାହିଁ ।’’ ପ୍ରମୋଦ କଥାରେ ଆଗ୍ରହ ଅପେକ୍ଷା କ୍ରୋଧ ବେଶୀ ଥିଲା ।

 

‘‘ମୁଁ ଶାନ୍ତଭାବରେ ତୁମ କଥା ଶୁଣିଲି; କିନ୍ତୁ ତୁମର କାହା ବିରୁଦ୍ଧରେ ଏପରି ରୂଢ଼ ଶବ୍ଦ ପ୍ରୟୋଗ କରିବାଟା ଏକାନ୍ତ ଅନୁଚିତ ।’’

 

‘‘କାରଣ ମୁଁ ସତ୍ୟ ଜାଣେ । ଆଉ ଆପଣ ବର୍ତ୍ତମାନସୁଦ୍ଧା ବାସ୍ତବତା ସହିତ ପରିଚିତ ନୁହନ୍ତି ।’’

 

‘‘କୌଣସି ପ୍ରମାଣ ଅଛି ତୁମ ପାଖରେ ?’’

 

‘‘ଟୁଟୁ ସେଠ ହରପ୍ରସାଦଙ୍କର ନିଜ ପୁଅ ନୁହେଁ, ସେ କେବଳ ତାକୁ ପାଳିଛନ୍ତି ।’’ ପ୍ରମୋଦ ସମସ୍ତ ରହସ୍ୟ ସମ୍ମୁଖରେ ଖୋଲି ରଖିଦେଲା ଆଉଜଣେ ଶୂରବୀର ସାହସୀ ସୈନିକ ପରି ଶର୍ମିଷ୍ଠା ଆଡ଼େ ଦେଖିବାକୁ ଲାଗିଲା ।

 

‘‘ଯଦି ତୁମ କଥା ମାନି ମଧ୍ୟ ନିଆଯାଏ ତା’ହେଲେ ଏଥିରେ ଖରାପ କ’ଣ, ସେ ତାକୁ ଜନ୍ମରୁ ପାଳିଛନ୍ତି । ସମସ୍ତେ ତାଙ୍କୁ ତାଙ୍କରି ପୁଅ ବୋଲି କହିବେ ।’’ ଶର୍ମିଷ୍ଠା ଶାନ୍ତଭାବେ କହିଲା ।

 

‘‘କୌଣସି ନିରାଶ୍ରୟ ନିର୍ଦ୍ଧନ ବାଳକକୁ ସେ ଯଦି ପାଳିଥାନ୍ତେ ସେକଥା ଅଲଗା କିନ୍ତୁ ସେ ତ ଗୋଟିଏ ଅବିବାହିତା ମା’ର ପୁତ୍ର । ତା’ ମା’ ବଞ୍ଚିଛି । ତା’ ବାପା ବଞ୍ଚିଛି । ମୁଁ ତା’ ମା’ ଠିକଣା କହି ପାରିବି ନାହିଁ; କିନ୍ତୁ ତା’ ବାପା କିଏ କହିଦେବି ।’’ ପ୍ରମୋଦ ଶର୍ମିଷ୍ଠା ଆଡ଼େ ସେଇ ଧନୀ ବ୍ୟକ୍ତିମାନଙ୍କ ଭଳି ଚାହିଁ ଦେଖୁଥିଲା ଯିଏ କି ବଡ଼ ଗର୍ବଭାବେ କାହାକୁ ମୁଠାଏ ଦେଲା ପରେ ଆଉ ମଧ୍ୟ ଦେଇ ପାରନ୍ତି ।

 

‘‘କିଏ ସେ?’’ ପଚାରିଳା ଶର୍ମିଷ୍ଠା ।

 

‘‘ଇଞ୍ଜିନିୟର ପ୍ରଶାନ୍ତ ମହାପାତ୍ର ।’’

 

‘‘ହୁଁ !’’ ଶର୍ମିଷ୍ଠାର ଅନ୍ତଃସ୍ଥଳ ଯେମିତି ମତ୍‍ଥିତ ହୋଇଉଠିଲା ।

 

‘‘ହଁ ମାଉସୀ । ମୁଁ କହୁନଥିଲି ଆପଣ ସତ୍ୟ ସହିତ ପରିଚିତ ନୁହନ୍ତି । ପ୍ରଶାନ୍ତ ସେତେବେଳେ ପଢ଼ୁଥିଲେ, ଯେତେବେଳେ ତାଙ୍କ ପ୍ରେମିକାଙ୍କର ପିଲା ହେଲା । ସେତେବେଳେ ତାଙ୍କ ବାପା ପ୍ରଶାନ୍ତ ସହିତ ତାଙ୍କର ବିବାହ ଦେଲେ ନାହିଁ । ପିଲାଟିକୁ ହସ୍‍ପିଟାଲର ଜଣେ ନର୍ସକୁ ଦେଇଦେଲେ । ଟୁଟୁ ମା’ର ବିବାହ ତାଙ୍କ ମା’ ବାପା ଜଣେ ଧନିଘରେ କରିଦେଲେ । ପ୍ରଶାନ୍ତ ସମସ୍ତଙ୍କୁ ଲୁଚାଇ ହସ୍‍ପିଟାଲରୁ ସେ ନର୍ସଠାରୁ ପିଲାଟିକୁ ନେଇଆସିଲେ । ହରପ୍ରସାଦ ମିଶ୍ର ତାଙ୍କର ଅନ୍ତରଙ୍ଗ ବନ୍ଧୁ । ଅନେକଦିନ ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ପିଲାପିଲି ନଥିଲା-। ସେ ପିଲାଟିକୁ ପ୍ରଶାନ୍ତଙ୍କଠାରୁ ନେଇନେଲେ ।’’ ପୂରା କାହାଣୀ କହିସାରିବା ପରେ ପ୍ରମୋଦ ନିଜକୁ ବିଜୟୀ ସେନାପତିର ଗର୍ବ ଅନୁଭବ କରୁଥାଏ ।

 

ଶର୍ମିଷ୍ଠା ସେତେବେଳେ କେଜାଣି କ’ଣ ଭାବିବାରେ ମଗ୍ନଥିଲା ।

 

ତାକୁ ନୀରବ ଦେଖି ପ୍ରମୋଦ ପୁନର୍ବାର ଆରମ୍ଭକଲା, ‘‘ଆପଣଙ୍କର ବୋଧେ ମୋ କଥାରେ ବିଶ୍ୱାସ ହେଲାନାହିଁ । ଏ ରହସ୍ୟକୁ ସେ ହସ୍‍ପିଟାଲର ଜଣେ ଡାକ୍ତର ଭଲରୂପେ ଜାଣନ୍ତି-। ଆପଣ ଅବଶ୍ୟ କହିପାରନ୍ତି ଯେ ଜଣେ ଡାକ୍ତର ଏତେ ବଡ଼ ଗୋଟାଏ ଦାୟିତ୍ୱପୂର୍ଣ୍ଣ କଥା କେବେ କାହାରି ଆଗରେ ପ୍ରକାଶ କରି ନ ପାରନ୍ତି । କିନ୍ତୁ ଡାକ୍ତର ଆଉ ପ୍ରଶାନ୍ତଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସେଠାକାର ଜଣେ ନର୍ସ ଶୁଣିଥିଲା । ସେଇ ନର୍ସ ମୋ ମା’ଙ୍କ ଦେହ ଖରାପବେଳେ ଆମ ଘରକୁ ଆସୁଥିଲା । ମୋ ଅଙ୍କଲଙ୍କର କୌଣସି ପିଲାପିଲି ନଥାଏ । ସେ କୌଣସି ପିଲାକୁ ପୁଅ କରି ରଖିବାକୁ ଚାହୁଁଥିଲେ । ସେତେବେଳେ ସେ ନର୍ସ ସେ ପିଲାକଥା ଆମ ଘରେ ପକାଇଥିଲା । ତା’ କଥା ଶୁଣି ଅଙ୍କଲ ଭାରୀ ଦୁଃଖିତ ହେଲେ । ସେ ସେଇ ପିଲାକୁ ପୁଅ କରିବାପାଇଁ ଠିକ୍‍ କଲେ । କିନ୍ତୁ ତା’ ପରଦିନ ସେଇ ନର୍ସଠାରୁ ଜାଣିବାକୁ ପାଇଲେ ଯେ ଆଉ ଜଣେ କିଏ ସେ ପିଲାଟିକୁ ହସ୍‍ପିଟାଲରୁ ନେଇଯାଇଛି । ମୋ ଆଣ୍ଟି ଭାରୀ ମନଦୁଃଖ କଲେ । ଏସବୁ କଥା ମୋ ଜ୍ଞାନ ହେବା ପୂର୍ବର; କିନ୍ତୁ କେତେଥର ଏଇସବୁ କଥା ଶୁଣାଇବାକୁ ଯାଇ ମୋ ଆଣ୍ଟି କହୁଥିଲେ ସେତେବେଳେ ତାଙ୍କୁ ଜଣାଯାଇଥିଲା ସତେ ଯେମିତି ତାଙ୍କ ନିଜ ସନ୍ତାନକୁ କିଏ ତାଙ୍କ ପାଖରୁ ଛଡ଼ାଇ ନେଇଛି । ସେ ନର୍ସଠାରୁ ଆମେ ପରେ ଶୁଣିବାକୁ ପାଇଲୁ ଯେ ପିଲାଟିକୁ ତା’ ବାପା ନିଜେ ନେଇଯାଇଥିଲେ ।’’

 

ଶର୍ମିଷ୍ଠା ମୁଣ୍ଡ ନୁଆଁଇ ବସିଥିଲା ।

 

ଶର୍ମିଷ୍ଠାର ଏ ପରି ସ୍ଥାଣୁ ମୂର୍ତ୍ତି ଦେଖି କ’ଣ ଭାବି ମନେ ମନେ ଖୁସି ହୋଇ ପ୍ରମୋଦ ନମସ୍କାର କରି ଉଠି ଚାଲିଗଲା ।

ପ୍ରମୋଦ ଚାଲି ଯାଇଥିଲା ।

ଶର୍ମିଷ୍ଠା ସୋଫା ଉପରୁ ଉଠି ପ୍ରଶାନ୍ତଙ୍କ ତୈଳଚିତ୍ର ସମ୍ମୁଖରେ ଯାଇ ଛିଡ଼ାହେଲା । ତା’ର ଢଳିଲା ଯୌବନ ଯେମିତ ପୁନର୍ବାର ସଞ୍ଜୀବିତ ହୋଇ ତା’ ସମ୍ମୁଖରେ ଛିଡ଼ାହେଲା । ଚିତ୍ର ସମ୍ମୁଖରେ ଛିଡ଼ାହୋଇ ସେ ମନକୁ ମନ କହିବାକୁ ଲାଗିଲା–

‘‘ତୁମେ ପ୍ରଶାନ୍ତ–ସବୁଦିନ ପରି ତୁମେ ଆଜି ବି ହସୁଛ, ତୁମେ ସବୁବେଳେ ମୋ’ଠାରୁ ନିଜକୁ ଗୋପନ ରଖୁଥିଲ । ଆଜି ମୁଁ ତୁମକୁ ପାଇଗଲି । ତୁମେ କହିଥିଲ ନା, ତୁମ ପ୍ରେମ କୋଉଠି ହଜିଯାଇଛି ଆଉ ତା’ ଚିହ୍ନ ତୁମ ପାଖରେ ରହିଛି । ମୁଁ ପଚାରିଥିଲି କ’ଣ । ତୁମେ ହସିକରି ଉତ୍ତର ଦେଇଥିଲ ତା’ର ସ୍ମୃତି । ଆଜି ମୁଁ ସେ ଚିହ୍ନ ଆବିଷ୍କାର କରିପାରିଛି ।

ଗୁରୁଦେବ ! ଆପଣ ମୋ ଭକ୍ତି ଉପରେ ବିଶ୍ୱାସ କଲେ ନାହିଁ । ମତେ ସତ କହିଲେ ନାହିଁ । ମୁଁ ମୋ ଭକ୍ତି ବଳରେ ମୋ ତପସ୍ୟା ବଳରେ ଆପଣଙ୍କ ସମ୍ବନ୍ଧରେ ସୁବକିଛି ଜାଣିନେଲି । ଆପଣଙ୍କ ପୁଅ....ଆପଣଙ୍କ ରକ୍ତ.... ଆପଣଙ୍କ ପ୍ରେମର ଜୀବନ୍ତ ଜାଗ୍ରତ ପ୍ରତୀକ.....ସେ ମୋ ଝିଅର ସ୍ୱାମୀ ହେବ । ମୁଁ କେଡ଼େ ଭାଗ୍ୟଶାଳୀ !’’

ଶର୍ମିଷ୍ଠା ହସି ହସି ସୋଫା ଉପରେ ଗଡ଼ି ପଡ଼ିଲା । ପୁଣି ମନକୁ ମନ କହିବାକୁ ଲାଗିଲା–‘‘ଆପଣ ପ୍ରକୃତରେ ଦେବତା । ନିଜ ପ୍ରେମକୁ ଆପଣ କିପରି ଏପରି ଭାବରେ ରଖିପାରିଲେ ? ସାରା ଯୌବନ ବିତାଇ ଦେଲେ; ସାରା ଜୀବନ ଲଗାଇ ଦେଲେ; କିନ୍ତୁ ମୃତପ୍ରାୟ ପ୍ରେମକୁ ହୃଦୟରେ ଲଗାଇ ରଖିଥିଲେ । ସେ ନିଶ୍ଚେ କୌଣସି ଦେବୀ ହେବେ । କେଡ଼େ ଭାଗ୍ୟବାନ ସେ । ଯିଏ କି ଆପଣଙ୍କ ପ୍ରେମ ଲାଭ କରିଥିଲେ । ଏତେଟା ଭଲପାଇବା ବୋଧେ କୌଣସି ପୁରୁଷ କୌଣସି ନାରୀକୁ ପାଇପାରେ ନାହିଁ । ହାୟ ! ବିଚାରୀ ଆପଣଙ୍କପରି ପ୍ରେମୀ ପୁରୁଷର ଜୀବନରୁ ଅଲଗା ହୋଇଗଲେ । ନିଜ ସନ୍ତାନଠାରୁ ଅଲଗା ହୋଇଗଲେ । ଗୁରୁଦେବ ! ଆପଣ ଯଦି ଥରେ ମତେ କହିଥାନ୍ତେ ସେ କୋଉଠି ଅଛନ୍ତି ମୁଁ ଯାଇ ତାଙ୍କ ଚରଣଧୂଳି ଆଣି ମୁଣ୍ଡରେ ଚଢ଼ାଉଥାନ୍ତି, ତାଙ୍କର ପୂଜା କରିଥାନ୍ତି । ତାଙ୍କ ଦୁଃଖିତ ହୃଦୟକୁ ସାନ୍ତ୍ୱନା ଦେଇ କହିଥାନ୍ତି, ଭଉଣୀ, ସଂସାରର ସ୍ତ୍ରୀମାନଙ୍କ ମଧ୍ୟରେ ତୁମେ ସବୁଠାରୁ ଅଧିକ ଭାଗ୍ୟଶାଳୀ, ଯା’ କି ତୁମକୁ ଏପରି ଅନୁପମ ପ୍ରେମୀ ପ୍ରାପ୍ତ ହୋଇଛି; ଯିଏ କି ତୁମରି ହେଇ ରହିଲା; କେବଳ ତୁମର, ସୁବଦିନପାଇଁ ତୁମର ।

ଶାନ୍ତିର ଏକ ଲହରୀ ଶର୍ମିଷ୍ଠାର ସମସ୍ତ ଶରୀରରେ ଖେଳିଗଲା । ସେ ସେଇ ଲହରୀ ମଧ୍ୟରେ ବୁଡ଼ିଗଲା । ପୁଣି ଧୀରେ ଧୀରେ ତା’ ଓଠ ହଲିବାକୁ ଲାଗିଲା–

ହେ ଭାସ୍ୱତୀର ହିତାକାଂକ୍ଷୀ ! ତୁମେ ଆସିଥିଲ ଟୁଟୁକୁ ମୋ ଆଖିରେ ଛୋଟ କରିବାକୁ, କିନ୍ତୁ ତୁମେ ଜାଣନା, ତୁମେ ତାକୁ କୋଉ ଉଚ୍ଚ ଆସିନରେ ବସାଇ ଦେଇଗଲ । ମୁଁ ଭାସ୍ୱତୀକୁ କହିବି, ଟୁଟୁ କୌଣସି ସାଧାରଣ ବ୍ୟକ୍ତିର ପୁଅ ନୁହେଁ, ସେ ଏକ ଦେବତାର ସନ୍ତାନ । ତୁ ଜୀବନସାରା ତା’ର ପୂଜା କରିବୁ । ଭାସୁ ! ସତେ ତୁ କେଡ଼େ ଭାଗ୍ୟଶାଳୀ ! ଯା’କି ପ୍ରଶାନ୍ତଙ୍କ ପରି ବ୍ୟକ୍ତିର ପୁଅ ତୋର ଜୀବନସାଥୀ ହେଲା ।

ଶର୍ମିଷ୍ଠା ଆନନ୍ଦରେ ବିଭୋର ହୋଇଯାଇଥିଲା ।

ଏତିକିବେଳେ ବାହାର ଦ୍ୱାରରେ କିଏ କରାଘାତ କଲା । ଶର୍ମିଷ୍ଠା ଭାବିଲା ତା’ ଆନନ୍ଦରେ ଯେମିତି ବିଘ୍ନ ନ ଉପୁଜେ । ପୁଣି ମନକୁ ମନ ହସି ଉଠିଲା । ଆଜି ତ ବିଘ୍ନ ମଧ୍ୟ ଆନନ୍ଦରେ ରୂପ ଧାରଣ କରୁଛି ।

ଦରଜା ଖୋଲି ଦେଖିଲା ଆଗନ୍ତୁକ ଆଉ କେହି ନୁହେଁ, ସ୍ୱୟଂ ପ୍ରଶାନ୍ତ । ପ୍ରଶାନ୍ତକୁ ଟିକେ ବିଚଳିତ ଥିଲା ପରି ଜଣା ଯାଉଥିଲ । ଗତ ରାତ୍ରି ଘଟଣାର ଚିନ୍ତା ତାଙ୍କୁ ଏପର୍ଯ୍ୟନ୍ତ ଟାଣି ଆଣିଥିଲା । ସେ ଶର୍ମିଷ୍ଠାର ମନୋଭାବ ଜାଣିବାପାଇଁ ଆସିଥିଲେ । ତାଙ୍କର ଚିନ୍ତା ଥିଲା ଯେମିତି ଟୁଟୁର ଖୁସି ଅଧା ନ ରହିଯାଏ । ଶର୍ମିଷ୍ଠାକୁ ତାଙ୍କର ଖୁବ୍‍ ପ୍ରସନ୍ନ ମନେ ହେଉଥିଲା । ସେ ଭାବିଲେ କିଏ ଜାଣେ ବାସ୍ତବତା ସହିତ ପରିଚିତ ହେଲେ ଶର୍ମିଷ୍ଠାର ମନୋଭାବ କ’ଣ ହେବ ! କିନ୍ତୁ ପ୍ରଶାନ୍ତକୁ କିଛି ପଚାରିବାର ଆବଶ୍ୟକତା ପଡ଼ିଲା ନାହିଁ । ଶର୍ମିଷ୍ଠା ହିଁ ପ୍ରଥମେ ହସିକରି କହିଲା, ‘‘ବିବାହ ଏଇକ୍ଷଣି ଆହୁରି ଦୁଇମାସ ଡେରିଅଛି ନା ?’’

 

ଶୁଣିକରି ପ୍ରଶାନ୍ତ ଟିକେ ଭୟ ପାଇଗଲେ ।

 

ଶର୍ମିଷ୍ଠା ପୁନର୍ବାର କହିଲା, ‘‘ବହୁତ ଡେରି ଅଛି ? କ’ଣ ୟା ପୂର୍ବରୁ ବିବାହ ହୋଇପାରିବ ନାହିଁ ? ମୁଁ ଶୀଘ୍ର ଚାହୁଁଛି । ମୁଁ ଅଧୀର ହୋଇ ପଡ଼ିଲିଣି । ଟୁଟୁକୁ ଯେତେ ଶୀଘ୍ର ମୁଁ ନିଜର କରିନେବାକୁ ଚାହେଁ । ଆପଣଙ୍କ ରକ୍ତକୁ ମୁଁ ଆପଣାର କରିନେବାକୁ ଚାହେଁ ।’’ କହି ଶର୍ମିଷ୍ଠା ମସ୍ତକ ନତ କଲା ।

 

ପ୍ରଶାନ୍ତଙ୍କ ସମସ୍ତ ଆଶଙ୍କା ଦୂରୀଭୂତ ହୋଇଗଲା । ସେ ଜାଣିନେଲେ ଶର୍ମିଷ୍ଠା କୌଣସି ମତେ ଜାଣିସାରିଛି ଟୁଟୁ ତାଙ୍କରି ରକ୍ତ...।

 

ଟୁଟୁ ଆଉ ଭାସ୍ୱତୀର ବିବାହ ଆରମ୍ଭ ହେଲା ଏବଂ ନିର୍ବିଘ୍ନରେ ଶେଷ ହେଲା । ହିଁ ଯେତେବେଳେ ଭାସ୍ୱତୀ ଟୁଟୁର ହାତଗଣ୍ଠି ପଡ଼ିଲା, ସେତେବେଳେ ଶର୍ମିଷ୍ଠା ଅନୁଭବ କଲା ଆଜି ତା’ର ଅନ୍ତରରେ ଯେମିତି ଏକ ଅଦ୍ଭୁତ ରସର ସଞ୍ଚାର ହେଉଛି । ଭାସ୍ୱତୀ ତା’ର ଅନ୍ତରାତ୍ମା ଆଉ ଟୁଟୁ ପ୍ରଶାନ୍ତଙ୍କ ହୃଦୟର ମଣି ।

 

ଯେତେବେଳେ ଭାସ୍ୱତୀ ଆଉ ଟୁଟୁ ଶର୍ମିଷ୍ଠା ଘରୁ ବିଦା ହୋଇ ସୁଷମା ଆଉ ହରପ୍ରସାଦଙ୍କ ଘରର ସ୍ୱାଗତ ସ୍ୱୀକାର କଲେ ଏବଂ ଦୁହେଁ ଆସି ପ୍ରଶାନ୍ତକୁ ପ୍ରଣାମ କଲେ, ସେତେବେଳେ ତାଙ୍କୁ ଆଶୀର୍ବାଦ ଦେବା ସମୟରେ ପ୍ରଶାନ୍ତଙ୍କୁ ଜଣାଗଲା ଯେମିତି ସୁମିତ୍ରାର ଦୁଇଟି ଦୁର୍ବଳ ହାତ ତାଙ୍କ ହାତ ସହିତ ମିଶି ଟୁଟୁକୁ ଆଶୀର୍ବାଦ କରୁଛି । ଟୁଟୁ ତାଙ୍କର ନିଜ ଅଂଶ । ଟୁଟୁ ତାଙ୍କ ସୁମିତ୍ରାର ରକ୍ତ ।

 

ରାତି ଏଗାରଟା ବାଜି ଯାଇଥିଲା ।

 

ପ୍ରଶାନ୍ତ ଶୋଇବାର ଉପକ୍ରମ କରୁଥିଲେ । ଏତିକିବେଳେ ତାଙ୍କ ରୁମ୍‍ର ଦ୍ୱାର ଖୋଲି ଟୁଟୁ ଆସି ତାଙ୍କ କୋଳରେ ଲୋଟି ପଡ଼ିଲା ।

 

‘‘ବାପା ! ....ଟୁଟୁ ପ୍ରଶାନ୍ତଙ୍କୁ ସଯୋର ଯାପୁଟି ଧରିଥିଲା । ପ୍ରଶାନ୍ତ ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲେ; କିନ୍ତୁ ଆଜି ଯେତେବେଳେ ଟୁଟୁ ସବୁକିଛି ଜାଣି ସାରିଲାଣି, ସେତେବେଳେ ସେ କେମିତିଭାବେ ତାକୁ ନାହିଁ କରିଦେବେ ।

 

‘‘ବାପା, ଆପଣ ଏତେଦିନ ଧରି ନିଜକୁ ମୋ ପାଖରେ ଲୁଚାଇ ରଖିଥିଲେ; କିନ୍ତୁ ଏଣିକି ଆଉ ପାରିବେ ନାହିଁ ।’’ ଟୁଟୁର ମୁହଁ ଲୋତକପ୍ଳାବିତ ଥିଲା । ପ୍ରଶାନ୍ତ କିଛି କହିପାରିଲେ ନାହିଁ । କେବଳ ନିଃଶବ୍ଦରେ ତା’ ପିଠିରେ ହାତ ଫେରାଇବାକୁ ଲାଗିଲେ ।

 

‘‘ବାପା ! ଆପଣ ମହାନ ।’’ ଟୁଟୁ ଆଖିରୁ ଅଶ୍ରୁଧାରା ବୋହି ଚାଲିଥାଏ । ‘‘ଆପଣ ଆପଣଙ୍କ ସାରା ଜୀବନ ବଳୀଦାନ କରିଦେଲେ । ସମାଜ ଆପଣଙ୍କୁ ସ୍ୱାମୀ ବୋଲି ସ୍ୱୀକାର କଲା ନାହିଁ । ଆପଣଙ୍କୁ ପିତାର ଆସନ ଦେଲା ନାହିଁ । କିନ୍ତୁ ସମାଜ ତ ସାଧାରଣ ବ୍ୟକ୍ତିଙ୍କପାଇଁ, ଆପଣ ତ ଅସାଧାରଣ । ସମାଜଠାରୁ ଉଚ୍ଚରେ । ଆପଣଙ୍କ ପରି କେବେ କୌଣସି ପିତା ଭଲପାଇବାର ଏପରି ମହତ୍ୱ ରଖିନଥିବ । କେବେ କୌଣସି ପିତା ନିଜ ପରମାୟୁକୁ ଏପରି ଭାବେ ନିଃଶେଷ କରିନଥିବ । ବାପା ...’’ ଟୁଟୁ ପ୍ରଶାନ୍ତଙ୍କୁ ଦୁଇ ହାତରେ ଯାପୁଟି ଧରିଥିଲା ।

 

ପ୍ରଶାନ୍ତଙ୍କ ଶରୀର ଯେ କି ଏତେବେଳ ପର୍ଯ୍ୟନ୍ତ ମୂର୍ତ୍ତିବତ୍‍ ସ୍ଥିର ଥିଲା, ହଲିଲା । ବୋହି ଆସୁଥିବା ଲୋତକକୁ ସେ ସାଧ୍ୟମତେ ଅଟକାଇବାକୁ ଚେଷ୍ଟା କରୁଥିଲେ; କିନ୍ତୁ ଲୋତକ ବଳବାନ ଥିଲା ପଲକ ଚିରି ବୋହି ଆସିଲା ।

 

ଟୁଟୁ ଜୀବନରେ ପ୍ରଥମଥରପାଇଁ ପ୍ରଶାନ୍ତଙ୍କ ଆଖିରେ ଲୁହ ଦେଖିଲା ।

 

‘‘ତୁମକୁ କିଏ କହିଲା ?’’ ନିଜକୁ ପ୍ରକୃତିସ୍ଥ କରି ଧୀର ସ୍ୱରରେ ପଚାରିଲେ ପ୍ରଶାନ୍ତ ।

 

‘‘ନିଜେ ହରପ୍ରସାଦ ବାପା ଆପଣ ଜାଣନ୍ତି ଆଜି ମୋର ପଚିଶତମ ଜନ୍ମୋତ୍ସବ । ଘଣ୍ଟାକ ତଳେ ସେ ମତେ ସବୁକିଛି କହିଦେଲେ, ଆପଣଙ୍କ ନାଁ ମଧ୍ୟ କହିଦେଲେ । ସେ କହିଲେ ପ୍ରଶାନ୍ତ ତାଙ୍କର ସମସ୍ତ ଜୀବନ ତୁମପାଇଁ ଉତ୍ସର୍ଗ କରିଦେଲେ । ମୁଁ ହୃଦୟଭରି ତୁମଠାରୁ ପୁତ୍ରସ୍ନେହ ପାଇଛି । ମୁଁ ଜାଣେ ପୁତ୍ରସ୍ନେହର କ୍ଷୁଧା କେଡ଼େ ପ୍ରବଳ ହୋଇଥାଏ । ଯଦିଓ ପ୍ରଶାନ୍ତ ସର୍ବଦା ତୁମ ଉପରେ ପ୍ରଗାଢ଼ ସ୍ନେହ ରଖିଥିଲେ; ସେ ନିଃଶଙ୍କ ହୋଇ ତୁମକୁ ପୁତ୍ର ବୋଲି କହିପାରି ନାହାନ୍ତି । ତୁମେ ତ ମୋର । ତୁମକୁ ମୋଠାରୁ କେହି ଛଡ଼ାଇ ନେଇ ପାରିବ ନାହିଁ; କିନ୍ତୁ ପ୍ରଶାନ୍ତଙ୍କୁ ମଧ୍ୟ ଏ କ୍ଷୁଧାରୁ ଯେମିତି ତୁମେ ବଞ୍ଚିତ ନକର । ଆଉ ଗୋଟିଏ କଥା ମୋ ଜନ୍ମ ସମ୍ବନ୍ଧରେ ସେ ଯେତେବେଳେ କହିଲେ ଭାବିଲେ କାଳେ ମୁଁ ମନରେ କୌଣସି ସଂକୀର୍ଣ୍ଣଭାବ ପୋଷଣ କରିବି, ସେଥିପାଇଁ ସେ ମତେ କହିଲେ, ତୁମ ପାଖରେ ସୁବଠାରୁ ବଡ଼ ଗୌରବର କଥା ହେଲା ଯେ ତୁମେ ପ୍ରଶାନ୍ତଙ୍କ ପରି ବ୍ୟକ୍ତିର ସନ୍ତାନ ।’’ କହିଲା ଟୁଟୁ ।

 

‘‘ହର ପ୍ରକୃତରେ ଜଣେ ମହାନ୍‍ ବ୍ୟକ୍ତି ।’’ କହିଲେ ପ୍ରଶାନ୍ତ

 

ତା’ପରେ ଦୁହେଁ ନୀରବ ।

 

ନୀରବତାକୁ ଭାଙ୍ଗି ଟୁଟୁ ସ୍ନେହପୂର୍ଣ୍ଣ ଆଗ୍ରହର ସହିତ କହିଲା, ‘‘ବାପା, ମତେ ସବୁ କୁହନ୍ତୁ ।’’

 

ପ୍ରଶାନ୍ତ ଟିକେ ହସିଲେ । ତା’ପରେ କହିବାକୁ ଲାଗିଲେ–

 

‘‘ସେତେବେଳେ ମୁଁ ଇଞ୍ଜିନିୟରିଂ ପଢ଼ୁଥାଏ । ଦିନକର କଥା । ଗ୍ରୀଷ୍ମଛୁଟିରେ ମୁଁ ତୁମ ମା ଗାଁକୁ ଯାଇଥାଏ । ସେଠି ଏକ ପାର୍ବତ୍ୟ ପ୍ରଦେଶରେ ଆମେ ତମ୍ବୁ ପକାଇ ଥାଉ । ମୁଁ ଗୋଟିଏ ଗରିବ ଘରର ପିଲା, ସେ ଗୋଟି ଧନୀ ବ୍ୟକ୍ତିର ଝିଅ । ସେଠି ଆମର ପରସ୍ପର ସହିତ ପରିଚୟ ହେଲା । ଆମ ରୁଚିରେ ଧନୀ, ଦରିଦ୍ରର ତଫାତ୍‍ ନଥିଲା । ତା’ ବାପା ମା’ ଅନେକ ଧନ ସମ୍ପତ୍ତିର ଅଧିକାରୀ ଥିଲେ; କିନ୍ତୁ ତା’ ସୌନ୍ଦର୍ଯ୍ୟ ଆଉ ବୁଦ୍ଧି ତାଙ୍କର ସେ ଧନ ସମ୍ପତ୍ତିଠାରୁ ଅନେକ ଉଚ୍ଚରେ ଥିଲା । ସେଠି ସେ ପାର୍ବତ୍ୟ ପ୍ରଦେଶରେ ବଣ ତଥା ଝରଣା ନିକଟରେ ଆମେ ଦୁହେଁ ବୁଲୁଥିଲୁ, ଖେଳୁଥିଲୁ । ପାହାଡ଼ ଶୀର୍ଷ ଦେଶରେ ଆମେ କେତେଥର ସୂର୍ଯ୍ୟଙ୍କୁ ଉଦୟ ଅସ୍ତ ହେବାର ଦେଖିଛୁ-। ସେତେବେଳେ ଏ କଥାଟା ଆମ ଚିନ୍ତାର ବହିର୍ଭୁତ ଥିଲା, ଯେ ଜୀବନରେ ଆମକୁ କେହି ଅଲଗା କରିଦେବେ । ପାହାଡ଼ର ଚଟାଣ ଉପରେ ମୁଁ ତା’ର ଫଟ ଉଠାଇଥିଲି । ସେ ଫଟରେ ସେ ଏକ ଦେବୀ ପରି ଜଣାଯାଉଥାଏ ।

 

ବିଧାତାର ବିଧି ଅଖଣ୍ଡ । ଆମ ପୂର୍ଣ୍ଣ ଭଲପାଇବା କେବେହେଲେ ଏକଥା ଚିନ୍ତା କଲା ନାହଁ ଯେ ସେ ଆଇନ୍ ଦୃଷ୍ଟିରେ ଅପୂର୍ଣ୍ଣ । ଆମେ କେବଳ ଇଶ୍ୱରଙ୍କୁ ସାକ୍ଷୀରଖି ପରସ୍ପରକୁ ବାଛିଥିଲୁ । ମୋ ମତରେ ବିବାହର କୌଣସି ନୀତି ୟା ଠାରୁ ବଡ଼ ହୋଇପ।ରେନା । ମୁଁ ଏକଥା କହୁନାହଁ ଯେ ଆଇନ୍‍ର କୌଣସି ମୂଲ୍ୟ ନାହିଁ, ୟା ନୁହେଁ ଯେ ତା’ ଉପରେ କେତୋଟି ଜୀବନକୁ ସବୁଦିନପାଇଁ ଉତ୍ସର୍ଗ କରି ଦିଆଯିବ । ତା' ଛଡ଼ା ସେ ସାଧାରଣ ଝିଅ ପରି ଝିଅ ନଥିଲା କି ମୁଁ ସାଧାରଣ ପୁଅ ପରି ପୁଅ ନଥିଲି । ସେତେବେଳେ ସୁମିତ୍ରା ଅନ୍ତଃସତ୍ତ୍ୱା, ଯେତେବେଳେ ତା’ ବାପା ମା’ ମୋ ସାଙ୍ଗରେ ତା’ର ବିବାହ ଦେବାକୁ ମନା କରିଦେଲେ । ଆମର ଗନ୍ଧର୍ବ ବିବାହକୁ ସେମାନେ ଅସ୍ୱୀକାର କଲେ । ମୋପାଇଁ ସେ ତା’ ମାନ୍ ମର୍ଯ୍ୟାଦା, ବାପା ମା’ଙ୍କ ସ୍ନେହ ସୋହାଗ ସବୁକିଛି ତ୍ୟାଗକରି ପାରିଥାନ୍ତା; କିନ୍ତୁ ସେମାନେ ତାକୁ ଚବିଶ ଘଣ୍ଟା ଘର ଭିତରେ ବନ୍ଦୀ କରି ରଖିଲେ । ତା’ ଉପରେ କଡ଼ା ପହରା ରଖିଲେ । ତା’ ପାଖରୁ ମୋ ନିକଟକୁ ସନ୍ଦେଶ ପଠାଗଲା କି ମୁଁ ତା’ର ଜୀବନ ନଷ୍ଟ କରିଛି, ସେ ମୋ’ ପରି ଜଣେ ନିଃସ୍ୱ ସାଧାରଣ ଲୋକକୁ କୌଣସିମତେ ବିବାହ କରିପାରିବ ନାହଁ ! ଆହୁରି କେତେକଥା ତା’ଦ୍ୱାରା ମୋତେ କୁହା ହୋଇଥିଲା; କିନ୍ତୁ ଏସବୁ କଥାକୁ ମୁଁ ଆଦୌ ସତ୍ୟ ବୋଲି ମାନିନେଇ ପାରିନାହିଁ ।

 

ତୁମ ଜନ୍ମ ହେବା ସଙ୍ଗେ ସଙ୍ଗେ ସେମାନେ ତୁମକୁ ହସ୍‍ପିଟାଲର ଜଣେ ନର୍ସକୁ ଦେଇଦେଲେ । ମୁଁ ପଛେ ପଛେ ଥିଲି । ସେଇ ହସ୍‍ପିଟାଲର ଜଣେ ଡାକ୍ତର ମୋର ବନ୍ଧୁ ଥିଲେ । ମୁଁ ତାଙ୍କୁ ସବୁ ସତ ସତ କହିଦେଲି । ସେ ମତେ ସେ ନର୍ସଠାରୁ ତୁମକୁ ଫେରାଇ ଦେଲେ । ମୁଁ ତୁମକୁ ଗୋଟିଏ ଲୁଗାରେ ଗୁଡ଼ାଇ ମୋ ସାଙ୍ଗ ହରପ୍ରସାଦଙ୍କ ଘରକୁ ନେଇ ଆସିଲି । ସେ ବନ୍ଧୁତ୍ଵର ମହତ୍ୱ ରଖିଲେ । ସେତେବେଳେ ତାଙ୍କର କୌଣସି ସନ୍ତାନ ନଥିଲା । ଆଉ ସେଇଦିନଠାରୁ ତୁମେ ମୋ ଆଖି ସାମନାରେ ବଢ଼ିବାକୁ ଲାଗିଲ । ମୁଁ ହରକୁ ସବୁକିଛି କହିଥିଲ; କିନ୍ତୁ ତୁମ ମା’ର ନାଁ ଆଉ ଠିକଣା କହିନଥିଲି ।’’

 

ପ୍ରଶାନ୍ତ ଟୁଟୁ ସମ୍ମୁଖରେ ତାଙ୍କ ହୃଦୟର ସମସ୍ତ ବୋଝ ଓହ୍ଲାଇ ରଖିଦେଲେ ।

 

‘‘କିନ୍ତୁ ମା’ ଠିକଣାଟା ମତେ ତ କୁହନ୍ତୁ ।” ଟୁଟୁ ସ୍ୱରରେ ବ୍ୟଗ୍ରତା ଫୁଟିଉଠିଲା ।

 

“ତାକୁ ରହସ୍ୟ ହିଁ ରହିବାକୁ ଦିଅ ଟୁଟୁ ।’’

 

‘‘କାହିଁକି ବାପା ?”

 

‘‘ତା’ ମା ବାପା ଖୁବ୍ ଶୀଘ୍ର କୌଣସି ଧନୀ ଘରେ ତା’ର ବିବାହ କରିଦେଇଥିଲେ । ତା’ ପରଠାରୁ ତାକୁ ମୁଁ କେବେ ଦେଖି ନାହଁ ।”

 

“ତାଙ୍କ ସମ୍ବନ୍ଧରେ କିଛି ଶୁଣି ମଧ୍ୟ ନାହାଁନ୍ତି ?”

 

‘‘ଖୁବ୍ କମ୍ । ସେତେବେଳର କଥା, ତୁମପାଇଁ ଗୋଟିଏ ଆୟା ରଖା ହୋଇଥିଲା । ସେ ଆୟା ତାଙ୍କ ଘରୁ ଚାକିରୀ ଛାଡ଼ି ଆସିଥିଲା । ସେଇ କହୁଥିଲା ସୁମିତ୍ରାର ଗୋଟିଏ ଝିଅ ହୋଇଛି ଆଉ ସେ ତା' ନାଁ ରୁନୁ ରଖିଛି । ମୁଁ ଜାଣିନେଲି ସେ କାହିଁକ ତା’ ଝିଅ ନାଁ ରୁନୁ ରଖିଛି । ସେ ପାହାଡ଼ ପ୍ରଦେଶରେ ଥରେ ଦୁଇଥର ମତେ କହିଥିଲା କି ଆମେ ଆମ ପୁଅ ନାଁ ରୁନୁ ରଖିବୁ । ବୋଧେ ସେ ତା’ ଝିଅ ମଧ୍ୟରେ ତୁମକୁ ପାଇବାକୁ ଚାହୁଁଥିଲା । ସେ ଭୁଲ କରିଥିଲା ତା’ ଝିଅର ଏଇ ନାଁ ରଖି । ଏଇ ନାଁ ଯୋଗୁ ସେ ତୁମକୁ ଭୁଲିପାରି ନଥିବ । ଆଉ ତୁମକୁ ନ ଭୁଲିବା ଯୋଗୁ ସେ ମତେ ବି ଭୁଲିପାରି ନଥିବ । ଏଇ ଦୁଇଟି କଥା ତା’ ନୂତନ ଜୀବନରେ କ୍ଷତି ପହଞ୍ଚାଇ ପାରେ-। ସେକଥା ସେ ଭାବିଲା ନାହିଁ । ମୁଁ ଜାଣିଶୁଣି କେବେ ତା’ ନିକଟକୁ ଯାଇନାହିଁ । ମୁଁ ଚାହୁଁଥିଲି ସେ ଧୀରେ ଧୀରେ ତା' ନୂତନ ଜୀବନ ସହିତ ଅଭ୍ୟସ୍ତ ହେଇଯାଉ ।”

 

“କିନ୍ତୁ ବାପା, ଆପଣ ଯଦି ଚାହିଁବେ ତାଙ୍କ ଠିକଣା ପାଇପାରିବେ ।’’

 

“ସେ ସର୍ବଦା ମୋ ଜୀବନରେ ମୋର ହେଇ ରହିବ, ହଁ ତା’ ଜୀବନରେ ଯେମିତି ମୁଁ ନରୁହେ ।’’

 

“ବାପା ! ଆପଣ ଏତେ କଥା କହିଲେ, ଏ କ’ଥା ମଧ୍ୟ କହି ଦିଅନ୍ତୁ ସେ କୋଉଠି ଅଛନ୍ତି ?”

 

‘‘ଆଜିକାଲିକା କଥା ତ ମୁଁ କରିପାରିବି ନାହିଁ । ଅନେକଦିନ ପୂର୍ବେ ସେମାନେ କଲିକତାରେ ଥିଲେ । ତା’ ସ୍ବାମୀଙ୍କ ନାଁ ଅନ୍ନଦାଶଙ୍କର ।”

 

କିଛି ସମୟ ନୀରବତା ।

 

‘‘ଟୁଟୁ.....’’

 

‘‘ଆଜ୍ଞା ।’’

 

‘‘କ’ଣ ଭାବୁଚ ?’’

 

‘‘କିଛି ନାହିଁ ।’’

 

‘‘କିଛି ନିଶ୍ଚେ ଭାବୁଚ, ମତେ କୁହ ?’’

 

‘‘କିଛି ନାହିଁ । ଭାସ୍ୱତୀ କଲେଜରେ ଗୋଟିଏ ଝିଅ ପଢ଼େ ତା’ ନାଁ ରୁନୁ । ମୋର ତା’ କଥା ମନେ ପଡ଼ିଗଲା ।’’

 

‘‘ପାଗଳ କୋଉଠିକାର । କ’ଣ ଦୁନିଆରେ କେବଳ ଗୋଟିଏ ରୁନୁ ଅଛି । ଏଭଳି ଘଟଣା କେବଳ ଗଳ୍ପ ଉପନ୍ୟାସରେ ହିଁ ଘଟିଥାଏ, ବାସ୍ତବ ଜୀବନରେ ନୁହେଁ ।

 

‘‘ବାପା, ବେଳେ ବେଳେ ସତ୍ୟ କଳ୍ପନାଠାରୁ ମଧ୍ୟ ଅଧିକ ରୋମାଞ୍ଚକର ହୁଏ ।’’

 

‘‘ତା ଠିକ୍‍ । ଛାଡ଼, କୋଉ ଭାବନା ନେଇ ବସିଗଲ । ମୁଁ ତୁମକୁ ଗୋଟିଏ କଥା କହିବାକୁ ଯାଉଥିଲି ।

 

‘‘କୁହନ୍ତୁ ।’’

 

‘‘ତୁମର ଯଦି କେବେ ମା’ କଥା ମନେ ପଡ଼େ ତା’ହେଲେ ତୁମେ ଶ୍ରଦ୍ଧାରେ ତାଙ୍କ ପ୍ରତି ମୁଣ୍ଡ ନୁଆଇଁ ଦେବ । ମୁଁ ଆଜି ମଧ୍ୟ ତା’ର ପୂଜା କରେ । ତୁମେ ଜାଣନାହିଁ । କିନ୍ତୁ ମୋ କଥାରେ ବିଶ୍ୱାସ ରଖ, ସେ ଗୋଟିଏ ଦେବୀଠାରୁ ମଧ୍ୟ ଅଧିକ ପବିତ୍ର, ସତୀଠାରୁ ମଧ୍ୟ ଅଧିକ ପୂଜ୍ୟା । ମୁଁ ନିଃସନ୍ଦେହ ତା’ ପ୍ରେମରେ ସେପରି ଦୃଢ଼ଶକ୍ତି ଥିବ, ଯା’ର ପୁଣ୍ୟ ସ୍ମୃତିକୁ ନେଇ ମୁଁ ଏତେଦିନ ଜୀବିତ ରହିପାରିଛି ।’’

 

‘‘ବାପା........! ଟୁଟୁର ଆଉ ଏକଥା କହିବା ଦରକାର ପଡ଼ିଲା ନାହିଁ ଯେ ନିଜ ମା’ପାଇଁ ତା’ ହୃଦୟରେ କେତେ ଶ୍ରଦ୍ଧା ରହିଛି । ତା’ ମୁଖଭାଗରେ ଏକ ଭକ୍ତିଭାବ ପରିସ୍ଫୁଟ ହେଉଥିଲା ।

 

‘‘ଟୁଟୁ !’’

 

‘‘ଆଜ୍ଞା।’’

 

‘‘କୋରାପୁଟରେ ଗୋଟାଏ ପ୍ରୋଜେକ୍‍ଟ କାମରେ ମୁଁ ଚାଲିଯିବି । ମୋର ବିଶ୍ୱାସ ତୁମ ମନରେ ମୋପାଇଁ କିମ୍ବା ତୁମ ମା’ପାଇଁ କୌଣସି ପ୍ରଶ୍ନ ନଥିବ ?’’

 

ନାହିଁ ବାପା, ମୋ ମନରେ ଆଉ କୌଣସି ପ୍ରଶ୍ନ ନାହିଁ ।’’

 

ଛୁଆଙ୍କ ପରି ତାକୁ ଛାତି ଉପରକୁ ଆଉଜାଇ ନେଇ ପ୍ରଶାନ୍ତ କହିଲେ, ‘‘ସୁନାପୁଅ ’’।

 

ପ୍ରଶାନ୍ତ ପ୍ରୋଜେକ୍ଟ କାମରେ କୋରାପୁଟ ଚାଲିଗଲେ । ପ୍ରତି ଦୁଇଦିନରେ ତାଙ୍କଠାରୁ ଟୁଟୁ ପାଖକୁ ଗୋଟିଏ ଲେଖା ଚିଠି ଆସୁଥିଲା ।

 

ପ୍ରଶାନ୍ତ ସେଠି ଗୋଟିଏ ଭଲ କ୍ୱାଟର ପାଇଥିଲେ । କୋରାପୁଟରେ ବହୁତ ବଡ଼ ବଡ଼ ଜଙ୍ଗଲ । ଯୋଉଥିରେ ନାନା ବନ୍ୟଜନ୍ତୁ ଏବଂ ଦାମୀ କାଠ ଗଛ ସବୁ ରହିଥାଏ ।

 

ଆଜି ପ୍ରଶାନ୍ତଙ୍କର ଗୋଟିଏ ଚିଠି ଆସିଥିଲା । ସେଥିରେ ଲେଖାଥିଲା ଜଙ୍ଗଲ ଅଧିବାସୀଙ୍କର ଗୋଟିଏ ପ୍ରସିଦ୍ଧ ନୃତ୍ୟ ଝୁମୁର । ସେଇ ଝୁମୁର ନୃତ୍ୟରେ ଗୋଟିଏ ବିଶେଷ ଆକର୍ଷଣ ଥାଏ । ପୁରୁଷ ଆଉ ସ୍ତ୍ରୀ ମିଶିକରି ରାତିଦିନ ନାଚନ୍ତି । ନୃତ୍ୟବେଳେ ଖାଇବା ପିଇବା ମଧ୍ୟ ଭୁଲିଯାନ୍ତି ସେମାନେ । ତାଙ୍କର ଚିକ୍‍କଣ କଳା ଦେହରେ ସୂର୍ଯ୍ୟକିରଣ ପଡ଼ି ଚିକ୍‍ ଚିକ୍‍ କରୁଥାଏ । ବିବାହ ଅବସରରେ ଯୋଉ ଝୁମୁର ନାଚ ହୁଏ ସେଥିରେ ବର ବଧୂ ମଧ୍ୟ ଭାଗ ନିଅନ୍ତି-। ସେତେବେଳେ ବାତାବରଣରେ ମଦିରାର ମହକ ଥାଏ । ତାଙ୍କର ସେ ନିର୍ଧନତା ଆଗରେ ସମ୍ପନ୍ନତା ମଧ୍ୟ ମୁଣ୍ଡ ନୁଆଁଏ ।

 

ଟୁଟୁ ଯେତିକି ଯେତିକି ଚିଠିଟି ପଢ଼ୁଥାଏ ତା’ ମନରେ ସେତିକି ସେତିକି କିପରି ଏକ ଭାବ ଜାଗ୍ରତ ହେଉଥାଏ । ଚିଠିଟିକୁ ସେମିତି ହାତରେ ଧରି ଚେୟାର ଉପରେ ଟିକେ ଆଉଜିଗଲା ସେ । ଆଖି ସାମନାରେ ତା’ର ଭାସି ଉଠିଲା ଏକ ସୁନ୍ଦର ଚିତ୍ର ।

 

ଗୋଟିଏ ସୁନ୍ଦର ନିର୍ଜ୍ଜନ ବନ । ଯୋଉଠି ଆସି କେତକ ଜଙ୍ଗଲୀ ନାଚିବାକୁ ଲାଗିଲେ କଳା କଳା ଛିଣ୍ଡା ଲୁଗା ପିନ୍ଧି । ନାଚୁ ନାଚୁ ତାଙ୍କ ଶରୀର ଚକ୍‍ ଚକ୍‍ କରି ଉଠିଲା । ତାଙ୍କ ମୁହଁ ସୁନ୍ଦର ହୋଇ ଉଠିଲା । ସେମାନଙ୍କ ମଧ୍ୟରେ ଦୁଇଟି ପରିଚିତ ମୁହଁ ଥିଲା । ସମସ୍ତଙ୍କ ମଧ୍ୟରେ ସେ ଉଡ଼ନ୍ତା ପକ୍ଷୀପରି ନାଚୁଥିଲେ । ପ୍ରଶାନ୍ତ ସୁମିତ୍ରାର ହାତ ଧରିଥିଲେ । ଦୁହେଁ ନାଚୁଥିଲେ । ଧରିତ୍ରୀ ନାଚୁଥିଲା ।

 

ଟୁଟୁ ଦେଖୁଥିଲା ।

 

ଭାସ୍ୱତୀ ଆସି ତା’ କାନ୍ଧ ଧରି ହଲାଇଦେଲା । ଟୁଟୁର ସ୍ୱପ୍ନ ଭାଙ୍ଗିଗଲା । ସ୍ୱପ୍ନର ଆଲୋକରେ ସେ ଆନନ୍ଦବିଭୋର ହୋଇଯାଇଥିଲା । ଆଜି ପ୍ରଥମ କରି ସେ ତା’ର ଜନ୍ମଦାତ୍ରୀକୁ ସ୍ୱପ୍ନରେ ଦେଖିଥିଲା । ଟୁଟୁ ସୁମିତ୍ରାକୁ ପ୍ରଥମେ କେବେ ଦେଖିନଥିଲା । ଆଜି ନିଜ କଳ୍ପନାରେ ସେ ସୁମିତ୍ରାକୁ ଦେଖିନେଲା ।

 

ଆନନ୍ଦରେ ମଧୁର ଲହରୀ ଆସି ଯେତେବେଳେ ବାସ୍ତବର ପ୍ରସ୍ତର ପାଚେରୀ ଆଡ଼େ ଚାହିଁଲା, ଲହରୀ ବିନ୍ଦୁ ବିନ୍ଦୁ ହେଇ ଝରିପଡ଼ିଲା । ଟୁଟୁର ଆଖି ଛଳ ଛଳ ହେଇ ଉଠିଲା । ସେ ଭାବିଲା ପ୍ରେମ ତ ଏ ପୃଥିବୀରେ ବର୍ଜିତ । ସୁମିତ୍ରା ରହିଗଲା । ପ୍ରଶାନ୍ତ ରହିଗଲେ । ସେ ଜୀବନର ଖୁସିର ଦୁନିଆରେ କେବେ ଝୁମୁର ନାଚି ପାରିବେ ନାହିଁ । କେହି କେବେ ଅନ୍ୟର ହାତ ଧରିପାରିବେ ନାହିଁ । କାହିଁକି ନା ସେମାନେ ଆଦିବାସୀ ନୁହଁନ୍ତି, ନିର୍ଧନ ନୁହଁନ୍ତି ଆଦିବାସୀଙ୍କ ପରି ଅଶିକ୍ଷିତ ନୁହଁନ୍ତି, ଜଙ୍ଗଲୀ ନୁହଁନ୍ତି । ସେ ତ ସଭ୍ୟ ଜଗତର ବୁଦ୍ଧିମାନ ଆଉ ସଜ୍ଜନ ବ୍ୟକ୍ତି । ସେ ଝୁମୁର ନାଚି ପାରିଲେ ନାହିଁ । ଜଣେ ଅନ୍ୟଜଣର ହାତ ଧରି ପାରିଲେ ନାହିଁ ।

 

ଆଜି କାହିଁକି ଟୁଟୁର ଭାସ୍ୱତୀ କଲେଜର ରୁନୁ କଥା ବାରମ୍ବାର ମନେ ପଡ଼ୁଥିଲା । ଦ୍ୱିପହରେ ସେ ରୁନୁ ଘରଆଡ଼େ ବାହାରି ପଡ଼ିଲା । ଛାତି ତା’ର ଧପ୍‍ ଧପ୍‍ ହେଉଥାଏ । ରୁନୁ ଯଦି ତା’ ବାପା ନାଁ ଅନ୍ମଦାଶଙ୍କର ରାୟ ବୋଲି କୁହେ ? ତା’ହେଲେ ସେ ଜୀବନର ଏ ଆକସ୍ମିକ ସାକ୍ଷାତକୁ କେମିତି ସହ୍ୟ କରିବ ? ଯଦି ରୁନୁ ତା’ ବାପା ନାଁ ଅନ୍ୟକିଛି କୁହେ ତା’ହେଲେ ସେ ଏକେବାରେ ନିରାଶ ହୋଇଯିବ ।

 

ଟୁଟୁ ରୁନୁ ଘରେ ଆସି ପହଞ୍ଚିଲା । ରୁନୁ ତାକୁ ବଡ଼ ଶିଷ୍ଟାଚାର ସହ ସାକ୍ଷାତ୍‍ କଲା । ସେ ଟୁଟୁ ସହିତ ବିଶେଷ ପରିଚିତ ନଥିଲା କି ଟୁଟୁ ବି ତା’ ବିବାହରେ ତାକୁ ନିମନ୍ତ୍ରଣ କରିନଥିଲା । କେବଳ ପ୍ରମୋଦ ଘଟଣାଦିନ ଯା’ ତା’ ସହିତ ପରିଚୟ ହୋଇଥିଲା ।

 

ଟୁଟୁ ସ୍ପନ୍ଦିତ ହୃଦୟରେ ଇଆଡ଼ୁ ସିଆଡ଼ୁ ଅନେକ କଥା କହିବା ପରେ ସାହସ କରି ରୁନୁକୁ ତା’ ବାପାଙ୍କ ନାଁଟା ପଚାରିଦେଲା ।

 

‘‘ଅନ୍ନଦାଶଙ୍କର ରାୟ ।’’

 

ଟୁଟୁ ଶୁଣିଲା । ସେତେବେଳେ ତା’ ମୁଖମଣ୍ଡଳରେ ଯୋଉ ଭାବ ପରିସ୍ଫୁଟ ହେଉଥିଲା, ତାକୁ ସେ ଲୁଚାଇ ପାରିଲା ନାହିଁ ।

 

‘‘ତୁମେ ଆଶ୍ଚର୍ଯ୍ୟ ହେଲାପରି ଜଣାପଡ଼ୁଛ, କ’ଣ ତୁମେ ତାଙ୍କୁ ଜାଣିଥିଲ ?’’

 

‘‘ନା, ମୁଁ ତାଙ୍କୁ କେବେ ଦେଖିନାହିଁ ।’’ ନିଜ ମନର ଦ୍ୱିଧା ମେଣ୍ଟାଇବାପାଇଁ ଟୁଟୁ ରୁନୁର ମା’ ନାଁ ପଚାରିବାକୁ ଚାହୁଁଥିଲା, କିନ୍ତୁ ମା’ ନାଁଟା ପଚାରିବା ଉଚିତ ହେବନାହିଁ ଭାବି ସେ ଅନ୍ୟକଥା ହେଉ ହେଉ ଯାଇ ତା’ ମା ପାଖରେ ପହଞ୍ଚିଲା ।

 

ସୁମିତ୍ରା ବିଛଣାରେ ଶୋଇରହିଥିଲା । ଯଦିଚ ସମୟ ଆଉ ଚିର ରୋଗ ତା’ ମୁଖର କାନ୍ତିକୁ ନଷ୍ଟ କରିଦେଇଥିଲା, ତଥାପି ତା’ ମୁହଁରେ ଏକ ମଧୁର ମୁଦ୍ରା ସର୍ବଦା ଲାଗି ରହିଥିଲା । ଟୁଟୁକ ଜଣାଗଲା ଯେମିତି ଏଇ ତା’ର ମା । ତା’ର ଇଚ୍ଛା ହେଉଥିଲା ଯାଇ ତା’ ମା’କୁ ଯାବୁଡ଼ି ଧରିବ । ତା’ର ପ୍ରତି ଲୋମକୂପରେ ନିଜକୁ ହଜାଇ ଦେବ । ତା’ ପୁଅକୁ ତାକୁ ଫେରାଇଦେବ । କିନ୍ତୁ ସେ ନିଜକୁ ସମ୍ଭାଳି ନେଲା । ଏପରି ରୁଗ୍‍ଣ ଅବସ୍ଥାର ତାଙ୍କୁ ଯେମିତି କୌଣସି ସ୍ମୃତିର ଧକ୍‍କା ହଠାତ୍‍ ଲାଗିନଯାଏ । ତା’ହେଲେ ସେ ତା’ ମା’କୁ ପାଉ ପାଉ ହରାଇ ବସିବ ।

 

ଟୁଟୁ ହସିକରି ଯାଇ ତାଙ୍କ ବିଛଣାରେ ବସିପଡ଼ିଲା । ରୁନୁ ମା’କୁ ଟୁଟୁ ପ୍ରଥମ ଦିନରୁ ହିଁ ଭଲ ଲାଗିଥିଲା, ଯୋଉଦିନ ସେ ରୁନୁକୁ ପ୍ରମୋଦ ହାତରୁ ରକ୍ଷା କରି ଘରକୁ ଆଣିଥିଲା ।

 

ଆଜି ରୁନୁର ମା ଟିକେ ଅଭିମାନ କରି କହିଲେ ଯେ ସେ ଏତେଦିନ ହେଲା କାହିଁକି ତାଙ୍କ ଘରକୁ ଆସିନଥିଲା ।

 

ଟୁଟୁ କହିଲା ସେ ପ୍ରକୃତରେ ଲଜ୍ଜିତ । ହଠାତ୍‍ ତା’ ବାହାଘର ହୋଇଗଲା । ସେଥିପାଇଁ ସେ ଟିକେ ବ୍ୟସ୍ତ ରହିଯାଇଥିଲା

 

ଏତିକିବେଳେ ରୁନୁ ତା’ ବାପାଙ୍କ ଫଟ ଆଣି ଦେଖାଇବାକୁ ଲାଗିଲା । ଚିତ୍ରମଧ୍ୟରେ ସୁମିତ୍ରାର ମଧ୍ୟ ଏକ ଚିତ୍ର ଥିଲା । ଚିତ୍ରଟିକୁ ଦେଖୁ ଦେଖୁ ଟୁଟୁ ହଠାତ୍‍ କହି ପକାଇଲା, ‘‘ମା’ଙ୍କ ଚିତ୍ର ପରି ମା’ଙ୍କ ନାଁ ମଧ୍ୟ ନିଶ୍ଚେ ଖୁବ୍‍ ସୁନ୍ଦର ହୋଇଥିବ ।’’ କହି ତ ଦେଲା ହେଲେ ତା’ ନିଜକୁ ପ୍ରଶ୍ନଟା କେମିତି ଅବାନ୍ତର ମନେ ହେଲା । କିନ୍ତୁ ସେ କହି ସାରିଥିଲା ।

 

ରୁନୁ ହସିଦେଲା । ତା’ ମା ମଧ୍ୟ ହସିଲେ ଆଉ କହିଲେ, ‘‘ମୋ ନାଁ ଅବଶ୍ୟ ମୋପାଇଁ ସୁନ୍ଦର । ଅନ୍ୟକୁ ହୁଏତ କିପରି ଲାଗିବ କହି ପାରିବି ନାହିଁ । ତେବେ ମୋ ନାଁ ମୁଁ ନିଜେ ରଖିଥିଲି- ସୁମିତ୍ରା ।’’

 

ଟୁଟୁ ବିନା ବିଚାର ବିମର୍ଷରେ ସୁମିତ୍ରା ଆଡ଼କୁ ଝୁଙ୍କିପଡ଼ିଲା । କିନ୍ତୁ ୟା ପୂର୍ବରୁ ଆଉ କିଛି ପ୍ରକଟ ହୋଇଯାଉ ସେ ନିଜକୁ ସମ୍ଭାଳି ନେଲା ଆଉ ମା’ ହାତକୁ ନିଜ ହାତ ମୁଠାରେ ରଖି କହିଲା, ‘‘ଆପଣ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ନା ?’’

 

‘‘ଟୁଟୁ, କାହିଁକି କେଜାଣି ତୁମକୁ ମତେ ଭାରି ଭଲଲାଗେ ।’’ ଟୁଟୁ ମୁଣ୍ଡରେ ସ୍ନେହରେ ହାତବୁଲାଇ କହିଲା ସୁମିତ୍ରା ।

 

‘‘ତା’ହେଲେ ମୋ କଥା ମାନନ୍ତୁ, ଶୀଘ୍ର ସୁସ୍ଥ ହୋଇଯା’ନ୍ତୁ ।’’

 

‘‘ନା ଟୁଟୁ, ଜୀବନର ଡୋର ପ୍ରଥମରୁ ଏମିତି ବହୁତ ଲମ୍ବା ହୋଇଯାଇଛି । ତା’ ଛଡ଼ା ମୋପାଇଁ ମୋର ଆଉ କୌଣସି ଭାବନା ନାହିଁ । ଏଇକ୍ଷଣି ମୋର ଗୋଟିଏ ଭାବନା, କେମିତି ରୁନୁର ବିବାହଟା ଭଲରେ ଭଲରେ ହବ ।’’

 

‘‘ଆପଣ ରୁନୁର ବିବାହ ଦେବେ, ରୁନୁକୁ ପ୍ରସନ୍ନ ଦେଖିବେ । ଆପଣ ମତେ ବି ପୁଅ ବୋଲି ସମ୍ବୋଧନ କରିଛନ୍ତି । ମୋପାଇଁ ଆପଣ ଜୀବିତ ରହିବେ ।’’

 

ଟୁଟୁର ଇଚ୍ଛା ହଉଥିଲା, ଆଉ କିଛି କହିଦବାପାଇଁ କିନ୍ତୁ ନୀରବ ରହିଲା । ରୁନୁକୁ କହିଲା, ‘‘ତୁମେ ତୁମ ଭାଉଜ ସାଙ୍ଗରେ ଦେଖା କରିବାକୁ କେବେ ଆସୁଚ । ତୁମ କଲେଜର ଭାସ୍ୱତୀ ଏଇକ୍ଷଣି ତୁମ ଭାଉଜ ଜାଣିଚ ତ !’’

 

ରୁନୁ ସମ୍ପତ୍ତି ଜଣାଇଲା ସେ ଜାଣେ ବୋଲି ।

 

ତା’ପରେ ଇଆଡ଼ୁ ସିଆଡ଼ୁ କେତେକଥା ପରେ ପୁନର୍ବାର ଆସିବାକୁ କହି ଟୁଟୁ ସେଠାରୁ ବିଦାୟ ନେଲା ।

 

ଟୁଟୁ ଏବେ ପ୍ରାୟ ପ୍ରତିଦିନ ଘରକୁ ଯାଏ । ରୁନୁକୁ ଭଉଣୀ ଏବଂ ସୁମିତ୍ରା ମା’ ବୋଲି ସମ୍ବୋଧନ କରେ । କିନ୍ତୁ ଆଉ କିଛି କୁହେନାହିଁ । ସୁମିତ୍ରା ଘରେ ଏକ ପ୍ରକାର ପ୍ରଫୁଲ୍ଲତା ଆସିଯାଇଥାଏ । ମା’ ଝିଅ ଦୁହେଁ ପ୍ରାୟ ପ୍ରତିଦିନ ଟୁଟୁର ପ୍ରତୀକ୍ଷା କରିବାକୁ ଲାଗନ୍ତି । ସୁମିତ୍ରା ଶୋଇ ଶୋଇ ଦ୍ୱାରଦେଶକୁ ଏକ ଦୃଷ୍ଟିରେ ଚାହିଁ ରହିଥାଏ କେତେବେଳେ ଟୁଟୁ ଆସିବ । ସୁମିତ୍ରା ଏଇକ୍ଷଣି ଆଉ ବିଛଣାରୁ ଉଠିପାରେନାହିଁ । ଦିନକୁ ଦିନ ସେ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ୁଥାଏ । କିନ୍ତୁ ଟୁଟୁ ଆସିବା ପରଠାରୁ ତା’ର ଦିନଗୁଡ଼ିକ ବେଶ୍‍ ରୁଚିକର ହୋଇ ଉଠିଥାଏ ।

 

ଦିନେ ଟୁଟୁ, ଆସି ସୁମିତ୍ରାକୁ କହିଲା, ‘‘ମା ବେଳେ ବେଳେ ସନ୍ତାନ ଜିଦିକରେ ଜାଣ ?’’

 

‘‘କିନ୍ତୁ ଏପରି ବୁଦ୍ଧିମାନ ସନ୍ତାନ କ’ଣ ଜିଦି କରିବ ?’’ ହସିଲା ସୁମିତ୍ରା ।

 

‘‘ଧରନ୍ତୁ ଯଦି କୌଣସି ଜିଦି କରିବସେ, ମାନିବେ ?’’

 

‘‘ଜିଦି କରିବା ସମୟରେ ଏପରି ପ୍ରଶ୍ନ କରିନ୍ତି ନାହିଁ । ଯେ ଜିଦିକରେ ସେ ତା’ ଜିଦି ପୂରଣକରି ଛାଡ଼େ ।’’ ହସିକରି କହିଲା ସୁମିତ୍ରା ।

 

‘‘ଆଚ୍ଛା ତା’ହେଲେ ମୁଁ ଏଇକ୍ଷଣି ଜିଦି କରିବି ଆଉ ମନାଇକରି ଛାଡ଼ିବି ।’’

 

ଏପରି ଭଲପିଲାର ଜିଦି ମଧ୍ୟ ନିଶ୍ଚେ ଭଲ ହେଇଥିବ ।

 

‘‘ଶୁଣନ୍ତୁ, କିଛିଦିନପାଇଁ ମୁଁ ଆପଣଙ୍କୁ କୁଆଡ଼େ ନବାକୁ ଚାହୁଁଛି । ଆପଣ ପ୍ରସ୍ତୁତ ହୋଇଯାନ୍ତୁ ।’’

 

‘‘ଆଚ୍ଛା, ମତେ କୌଣସି ନିମନ୍ତ୍ରଣ ନାହିଁ । ମୁଁ କ’ଣ ଏଇଠି ରହିବି ?’’ ମଝିରୁ କହିଉଠିଲା ରୁନୁ ।

 

‘‘ମା’କୁ ଜିଦିକରି ମନାଯାଏ, ଭଉଣୀକୁ ଆଦେଶ ଦେଇ ।’’ ଟୁଟୁ ହସିବାକୁ ଲାଗିଲା ।

 

‘‘କୋଉଠିକି ?’’ ପଚାରିଲା ସୁମିତ୍ରା ।

 

‘‘ଯୋଉଠିକି ମୁଁ ଯିବି । ମୋ ବାପା ଜଣେ ଇଞ୍ଜିନିୟର । ସେ କୋରାପୁଟର ପଟାଙ୍ଗୀରେ ଅଛନ୍ତି । ମୁଁ ତାଙ୍କ ପାଖକୁ ଯିବି, ଆପଣଙ୍କୁ ମଧ୍ୟ ସାଙ୍ଗରେ ନେଇଯିବି । ପାର୍ବତ୍ୟ ପ୍ରଦେଶ । ବେଶ୍‍ ସ୍ୱାସ୍ଥ୍ୟକର ଜାଗା । କିଛିଦିନ ବୁଲି ଆସିଲେ ଆପଣଙ୍କ ସ୍ୱାସ୍ଥ୍ୟ ନିଶ୍ଚେ ଭଲ ରହିବ-। ତା’ ଛଡ଼ା ସେଠି ବାପାଙ୍କର ଜଣେ ରଷିୟାନ ଡାକ୍ତର ବନ୍ଧୁ ଅଛନ୍ତି, ସେ ଆପଣଙ୍କୁ ଦେଖିବେ ।

 

‘‘ପାଗଳାଟା । ଏଡ଼େ ଲମ୍ବା ଯାତ୍ରାପାଇଁ ମୋର ଶକ୍ତି କାହିଁ । ତା’ ଛଡ଼ା ମୋ ଜୀବନର ଆଉ ଏତଟା ଆବଶ୍ୟକ ନାହିଁ, ଯା’ପାଇଁ ଏତେ ସବୁ କରାଯିବ।’’ ନିରାଶପୂର୍ଣ୍ଣ କଣ୍ଠରେ କହିଲା ସୁମିତ୍ରା ।

 

‘‘ଆବଶ୍ୟକ ଅଛି କି ନାହିଁ ତା’ର ସମାଧାନ ମୁଁ ନିଜେ କରିବି । ଆପଣଙ୍କ ସ୍ୱାସ୍ଥ୍ୟକୁ ଆପଣଙ୍କ ଦୟା ଉପରେ ଛାଡ଼ି ଦିଆଯାଇ ନପାରେ ।’’

 

‘‘ନାହିଁ ବାପା, ମୁଁ ଯାଇପାରିବି ନାହିଁ ।’’

 

‘‘ନାହିଁ ମା, ମୋର ଏ ଜିଦି ଆପଣଙ୍କୁ ରଖିବାକୁ ହିଁ ପଡ଼ିବ । ସେଠାକାର ଖୋଲା ବାତାବରଣ, ମାଇଲ ମାଇଲ ଧରି ଜଙ୍ଗଲର ଅପୂର୍ବ ଶୋଭା; ଜୀବନ ପ୍ରକୃତିର ଏତେ ନିକଟରେ ଥିଲେ ଅନ୍ୟପ୍ରକାର ହୋଇଥାଏ । ସହରର ଏ ଭିଡ଼ରେ ତ ବେଳେ ବେଳ ମନୁଷ୍ୟର ଶ୍ୱାସରୋଧ ହେଲାପରି ମନେହୁଏ । ମୋ ସୁନା ମା’ଟା, ମାନିଯାନ୍ତୁ ନା ।’’ ଟୁଟୁର ଜିଦି ବିନତିରେ ପରିଣତ ହେଲା ।

 

ସୁମିତ୍ରାର ଭାବନାରେ ଏକ ଜାଗୃତି ଉତ୍ପନ୍ନ ହେଲା ପରି ହେଲା ।ତା’ ମୁଖମଣ୍ଡଳ ଏକ ଅଜଣା ଆଲୋକରେ ଆଲୋକିତ ହୋଇ ଉଠିଲା । ସେ ଟୁଟୁ ପରି ସୁନ୍ଦର ପିଲା ସହିତ ପ୍ରକୃତିର ମୁକ୍ତ ବାୟୁରେ ବିଚରଣ କରିପାରିବ । ରୁନୁ ଆଉ ଟୁଟୁ ଭାଇ ଭଉଣୀ ପରି ଖେଳିବେ, ବୁଲିବେ । ସେ ସ୍ୱତନ୍ତ୍ର ଆଉ ସୁନ୍ଦର ଜୀବନର ଏକ ଶ୍ୱାସ କରିପାରିବ ।

 

ସୁମିତ୍ରା ରାଜି ହୋଇଗଲା । ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ତା’ର ଶ୍ୱାସ ଯେମିତି ନିରନ୍ତର ରୁନ୍ଧି ହୋଇଆସୁଥିଲା ।

 

ରୁନୁର ଆନନ୍ଦର ସୀମା ନଥିଲା । ସେ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଲାଗିଲା ଯେ ମା ତା’ର ଅନ୍ତତଃ କିଛିଟା ଭଲ ହୋଇଯିବ । ମା ବ୍ୟତୀତ ତା’ର ଏ’ ସଂସାରରେ ଆଉ ଅଛି ବା କିଏ ?

 

ଦିନେ ଦୁଇଦିନ ମଧ୍ୟରେ ଗାଡ଼ିରେ ସିଟ୍‍ ରିଜର୍ଭ ହୋଇଗଲା ।

 

ନିଶ୍ଚିତ ଦିନ ସେମାନେ ସାଙ୍ଗରେ ଗୋଟିଏ ଗୋଟିଏ ସୁଟକେସ ଆଉ ଅଳ୍ପ କିଛି ଅତ୍ୟାବଶକୀୟ ଜିନିଷ ପତ୍ର ନେଇ ଯାତ୍ରାରମ୍ଭ କଲେ ।

 

ଟିଟୁ ଫାଷ୍ଟକ୍ଲାସ କମ୍ପାଣ୍ଟମେଣ୍ଟରେ ରିଜରଭେସନ କରିଥିଲା । ସୁମିତ୍ରା ଶୋଇକରି ଯିବାପାଇଁ ସେଠି ପୂର୍ଣ୍ଣ ବ୍ୟବସ୍ଥା ଥିଲା । ଗାଡ଼ି ଚାଲିଥିଲା ।

 

‘‘ଟୁଟୁ ମତେ ଏ ଯାତ୍ରା ଖୁବ୍‍ ଭଲ ଲାଗୁଛି । ବହୁତ ଦିନ ହେବ ଏଭଳି ହାଲୁକା ଯାତ୍ରା ମୁଁ କରିନଥିଲି । ମୁଁ ଏଇକ୍ଷଣି ଭଲଭାବରେ ଉଠି ବସି ପାରୁନାହିଁ । ନିଜ ଶରୀର ଉପରେ ଆଉ ବିଶ୍ୱାସ ମଧ୍ୟ ନାହିଁ । ତଥାପି ବର୍ଷ ବର୍ଷର ଏଇ ରୋଗୀ ଶରୀରରେ ମୁଁ ଯେମିତି କିଛିଟା ହାଲୁକାପଣ ଅନୁଭବ କରୁଛି ।’’

 

ଗାଡ଼ିର ସେ ଛୋଟ କମ୍ପାଣ୍ଟମେଣ୍ଟଟିରେ ତିନିଜଣ ଏପରି ଅନୁଭବ କରୁଥିଲେ ଯେପରିକି ସେମାନେ ଏକ ଛୋଟ ପରିବାର । ଯୋଉଥିରେ ଟୁଟୁପରି ଏକ ବୁଦ୍ଧିମାନ ଆଉ ତରୁଣ ପୁଅ ମଧ୍ୟ ଅଛି ।

 

‘‘ମା ! ଆପଣଙ୍କ ଅତୀତର କୌଣସି ସୁନ୍ଦର କାହାଣୀ ଶୁଣାନ୍ତୁ ।’’ ଟୁଟୁ ସୁମିତ୍ରା ପାଖକୁ ଲାଗି ବସିଲା ।

 

ସୁମିତ୍ରା ଟିକେ ହସି ରହିଗଲା । ସେ ଭାବିଲା ଜୀବନର ଏତେଗୁଡ଼ିଏ ବର୍ଷ ସେ ସ୍କୁଲର ଷ୍ଟାଫ୍‍ କ୍ୱାଟର ମଧ୍ୟରେ ରହି କଟାଇ ଦେଲା । ପ୍ରତିଦିନ ସୂର୍ଯ୍ୟ ନିଜ ନିୟମ ଅନୁସାରେ ଉଦୟ ହେଉଥିଲେ ଆଉ ଅସ୍ତ ଯାଉଥିଲେ, ନା କୌଣସି ଭୋରରେ ଥିଲା କୌଣସି ଆଶା, ନା କୌଣସି ସନ୍ଧ୍ୟାରେ କୌଣସି ପ୍ରତୀକ୍ଷା । ଜୀବନଟା ମେସିନ ପରି ଚାଲି ଚାଲିଥିଲା । ସୁମିତ୍ରାର ବୟସ ଗଡ଼ି ଚାଲିଥିଲା ।

 

ଭାବନାରେ ମଗ୍ନ ଥିଲା ସୁମିତ୍ରା । ଟୁଟୁ ତା’ର ଦୁର୍ବଳ ହାତଟିକୁ ନିଜ ହାତ ମଧ୍ୟରେ ରଖି ଆଉଁସିବାକୁ ଲାଗିଲା ।

 

‘‘କେଡ଼ ଭଲ ହୁଅନ୍ତା, ଯଦି ଜୀବନଟା ଏଇପରି ଭାବରେ ଚାଲି ଚାଲିଥାନ୍ତା । ଏ ଯାତ୍ରାର ମାର୍ଗରେ ସେତେବେଳ ପର୍ଯ୍ୟନ୍ତ କୌଣସି ଷ୍ଟେସନ ପଡ଼ନ୍ତା ନାହିଁ ଯେତେବେଳ ପର୍ଯ୍ୟନ୍ତ ଜୀବନଯାତ୍ରା ନିଜର ଅନ୍ତିମ ସ୍ଥଳରେ ପହଞ୍ଚି ନ ଯାଇଛି ।’’ ସୁମୁତ୍ରା ବହୁତ ସମୟ ଚୁପ୍‍ ରହିଲା ପରେ କହିଲା ।

 

‘‘ମା, ଯଦି ବାଟରେ ପଡ଼ୁଥିବା କୌଣସି ଷ୍ଟେସନରେ ଖୁସି ଛିଡ଼ା ହୋଇ ଜୀବନର ପଥ ଦେଖାଉଥାଏ, ତା’ହେଲେ ? ...ମା, ଏ ଗାଡ଼ିର ବାଟରେ କୌଣସି ଷ୍ଟେସନରେ ରହିବା ହିଁ ଦରକାର ।’’ ଟୁଟୁ ଟିକେ ହସିକରି କହିଲା ।

 

‘‘ନାହିଁ ଟୁଟୁ, ତୁମେ ଜାଣିନାହଁ, ଖୁସିର ଷ୍ଟେସନ ମୋ ଜୀବନଯାତ୍ରା ପଥରେ ଆଉ କେବେ ପଡ଼ିବ ନାହିଁ ।’’ କହି ସୁମିତ୍ରା କର ଲେଉଟାଇଲା ।

 

ଟୁଟୁ କୋରାପୁଟ ଆସିଲାବେଳେ ଶର୍ମିଷ୍ଠା ଆଉ ଭାସ୍ୱତୀଙ୍କୁ ତା’ର ଏ ଯାତ୍ରା ସମ୍ବନ୍ଧରେ ଏବଂ ଯାତ୍ରାର ତା’ର ସାଥୀମାନଙ୍କ ସମ୍ବନ୍ଧରେ ବହୁତ କିଛ କହି ଆସିଥିଲା ।

 

ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସେ ସେମାନଙ୍କ ପାଖକୁ ଗୋଟାଏ ଟେଲିଗ୍ରାମ କରିଦେଲା ।

 

ଟ୍ରେନରୁ ଓହ୍ଲାଇ ବସରେ ଯିବାକୁ ପଡ଼ୁଥିଲା । ପ୍ରଶାନ୍ତ ବସ୍‍ ଷ୍ଟପେଜ ପାଖକୁ ସେମାନଙ୍କୁ ନବାପାଇଁ ଜିପ୍‍ ପଠାଇଥିଲେ । ବସ୍‍ରୁ ଓହ୍ଲାଇ ସେମାନେ ଜିପରେ ଉଠିଲେ । ଅଳ୍ପ ସମୟ ମଧ୍ୟରେ ଜିପ୍‍ଟି ଆଣି ତାଙ୍କୁ ବସ୍ତି ଅଞ୍ଚଳର ଏକ କ୍ୱାଟର ପାଖରେ ପହଞ୍ଚାଇ ଦେଲା ।

 

ବସ୍ତୃତ ଆକାଶ ତଳେ ବିଛା ହୋଇଥିବା ପ୍ରକୃତିର ସବୁଜ ଗାଲିଚା ବେଶ୍‍ ସୁନ୍ଦର ଦେଖାଯାଉଥିଲା ।

ପ୍ରଶାନ୍ତଙ୍କର କ୍ୱାଟରକୁ ଲାଗିଥିଲା ଗୋଟିଏ ଛୋଟ ପିଜୁଳି ବଗିଚା । ଯୋଉଥିରେ କି କଞ୍ଚା ପାଚିଲା ପିଜୁଳି ନଦି ହୋଇଥିଲା ।

ପ୍ରଶାନ୍ତ ପୋଜେକ୍ଟ ପାଖରୁ ଫେରି ଟିକେ କ୍ଳାନ୍ତ ହୋଇ ପଡ଼ିଥିଲେ । କ୍ଳାନ୍ତି ଅପନୋଦନପାଇଁ ସେ ନିଜ ଶରୀରଟିକୁ ଆରାମଚେୟେରରେ ଲୋଟାଇ ଦେଇ ଏକ ନକ୍‍ସା ଦେଖିବାକୁ ଲାଗିଲେ ।

ଏତିକିବେଳେ ଜିପ୍‍ଟା ଆସି ସେଠି ବ୍ରେକ୍‍ କଲା ।

ଗାଡ଼ିରୁ ଟୁଟୁ ରୁନୁ ଆଉ ସୁମିତ୍ରା ଓହ୍ଲାଇଲେ । ଦୀର୍ଘଯାତ୍ରା ପରେ ସେଠାକାର ମୁକ୍ତ ବାତାବରଣ ଆଉ ସବୁଜିମା ତାଙ୍କ କ୍ଳାନ୍ତିକୁ କେତେ ପରିମାଣରେ ଦୂର କରି ଦେଇଥିଲା । ଚିର ରୋଗୀ ସୁମିତ୍ରାକୁ ମଧ୍ୟ କିଞ୍ଚିତ ଉତ୍‍ଫୁଲ୍ଲ ଜଣାପଡ଼ୁଥିଲା । ସୁମିତ୍ରା ହସୁଥିଲା ।

‘‘ଜାଣେନା ଔଷଧ ତା’ର କି ପ୍ରଭାବ ପକାଇବ ତେବେ ଏ ଯାତ୍ରା ନିଶ୍ଚେ ତା’ର ପରମାୟୁକୁ ଆଉ କିଛିଦିନ ବଢ଼ାଇ ଦେଲା ।’’

ଟୁଟୁକୁ ଗୋଟାଏ ଜିନିଷ ବଡ଼ ଅଡ଼ୁଆ ଲାଗୁଥିଲା, ରୁନୁ ସାମନାରେ ସେ କେମିତି ସୁମିତ୍ରାକୁ ପ୍ରଶାନ୍ତଙ୍କ ପାଖକୁ ନେବ । କିଏ ଜାଣେ ସୁମିତ୍ରା ଉପରେ କ’ଣ ପ୍ରଭାବ ପଡ଼ିବ । ରୁନୁ ତ କିଛି ଜାଣେ ନାହିଁ । ସେ ଯଦି ଅନ୍ୟ କିଛି ଭାବିବ ସେ......?

ଓଭରସିଅର ସୀତାକାନ୍ତ ଯିଏ କି ଜିପରେ ଆଣିବକାକୁ ଯାଇଥିଲା ସେ ଆସି କହିଲା ଯେ ପ୍ରଶାନ୍ତ ଭିତରେ କ’ଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଆପଣମାନେ ଆସନ୍ତୁ, କହି ସେ ଟୁଟୁ ରୁନୁ ଆଉ ସୁମିତ୍ରାଙ୍କୁ ଅନ୍ୟ ଏକ କୋଠରୀକୁ ନେଇଗଲା । ଯୋଉଠି ଆଉ କେହି ନଥିଲେ ।

ସୁମିତ୍ରା ଥକି ଯାଇଥିଲା । ଘର ଭିତରେ ପାଦ ଦେଉ ଦେଉ ସେ ଖଟ ଉପରେ ପରା ହୋଇଥିବା ବିଛଣାରେ ଶୋଇଗଲା ।

ସୀତାକାନ୍ତ ସେମାନଙ୍କପାଇଁ ଚା’ର ବ୍ୟବସ୍ଥା କରିବା ପାଇଁ ଚାଲିଗଲା । ସେତେବଳେ ଟୁଟୁର ଅବସ୍ଥା ବଡ଼ ବିଚିତ୍ର ହୋଇ ଉଠିଲା । ତା’ର ହୃଦୟର ସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେବାକୁ ଲାଗିଥାଏ । ହଠାତ୍‍ ତାକୁ ଗୋଟାଏ ଉପାୟ ଦେଖାଗଲା । ସେ ରୁନୁକୁ କହିଲା, ‘‘ରୁନୁ ମୁଁ ଶୁଣିଛି ତୁମେ କୁଆଡ଼େ ଗଛ ଚଢ଼ିଜାଣ । ଆଚ୍ଛା ସେ ବଗିଚାରୁ ପିଜୁଳି ଗଛରୁ ପିଜୁଳି ତୋଳି ଆଣିପାରିବ-?’’ କ୍ୱାଟର ପାଖ ପିଜୁଳି ବଗିଚା ଆଡ଼େ ହାତ ଦେଖାଇ କହିଲା ଟୁଟୁ ।

‘‘ଅସଲ କଥା କାହିଁକି କହୁନାହିଁ ତୁମର ପିଜୁଳି ଖାଇବାର ଇଚ୍ଛା ଅଛି ବୋଲି ।’’ କହି ହସିକରି ରୁନୁ ଚାଲିଗଲା ପିଜୁଳି ତୋଳିବାପାଇଁ ।

ଟଟୁର ହୃଦୟରେ ସ୍ପନ୍ଦନ ତଥାପି ଦ୍ରୁତତର ଥିଲା । ଜୀବନର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କ୍ଷଣ ନିକଟ ହୋଇ ଆସୁଥିଲା । ଟୁଟୁ ନିଜେ ପ୍ରଶାନ୍ତଙ୍କ ପାଖକୁ ଗଲା ନାହିଁ । ସୀତାକାନ୍ତକୁ କହିଲା ପ୍ରଶାନ୍ତକୁ ସେଠିକି ପଠାଇଦବାପାଇଁ । ତା’ପରେ ସେ ଯାଇ ସୁମିତ୍ରା ପାଖରେ ବସିଲା

‘‘ଟୁଟୁ, ତୁମେ ମୋତେ ତୁମ ବାପାଙ୍କ ନାଁ କହିଲ ନାହିଁ ।’’

ଟୁଟୁ ଭାବୁଥିଲା ହଠାତ୍‍ ପରିଚୟ ଦବା ପୂର୍ବରୁ ସେ କିଛି ସଙ୍କେତ ଦେଇଦବ ।

‘‘ଇଞ୍ଜିନିୟର ପ୍ରଶାନ୍ତ ମହାପାତ୍ର ।’’ କହିଲା ଟୁଟୁ !

‘‘କ’ଣ କହିଲ ?’’ ସୁମିତ୍ରା ଚମକି ଉଠିଲା ।

‘‘ଇଞ୍ଜିନିୟର ପ୍ରଶାନ୍ତ ମହାପାତ୍ର ।’’ ଟୁଟୁ ନିଜକୁ ଯଥାସମ୍ଭବ ସଂଯତ କରି କହିଲା ଏବଂ ପୁନର୍ବାର ସୁମିତ୍ରାଆଡ଼େ ପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲା ।

‘‘ତୁମ ମା’ କୋଉଠି ?’’ ସୁମିତ୍ରାର ସ୍ୱର ବିଚଳିତ ଥିଲା । ସେ ବିଛଣାରୁ ଉଠି ଛିଡ଼ା ହୋଇଗଲା ।

‘‘ମୋ ମା’...।’’ ଟୁଟୁ କିପରି ରହସ୍ୟ ପୂର୍ଣ୍ଣ ହସ ହସିଲା ।

ସେତେବେଳେ ପ୍ରଶାନ୍ତ ସେ ଘର ଭିତରେ ପାଦ ଦେଇ ସାରିଥିଲେ । ସୁମିତ୍ରା ଆଖି ଉଠାଇ ଦେଖିଲା ।

 

ଟୁଟୁ ଭାବୁଥିଲା ସୁମିତ୍ରା ହୁଏତ ଜ୍ଞାନ ହରାଇ ବସିବ । ତାକୁ ସମ୍ଭାଳିବାକୁ ପଡ଼ିବ; ସେ ତ ଏମିତି ପ୍ରଥମରୁ ଅତ୍ୟଧିକ ଦୁର୍ବଳ; କିନ୍ତୁ ନା, ସେପରି କିଛି ହେଲା ନାହିଁ ।

 

ସୁମିତ୍ରା ଦେଖଇଲା ସେ ପ୍ରଶାନ୍ତ । ଦୀର୍ଘଦିନ ପରେ ଦେଖୁଥିଲେ ମଧ୍ୟ ତାକୁ ଚିହ୍ନିବାରେ କୌଣସି ଅସୁବିଥା ହେଲା ନାହିଁ । ସେ ତ ତାଙ୍କୁ ପରଯୁଗରେ ମଧ୍ୟ ଚିହ୍ନିପାରିବ । ଏଇକ୍ଷଣି ତ ମାତ୍ର ପଚିଶଟା ବର୍ଷ ହୋଇଛି ।

 

‘‘ତୁମେ...’’ ସୁମିତ୍ରାକୁ କାନ୍ଥର ଆଶ୍ରା ନେବାକୁ ପଡ଼ିଲା ।ତା’ ମୁହଁର ଭାବ କିପରି ବଦଳି ଗଲା ।

 

‘ତୁମେ’ ଶବ୍ଦରୁ ଏକ ସ୍ୱର ଫୁଟିଲା । ସ୍ୱରରୁ କିଛି ରୂପରେଖା ଉତ୍ପନ୍ନ ହେଲା । କାଲି ଟୁଟୁର ଟେଲିଗ୍ରାମ ଆସିଥିଲା ‘‘ପଚିଶ ତାରିଖ ସକାଳେ ପହଞ୍ଚିବି । ସାଙ୍ଗରେ କେହି ଅଛନ୍ତି ।’’ ଟେଲିଗ୍ରାମ ଶବ୍ଦରୁ ‘କେହି’ର ଅର୍ଥ ସ୍ପଷ୍ଟ ହୋଇ ଉଠିଲା । ପ୍ରଶାନ୍ତ ସୁମିତ୍ରାର କାନ୍ଧ ପାଖରେ ମୁଣ୍ଡ ନୁଆଁଇ କହିଲେ ‘‘ହଁ ମୁଁ ।’’

 

ଟୁଟୁ ଜାଣିଥିଲା ସୁମିତ୍ରା ଅତ୍ୟନ୍ତ ଦୁର୍ବଳ । ସେ ତା’ ହାତ ଧରି ଖଟ ଉପରେ ବସାଇ ଦେଲା ।ତା’ପରେ ତାକୁ ବିଛଣାରେ ଶୁଆଇ ଦେଲା ।

 

ଏତିକିବେଳେ ରୁନୁ ଚାରୋଟି ପାଚିଲା ପିଜୁଳି ଧରି ଆସି ସେଠି ପହଞ୍ଚିଲା । ପ୍ରଶାନ୍ତ ରୁନୁକୁ ମନେ ମନେ ଚିହ୍ନି ପାରିଲେ । ତା’ପରେ ତାକୁ ନିଜ ଛାତି ଉପରକୁ ଆଉଜାଇ ଆଣି କହିଲେ, ‘‘ତୁମେ ରୁନୁ ନା ?’’

 

‘‘ଆଜ୍ଞା ।’’ ଧୀର ସ୍ୱରରେ କହିଲା ରୁନୁ ।

 

ସେତିକିବେଳେ ସୀତାକାନ୍ତ ଚାକର ହାତରେ ଚା’ ନେଇ ଆସି ପହଞ୍ଚିଲା । ରୁନୁ ଚା’ ତିଆରି କରି ପ୍ରଶାନ୍ତଙ୍କ ହାତକୁ କପ୍‍ ବଢ଼ାଇ ଦେଇ ପିଲାଳିଆ କଣ୍ଠରେ କହିଲା, ‘‘ମୋ ମା ଭଳ ହୋଇଯିବେ ନା, ଟୁଟୁଭାଇ କହୁଥିଲେ ଆପଣଙ୍କର ଏଠି ଜଣେ ବଡ଼ ରଷିୟାନ ଡାକ୍ତର ବନ୍ଧୁ ଅଛନ୍ତି-?’’

 

ପ୍ରଶାନ୍ତ ଆଉ ଥରେ ରୁନୁକୁ ତାଙ୍କ ଛାତି ଉପରକୁ ଆଉଜାଇ ନେଇ ଟିକେ ରୁନ୍ଧିଲା କଣ୍ଠରେ କହିଲେ, ‘‘ମୁଁ ତାଙ୍କ ଜୀବନ ଭଗବାନଙ୍କଠାରୁ ମାଗିନେବି ।’’

 

ଚା’ ସମାପ୍ତ ହେଲା ପରେ ସୀତାକାନ୍ତ ରୁନୁକୁ ବଗିଚା ବୁଲାଇ ଦେଖିବାପାଇଁ ନେଇଗଲା ।

 

ବାହାରେ ପ୍ରଶାନ୍ତକୁ କିଏ ଖୋଜୁଥିଲେ ସେ ମଧ୍ୟ ଉଠିଲେ । ସୁମିତ୍ରାର ବିଛଣା ଉପରେ ଝୁଙ୍କି ପଡ଼ି କହିଲେ, ‘‘ମୁଁ ଯାଏ ?’’

 

ସୁମିତ୍ରା ଝୁଙ୍କି ପଡ଼ିଥିବା ମୁହଁକୁ ହୃଦୟଭରି ଦେଖିଲା । ହେଲେ କିଛି କହି ପାରିଲା ନାହିଁ-। ‘ନା’ କହିବା ଆଶାରେ ସେ କେବଳ ମୁଣ୍ଡ ହଲାଇ ଦେଲା । ପ୍ରଶାନ୍ତ ହସିଦେଲେ ।

 

ସୁମିତ୍ରା ଭାବୁଥିଲା ଟୁଟୁ ମନେ ମନେ କ’ଣ ଭାବୁଥିବ । ନିଜକୁ ସ୍ଥିରକରି ସେ କହିଲା, ‘‘ଟୁଟୁ, ତୁମେ ଜାଣିନାହଁ, ଇଏ ମୋର ବହୁତ ଦିନର ପରିଚିତ ।’’

 

‘‘କେବଳ ପରିଚିତ....?’’ ଟିକେ ହସି କହିଲେ ପ୍ରଶାନ୍ତ ।

 

‘‘ମା, କିଏ ନଜାଣେ ..........ମୁଁ ତୁମର ନିଜର ରୁନୁ ।’’ ଟୁଟୁ ମା କୋଳରେ ମୁଣ୍ଡ ଗୁଞ୍ଜିଦେଲା ।

 

‘‘ରୁନୁ ! ମୋ ରୁନୁ.......!!’’ ଏଥର ସୁମିତ୍ରା ଜ୍ଞାନ ହରାଇ ବସିଲା । ସଙ୍ଗେ ସଙ୍ଗେ ପ୍ରଶାନ୍ତ ଡାକ୍ତରଙ୍କୁ ଡକାଇ ପଠାଇଲେ । ଡାକ୍ତର ଆସି ଏକ ଇଞ୍ଜେକ୍‍ସନ ଦେଲେ । କିଛି ସମୟ ପରେ ସୁମିତ୍ରା ଶରୀରରେ ଶକ୍ତି ଫେରି ଆସିଲା ।

 

ପରେ ଆସିବେ କହି ଡାକ୍ତର ଚାଲିଗଲେ ।

 

‘‘ଦେଖ, ମୁଁ ତୁମ ରୁନୁକୁ କେଡ଼େବଡ଼ କରି ଦେଇଛି ।’’ ପ୍ରଶାନ୍ତ ସାରା ଜୀବନର ସଞ୍ଚିତ ଗମ୍ଭୀରତା ସହ ଟିକେ ହସିଦେଲେ ।

 

ଟୁଟୁ, ରୁନୁ, ସୀତାକାନ୍ତ ସେଦିନ ଆଦିବାସୀ ନାଚ ଦେଖିବାକୁ ବସ୍ତିକୁ ଯାଇଥିଲେ । ଘରେ ଥିଲେ କେବଳ ପ୍ରଶାନ୍ତ ଆଉ ସୁମିତ୍ରା ।

 

ସୁମିତ୍ରା କହୁଥିଲା, ‘‘ଯେତେବେଳେ ମୋ ପାଖରେ ସୁବକିଛି ଥିଲା ସେତେବେଳେ ମୁଁ ତୁମକୁ କିଛି ଦେଇ ପାରିଲି ନାହିଁ । ଏଇକ୍ଷଣି ମୋ ହାତ ଏକେବାରେ ଖାଲି ।’’ ସେ ଭାବୁଥିଲା ପ୍ରଶାନ୍ତ ଏତେଗୁଡ଼ିଏ ଦିନ କେବଳ ତା’ ସ୍ମୃତିକୁ ନେଇ ବିତାଇଥିବେ ।

 

‘‘ସୁମିତ୍ରା, ସମାଜର ହାତ ଖାଲି ହୋଇଯାଇପାରେ, କିନ୍ତୁ ତୁମ ହାତ କେବେ ଖାଲି ହୋଇ ପାରେନା । ମୁଁ ଯା’ ପାଇଛି ତା’ଠାରୁ ଅଧିକ ମୋର କିଛି ଆବଶ୍ୟକ ନାହିଁ ।’’

 

‘‘ମୁଁ’’ ଆଉ କ’ଣ କହିବାକୁ ଚାହୁଁଥିଲା ସୁମିତ୍ରା କହିପାରିଲା ନାହିଁ, ମୁଣ୍ଡ ନୁଆଁଇଲା ।

 

‘‘ସୁମିତ୍ରା ! ତୁମେ ତୁମ ସ୍ୱର୍ଗବାସୀ ସ୍ୱାମୀଙ୍କର ନାଁକୁ ସର୍ବଦା ଆଦର କରୁଥିବ । ରହିଲା ପ୍ରେମ କଥା, ସେ’ଟା ସଦା ମୋର ଥିଲା, ମୋର ଅଛି- ମୋର ରହିବ ମଧ୍ୟ । ଆମର ପ୍ରେମ ଏକ ସମ୍ବନ୍ଧ ସୂତ୍ରରେ ଗ୍ରଥିତ ପ୍ରେମ ନୁହେଁ । ମୁଁ ଏତେଗୁଡ଼ିଏ ବର୍ଷ ଏ ସଂସାରରେ ତୁମ ଅସ୍ତିତ୍ୱକୁ ଅନୁଭବ କରି ଜୀବିତ ରହି ଆସିଛି । ଆଉ ଏଇକ୍ଷଣି ତ ତୁମକୁ ନିଜ ଆଖି ସାମନାରେ ଦେଖିବାକୁ ପାଉଛି । ୟା ଠାରୁ ବଳିକରି ମୋ ଜୀବନରେ ଆଉ କ’ଣ କାମନା ଥାଇପାରେ । ପ୍ରେମର ଏ ପଥରେ ନା ଅଛି ଯୌବନ, ନା ଜରା, ନା ଶରୀର ।

 

ସନ୍ଧ୍ୟା ସମୟର ଥଣ୍ଡା ବଢ଼ିବାକୁ ଲାଗିଥିଲା । ପ୍ରଶାନ୍ତ ସୁମିତ୍ରା କାନ୍ଧରେ ଶାଲଟା ପକାଇଦେଲେ ।

 

ହଠାତ୍‍ ସୁମିତ୍ରାର ପୁରୁଣା ରୋଗଟା ତାକୁ ଆଘାତ କଲା । ପ୍ରଶାନ୍ତ ଯୋଉଥିପାଇଁ ଡରୁଥିଲେ ସେଇଆ ହେଲା । ତାଙ୍କ ରଷିୟାନ ଡାକ୍ତର ବନ୍ଧୁ ସୁମିତ୍ରାକୁ ଦେଖି କହିଥିଲେ ତାକୁ ସେ ଅସାଧ୍ୟା ରୋଗରୁ ସଂସାରର କୌଣସି ଶକ୍ତି ରକ୍ଷା କରିପାରିବ ନାହିଁ । ପ୍ରଶାନ୍ତଙ୍କର କେବଳ ଏତିକି ଆଶାଥିଲା ସେ ଟାଣି ଓଟାରି ସୁମିତ୍ରାର ଜୀବନର ଡୋର କିଛି ଲମ୍ବା କରିଦେବେ, କିନ୍ତୁ ରୋଗର ଏ ଭୟାନକ ଆକ୍ରମଣ ପ୍ରଶାନ୍ତଙ୍କର ସମସ୍ତ ଆଶାରେ ପାଣି ପକାଇଦେଲା ।

 

ପ୍ରଶାନ୍ତ ସୁମିତ୍ରାକୁ ଶୁଆଇଦେଲେ । କିନ୍ତୁ ସୁମିତ୍ରା ମୁହଁରୁ ବାହାରୁଥିବା ରକ୍ତର ଧାର ଯେମିତି ତା’ ଜୀବନର ଶ୍ୱାସକୁ ଏକାଥରକେ ଟାଣିନେଲା । ସେ ଚେତାଶୂନ୍ୟ ପରି ପଡ଼ି ରହିଲା ।

 

ପ୍ରଶାନ୍ତ ତା’ ଚେତା ଫେରାଇବାପାଇଁ ନାନା ଚେଷ୍ଟା କରିବାକୁ ଲାଗିଲେ ।

 

ଟୁଟୁ ଆଉ ରୁନୁ ଆଦିବାସୀ ନୃତ୍ୟ ଦେଖି ରାତି ଅଧରେ ଆସି ଘରେ ପହଞ୍ଚିଲେ । ସୁମିତ୍ରାର ପ୍ରାଣଟା ବୋଧେ ତାଙ୍କରି ପ୍ରତୀକ୍ଷାରେ ଅଟକି ରହିଥିଲା । ସେ ଆଖି ଖୋଲି ଦୁହିଁଙ୍କୁ ଦେଖିଲା ଆଉ ଦୁହିଁଙ୍କର ମୁଣ୍ଡକୁ ନିଜ ଛାତି ଉପରକୁ ଆଉଜାଇ ନେଲା ।

 

ଟୁଟୁ ଆଉ ରୁନୁ ନିଜର କ୍ରନ୍ଦନର ରୋଳକୁ କୌଣସିମତେ ଚାପିରଖି ବାହାରକୁ ଚାଲି ଆସିଲେ ।

 

ସୁମିତ୍ରା ତା’ ହାତଟିକୁ ଆଗକୁ ବଢ଼ାଇଲା । ପ୍ରଶାନ୍ତ ତା’ ହାତଟିକୁ ଧରି ତା’ ମୁଣ୍ଡଟିକୁ ଆଣି ନିଜ କୋଳରେ ରଖିଲେ । ସୁମିତ୍ରାର ମୁଖମଣ୍ଡଳ ଆନନ୍ଦୋତ୍‍ଫୁଲ୍ଲ ହୋଇ ଉଠିଲା । ଥରେ ପରିପୂର୍ଣ୍ଣ ଦୃଷ୍ଟିରେ ପ୍ରଶାନ୍ତଙ୍କ ଆଡ଼େ ଚାହିଁ ସେ ଆଖି ବନ୍ଦ କରିଦେଲା । ବୋଧେ ଚିରଦିନପାଇଁ ବନ୍ଦ କରିଦେଲା ।

 

ପ୍ରଶାନ୍ତ ଦେଖୁଥିଲେ ଆକାଶରେ ଯାମିନୀର ଶେଷଜହ୍ନ ଲିଭି ଲିଭି ଆସୁଛି ।

 

ଫିରିଙ୍ଗି ବଜାର

ତା ୧୦-୧୨-୭୮

Image